ମୋରବି ଭଳି ଭୁଶୁଡି ଥିଲା ରେନ୍‌ବୋ, ଅଧିକାରୀଙ୍କୁ ମିଳିଥିଲା ମୃତ୍ୟୁଦଣ୍ଡ

1 min read

ବେଜିଂ: ମୃତ୍ୟୁ ଫାଶ ମେଲାଇ ୧୩୪ ଜଣଙ୍କୁ ଖାଇଗଲା ଗୁଜୁରାଟର ମୋରବି ଝୁଲା ପୋଲ । ୧୩୪ ମୁଣ୍ଡ ବଦଳରେ ମାତ୍ର ୯ ଜଣ ହୋଇଛନ୍ତି ଗିରଫ । ବ୍ରିଜର ମରାମତି କାମରେ ଜଡିତ ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଓରେବା ଗ୍ରୁପର ଦୁଇ ମ୍ୟାନେଜର, ପୋଲ ମରାମତି କରୁଥିବା ଦୁଇ ଠିକାଦାରଙ୍କୁ ଉଠାଇ ନେଇଛି ପୋଲିସ । ହେଲେ ମନୁଷ୍ୟକୃତ୍ୟ ଏହି ଅଘଟଣ ପାଇଁ କାର୍ଯ୍ୟାନୁଷ୍ଠାନ ଏତେ କୋହଳ କାହିଁକି ? ତଦନ୍ତ ନାମରେ କାହିଁକି ଗଠନ ହୁଏ କମିଟି ? ଭାରତରେ ଏଭଳି ଅନେକ ଜଘନ୍ୟ ଅପରାଧର ଦଣ୍ଡ ଆଜିଯାଏଁ ଆଖି ଦୃଶିଆ ହୋଇ ପାରିନାହିଁ । କିନ୍ତୁ କମ୍ୟୁନିଷ୍ଟ ଚାଇନାରେ ଏଭଳି ଘଟଣା ପାଇଁ ଦାୟୀ ଅଭିଯୁକ୍ତକୁ ମିଳିଥିଲା ମୃତ୍ୟୁ ଦଣ୍ଡ । ଘଟଣାଟି ୨୩ ବର୍ଷ ପୁରୁଣା ହୋଇଥାଇପାରେ । କିନ୍ତୁ ସେତେବେଳେ ସମଗ୍ର ବିଶ୍ବରେ ଏହା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ।

ଚୀନର ଏକ ସହରରେ ପୋଲ ଭୁଷୁଡିବାରୁ ପାଖାପାଖି ୪୦ ଜଣଙ୍କ ମତ୍ୟୁ ଘଟିଥିଲା । ଘଟଣାର ତଦନ୍ତ ପରେ ଅଦାଲତ ଦୋଷୀକୁ ମୃତ୍ୟୁଦଣ୍ଡ ଶୁଣାଇ ଥିଲେ । ହେଲେ ଭାରତରେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ଗିରଫ କରାଯାଇଛି । ତେବେ କଣ ଥିଲା ଚୀନର ରେନ୍ବୋ ବ୍ରିଜ ଭୁଶୁଡିବା ଘଟଣା । କାହିଁକି ଦୋଷୀଙ୍କୁ ମିଳିଥିଲା ଏଭଳି କଠୋର ଦଣ୍ଡ । ୪ ଜାନୁଆରୀ, ୧୯୯୯ ମସିହା ଘଟଣା । ଚୀନର କ୍ବିଜାଙ୍ଗରେ ପୋଲ ଭୁଷୁଡି ପ୍ରାଣ ହରାଇଥିଲେ ୪୦ । ଭୁଷୁ଼ଡିବାର ୩ ବର୍ଷ ପୂର୍ବରୁ ୧୮୦ ମିଟର ଲମ୍ବ ପୋଲ ନିର୍ମିତ ହୋଇଥିଲା । ପରବର୍ତ୍ତି ତଦନ୍ତରୁ ନିର୍ମାଣରେ ଅନେକ ଅନିୟମିତତା ହୋଇଥିବା ଜଣାପଡିଥିଲା । ଖରାପ କ୍ବାଲିଟିର ଷ୍ଟିଲ୍ ଠୁ ଆରମ୍ଭ କରି ଇଞ୍ଜିନିଅରଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠିଥିଲା ।

