ପ୍ରଶାନ୍ତରେ ପଡିଲା ଚୀନ ରକେଟ, ଦୁଇ ବର୍ଷରେ ଚତୁର୍ଥ ଥର କକ୍ଷଚ୍ୟୁତ

1 min read

ବେଜିଂ: ପ୍ରଶାନ୍ତ ମହାସାଗରରେ ଖସିଲା ଚୀନର ଦିଗହରା ରକେଟ । ପ୍ରାୟ ୨୩ ଟନ ଓଜନର ରକେଟ କକ୍ଷଚ୍ୟୁତ ହେବା ପରେ କେଉଁଠି ଖସିବ ତାହାକୁ ନେଇ ଜାରି ରହିଥିଲା ସସପେନସ୍ । କକ୍ଷଚ୍ୟୁତ ହୋଇ ଖସିପଡ଼ିବା କ୍ଷେତ୍ରରେ ଗତ ଦୁଇ ବର୍ଷ ମଧ୍ୟରେ ଚୀନର ଏହା ଥିଲା ଚତୁର୍ଥ ରକେଟ । ବାରମ୍ବାର ଏହି ଧରଣର ଦୁର୍ଘଟଣା ଘଟିବା ଯୋଗୁ ଚୀନକୁ ସମାଲୋଚନା କରିଥିଲା ଆମେରିକା ।

କକ୍ଷଚ୍ୟୁତ ରକେଟ ଖସିବା ଆଶଙ୍କା ଥିବାରୁ ସ୍ପେନର କେତେକ ବିମାନ ବନ୍ଦରକୁ ବନ୍ଦ କରିଦିଆଯାଇଥିଲା । ଫ୍ରାନସର ମାର୍ସେଲି ବିମାନବନ୍ଦରରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଥିଲା । ଚୀନର ତିଆଙ୍ଗଙ୍ଗ ସ୍ପେସ ଷ୍ଟେସନରୁ ଲଙ୍ଗମାର୍ଚ୍ଚ 5B ରକେଟକୁ ଉତକ୍ଷେପଣ କରାଯାଇଥିଲା । ଏହାଥିଲା ଏହି ବର୍ଗର ରକେଟର ତୃତୀୟ ତଥା ଚୂଡ଼ାନ୍ତ ମଡ୍ୟୁଲ । ମହାକାଶରୁ ଏହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଜଳିଯାଇଥିଲା ଏବଂ ଖଣ୍ଡଖଣ୍ଡ ହୋଇ ପ୍ରଶାନ୍ତ ମହାସାଗରରେ ଖସିପଡିଥିଲା ।

ଗତ ଅକ୍ଟୋବର ୩୧ ତାରିଖରେ ଲଞ୍ଚ ହୋଇଥିବା ରକେଟ ପୃଥିବୀ ବାହାରେ ମହାକାଶ କକ୍ଷପଥରେ ପ୍ରବେଶ କରିବା ପୂର୍ବରୁ ଏହା ଦିଗଭ୍ରଷ୍ଟ ହୋଇଯାଇଥିଲା । ସ୍ପେସ ଷ୍ଟେସନର ଶେଷ ଅଂଶ ମେନଜିଟିଆନକୁ କକ୍ଷପଥରେ ଅବସ୍ଥାପନ କରିବା ଉଦ୍ଦେଶ୍ୟରେ ଏହି ରକେଟକୁ ଛଡ଼ାଯାଇଥିଲା । ଚୀନର ବିଭିନ୍ନ ଗବେଷଣାରେ ସହାୟକ ହୋଇଥିବା ସ୍ପେସ ଷ୍ଟେସନର କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ହେବ ।