ଆକ୍ସନ ମୋଡ଼ରେ ଯୋଗୀ ସରକାର, ସପା ନେତାଙ୍କ ବେଆଇନ ନିର୍ମାଣ ଉପରେ ଚାଲିଲା ବୁଲଡୋଜର

ଲକ୍ଷ୍ନୋ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ । ବିପକ୍ଷରେ ଥିବା ସମାଜବାଦ ପାର୍ଟି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପରେ ବୁଲଡୋଜରକୁ ନେଇ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ଗ୍ରହଣ କରିଥିଲା ବିଜେପି । ଏବଂ ବିଜେପି ତାର ପ୍ରତ୍ୟେକ ସଭାରେ ବୁଲଡୋଜର ଆଣିଥିଲା । ଏମିତି କି ବୁଲଡୋଜରକୁ ରାଲିରେ ମଧ୍ୟ ସାମିଲ କରାଗଲା ଏବଂ ଯୋଗୀଙ୍କୁ ବୁଲଡୋଜର ବାବା ମଧ୍ୟ କୁହାଗଲା ।

ବିଜେପି ଏବେ ବହୁମତ ସହ ପୁଣି ସତ୍ତାକୁ ଫେରିଛି । ସରକାରକୁ ଆସିବାପରେ ଯଦିଓ ଯୋଗି ଆଦିତ୍ୟନାଥ ସାମ୍ନାକୁ ଆସି ନାହାଁନ୍ତି କିନ୍ତୁ ବୁଲଡୋଜର ଆକ୍ସନ ମୋଡରେ ଆସିଛି । କାନପୁରରେ ବେଆଇନ ଭାବେ ନିର୍ମାଣଧିନ କୋଠା ଉପରେ ବୁଲଡୋଜର ଚଢାଇ ଦିଆଯାଇଛି । ଏହାସହ କାନପୁରରେ ୧୭୫୦ ବର୍ଗ ମିଟର ସରକାରୀ ଜମିକୁ ବେଆଇନ ଭାବେ ଦଖଲ କରାଯାଇଥିଲା । ଏହାକୁ ମଧ୍ୟ କାନପୁରର ଡେଭେଲପମେଣ୍ଟ ଅଥରିଟି ନିଜ ଅଧିନରେ ନେଇଛନ୍ତି । ଏହି ଜମିର ମୂଲ୍ୟ ପ୍ରାୟ ୮.୭୫ କୋଟି ଟଙ୍କା ବୋଲି ଅନୁମାନ କରାଯାଉଛି ।

କୁହାଯାଉଛି ଯେ, ଏହି ଜମିକୁ ଯିଏ ବେଆଇନ ଭାବେ ଅଧିଗ୍ରହଣ କରିଥିବା ଜମି ମାଫିଆ ବିଷ୍ଣୁ ଅରଫ ପଙ୍ଗୁ ସପା ସହ ଜଡ଼ିତ । ବିଷ୍ଣୁଙ୍କର ଏକ ଫଟୋ ସପାର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହ ମଧ୍ୟ ରହିଛି । ସେଠାରେ ଥିବା ପ୍ରାଚିନ ଶିବମନ୍ଦିର ପାଖରେ ଥିବା ଜମିକୁ ବେଆଇନ ଭାବେ ଅଧିକାର କରାଯାଇଥିଲା । ଏବଂ ସେଥିରେ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା ଯାହା ଉପରେ ବୁଲଡୋଜର ଚଢାଯାଇଛି ।

ତେବେ ଏନେଇ ପୂର୍ବରୁ ବିଷ୍ଣୁଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରାଯାଇଥିଲା । କାନପୁର ପୋଲିସ ବିଷ୍ଣୁଙ୍କ ବିରୋଧରେ ଧାରା ୪୭୭ ଅନୁସାରେ ଏକ ମାମଲା ରୁଜୁ କରିଛି । ସୂଚନା ଥାଉ କି, ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସମୟରେ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ବୁଲଡୋଜର ପ୍ରସଙ୍ଗର ଖୁବ୍ ଫାଇଦା ଉଠାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଓ ବିଜେପି ତରଫରୁ ବାରମ୍ବାର କୁହାଯାଉଥିଲା ଯେ, ସରକାରରେ ଆସିଲେ ପ୍ରଥମେ ମାଫିଆଙ୍କ ନିର୍ମାଣ ଉପରେ ବୁଲଡୋଜର ଚାଲିବ । ତେଣୁ ଯୋଗୀ ଆସିବା ପୂର୍ବରୁ ଆକ୍ସନ ମୋଡରେ ଆସିଛି ବୁଲଡୋଜର ।