ବୋର୍ଡ ପରୀକ୍ଷା ବେଳେ ୨ ମହଲା ଝରକାରେ ଲଟକି ଯୋଗାଇଲେ କପି

ନନ୍ଦିଘୋଷ ବ୍ୟୁରୋ :  ନା ଅଛି ପରୀକ୍ଷକଙ୍କ ଡର , ନା ଅଛି ଧରାପଡିବାର ଭୟ । ବୋର୍ଡ ପରୀକ୍ଷାରେ ବେଧଡକ କପି କଲେ ଛାତ୍ରଛାତ୍ରୀ । ହରିୟାଣାରେ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ଗୁରୁଗ୍ରାମର ଏକ ପରୀକ୍ଷା କେନ୍ଦ୍ରରେ ଏପରି କପି ହେବାର ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଯେ କେହି ମୁଣ୍ଡରେ ହାତ ଦେବେ  । ଯାହାର ଫଟୋ  ଏବେ ସୋସିଆଲ ମିଡ଼ିରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ଚନ୍ଦ୍ରବାତୀ ନାମକ ଏକ ସ୍କୁଲର ପରୀକ୍ଷା କେନ୍ଦ୍ରରେ ଦଶମ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ କପି କରିବାର ସବୁ ସୀମା ଲଂଘି ଯାଇଛନ୍ତି ଛାତ୍ରଛାତ୍ରୀ । ମଙ୍ଗଳବାର ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ହିଁ କାଗଜ ଫିଙ୍ଗିବା ଏବଂ ଛାତ, ଝରକାରେ ଚଢି ସହଯୋଗୀଙ୍କୁ କପି ଯୋଗାଇବା ପରି କାମ ଆରମ୍ଭ ହୋଇଯାଇଥିଲା  । ଭାଇରାଲ ହୋଉଥିବା ଫଟୋରେ କିଛି ଲୋକ ପରୀକ୍ଷା କେନ୍ଦ୍ରର ପ୍ରଥମ ଏବଂ ଦ୍ୱିତୀୟ ମହଲା ଝରକାକୁ ଚଢି କପି ଯୋଗାଉଥିବାର ଚିତ୍ର ସାମ୍ନାକୁ ଆସିଛି ।

ପରୀକ୍ଷା ରୁମରେ ଏପରି ଭୟଙ୍କର କପି ଚାଲିଥିଲେ ମଧ୍ୟ ପରୀକ୍ଷକ କିଛି ଆକ୍ସନ ନେଇଛନ୍ତି କି ନାହିଁ ତାହା ଜଣା ପଡି ନାହିଁ । ଏସବୁ ଚାଲିଥିବା ବେଳେ ସ୍କୁଲ ବାହାରେ ଡ୍ୟୁଟିରେ ଥିବା ପୋଲିସ ମଧ୍ୟ କିଛି ଆପତ୍ତି ଜଣାଇନଥିବା ସ୍ଥାନୀୟ ଲୋକ କହିଛନ୍ତି । ଏହି ଚିତ୍ରକୁ ଭିଡ଼ ଭିତରେ ଥିବା କେହି ବ୍ୟକ୍ତି ଫଟୋ ଉଠାଇ ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲା  । ଯାହା ପରେ ବହୁ ପରିମାଣରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି  ।