ସମ୍ ହସ୍ପିଟାଲ୍‌ରେ ଆୟୋଜିତ ହୋଇଛି ସମ୍ମିଳନୀ ଚେଷ୍ଟକନ୍ ଓଡ଼ିଶା-୨୦୨୩

1 min read

ଭୁବନେଶ୍ୱର: କୋଭିଡ ମହାମାରୀ ପରବର୍ତ୍ତୀ ସମୟରେ ବିଭିନ୍ନ ଫୁସ୍‌ଫୁସ୍ ଜନିତ ସମସ୍ୟା ବୃଦ୍ଧି ପାଉଛି । ଫଳରେ ଯକ୍ଷ୍ମା ଭଳି ମାରାତ୍ମକ ବ୍ୟାଧିକୁ ଏତେଟା ଗୁରୁତ୍ବ ମିଳିପାରୁ ନାହିଁ । ଓଡ଼ିଶା ଚେଷ୍ଟ ସୋସାଇଟିର ୧୯ ତମ ବାର୍ଷିକ ସମ୍ମିଳନୀ ଯୋଗଦେଇ ଏହା କହିଛନ୍ତି ବିଶିଷ୍ଟ ଫୁସ୍‌ଫୁସ୍ ରୋଗ ବିଶେଷଜ୍ଞ ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଦିଗାମ୍ବର ବେହେରା । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆୟୋଜିତ ହୋଇଛି ସମ୍ମିଳନୀ ଚେଷ୍ଟକନ୍ ଓଡ଼ିଶା-୨୦୨୩ । ଏହାକୁ ଉଦଘାଟନ କରି ପ୍ରଫେସର ବେହେରା କହିଛନ୍ତି ଯେ, ବର୍ତ୍ତମାନ ବିଭିନ୍ନ ପ୍ରକାର ଫୁସ୍‌ଫୁସ୍ ଜନିତ ସମସ୍ୟା ବୃଦ୍ଧି ପାଉଛି । ତେଣୁ ସାରା ଦେଶରେ ଫୁସ୍‌ଫୁସ୍ ରୋଗ ବିଶେଷଜ୍ଞ ଚିକିତ୍ସାରେ ବ୍ୟସ୍ତ ରହୁଛନ୍ତି । ତେବେ ଚିରାଚରିତ ଶ୍ବାସଜନିତ ସମସ୍ୟାକୁ ମଧ୍ୟ ଅଧିକ ଧ୍ୟାନ ଦେବା ଉଚିତ୍ ।

ଏହି ପ୍ରକ୍ରିୟାରେ ଆମେ ଯକ୍ଷ୍ମାକୁ ଭୁଲିଯାଉଛୁ ଏବଂ ଆମର ଧ୍ୟାନ ଅନ୍ୟ ଆଡ଼କୁ ଯାଉଛି । ବିଶ୍ବର ୨୭ ପ୍ରତିଶତ ଯକ୍ଷ୍ମା ରୋଗୀ ଭାରତରେ ଥିବା ବେଳେ ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ନ୍ୟାସ୍‌ନାଲ୍ ଟ୍ୟୁବରକ୍ୟୁଲୋସିସ୍ ଏଲିମିନେସନ୍ ପ୍ରୋଗ୍ରାମ୍, ଏନ୍‌ଟିଇପିକୁ ଅଣଦେଖା କରିବା ଆଦୌ ଉଚିତ ନୁହେଁ ବୋଲି କହିଛନ୍ତି ପ୍ରଫେସର ବେହେରା । ଓଡ଼ିଶା ଚେଷ୍ଟ ସୋସାଇଟିର ସଭାପତି ପ୍ରଫେସର ଡାକ୍ତର ସମୀର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିନଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏବଂ ଓଡ଼ିଶା ଚେଷ୍ଟ ସୋସାଇଟିର ସମ୍ପାଦକ ଡାକ୍ତର ମନୋଜ କୁମାର ପାଣିଗ୍ରାହୀ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପଲ୍‌ମୋନାରୀ ମେଡିସିନ୍ ବିଭାଗର ମୁଖ୍ୟ ତଥା କାର୍ଯ୍ୟକ୍ରମର ଅର୍ଗାନାଇଜିଂ ଚେୟାରମ୍ୟାନ ପ୍ରଫେସର ଡାକ୍ତର ବନାନୀ ଜେନା ।