ଆଜି ସରିବ ମୁଖ୍ଯ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ଯକାଳ

ଭୁବନେଶ୍ୱର: ଆଜି ସରିବ ମୁଖ୍ଯ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ଯକାଳ । ଆଜିଠୁ ଦାୟିତ୍ବ ଗ୍ରହଣ କରିବେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ୧୯୯୦ ବ୍ୟାଚ ବରିଷ୍ଠ ଆଇଏଏସ ଅଫିସର ହେଉଛନ୍ତି ମନୋଜ ଆହୁଜା। ଖୋର୍ଦ୍ଧା ଜିଲ୍ଲାପାଳ ଭାବେ କ୍ଯାରିଅର ଆରମ୍ଭ କରିଥିଲେ ମନୋଜ ଆହୁଜା। ସେ କେନ୍ଦ୍ର କୃଷି ସଚିବ ଦାୟିତ୍ଵରେ ରହିଥିଲେ । ୨୦୧୭ରେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଲାଲ ବାହାଦୂର ଶାସ୍ତ୍ରୀ ଏକାଡେମୀର ସ୍ଵତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରିଥିଲେ । ୨୦୨୦ରେ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟରେ ସେ ସିବିଏସଇ ଅଧ୍ୟକ୍ଷ ଭାବେ ଦାୟିତ୍ଵରେ ରହିଥଲେ। ଏହାପରେ ୨୦୦୯ରେ ଖାଦ୍ୟ ଯୋଗାଣ ସଚିବ, ୨୦୧୦ରେ ଖଣି ଇସ୍ପାତ ବିଭାଗ ସଚିବ ହୋଇଥିଲେ । ୨୦୧୨ରେ କ୍ରୀଡ଼ା ଯୁବ ବ୍ଯାପାର ଓ ୨୦୧୨ ରୁ ୨୦୧୫ ପର୍ଯ୍ୟନ୍ତ ବାଣିଜ୍ୟ କର କମିଶନର ଥିଲେ । ୨୦୧୫ରେ ସମବାୟ ବିଭାଗର ସଚିବ ଦାୟିତ୍ଵ ଗ୍ରହଣ କରିଥିଲେ।

ସେପଟେ କାର୍ଯ୍ୟକାଳ ସରିବା ପୂର୍ବରୁ ସୋସିଆଲ ମିଡିଆ ଏକ୍ସରେ ମନକଥା କହିଛନ୍ତି ପ୍ରଦୀପ ଜେନା । ଗତକାଲି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ପ୍ରଦୀପ କହିଛନ୍ତି, ମୁଁ ମୋ ଜୀବନର ଏକ ନୂତନ ସୋପାନରେ ପାଦ ଦେବାକୁ ଯାଉଛି । ଜଣେ ନାଗରିକ ହିସାବରେ ରାଜ୍ଯର ବିକାଶ ପାଇଁ କାମ କରିବାକୁ ସମସ୍ତଙ୍କଠୁ ସେ ଆଶୀର୍ବାଦ କାମନା କରିଛନ୍ତି । ଏହାସହିତ ସମସ୍ତଙ୍କୁ ହୃଦୟରୁ ଧନ୍ଯବାଦ ଜଣାଇଛନ୍ତି ପ୍ରଦୀପ । ସେ କହିଛନ୍ତି, ଲୋକେ କରିଥିବା ଅନେକ ଆଶା ମୋ ସୀମାର ବାହାରେ ଥିଲା । ଅନେକ ସମୟରେ ଲୋକ ଭାବିଥାନ୍ତି ମୁଖ୍ଯ ଶାସନ ସଚିବ ସବୁକିଛି କରିପାରିବେ । କିନ୍ତୁ ଏହା ସତ ନୁହେଁ । ମୁଁ ବିଧିବ୍ଯବସ୍ଥାରେ ବନ୍ଧା । କିଛି କ୍ଷେତ୍ରରେ ମୁଁ ସାହାଯ୍ୟ କରିବାକୁ ଚାହୁଁଥିଲେ ମଧ୍ଯ ମୋର ପରିସୀମା କାରଣରୁ କରିପାରିନାହିଁ । ଯେତେବେଳେ ବି ବ୍ଯବସ୍ଥା ସୁଯୋଗ ଦେଇଛି ମୁଁ ସମସ୍ଯାର ସମାଧାନ କରିବାକୁ ଚେଷ୍ଟା କରିଛି । ସରକାରୀ କାର୍ଯ୍ଯରୁ ଅବସର ନେବାପରେ ମଧ୍ଯ ମୁଁ ଲୋକଙ୍କ ସମସ୍ଯାର ସମାଧାନ ପାଇଁ ଚେଷ୍ଟା କରିବି । ସୋସିଆଲ ମିଡିଆ ଏକ୍ସରେ ମୁଁ ଅନେକଙ୍କର ପ୍ରଶ୍ନର ଯଥାସମ୍ଭବ ଉତ୍ତର ଦେବାକୁ ଚେଷ୍ଟା କରିଛି । ତେବେ ସମୟର ଅଭାବ ଯୋଗୁ କିଛି ଜଣଙ୍କୁ ଉତ୍ତର ଦେଇପାରିନାହିଁ । ସେଥିପାଇଁ କ୍ଷମା ମାଗିଛନ୍ତି ମୁଖ୍ଯ ଶାସନ ସଚିବ ।