୧୦୦ ପ୍ରତିଶତ ଚାଉଳ ଯୋଗାଇ ଦେବାକୁ କେନ୍ଦ୍ରକୁ ଦାବି

ଭୁବନେଶ୍ବର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ହିତାଧିକାରୀଙ୍କୁ ୧୦୦ ପ୍ରତିଶତ ଚାଉଳ ଯୋଗାଇ ଦେବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଲେଖିଲେ ଚିଠି । ଯୋଗାଣ ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଭାତ ଓଡ଼ିଶା ଲୋକଙ୍କ ମୁଖ୍ୟ ଖାଦ୍ୟ ହୋଇଥିବାବେଳେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାଜ୍ୟକୁ ଗହମ ଯୋଗାଇ ଦେବା ଯଥାର୍ଥ ନୁହେଁ । ଏହା ହିତାଧିକାରୀଙ୍କ ଅସନ୍ତୋଷର କାରଣ ହେଉଛି । କେନ୍ଦ୍ର ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଶତ ପ୍ରତିଶତ ଚାଉଳ ନଦେଇ ମାସିକ ଆବଣ୍ଟନର ୮୬ ପ୍ରତିଶତ ଚାଉଳ ଓ ୧୪ ପ୍ରତିଶତ ଗହମ ଦେଉଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ୯୩.୧୮ ଲକ୍ଷ ହିତାଧିକାରୀ ପରିବାରଙ୍କ ୩.୨୫୪ କୋଟି ହିତାଧିକାରୀ ମୁଖ୍ୟତଃ ଗ୍ରାମାଞ୍ଚଳରେ ବସବାସ କରିଥାଆନ୍ତି । ଯେଉଁଠାରେ ପର୍ଯ୍ୟାପ୍ତ ସଂଖ୍ୟକ ଅଟାକଳ ନଥିବାରୁ ଲୋକମାନେ ହଇରାଣ ହେଉଛନ୍ତି । ଏହା ଖାଦ୍ୟ ସୁରକ୍ଷାର ନିର୍ଦ୍ଦେଶନାମା ପୂରଣ କରୁନାହିଁ ।

ପୂର୍ବରୁ ଅନେକବାର ଏ ସଂକ୍ରାନ୍ତରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ହିତାଧିକାରୀଙ୍କ ଚାହିଦା ଅନୁଯାୟୀ ଗହମ ବଦଳରେ ଚାଉଳ ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଛି । ଅପର ପକ୍ଷରେ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୋଆ ଏବଂ ତେଲେଙ୍ଗାନା ଭଳି ରାଜ୍ୟକୁ କେନ୍ଦ୍ର ସରକାର ଶତ ପ୍ରତିଶତ ଚାଉଳ ଯୋଗାଇ ଦେଉଛନ୍ତି । ପଞ୍ଜାବ ଓ ରାଜସ୍ଥାନ ଭଳି ମୁଖ୍ୟ ଗହମ ବ୍ୟବହାରକାରୀ ରାଜ୍ୟକୁ ଶତପ୍ରତିଶତ ଗହମ ଯୋଗାଇ ଦେଉଛନ୍ତି । ସେହିପରି ହରିୟାନା ରାଜ୍ୟକୁ କେନ୍ଦ୍ର ପକ୍ଷରୁ ୬୭ ପ୍ରତିଶତ ଗହମ ଓ ବାକି ୩୩ ପ୍ରତିଶତ ସେହି ରାଜ୍ୟ ଦ୍ବାରା ସଂଗୃହୀତ ହେଉଥିବା ଅନ୍ୟ ଖାଦ୍ୟଶସ୍ୟ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗାଇ ଦିଆଯାଉଛି । ହିତାଧିକାରୀଙ୍କ ହିତ ଦୃଷ୍ଟିରୁ ଚାଉଳ ଓ ଗହମର ଅନୁପାତକୁ ପରିବର୍ତ୍ତନ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ବୀରବିକ୍ରମ ଯାଦବ ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସଚିବଙ୍କୁ ୨୦୨୨ ଫେବୃଆରୀ ୧୮ ତାରିଖରେ ପତ୍ର ଲେଖିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏହି ପରିପ୍ରେକ୍ଷୀରେ ଯୋଗାଣ ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀଙ୍କ ଅସୁବିଧାକୁ ଦୂର କରିବା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୧୦୦ ପ୍ରତିଶତ ଚାଉଳ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ।