କମି ଚାଲିଛି କେନ୍ଦ୍ରୀୟ ଅନୁଦାନ

1 min read

ଭୁବନେଶ୍ବର: କମିଛି କେନ୍ଦ୍ରୀୟ ଅନୁଦାନ । ରାଜ୍ୟକୁ ୯୫୦୦ କୋଟି ଟଙ୍କା କମ୍‌ ମିଳିଛି । ଘେରିଲେ ବିଜେଡି ଓ କଂଗ୍ରେସ । ରାଜ୍ୟ ସ୍ବାର୍ଥ ଭୁଲି କେନ୍ଦ୍ର ପାଇଁ ଓକିଲାତି କଲା ବିଜେପି । ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ଫୋକସ ଷ୍ଟେଟ୍‌ କି ସ୍ବତନ୍ତ୍ର ପ୍ୟାକେଜ୍‌, ସବୁକୁ କେନ୍ଦ୍ରର ନା । ପୁଣି ଅନୁଦାନ ଦେବାରେ ଟାଳଟୁଳ ନୀତି । ଟିକସ ଅଂଶଧନ ଓ  ଅନୁଦାନ ଦେବାରେ ବି ବୈମାତୃକ ମନୋଭାବ । ବର୍ଷ ବର୍ଷ ଧରି ରାଜ୍ୟ ପ୍ରତି କେନ୍ଦ୍ରର ଏପରି ମନୋଭାବ ରାଜ୍ୟ ଅର୍ଥନୀତିକୁ ଦୋହଲାଇ ଦେଇଛି । ୨୦୧୯-୨୦ ଆର୍ଥିକବର୍ଷରେ କେନ୍ଦ୍ରୀୟ ଅନୁଦାନ ବାବଦରେ ୨୪,୧୫୨,୧୦ କୋଟି ଟଙ୍କା ମିଳିଥିଲା । ୨୦୨୦-୨୧ ଆର୍ଥିକ ବର୍ଷରେ ଏ ବାଦରେ ଓଡ଼ିଶା ପାଇଥିଲା ୨୩,୦୦୬, ୩୪ କୋଟି ଟଙ୍କା । ୨୦୨୧-୨୨ରେ ଅନୁଦାନ ଆହୁରି କମିଛି । ଏହିବର୍ଷ ରାଜ୍ୟ ସରକାର ୨୦,୪୫୬,୬୭ କୋଟି ଟଙ୍କା ପାଇଛନ୍ତି । କେନ୍ଦ୍ର ଉଭୟ ଟିକସ ଅଂଶଧନ ଓ ଅନୁଦାନ କମାଇଥିବାରୁ ଦୃଢ଼ ବିରୋଧ କରିଛନ୍ତି ବିଜେଡି ଓ କଂଗ୍ରେସ ।

୨୦୨୧-୨୨ ଆର୍ଥିକ ବର୍ଷରେ ଟିକସ ଅଂଶଧନ ଓ ଅନୁଦାନ ବାବଦରେ ରାଜ୍ୟ ସରକାର କେନ୍ଦ୍ରରୁ ୫୮,୧୬୦ କୋଟି ଟଙ୍କା ପାଇଛି । ଯାହାକି ଆକଳନଠାରୁ ପ୍ରାୟ ୯୫୦୦ କୋଟି ଟଙ୍କା କମ୍ । ସେହିପରି ଓଡ଼ିଶା କୋଇଲା ସେସରୁ‌ ୬୦ ପ୍ରତିଶତ ଦାବି କରି ଆସୁଛି । କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କ ସହ ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଇଲା ସେସରୁ ୬୦ ପ୍ରତିଶତ ଦାବି କରିଥିଲେ । ତେବେ ଏ ସମ୍ପର୍କରେ କୌଣସି ପ୍ରତିଶ୍ରୁତି ମିଳିନାହିଁ । ଏତେ ସବୁ ପରେ ବିଜେପି ରାଜ୍ୟ ସ୍ବାର୍ଥ ଭୁଲି କେନ୍ଦ୍ର ପାଇଁ ଓକିଲାତି କରୁଛି ।

କେନ୍ଦ୍ର ସରକାର ଅନୁଦାନ ହ୍ରାସ କରୁଥିବା ବେଳେ ରାଜ୍ୟରୁ ଆଦାୟ କରୁଥିବା ସେସରୁ ଟଙ୍କାଟିଏ ମଧ୍ୟ ରାଜ୍ୟକୁ ଦେଉନାହିଁ । ଏଥିପାଇଁ ବାରମ୍ବାର ରାଜ୍ୟ ପ୍ରତିବାଦ କରୁଛି।