ସାଇବର ଠକେଇ ରୋକିବା ପାଇଁ ଦୁଇଟି ସହରରେ ମୋବାଇଲ ସେବା ବନ୍ଦ କରିପାରନ୍ତି କେନ୍ଦ୍ର ସରକାର

1 min read

ନୂଆଦିଲ୍ଲୀ: ଦେଶରେ ସାଇବର ଠକେଇର ମାମଲା ବୃଦ୍ଧିପାଇବାରେ ଲାଗିଛି । ଏଭଳି ଅପରାଧକୁ ରୋକିବା ପାଇଁ ମଙ୍ଗ ଧରିଛନ୍ତି କେନ୍ଦ୍ର ସରକାର । ସାଇବର ଠକେଇକୁ ରୋକିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର । ଏହାର ସୂଚନା ଦେଇଛି କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ । ଏଭଳି ଠକେଇ କରୁଥିବା ଦୁର୍ବୃତ୍ତଙ୍କ ପାଇଁ Data Intelligence Unit ପ୍ରସ୍ତୁତ କରାଯାଉଛି, ଯାହା ଆଇନ ଲାଗୁ କରାଉଥିବା ଏଜେନ୍ସି, ବ୍ୟାଙ୍କ ଏବଂ ସେବା ଯୋଗାଇଦେଉଥିବା ଏଜେନ୍ସି ମାନଙ୍କ ମଧ୍ୟରେ ସମନ୍ୱୟ ସ୍ଥାପିତ କରିବାରେ ସାହାଯ୍ୟ କରିବ ।

ଉପଭୋକ୍ତାଙ୍କ ବର୍ଦ୍ଧିତ ଅଭିଯୋଗ କ୍ରମେ ସୋମବାର ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଉପସ୍ଥିତ ଥିଲେ । ବୈଠକରେ ଉପସ୍ଥିତ ଅଧିକାରୀମାନେ ସରକାରଙ୍କୁ ଫ୍ରଡ୍ କଲ୍ ଏବଂ ମେସେଜ ଦ୍ୱାରା ହେଉଥିବା ଠକେଇ ବିଷୟରେ ସବିଶେଷ ତଥ୍ୟ ଦେଇଥିଲେ ।

ଦୁଇଟି ସହରରେ ଫ୍ରଡ୍ କଲ୍ ମାମଲା

ସରକାରଙ୍କୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ମୁଖ୍ୟତଃ ଦୁଇଟି ସହରରେ ଏହି ସାଇବର ଠକେଇ ମାମଲାକୁ ଅପରେଟ କରାଯାଉଛି । ଏହି ଦୁଇଟି ସହର ହେଉଛି ହରିୟାଣାର ମେୱାତ ଏବଂ ଝାଡଖଣ୍ଡର ଜାମତାରା ସହର । ତେବେ ଏହି ଦୁଇଟି ସହରରେ ଟେଲିକମ ସେବାକୁ ବନ୍ଦ କରାଯିବା ନେଇ ବିଚାର କରାଯାଉଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଜାମତାରା ସହରରେ ଅଧିକ ମାତ୍ରାରେ ସାଇବର ଠକମାନଙ୍କ ସଂଖ୍ୟା ରହିଛି । ସୂଚନା ଅନୁଯାୟୀ ୨୦୨୦ ମସିହାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସ୍ତ୍ରୀ ଏବଂ ସାଂସଦ ପରଣୀତ କୌରଙ୍କ ସହ ୨୩ ଲକ୍ଷ ଟଙ୍କାର ଠକେଇ ହୋଇଥିବା ମାମଲା ସାମ୍ନାକୁ ଆସିଥିଲା । ଏହି ମାମଲା ଜାମତାରା ସହ ଜଡ଼ିତ ଥିବା ସୂଚନା ମିଳିଥିଲା ।

Leave a Reply