ଚୀନର ଅଦାଲତ ଦୋଷୀଙ୍କୁ ଦୃଷ୍ଟାନ୍ତମୁଳକ ଦଣ୍ଡ ଦେବାକୁ ଚାହୁଁଥିଲେ । ଯାହା ଭବିଷ୍ୟତରେ ଦୁର୍ନିତୀଗ୍ରସ୍ତଙ୍କ ପାଇଁ ଉଦାହରଣ ହୋଇ ରହିବ । ସେଥିପାଇଁ ଅଦାଲତ ନିଜ ଐତିହାସିକ ରାୟରେ କମ୍ୟୁନିଷ୍ଟ୍ ପାର୍ଟିର ଜଣେ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ଏଭଳି କଠୋର ଓ ନିଦାରୁଣ ରାୟ ପଛରେ ଉଦ୍ଦେଷ୍ୟ ଥିଲା ଗୋଟିଏ- ଦୁର୍ନିତୀଖୋରଙ୍କ ଛାତିରେ ଆଇନର ଛନକ ସୃଷ୍ଟି । ଆଗକୁ ଯାଇ ଏହି ରାୟ ଚୀନରେ ମାଇଲଖୁଣ୍ଟ ହୋଇଥିଲା ।

ମାମଲାରେ କମ୍ୟୁନିଷ୍ଟ ପାର୍ଟିର ଜଣେ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ କୋର୍ଟ । ସେହିପରି ଅନ୍ୟ ଦୋଷୀ ମାନଙ୍କୁ ୩ ରୁ ୧୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଭୋଗିବାକୁ ପଡିଥିଲା । ଦୋଷୀଙ୍କ ମଧ୍ୟରେ ଥିଲେ କଣ୍ଟ୍ରାକ୍ଟର, ଇଞ୍ଜିନିଅର, ମେଟାଲ ସପ୍ଲାଏର ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ । ଚଙ୍ଗକିଙ୍ଗର ପିପୁଲ୍ସ କୋର୍ଟ ୩୭ ବର୍ଷୀୟ ମୁଖ୍ୟ ଦୋଷୀକୁ ଲାଞ୍ଚ ନେବା ଓ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ମୃତ୍ୟୁଦଣ୍ଡ ଶୁଣାଇଥିଲେ ।

ଚୀନର ମିଡିଆ ରିପୋର୍ଟ ଅନୁସାରେ ମୁଖ୍ୟ ଦୋଷୀ ଲିନ୍‌ ୧୨ ହଜାର ଡଲାର ଲାଞ୍ଚ ନେଇ ପୋଲ ତିଆରି କରିବା ପାଇଁ ଟେଣ୍ଡର ନିଜ ବନ୍ଧୁଙ୍କୁ ଦେଇଥିଲେ । ଯେତେବେଳେ ଚୀନ ବିକାଶଶୀଳ ରାଷ୍ଟ୍ର ରେସ୍‌ରେ ଆଗକୁ ବଢିବା ପାଇଁ ଗୋଟିଏ ପରେ ଗୋଟିଏ ବଡ ପୋଲ ନିର୍ମାଣ କରି ଚାଲିଥିଲା ଠିକ୍‌ ସେହି ସମୟରେ ଏହି ଅଘଟଣ ଘଟିଥିଲା । ଯେଉଁଥିପାଇଁ ସମଗ୍ର ବିଶ୍ବରେ ସମାଲୋଚିତ ହୋଇଥିଲା ଚୀନ୍‌ । ଫଳରେ ନିଜର ଆଗାମୀ ପ୍ରୋଜେକ୍ଟରେ ସୁରକ୍ଷାକୁ ପ୍ରଥମ ପ୍ରାଥମିକତା ଦେବାକୁ ସ୍ଥିର କରିଥିଲା ନିର୍ମାଣ ମନ୍ତ୍ରାଳୟ ।

ମାମଲାର ଶୁଣାଣି କରି ଅଦାଲତ ନିର୍ମାଣ ଡିଜାଇନ କରୁଥିବା ସଂସ୍ଥାର ନିର୍ଦ୍ଦେଶକଙ୍କୁ ୧୦ ବର୍ଷ ଜେଲଦଣ୍ଡ ଶୁଣାଇବା ସହ ୨୪ ହଜାର ଡଲାର ଜୋରିମାନା ଲଗାଇଥିଲେ । ନିର୍ମାଣ ଦାୟିତ୍ବ ନେଇଥିବା ଦୁଇଜଣଙ୍କୁ ୧୦ ବର୍ଷ ଜେଲଦଣ୍ଡ ସହ ୬୦ ହଜାର ଡଲାର ଜୋରିମାନା ଦଣ୍ଡ ଶୁଣାଇଥିଲେ କୋର୍ଟ ।