ବରଗଡରେ କ୍ୟାନସର ସରଭାଇବର ଡେ ପାଳିତ

ବରଗଡ଼: ଆଜି ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଏକ ସାଙ୍ଗେ କ୍ୟାନସର ରୋଗୀ ଓ ଡାକ୍ତର ନାଚିବା ଦୃଶ୍ୟ ଦେଖିବାକୁ ମିଳିଛି । ଆଜି କ୍ୟାନସର ସରଭାଇବର ଡେ’ ପାଳନ ଅବସରରେ କ୍ୟାନସର ରୋଗୀଙ୍କ ମନୋବଳକୁ ସୁଦୃଢ଼ କରିବାକୁ ତଥା କ୍ୟାନସର ସହ ଲଢେ଼ଇ କରିବାକୁ ଆଜି ବରଗଡ଼ର କ୍ୟାନସର ଫାଇଟର୍ସ ଗ୍ରୁପ ପକ୍ଷରୁ ଏହି ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ତେବେ କ୍ୟାନସରକୁ ଫାଇଟ କରି ଯେଉଁ ରୋଗୀମାନେ ସାଧାରଣ ଜୀବନ କାଟିବା, ଅନ୍ୟମାନଙ୍କୁ ମାନସିକ ସାହସ ଯୋଗାଇବା ତଥା ଏହି ରୋଗ ପାଇଁ ଅବହେଳା ନ କରି ସଚେତନ ହେବା ପ୍ରମୁଖ ବିଷୟ ସମ୍ବନ୍ଧରେ ଡାକ୍ତରମାନେ ଆଲୋଚନା କରିଥିଲେ ।

ଏହା ସହ ଅନ୍ୟ ରୋଗୀମାନେ କିପରି ମାନସିକ ଭାରସାମ୍ୟ ନ ହରାଇ ଏହାକୁ ପ୍ରତିହତ କରାଯାଇପାରେ ଏହା ଉପରେ କ୍ୟାନସର ଫାଇଟର୍ସ ଗ୍ରୁପର ସଭ୍ୟମାନେ ନିଜ ମତ ରଖିଥିଲେ । ତେବେ କାର୍ଯ୍ୟକ୍ରମରେ ଆଜି ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ କ୍ୟାନସରକୁ ଜିଣିବାକୁ ତଥା ଭୟ ନ କରିବାକୁ ରୋଗୀଙ୍କୁ ଉତ୍ସାହିତ କରିଥିଲେ । ଏହା ସହ କ୍ୟାନସରକୁ ପ୍ରତିହତ କରି ବହୁ ଲୋକଙ୍କ ପ୍ରେରଣା ସାଜିଥିବା ଫାଇଟର୍ସ ଗ୍ରୁପର ମୁଖ୍ୟ ଅଶ୍ୱିନୀ କୁମାର ଦରଜି ଆଜି ତାଙ୍କ ମୃତ୍ୟୁପରେ ନିଜ ଶରୀରକୁ କ୍ୟାନସର ଡାକ୍ତରଙ୍କ ଗବେଷଣା ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ଘୋଷଣା କଲେ ।