ମହାନଦୀ ସମସ୍ୟାର ସମାଧାନ ପାଇଁ ଛତିଶଗଡ଼ କୁନ୍ଥକୁନ୍ଥ

ଭୁବନେଶ୍ବର: ମହାନଦୀ ସମସ୍ୟାର ସମାଧାନ ପାଇଁ ଛତିଶଗଡ଼ ସରକାରଙ୍କ ନାହିଁ ଆନ୍ତରିକତା । ମହାନଦୀ ଜଳ ପ୍ରବାହ ନେଇ ଛତିଶଗଡ଼କୁ ଗତ ମେ’ ୧୯ ତାରିଖରେ ଯୁଗ୍ମ ବୈଠକ ପାଇଁ ଚିଠି କରିଛି ରାଜ୍ୟ । ହେଲେ ଛତିଶଗଡ଼ ପକ୍ଷରୁ କିଛି ଜବାବ ଆସିନି । ଆଗାମୀ ବର୍ଷାଋତୁରେ ଓଡ଼ିଶାକୁ ଜଳ ପ୍ରବାହ ନେଇ କିପରି ପରିଚାଳନା କରାଯିବ ସେ ନେଇ ଚିଠିରେ ଉଲ୍ଲେଖ କରାଯାଇଛି । ଏନେଇ ଛତିଶଗଡ଼ର ମହାନଦୀ ମୁଖ୍ୟ ଯନ୍ତ୍ରୀଙ୍କ ସହ ଆଲୋଚନା କରାଯିବ । ହେଲେ ଏବେ ସୁଦ୍ଧା ଚିଠିର ଜବାବ ରଖିନି ଛତିଶଗଡ଼ ।

ଏପଟେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ଛତିଶଗଡ଼ ପାଣି ଛାଡ଼ିବା ପରେ ହୀରାକୁଦର କ୍ଷମତା ଦେଖି ବନ୍ୟା ପରିସ୍ଥିତି ସଂପର୍କରେ ଜଣାପଡ଼ିବ । କେତେ ମାତ୍ରାରେ ପାଣି ଛାଡ଼ୁଛନ୍ତି, ତାହା ଦେଖିବାକୁ ପଡ଼ିବ । ଜୁନ୍‌ରେ ଭଲ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ପ୍ରଥମ ବର୍ଷାରେ ପ୍ରବାହ ଅଧିକ ରହିବ । ଦ୍ଵିତୀୟ ବର୍ଷାରେ ସମୀକ୍ଷା କରି ବନ୍ୟା କଥା କହି ହେବ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ଆଜିଠାରୁ ଜଳସମ୍ପଦ ହେଡକ୍ବାର୍ଟରରେ ବନ୍ୟା ନିୟନ୍ତ୍ରଣ ସେଲ ଖୋଲାଯାଇଛି । ଏହା ଜୁନ ୧ରୁ ଅକ୍ଟୋବର ୩୧ ଯାଏଁ ଖୋଲା ରହିବ । ଏଥିସହ ସର୍କଲ ଓ ଡିଭିଜନ ଅଫିସରେ ବି ବନ୍ୟା ନିୟନ୍ତ୍ରଣ ସେଲ ଖୋଲାଯାଇଛି ।