ଅବିଶ୍ରାନ୍ତ ବର୍ଷାରେ ହନ୍ତସନ୍ତ ଚେନ୍ନାଇ: ସହର ବାହାରକୁ ଯାଇଥିବା ଲୋକଙ୍କୁ ନଫେରିବାକୁ ପରାମର୍ଶ

ଚେନ୍ନାଇ: ଅବିଶ୍ରାନ୍ତ ବର୍ଷାରେ ଚେନ୍ନାଇ ସ୍ଥିତି ସଂଗୀନ । ପ୍ରାୟ ସମସ୍ତ ସହର ତଳି ଅଞ୍ଚଳ ପାଣିରେ ବୁଡି ରହିଥିବା ବେଳେ ଅଧିକାଂଶ ରାସ୍ତାଘାଟ ବନ୍ଦ ହୋଇଯାଇଛି । ସେପଟେ ଆସନ୍ତାକାଲି ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସାମୁଦ୍ରିକ ଝଡ ଲଘୁଚାପର ରୂପ ନେଉଥିବା ଯୋଗୁ ତିନି ଦିନ ଧରି ବର୍ଷାର ତାଣ୍ଡବ ଜାରି ରହିବ । ରାଜ୍ୟ ପ୍ରଶାସନ ୪ ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ ସହର ବାହାରକୁ ଦୀପାବଳି ଲାଗି ଚାଲି ଯାଇଥିଲେ ସେମାନେ ନ ଫେରିବା ଲାଗି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ।

ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ପ୍ରାୟ ୬୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଆଶଙ୍କା ଥିବା ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଚେନ୍ନାଇ, ଥିରୁଭାଲୁର, କାଞ୍ଚିପୁରମ ଓ ଚେଙ୍ଗଲପାଟୁ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ସ୍କୁଲ କଲେଜ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ମଦୁରାଇ, କୁଡାଲୋର, ଥାଞ୍ଜାଭୁରରେ ସ୍ଥିତି ଖରାପ ହେବା ଆଶଙ୍କାରେ ସେହି ସବୁ ଜିଲ୍ଲାକୁ ଏନଡିଆରଏଫ ଟିମ ପଠାଯାଇଛି ।

କୋଏମ୍ବାଟୁର, କାରୁର, ଏରୋଡ, ପେରାମ୍ବୁଲୁର ଆଦି ଜିଲ୍ଲାରେ ୫ ହଜାରରୁ ଅଧିକ ରିଲିଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ବନ୍ୟା ପ୍ରବଣ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି । ବିଭିନ୍ନ ପ୍ରପୀଡିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଆଲୋଚନା କରିବା ସହ ରିଲିଫ କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଚେନ୍ନାଇ ସହର ନିକଟରେ ଥିବା ଚେମ୍ବାରାମ୍ବାକ୍କମ ହ୍ରଦରୁ ପାଣି ନିଷ୍କାସନ କରାଯିବାରୁ ସମସ୍ୟା ଉତ୍କଟ ହୋଇଛି । ଆଦ୍ୟାର ନଦୀର ଜଳପତ୍ତନ ବୃଦ୍ଧି ପାଉଥିବାରୁ କାଞ୍ଚିପୁରମ ଓ ଚେଙ୍ଗଲପାଟୁ ଜିଲ୍ଲା ଅଧିକ ପ୍ରଭାବିତ ହେବାରେ ଲାଗିଛି ।

 

Leave a Reply