ଛତିଶଗଡ଼ ଖୋଲିଲା ବ୍ୟାରେଜ୍ ଗେଟ୍, ସଜାଗ ହେଲା ଜଳସଂପଦ ବିଭାଗ

ରାୟପୁର: ବ୍ୟାରେଜ୍ ଗେଟ୍ ଖୋଲିଲା ଛତିଶଗଡ଼ । ଛତିଶଗଡ଼ କଲମା ବ୍ୟାରେଜର ମୋଟ୍ ୬୬ଟିରୁ ୧୦ଟି ଗେଟ୍ ଶୂନ ଦଶମିକ ପାଞ୍ଚ ମିଟର ଲେଖାଏଁ ଖୋଲିଛି। ସେହିପରି ସାରଡ଼ିହି ବ୍ୟାରେଜର ୮୧ରୁ ୧୧ଟି ଗେଟ ଶୂନ ଦଶମିକ ୨ ମିଟର ଏବଂ ମିରନିର ୮୧ରୁ ୯ଟି ଗେଟ ୧୫ ଦଶମିକ ୧୫ ମିଟର ଲେଖାଏଁ ଖୋଲା ହୋଇଛି। ସେହିପରି ବସନ୍ତପୁର ବ୍ୟାରେଜର ୬୪ଟି ଗେଟରୁ ୧୫ଟି ଗେଟ୍ ଶୂନ ଦଶମିକ ୧୫ ମିଟର ଯାଏଁ ଖୋଲା ହୋଇଛି। ଜଳସ୍ତରର ତଥ୍ୟ ଉପରେ ନଜର ରଖିଛି ଜଳସଂପଦ ବିଭାଗ ।

ହୀରାକୁଦରେ ଏବେ ୬୦୦ ଦଶମିକ ୧୨ ଫୁଟ ପାଣି ଅଛି । ହୀରାକୁଦରେ କମ ପାଣି ଥିବାରୁ ସେତେଟା ପ୍ରଭାବ ପଡ଼ିବ ନାହିଁ । ହୀରାକୁଦ ପାଣି ଛଡ଼ା ଯିବା ସମୟରେ ୧୪ ଜିଲ୍ଲାକୁ ସତର୍କ ସୂଚନା ଦିଆଯିବ । ହୀରାକୁଦରୁ ବରଗଡ଼ ମେନ କେନାଲ ଓ ଶାସନ ମେନ କେନାଲରେ ଆସନ୍ତକାଲିଠାରୁ ଜଳସେଚନ ପାଇଁ ପାଣି ଛଡ଼ା ଯିବ । ଏହା ଦ୍ବାରା ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର କିଛି ଅଂଶ ଉପକୃତ ହେବେ । ଯୁଗ୍ମ ବୈଠକ ପାଇଁ ଛତିଶଗଡ଼ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ବୁର୍ଲା ମୁଖ୍ୟଯନ୍ତ୍ରୀ ଅନୁରୋଧ କରିଥିଲେ । ପୂର୍ବରୁ ଏନେଇ ଚିଠି ବି ଲେଖାଯାଇଥିଲା। ହେଲେ ଏଯାଏ ଛତିଶଗଡ଼ କିଛି ଉତ୍ତର ଦେଇନି।