ସାହାଯ୍ୟ କରିବ ସେନସର…କମ୍ପନ କଢ଼ାଇ ନେବ ବାଟ…

ଯାଜପୁର: ଅନ୍ଧ ଆଉ ବଧିରଙ୍କୁ ବିପଦରୁ ରକ୍ଷା କରିବ ଚଷମା ।  ଏହି ଚଷମା ହେବ ଅନ୍ଧର ଲଉଡ଼ି ମାନେ ଆଗରେ ଥିବା ବାଧାବିଘ୍ନ ଜଣାଇଦେବ। ଖାଲି ଅନ୍ଧ ନୁହେଁ ବଧିରଙ୍କ ପାଇଁ ମଧ୍ୟ କମ୍ପନ ଜରିଆରେ ବିପଦର ଇସାରା ଦେବ । ଏହା ସିନେମା କିମ୍ବା କମିକ୍ସର ଯାଦୁ ଚଷମା ନୁହେଁ, ଏଭଳି ଖାସ୍‌ ଚଷମା ତିଆରି କରିଛନ୍ତି ଜଣେ କୁନି ବୈଜ୍ଞାନିକ ।  ସେ ହେଉଛନ୍ତି ଯାଜପୁର ପିସିସି ହାଇସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ପ୍ରିୟବ୍ରତ ସାହୁ ।

ପ୍ରିୟବ୍ରତଙ୍କ କହିବା ମୁତାବକ, ୧୦୦ ସେଣ୍ଟିମିଟର ଭିତରେ କିଛି ବି ପ୍ରତିବନ୍ଧକ ଆସିଲେ, ଏହାର ବଜର ବାଜି ଉଠିବ । ତେଣୁ ଅନ୍ଧ ଲୋକଟି ସତର୍କ ହୋଇ ବାଟ ବଦଳାଇ ପାରିବ ।  ସେହିପରି ଯଦି ଜଣେ ବଧିର ଏହାକୁ ପିନ୍ଧୁଛନ୍ତି, ତେବେ କିଛି ବି ବିପଦ ପୂର୍ବରୁ ଏଥିରେ କମ୍ପନ ବା ଭାଇବ୍ରେସନ ସୃଷ୍ଟି ହେବ ।

ଆପଣମାନେ ଭାବୁଥିବେ ପ୍ରିୟବ୍ରତ କାହିଁକି ଏମିତି ଚଷମା ତିଆରି କରିବାକୁ ଇଚ୍ଛା ପ୍ରକାଶ କଲେ? ଏହାର କାରଣ କ’ଣ ? ଥରେ ଜଣେ ଅନ୍ଧଙ୍କୁ ଅସୁବିଧାରେ ପଡ଼ିଥିବାର ଦେଖି ସେମାନଙ୍କ ସୁବିଧା ଅସୁବିଧା ବୁଝିଥିଲେ ଏବଂ ସେମାନଙ୍କ ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ଜଣେ କୁନି ବୈଜ୍ଞାନିକ କରିଦେଇଛି । ସେବେଠାରୁ ଥିବା ଇଚ୍ଛାକୁ ଆଜି ସେ ସାକାର କରିଛନ୍ତି । ଏଥିରେ ସହଯୋଗ କରିଛି ସ୍କୁଲରେ ଥିବା ବିଜ୍ଞାନ ଗବେଷଣା କେନ୍ଦ୍ର । ନିଜର ଚେଷ୍ଟା ଓ ଶିକ୍ଷକଙ୍କ ସହାୟତାରେ ପ୍ରିୟଙ୍କୁ ମିଳିଛି ଏହି ସେନସର ସ୍ପେକ୍ଟ  । ଯାହା ଏବେ ଦିବ୍ୟାଙ୍ଗଙ୍କ ପାଇଁ ଏକ ପ୍ରକାର ବରଦାନ ସଦୃଶ ହୋଇଛି ।

Leave a Reply