ମୁଖ୍ୟ ଶାସନ ସଚିବଙ୍କ କୋଭିଡ ସମୀକ୍ଷା: ଟେଷ୍ଟିଂ ବଢ଼ିବ ଓ ଟୀକାକରଣକୁ ଫୋକସ୍

1 min read

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅଛି । ହେଲେ ସହରାଞ୍ଚଳମାନଙ୍କରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଟିକାକରଣ, ଜାଗୃକତା, ସଚେତନତା ଏବଂ ସଠିକ୍  ସୂଚନା ପ୍ରସାରଣ ଉପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱ ଆରୋପ କରିଛନ୍ତି । ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ଼୍ ସ୍ଥିତି ସମୀକ୍ଷା କରି ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏ ବିଷୟରେ ନିର୍ଦ୍ଦେଶମାନ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନରୁ  ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ କୋଭିଡ଼୍ ସଂକ୍ରମଣ ଓ ପରିଚାଳନା  ସମ୍ବନ୍ଧିତ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ଜିଲ୍ଲାୱାରୀ ସ୍ଥିତିର  ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଆସନ୍ତା କାଲି ୧୫ ତାରିଖରୁ ୧୮-୫୯ ବର୍ଷ ଲୋକଙ୍କ ପାଇଁ ଟିକାକରଣ ଅଭିଯାନ ଆରମ୍ଭ କରିବା, ଦୈନିକ କୋଭିଡ଼୍ ପରୀକ୍ଷା ସଂଖ୍ୟା ବଢ଼ାଇବା,  କଲ୍ ସେଣ୍ଟରକୁ ୨୪x ୭ ଭିତ୍ତିରେ କାର୍ଯ୍ୟକ୍ଷମ କରାଇବା ଏବଂ ଜନସଚେତନତା କାର୍ଯ୍ୟକ୍ରମକୁ  ବ୍ୟାପକ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ବିଭିନ୍ନ ଇଞ୍ଜିନିଅରିଂ କଲେଜ, ଛାତ୍ରାବାସ, ଉଚ୍ଚଶିକ୍ଷାନୁଷ୍ଠାନ ଆଦିରେ ଛାତ୍ରଛାତ୍ରୀମାନଙ୍କର ଟିକାକରଣ ସହ ସହରାଞ୍ଚଳମାନଙ୍କରେ ୧୮ ରୁ ୫୯ ବର୍ଷ ଲୋକଙ୍କ ପାଇଁ  ବ୍ୟାପକ ଟିକାକରଣ ଅଭିଯାନ  ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରାଞ୍ଚଳରେ ପ୍ରତି ୱାର୍ଡ଼ ଏବଂ ଗ୍ରାମାଞ୍ଚଳରେ ଗ୍ରାମ ଓ ପଂଚାୟତୱାରୀ ଟିକାକରଣ କାର୍ଯ୍ୟଯୋଜନା କାର୍ଯ୍ୟାନ୍ୱୟନ  ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଥିଲେ ।  ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, ଜନ ପ୍ରତିନିଧି, ସେଚ୍ଛାସେବୀ ଅନୁଷ୍ଠାନ ଓ ମହିଳା ସ୍ୱୟଂ  ସହାୟକ ଗୋଷ୍ଠିମାନଙ୍କୁ  ସାମିଲ କରିବାକୁ  ଉନ୍ନୟନ କିମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଥିଲେ ।

ତେବେ ବର୍ତ୍ତମାନ ରାଜ୍ୟରେ ସମୁଦାୟ ୪୨୬୨ ଆକ୍ଟିଭ୍ କୋଭିଡ଼୍ କେସ୍ ଅଛି । ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ  କମ୍ ପିଲାଙ୍କ ସଂଖ୍ୟା ୭୧ । ସଂକ୍ରମିତମାନେ ମୁଖ୍ୟତଃ ହୋମ୍ ଆଇସୋଲେସନ୍ ମାଧ୍ୟମରେ  ଚିକିତ୍ସିତ ହେଉଛନ୍ତି ।  ବର୍ତ୍ତମାନ ସୁଦ୍ଧା ୩୯ ଜଣ ଚିକିତ୍ସା ପାଇଁ  ହସ୍ପିଟାଲରେ ଆଡମିଶନ  ହୋଇଛନ୍ତି । ପ୍ରତ୍ୟେକ ମେଡ଼ିକାଲ କଲେଜ  ଏବଂ ଜିଲ୍ଲା ଚିକିତ୍ସାଳୟରେ  ସ୍ୱତନ୍ତ୍ର  କୋଭିଡ଼୍ ୱାର୍ଡ  ବ୍ୟବସ୍ଥା କରାଯାଇଛି ।  ଜୁଲାଇ ୧୫ ତାରିଖରୁ ୧୮ ରୁ ୫୯ ବର୍ଷ ବୟସ୍କ ନିମନ୍ତେ ମାଗଣା ବୁଷ୍ଟର ଡ଼ୋଜ୍ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି କରାଯାଉଛି ।

ଆଜିର ଏହି ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ବିଭାଗ ସଂଜୀବ ଚେପ୍ରା, ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଅନୁଗର୍ଗ, ସ୍ୱାସ୍ଥ୍ୟ  ଓ ପରିବାର କଲ୍ୟାଣ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ  ବୈଠକର ଅଂଶଗ୍ରହଣ କରିଥିଲେ । ଜିଳ୍ଲାପାଳ ଏବଂ ପୌର ପରିଷଦ କମିଶନରମାନେ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ନିଜ ନିଜ ଅଂଚଳର କୋଭିଡ଼୍ ସ୍ଥିତି ଓ  ମୁକାବିଲା ସମ୍ପର୍କରେ ସୂଚନା ଦେଇଥିଲେ  ।