ସଂସଦରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ସଂସଦରେ ବଜେଟ୍ ଅଧିବେଶନ। ଫେବ୍ରୁଆରୀ ପହିଲାରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ। ଏହା ପୂର୍ବରୁ ଆଜି ସକାଳ ୧୧ଟାରେ ଦୁଇ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବୟକଟ କରିବାକୁ ନିଷ୍ପତ୍ତି ନେଇଛନ୍ତି ତମାମ ବିରୋଧୀ ଦଳ। କଂଗ୍ରେସ ସମେତ ୧୭ ରାଜନୈତିକ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଯୋଗ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି।

ସଂସଦରେ କୌଣସି ଚର୍ଚ୍ଚା ବିନା ତିନି କୃଷି ଆଇନ୍ ପାରିତ ହୋଇଥିବାରୁ ଏହାକୁ ବିରୋଧ କରି ଏଭଳି ନିଷ୍ପତ୍ତି ନେଇଛନ୍ତି ବିରୋଧୀ ଶିବିର। ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୯ରୁ ଫେବ୍ରୁଆରୀ ୧୫ ଓ ଦ୍ୱିତୀୟ ଦଫା ୮ ମାର୍ଚ୍ଚରୁ ୮ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଏହାପୂର୍ବରୁ ଗୃହ ସୁରୁଖୁରୁରେ ଚଳାଇବା ପାଇଁ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ। ଏଥିରେ ସରକାରଙ୍କ ଆଭିମୁଖ୍ୟ ବିଷୟରେ ବିରୋଧୀଙ୍କୁ ଅବଗତ କରାଇବେ ସରକାର।

ଏଥର ବଜେଟ ଅଧିବେଶନ ଉପରେ ରହିବ ଦେଶବାସୀଙ୍କ ନଜର। କରୋନା ମହାମାରୀ ଯୋଗୁଁ ଲକଡାଉନ ଓ ସଟଡାଉନ୍ ଭିତରେ ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇବା ସହ ଗରିବୀ ମଧ୍ୟ ବଢିବାରେ ଲାଗିଛି। ତେଣୁ ଅର୍ଥନୀତିକୁ ଟ୍ରାକ୍ ଲାଇନକୁ ଆଣିବାକୁ ସରକାର ନିଶ୍ଚୟ ଯୋଜନା ଆଣିବେ। କୃଷି, ଶିଳ୍ପ, ପର୍ଯ୍ୟଟନ, ବାଣିଜ୍ୟ ଓ ଆତ୍ମନିର୍ଭର ଭାରତ ଉପରେ ସରକାର ଫୋକସ୍ କରିବେ ବୋଲି ବିଶେଷଜ୍ଞ ମହଲ ଆଶା କରିଛି।

Leave a Reply