ବିଜ୍ଞାପନକୁ ନେଇ ବିଭ୍ରାନ୍ତିରକ ଖବର ପ୍ରସାରଣ କରୁଛନ୍ତି ନିର୍ଦ୍ଦିଷ୍ଟ ଗଣମାଧ୍ୟମ: ବିଜେଡି

1 min read

ଭୁବନେଶ୍ବର: ସନସନି କରିବା ପାଇଁ ତଥ୍ଯକୁ କରାଯାଉଛି ଭଙ୍ଗାରୁଜା । ନିଜ ମନ ମୁତାବକ ଓ ଉଦ୍ଦେଶ୍ଯ ସାଧିତ ପାଇଁ ତଥ୍ଯକୁ କରାଯାଉଛି କଦର୍ଥ । ଆଜି ଗଣମାଧ୍ଯମରେ ସେଭଳି କିଛି ଘଟିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ବିଜ୍ଞାପନ ବାବଦରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ଆସିଥିବା ତଥ୍ଯକୁ ମାଡ଼ି ମକଚି ବିଭ୍ରାନ୍ତିକରଣ ଖବର କିଛି ଗଣମାଧ୍ଯମ ପରିବେଷଣ କରିଛନ୍ତି । ଉଦ୍ଦେଶ୍ଯ ହେଲା ପୂର୍ବ ସରକାର ଓ ପୂର୍ବ ସରକାରର କିଛି ଅଧିକାରୀଙ୍କୁ ବଦନାମ କରିବା ।

ରାଜ୍ଯ ସରକାରଙ୍କ ବିଜ୍ଞାପନ ନେଇ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ଯମରେ ଚାଲିଛି ମିଛ ଖବର ପ୍ରସାରଣ । ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଆଧାରରେ କିଛି ଗଣମାଧ୍ଯମ ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି । ୨୦୨୩-୨୦୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର କେତେ ଟଙ୍କା ବିଜ୍ଞାପନ ଓ ଆଡଭୋଟୋରିଆଲରେ ଖର୍ଚ୍ଚ କରିଛନ୍ତି ବୋଲି ପ୍ରଶ୍ନର ଉତ୍ତର ଦିଆଯାଇଥିଲା । ଉତ୍ତର ଅନୁସାରେ ବିଜ୍ଞାପନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓ ସଂପୃକ୍ତ ପ୍ରକଳ୍ପ ସହ ସଂପୃକ୍ତ ବିଭିନ୍ନ ଅଧିକାରୀଙ୍କ ଫଟୋ ରହିଥିଲା । ଏହି ପ୍ରକଳ୍ପଗୁଡିକ ହେଲା ପ୍ରଥମ ବିଶ୍ବ ଭାଷା ସାହିତ୍ୟ ସମ୍ମିଳନୀ ସମ୍ପର୍କରେ ୨ଟି ଆଡଭୋଟୋରିଆଲ, ନୂଆ-ଓ ସ୍ମାର୍ଟ କାର୍ଡ ଯୋଜନା, ମାଆ ସମଲେଇ ପ୍ରକଳ୍ପ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୨ଥର ଆଡଭୋଟୋରିଆଲ ପ୍ରକାଶ ପାଇଥିଲା ।

ଏହି ଉତ୍ତରକୁ ଭିତ୍ତିକରି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ କାର୍ତ୍ତିକ ପାଣ୍ଡିଆନଙ୍କ ଫଟୋ ଛାପିବା ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଖବର ପରିବେଷଣ କରୁଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କୌଣସି ଆଡଭୋଟୋରିଆଲରେ କାର୍ତ୍ତିକ ପାଣ୍ଡିଆନଙ୍କ ଫଟୋ ପ୍ରକାଶ ପାଇନାହିଁ । ଏଭଳି ଖବରକୁ ଉଦ୍ଦେଶ୍ଯମୂଳକ ଭାବେ ପ୍ରସାରଣ କରାଯାଉଛି । ଏହି ଧାରାରେ ଆଉ ପାଦେ ଆଗକୁ ଯାଇ ଏକ ନ୍ୟୁଜ ଚ୍ଯାନେଲର ଡିଜିଟାଲରେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚ ୧୫ କୋଟି ବୋଲି ଲେଖି ଲୋକଙ୍କଠୁ ମତାମତ ଆହ୍ବାନ କରାଯାଇଛି  । ଯାହାକି ଅତ୍ୟନ୍ତ ନିମ୍ନମାନର ଓ ଜନସାଧାରଣଙ୍କୁ ବିଭ୍ରାନ୍ତ କରି ହଇଚୟି ସୃଷ୍ଟି କରିବାକୁ ଉଦ୍ଧିଷ୍ଟ ।