ଅକ୍ଷୟ ତୃତୀୟା ପୂର୍ବରୁ ଅନ୍ନଦାତାଙ୍କୁ କେନ୍ଦ୍ରର ଝଟକା

ଭୁବନେଶ୍ବର: ଦେଶର ଅନ୍ନଦାତାଙ୍କୁ କେନ୍ଦ୍ର ସରକାର କଲେ ପୁଣି ହତାଦର । ତାହା ପୁଣି ଅକ୍ଷୟ ତୃତୀୟା ଦିନକ ପୂର୍ବରୁ । ଯାହା ଖରିଫ ଆରମ୍ଭରୁ ଚାଷୀ ମୁଣ୍ଡରେ ଚଡ଼କ ବୋଲି କହିଲେ ଭୁଲ ହେବନି । କାରଣ କେନ୍ଦ୍ର ସରକାର ପୋଟାସିୟମ ସାର ଦର ୬୫୦ ଟଙ୍କା ବୃଦ୍ଧି କରିଦେଇଛନ୍ତି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଥିବା ବେଳେ କେନ୍ଦ୍ର ଉପରେ ବର୍ଷିଛନ୍ତି ବିଜେଡି ଓ କଂଗ୍ରେସ ।

ତେଲ ବଢିଲା, ବଢିଲା ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର । ଏବେ ଚାଷୀ ପେଟକୁ ସିଧା ଲାତ । ଚାଷୀଙ୍କ ପାଇଁ ଚିତ୍କାର କରୁଥିବା କେନ୍ଦ୍ର ସରକାର ବଢାଇଛନ୍ତି ପୋଟାସିୟମ ସାର ଦର । କରୋନାରେ କଲବଲ ହେଉଥିବା ଚାଷୀଙ୍କୁ ରିହାତି ଦେବେ କ’ଣ ଓଲଟା ସାର ଦରରେ ବୃଦ୍ଧି କରି ମୌସୁମୀ ପୂର୍ବରୁ ଦେଇଛନ୍ତି ଝଟକା ।

ରାତି ପାହିଲେ ଅକ୍ଷୟ ତୃତୀୟା । କ୍ଷେତ ପ୍ରସ୍ତୁତ କରି ଅଖିମୁଠି ଅନୁକୂଳ କରିବ ଚାଷୀ । ହେଲେ ପଟାସ ସାରରେ ଦର ବୃଦ୍ଧି ଦେଖି ହତାଶ ଚାଷୀ । ଭଲ ଉତ୍ପାଦନ ପାଇଁ ଜମି ପ୍ରସ୍ତୁତି ସମୟରେ ଲାଗୁଥିବା ପୋଟାସିୟମ ସାରର ମୂଲ୍ୟରେ ୬୫୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଗତବର୍ଷ ପୋଟାସିୟମ ବା ଏମ୍ଓପି ୫୦ କିଲୋ ବ୍ୟାଗର ମୂଲ୍ୟ ଥିଲା ୧୦୫୦ ଟଙ୍କା । ଏବେ ଦର ବୃଦ୍ଧି ଯୋଗୁ ବ୍ୟାଗ୍ ପିଛା ଚାଷୀ ଗଣିବ ୧୭୦୦ ଟଙ୍କା । କିପରି ନିଜ କ୍ଷେତକୁ ଧାନ ଚାଷ ପାଇଁ ପ୍ରସ୍ତୁତ କରିବା ସେ ନେଇ ଚିନ୍ତାରେ ପଡ଼ିଛି ଚାଷୀ ।

