ଚିକିଟି ଏନଏସିକୁ ପୁଣି ସ୍ବଚ୍ଚ ସର୍ବେକ୍ଷଣ ପୁରସ୍କାର, ୪୬ ସହରକୁ ପକାଇଲା ପଛରେ

ଗଞ୍ଜାମ: ଦେଶରେ ପୁଣି ଚମକିଲା ଗଞ୍ଜାମ ଜିଲ୍ଲା । ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର ପାଇଲା ଗଞ୍ଜାମର ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ । ଲକ୍ଷେ ଜନସଂଖ୍ୟାରୁ କମ୍ ଶ୍ରେଣୀ ସହର ଭିତରେ ସ୍ବଚ୍ଛତାରେ ଚିକିଟି ପ୍ରଥମ ସ୍ଥାନ ଅଧିକାର କରିଛି । ଦେଶର ୪୬ ସହରକୁ ପଛରେ ପକାଇ ଶ୍ରେଷ୍ଠ ସ୍ଥାନ ହାସଲ କରିଛି ଚିକିଟି ।

ସେହିଭଳି ଦେଶର ପୂର୍ବାଞ୍ଚଳର ୧୫ ହଜାର ଲୋକ ସଂଖ୍ୟାରୁ କମ୍ ଶ୍ରେଣୀରେ ଚିକିଟି ପ୍ରଥମ ସ୍ଥାନ ଅଧିକାର କରିଛି । ଆବର୍ଜନା ମୁକ୍ତ ଅଞ୍ଚଳ ଭାବେ ଚିକିଟି ଏନଏସିକୁ ଥ୍ରୀ ଷ୍ଟାର ରାଙ୍କ ମିଳିଛି । ପରିଷଦର ୧୨ଟି ୱାର୍ଡର ସଫେଇ କ୍ଷେତ୍ରରେ ଏହା ସ୍ଵତନ୍ତ୍ର ଉପଲବ୍ଧ ।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏନଏସି ଅଧ୍ୟକ୍ଷା ଦିପା କୁମାରୀ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଲଦୀପ କୁମାର, ପରିମଳ ବିଶେଷଜ୍ଞ ବାଳକୃଷ୍ଣ ନାୟକ ଏବଂ ରାଜ୍ୟ ନୋଡାଲ ଅଫିସର ତଥା ଅତିରିକ୍ତ ସଚିବ ଦେବାଶିଷ ସିଂ ପୁରସ୍କାର ଗ୍ରହଣ କରିଥିଲେ ।