ନାବାଳିକାକୁ ଅସଦାଚରଣ କରି ହଟହଟା ଶିଶୁ ବିଭାଗ ଡାକ୍ତର, ଥାନାରେ ମାମଲା

ବାରିପଦା: ପିଆରଏମ୍ ମେଡିକାଲର ଶିଶୁ ବିଭାଗରେ କାର୍ଯ୍ୟରତ ଡାକ୍ତର ଜଣେ ନାବାଳିକାକୁ ଚିକିତ୍ସା ସମୟରେ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ଆଦିବାସୀ ହଷ୍ଟେଲର ଜଣେ ନାବାଳିକା ଛାତ୍ରୀର ପେଟ ଯନ୍ତ୍ରଣା ହେବାରୁ କର୍ତୃପକ୍ଷ ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଶିଶୁ ବିଭାଗରେ କାର୍ଯ୍ୟରତ ଥିବା ଡାକ୍ତର ସୌରଭ ଉପାଧ୍ୟାୟ ନାବାଳିକା ଛାତ୍ରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଆଳରେ ଅସଦାଚରଣ କରିଥିବା ନେଇ ଛାତ୍ରୀ ଅଭିଯୋଗ କରିଥିଲେ ।

ଏହାକୁ ନେଇ ଛାତ୍ରୀଙ୍କ ପରିବାର ଲୋକ ଓ ହଷ୍ଟେଲ କର୍ତୃପକ୍ଷ ଡାକ୍ତରଙ୍କୁ ତାଙ୍କ ଚାମ୍ବରରେ ଅଟକ ରଖିବା ସହ ଉତେଜନା ପ୍ରକାଶ ପାଇଥିଲା। ଡାକ୍ତର ଜଣକ ମଦ୍ୟପାନ କରି ହସ୍ପିଟାଲ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଛାତ୍ରୀକୁ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଉତେଜନା ପ୍ରକାଶ ପାଇବା ପରେ ଡାକ୍ତରଖାନାରେ ଟାଉନ ଥାନା ପୋଲିସ ପହଞ୍ଚି ବୁଝାସୁଝା କରିଥିଲା।

ଅନ୍ୟପଟେ କାର୍ଯ୍ୟରତ ଡାକ୍ତର ସୌରଭ ଉପାଧ୍ୟାୟ ଏ ଘଟଣାକୁ ଖଣ୍ଡନ କରିଛନ୍ତି। ସେ ନାବାଳିକା ପ୍ରତି କୌଣସି ପ୍ରକାର ଅସଦାଚରଣ କରି ନାହାନ୍ତି। ବରଂ କେବଳ ଚିକିତ୍ସା ପାଇଁ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିଲେ ବୋଲି କହିଛନ୍ତି। ବାରିପଦା ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ସଂପୃକ୍ତ ଡାକ୍ତରଙ୍କୁ ଅଟକ ରଖିଛି।