୨୦୨୨ ଖରିଫ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୧ ଲକ୍ଷ ମେଟ୍ରିକ୍ ଟନ୍ ଏମ୍ଓପି ଆବଣ୍ଟନ କରିଛନ୍ତି । ଏପ୍ରିଲ ସୁଦ୍ଧା କେନ୍ଦ୍ର ପଠାଇଛି ମାତ୍ର ୭ ହଜାର ୧୧୧ ମେଟ୍ରିକ୍ ଟନ୍ । ଏବେ ପୋଟାସିୟମ ସାର ଦରରେ ବୃଦ୍ଧି ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ବିଜେଡି ଓ କଂଗ୍ରେସ । ୨୦୨୨ ଖରିଫ ବର୍ଷ ପାଇଁ ଚାଷୀଙ୍କୁ ସାର ଉପରେ ୬ ମାସ ପାଇଁ ୬୦ ହଜାର ୯୩୯ କୋଟି ସବସିଡି ଦେବା ପାଇଁ ଘୋଷଣା କରିଛି କେନ୍ଦ୍ର । ହେଲେ ପଟାସ ସାରରେ ସବସିଡି ଯିବା ପରେ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ହୋଇଛି । ଏହି ଦରବୃଦ୍ଧି ପ୍ରତ୍ୟେକ ବର୍ଗର ଚାଷୀଙ୍କୁ ବାଧିବ । କେନ୍ଦ୍ର ସରକାର ଏପରି କରି ଚାଷୀଙ୍କ ପ୍ରତି ଉପହାସ କରିଛନ୍ତି, ବୋଲି ଉଭୟ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ।

ଏକର ପିଛା ଚାଷୀକୁ ଆବଶ୍ୟକ ୪୦ କେଜି ପୋଟାସିୟମ ସାର । ବିଲ ପ୍ରସ୍ତୁତ ବେଳେ ପ୍ରଥମେ ୨୦ କିଲୋ ପ୍ରୟୋଗ ହୋଇଥାଏ । ଧାନ ଥୋଡ଼ ଓ କ୍ଷୀର ଢୋକିବା ବେଳେ ବାକି ୧୦ କିଲୋ ଲେଖାଏଁ ପୋଟାସିୟମ ଆବଶ୍ୟକ ପଡ଼ିଥାଏ । ତେବେ ମାଟି ପରୀକ୍ଷା କରି ଅନୁମୋଦିତ ସାର ଚାଷୀ ବ୍ୟବହାର କରିବା ଦରକାର । ପୋଟାସିୟମ ସାର ଧାନ ଗଛର ମୂଳ ମଜବୁତ ହେବା ସହ ରୋଗପୋକ ବିରୋଧରେ ଲଢ଼ିବା ପାଇଁ ପ୍ରତିଷେଧକ ଭଳି କାମ କରିଥାଏ । ଏହାସହିତ ମାଟିର ଉର୍ବରତା ବଢ଼ିଥାଏ । ବର୍ଷା ଅଭାବରୁ ମରୁଡ଼ି ସ୍ଥିତି ସୃଷ୍ଟି ହେଲେ ବି ଧାନ ଗଛ ଜଳ ଧାରଣ କରିବା ପାଇଁ ସମର୍ଥ ହୋଇଥାଏ । ଦରବୃଦ୍ଧି ଯୋଗୁଁ ଅଧିକାଂଶ ଚାଷୀ ପୋଟାସିୟମ କିଣିବାକୁ ଅସମର୍ଥ ହୋଇପାରନ୍ତି । ଯାହାକି ଉତ୍ପାଦନକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

ଅକ୍ଷୟ ତୃତୀୟାରେ ଚାଷୀଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଉଛନ୍ତି କାଳିଆ ସହାୟତା ଭେଟି । ହେଲେ ସାର ଦର ବୃଦ୍ଧି କରି ଚାଷୀଙ୍କ ଅଣ୍ଟା ଭାଙ୍ଗିବା ଭଳି କାମ କରିଛି କେନ୍ଦ୍ର । ଚାଷୀଙ୍କ ପାଇଁ କେନ୍ଦ୍ରର ଦୋମୁହାଁ ନୀତିକୁ ସବୁ ମହଲରେ ନିନ୍ଦା କରାଯାଇଛି ।