ଋଣ ସହାୟତା ଦେଉ ନାହାଁନ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କ

1 min read

ଭୁବନେଶ୍ବର: ଶତ ପ୍ରତିଶତ କୋ-ଲାଟେରାଲ୍ ସିକ୍ୟୁରିଟି ଦେଲେ ମିଳିବ ଋଣ । ହତାଶ କଲାଣି ଏମ୍ଏସ୍ଏମ୍ଇ ଶିଳ୍ପକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଙ୍କ ସର୍ତ୍ତ । ଏହି ନୀତିକୁ ବଦଳାଇବାକୁ କେନ୍ଦ୍ର ଆଗରେ ଗୁହାରୀ ପରେ ବି ମିଳୁନି ଫଳ । ଏବେ ରାଜ୍ୟସଭା ପିଟିସନ୍ କମିଟି ଆଗରେ ଫେରାଦ ଦେଇଛି ଶିଳ୍ପ ସଂଘ । ବିଜେଡିର ରାଜ୍ୟସଭା ସଂସଦୀୟ ଦଳ ନେତା ତଥା ରାଜ୍ୟସଭା ପିଟିସନ୍ କମିଟି ଅଧ୍ୟକ୍ଷ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ବରେ ସୋମବାର ମୁମ୍ବାଇ ଗସ୍ତ କରିଛି କମିଟି । ସେଠାରେ ଅନ୍ୟ ପ୍ରସଙ୍ଗ ସହ ଏମ୍ଏସ୍ଏମ୍ଇ ଶିଳ୍ପକୁ କିପରି ସୁବିଧାରେ ଋଣ ମିଳିବ ସେ ନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସମେତ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ କମିଟି ଆଲୋଚନା କରିବ । ରାଜ୍ୟରେ ଥିବା ୫ ଲକ୍ଷ ଏମ୍ଏସ୍ଏମ୍ଇ ୟୁନିଟ ନଗଦ ପୁଞ୍ଜି ଅଭାବରୁ ଆବଶ୍ୟକ ଉତ୍ପାଦନ କରିପାରୁନାହାନ୍ତି । ଯଦି ଋଣ ମିଳୁଛି ତା’ହେଲେ ୯ରୁ ୧୦ ପ୍ରତିଶତ ସୁଧ ଗଣିବାକୁ ପଡ଼ୁଛି । ଏପରିକି କୌଣସି କାରଣରୁ ୩ ମାସ ଋଣ କିସ୍ତି ମିଳୁନି ତା’ହେଲେ ପରବର୍ତ୍ତୀ କିସ୍ତି ଦେଲା ବେଳକୁ ବ୍ୟାଙ୍କମାନେ ୧୪ ପ୍ରତିଶତ ସୁଧ କଷୁଛନ୍ତି ବୋଲି ଶିଳ୍ପ ସଂଘ ଅଭିଯୋଗ କରିଛି ।

କୋଭିଡ ମହାମାରୀ ଯୋଗୁଁ ରାଜ୍ୟରେ ଏମ୍ଏସ୍ଏମ୍ଇ ୟୁନିଟଗୁଡିକ ବହୁ ପରିମାଣରେ ପ୍ରଭାବିତ ହୋଇଥିଲେ । କୋଭିଡ କଟକଣା ମଧ୍ୟରେ ଶିଳ୍ପ ପାଇଁ ପୂର୍ବରୁ ନେଇଥିବା ଋଣ ଉପରେ ଅତିରିକ୍ତ ୧୦ ପ୍ରତିଶତ ଋଣ ସହାୟତା ବ୍ୟାଙ୍କମାନେ ଦେଇଥିଲେ । କିନ୍ତୁ ମହାମାରୀ କଟକଣା ଯୋଗୁଁ କର୍ମଚାରୀ ଛଟେଇ ଓ କଞ୍ଚାମାଲ ଅଭାବରୁ ଉତ୍ପାଦନ ବାଧାପ୍ରାପ୍ତ ହେଲା । ଦୁର୍ଦ୍ଦିନରେ ଏମ୍ଏସ୍ଏମ୍ଇ ଥିବାବେଳେ ଋଣ ଅନାଦେୟ ହୋଇଥିବା ୟୁନିଟ୍ ଗୁଡ଼ିକୁ ବ୍ୟାଙ୍କ ସିଲ୍ କରିଦେବା ଆରମ୍ଭ କରିଛନ୍ତି । ଯେତେ କୋ-ଲାଟେରାଲ୍ ସିକ୍ୟୁରିଟି ଦେଲେ ବି ସର୍ବାଧିକ ଋଣ ପରିମାଣ ୨ କୋଟିରୁ ଅଧିକ ମିଳୁନି । ଋଣ ପରିମାଣକୁ ବୃଦ୍ଧି କରିବା ସହିତ ବ୍ୟାଙ୍କମାନେ ଯେପରି ୟୁନିଟ୍ ସିଲ ନ କରିବେ ସେ ନେଇ ଦାବି ରଖିଛନ୍ତି ଏମ୍ଏସ୍ଏମ୍ଇ ଉଦ୍ୟୋଗୀ ।

ଶିଳ୍ପମାନଙ୍କର ବିଭିନ୍ନ ସମସ୍ୟା ନେଇ ମୁମ୍ବାଇରେ ବ୍ୟାଙ୍କର୍ସମାନଙ୍କ ସହ ଆଲୋଚନା କରିବ ରାଜ୍ୟ ସଭା ପିଟିସନ୍ କମିଟି । ମୁମ୍ବାଇ ପରେ କମିଟି ମଦୁରାଇ ଯିବାର କାର୍ଯ୍ୟକ୍ରମ ରହିଛି । ଏମ୍ଏସ୍ଏମ୍ଇ ଶିଳ୍ପ ସମସ୍ୟା ନେଇ କମିଟି କେନ୍ଦ୍ର ସରକାରଙ୍କୁ କ’ଣ ସୁପାରିସ କରୁଛି ତାକୁ ନେଇ ଉଦ୍ୟୋଗୀମାନେ ଆଶା ବାନ୍ଧିଛନ୍ତି ।