୨୧ କୋଟିର 'ସୁଲତାନ'ର ହାର୍ଟ ଆଟାକରେ ମୃତ୍ୟୁ, ପ୍ରତିବର୍ଷ କମାଉଥିଲା କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ହରିୟାଣାର ଚର୍ଚ୍ଚିତ ମଇଁଷି ‘ସୁଲତାନ’ର ଗତକାଲି ହାର୍ଟ ଆଟାକରେ ମୃତ୍ୟୁ ହୋଇଛି । ସୁଲତାନ ପଶୁ ମେଳାରେ କେବଳ ନିଜ ମାଲିକଙ୍କ ନୁହେଁ, ବରଂ ସାରା ରାଜ୍ୟର ଟେକ ରଖିଥିଲା । ତାକୁ କିଣିବା ପାଇଁ ୨୧ କୋଟି ଟଙ୍କାର ବୋଲି ଲାଗିସାରିଥିଲା । କିନ୍ତୁ ଏବେ ପଶୁ ପ୍ରେମୀଙ୍କୁ ସୁଲତାନର ଜଲୱା ଦେଖିବାକୁ ମିଳିବନି  । କୁହାଯାଉଛି ଯେ ମଇଁଷି ସୁଲତାନର ହାର୍ଟ ଆଟାକ୍ ଯୋଗୁଁ ମୃତ୍ୟୁ ଘଟିଛି ।

ସୁଲତାନର ମାଲିକ ନରେଶ ବେନିୱାଲଙ୍କ କହିବାନୁସାରେ ସେ ମୁର୍ରା ପ୍ରଜାତିର ବିଶ୍ୱର ସବୁଠାରୁ ଲମ୍ବା ଓ ଉଚ୍ଚ ମଇଁଷି । ସୁଲତାନର ଓଜନ ୧୭୦୦ କିଲୋ ଏବଂ ବୟସ ପ୍ରାୟ ୧୨ ବର୍ଷ ଥିଲା । ନରେଶ କୁହନ୍ତି କି ସେ ଅନେକ ପ୍ରତିଯୋଗିତାରେ ବିଜେତା ରହିସାରିଥିଲା । କିନ୍ତୁ ଏବେ ତାର ମୃତ୍ୟୁ ପରେ ନରେଶଙ୍କ ପରିବାର ଦୁଃଖରେ ଭାଙ୍ଗିପଡିଛି ।

ସୁଲତାନ ପ୍ରତିଦିନ ୧୦ କିଲୋର ଦାନା ଖାଉଥିଲା । ଏହା ବ୍ୟତୀତ ତାକୁ ପ୍ରାୟ ୩୫ କିଲୋ ଚାରା ମଧ୍ୟ ଦିଆଯାଉଥିଲା । ସେ ସେଓ ଓ ଗାଜର ମଧ୍ୟ ଖାଉଥିଲା । ପ୍ରତିଦିନ ସେ ପ୍ରାୟ ୩ ହଜାର ଟଙ୍କାର ଖାଦ୍ୟ ଖାଉଥିଲା । ତେବେ ସେ ନିଜ ସିମନ ଜରିଆରେ ଲକ୍ଷ ଲକ୍ଷ ଟଙ୍କା କମାଇ ନିଜ ମାଲିକଙ୍କୁ ଦେଉଥିଲା । ପୁଷ୍କର ମେଳାରେ ଜଣେ ବିଦେଶୀ ସୁଲତାନର ଦାମ୍ ୨୧ କୋଟି ବୋଲି ଲଗାଇଥିଲେ କିନ୍ତୁ ତା ମାଲିକ ସୁଲତାନକୁ ଦେବା ପାଇଁ ମନା କରିଦେଇଥିଲେ । କହିରଖୁଛୁ ସୁଲତାନ ହରିୟାଣାର ଏକ ମ୍ୟୁଜିକ୍ ଆଲବମରେ ମଧ୍ୟ ଅଭିନୟ କରିଥିଲା । ତେବେ ଗତକାଲି ସେ ହାର୍ଟଆଟାକରେ ପ୍ରାଣ ହରାଇଛି ।

Leave a Reply