୬ ରାଜ୍ୟର ୭ ବିଧାନସଭା ଆସନରେ ଆଜି ଚାଲିଛି ଉପନିର୍ବାଚନ

ନୂଆଦିଲ୍ଲୀ: ୬ ରାଜ୍ୟର ୭ ବିଧାନସଭା ଆସନରେ ଉପନିର୍ବାଚନ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏସିଡ ଟେଷ୍ଟ । ଝାଡଖଣ୍ଡର ଡୁମରି ଓ ବକ୍ସରନଗର, ତ୍ରିପୁରାର ଧାନପୁର, ପଶ୍ଚିମବଙ୍ଗର ଧୁପଗୁରୀ, ଉତ୍ତରପ୍ରଦେଶର ଘୋଶି, ଉତ୍ତରାଖଣ୍ଡର ବାଗେଶ୍ବର ଓ କେରଳର ପୁଥୁପଲ୍ଲୀ ଆସନ ପାଇଁ ଆସି ସକାଳୁ ଆରମ୍ଭ ହୋଇଛି ଭୋଟିଂ । 5ଆସନରେ ବିଧାୟକଙ୍କ ମୃତ୍ୟୁ ହୋଥିବା ବେଳେ ଦୁଇ ଜଣ ନିଜ ଆସନରୁ ଇସ୍ତଫା ଦେଇଛନ୍ତି । ବିଜେପି ନେତୃତ୍ଵାଧୀନ ଏନଡିଏ ଓ ନବଗଠିତ ବିରୋଧୀ ମେଣ୍ଟ ଇଣ୍ଡିଆ ମଧ୍ୟରେ ଏହା ହେଉଛି ପ୍ରଥମ ନିର୍ବାଚନ ଲଢେଇ ।

ଆସନ୍ତା ୮ ତାରିଖରେ ଭୋଟ ଗଣତି ହେବ । ୪ଟି ରାଜ୍ୟରେ ବିଜେପି ଓ ବିରୋଧୀ ମେଣ୍ଟ ମଧ୍ୟରେ ଲଢେଇ ଚାଲିଥିବା ବେଳେ ଧୁପଗୁଡି ଓ ପୁଥୁପଲ୍ଲୀରେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ପାରସ୍ପର ମୁହାଁମୁହିଁ ହୋଇଛନ୍ତି । ପଶ୍ଚିମବଙ୍ଗର ଧୁପଗୁଡି ଆସନରେ ବିଜେପି, ଟିଏମସି ଓ କଂଗ୍ରେସ ସମର୍ଥିତ ସିପିଆଇ ମଧ୍ୟରେ ତ୍ରିମୁଖୀ ଲଢେଇ ଚାଲିଛି । ସେପଟେ ଝାଡଖଣ୍ଡରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବେବି ଦେବୀ ଏବଂ ଏନଡିଏର ଯଶୋଦା ଦେବୀଙ୍କ ମଧ୍ୟରେ କଡା ଟକ୍କର ଚାଲିଛି ।

ଉତ୍ତରାଖଣ୍ଡର ବାଗେଶ୍ବର ଆସନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଟକ୍କର ହେବ । କେରଳରେ କଂଗ୍ରେସ ଏବଂ ବାମ ଦଳ ମୁହାଁମୁହିଁ ହୋଇଛନ୍ତି । ଉତ୍ତରପ୍ରଦେଶର ଘୋଶି ଆସନରୁ ସମାଜବାଦୀ ପାର୍ଟି ନେତା ଦାରା ସିଂହ ଚୌହାନ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ । ଏହି ଉପନିର୍ବାଚନରେ ସମାଜବାଦୀ ପାର୍ଟି, ବିଜେପି ଓ ବିଏସପି ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି । ସକାଳ ୭ଟାରୁ ଭୋଟଦାନ ଆରମ୍ଭ ହୋଇଥିବା ବେଳେ ସମସ୍ତ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।