‘ଜଓ୍ୱାଦ’ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ କେନ୍ଦ୍ରୀୟ ଟିମ୍: ସପ୍ତାହକ ମଧ୍ୟରେ ରିପୋର୍ଟ ପ୍ରଦାନ

ଭୁବନେଶ୍ୱର: କେତେ କ୍ଷୟକ୍ଷତି କରିଛି ଜଓ୍ୱାଦ? ବାତ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲା କେନ୍ଦ୍ରୀୟ ଟିମ୍‌ । କ୍ଷେତ୍ର ପରିଦର୍ଶନ ପରେ ମୁଖ୍ୟ ଶାସନ ସଚିବ, ଏସଆରସି, କୃଷି ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ଦିଲ୍ଲୀ ଫେରିଛି କେନ୍ଦ୍ରୀୟ ଟିମ । ବାତ୍ୟା ଜନିତ ଲଗାଣ ବର୍ଷାରେ ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ ହୋଇଥିବା କେନ୍ଦ୍ରୀୟ ଟିମ୍‌ ସଦସ୍ୟ ଡକ୍ଟର ମାନସ କୁମାର ସିହ୍ନା କହିଛନ୍ତି । ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଚିନାବାଦାମ ପରି ଅର୍ଥକରୀ ଫସଲ, ପନିପରିବା ବିଲରେ ପଚିଯାଇଛି । ଚାଷୀଙ୍କୁ କିପରି ଉଚିତ୍‌ ସହାୟତା ମିଳିବ, କେନ୍ଦ୍ରୀୟ ଟିମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବ ।

ଏହାସହ ଦୁର୍ବିପାକ ସମୟରେ ଫସଲ ନଷ୍ଟ ରୋକିବାକୁ ଦୀର୍ଘ ମିଆଦୀ ପଦକ୍ଷେପ ନେବାକୁ କୁହାଯାଇଛି । ଜମିରୁ ଜଳ ନିଷ୍କାସନ ଯେପରି ସୁବିଧାରେ ହୋଇପାରିବ, ସେଥିଲାଗି କ୍ଷେତ୍ରସ୍ତରରେ ପଦକ୍ଷେପ ନିଆଯିବ। ଆବଶ୍ୟକସ୍ଥଳେ ରିଲିଫ କୋଡ୍‌ ସଂଶୋଧନ ପାଇଁ ପଦକ୍ଷେପ ନିଆଯାଇପାରେ । କେନ୍ଦ୍ରୀୟ ଟିମ କ୍ଷୟକ୍ଷତି ଆକଳନ କରି ସପ୍ତାହକ ମଧ୍ୟରେ ସ୍ୱରାଷ୍ଟ୍ର ବିଭାଗକୁ ରିପୋର୍ଟ ପ୍ରଦାନ କରିବ । ଲଗାଣ ବର୍ଷା ଯୋଗୁଁ ୬ଟି ଜିଲ୍ଲା, ପୁରୀ, ଗଞ୍ଜାମ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡ଼ାରେ ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଏଥିସହିତ ପଢ଼ନ୍ତୁ: ଚିତ୍ତ ରଞ୍ଜନଙ୍କ ପରିବାର ଲୋକଙ୍କ ଅଭିଯୋଗ: କହିଲେ, ଧାର ଟଙ୍କାକୁ ନେଇ ହତ୍ୟାକାଣ୍ଡ

Leave a Reply