ଗଛରେ ପିଟି ହେଲା କାର୍: ଚାଳକ ମୃତ, ଅନ୍ୟ ଜଣେ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ନୂତନ ବ୍ରହ୍ମପୁର ନିକଟରେ ଦୁର୍ଘଟଣା । ଆଜି ବିଳମ୍ବିତ ସନ୍ଧ୍ୟାରେ ଗୋଟିଏ କାର ଗଛକୁ ଧକ୍କା ଦେବା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ତାଳପଡ଼ା ଗାଁର ସୁନିଲ କୁମାର ଭୂୟାଁ ପୁସ୍ତପୁର ଗାଁରେ ଏକ ଦୋକାନ କରିଛନ୍ତି । ଆଜି ସନ୍ଧ୍ୟାରେ ଦୋକାନ ବନ୍ଦ କରି ପୁସ୍ତପୁର ଗାଁରୁ ରାହୁଲ ଘୋଷଙ୍କ ସହ ଏକ କାର(ଓଆର ୦୨ ବିଏଚ ୭୯୪୫) ଯୋଗେ ପୁସ୍ତପୁରରୁ ଖଲ୍ଲିକୋଟ ଅଭିମୁଖେ ଆସୁଥିବା ବେଳେ ନୂତନ ବ୍ରହ୍ମପୁର ନିକଟରେ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛକୁ ଜୋରରେ ପିଟି ହୋଇଥିଲେ । ଘଟଣାସ୍ଥଳରେ ଚାଳକ ରାହୁଲ ଘୋଷଙ୍କ ମୃତ୍ୟୁ ଘଟିଥିବା ବେଳେ କାରରେ ବସିଥିବା ସୁନୀଲ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗଛକୁ ପିଟିଲା ପରେ ଚାଳକ କାର ଭିତରେ ଚାପି ହୋଇ ରହିଯାଇଥିଲେ । ଖବରପାଇ ବେଗୁନିଆପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଖଲ୍ଲିକୋଟ ଦମକଳ ବାହିନୀ ପହଞ୍ଚି ବହୁ କଷ୍ଟ ରେ ମୃତଦେହ କାର ମଧ୍ୟରୁ ବାହାର କରିଥିଲେ ।ଗୁରୁତର ଆହତ ହୋଇ ଥିବା ସୁନୀଲ ଙ୍କୁ ଖଲ୍ଲିକୋଟ ମେଡ଼ିକାଲ ରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତର କରାଯାଇଛି ।

 

Leave a Reply