ବଜେଟ ଆଶା: ବେତନଭୋଗୀଙ୍କୁ ବଜେଟରେ ମିଳିପାରେ ବଡ଼ ଗିଫ୍ଟ

1 min read

ଆସନ୍ତା ସୋମବାର ସଂସଦରେ ବଜେଟ ଉପସ୍ଥାପିତ ହେବ । ଏହି ବଜେଟରୁ ସବୁଠାରୁ ଅଧିକ ଆଶା ମଧ୍ୟମ ବର୍ଗର ଲୋକଙ୍କ ରହିଛି । ବିଶେଷକରି ବେତନଭୋଗୀ କର୍ମଚାରୀ ବଜେଟ ନେଇ ବେଶ୍ ଆଶାବାଦୀ । କରୋନା କାଳରେ ବହୁ ଲୋକଙ୍କ ଚାକିରି ଚାଲିଗଲା ବହୁ କର୍ମଚାରୀଙ୍କ ଦରମା ମଧ୍ୟ କଟାଗଲା । ଏଭଳି ସ୍ଥିତିରେ ବଜେଟରେ ସରକାରଙ୍କ ଠାରୁ କିଛି ଅଧିକ ପାଇବା ନେଇ ଆଶାବାଦୀ । ତେବେ ଆସନ୍ତୁ ଜାଣିବା ବଜେଟ ୨୦୨୧-୨୨ରେ ସାଧାରଣ ଜନତାଙ୍କ ପାଇଁ କ’ଣ ସବୁ ବଡ଼ ଘୋଷଣା ହୋଇପାରେ ।

ଆୟକର ସୀମା ୩ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇପାରେ

ବଜେଟରୁ ସବୁଠାରୁ ବଡ଼ ଆଶା ଏହା ଯେ, ଚଳିତ ବର୍ଷ ବଜେଟରେ ଟ୍ୟାକ୍ସ ଛାଡ଼ ସୀମା ବୃଦ୍ଧି କରାଯାଇପାରେ । ଏବେ ଟ୍ୟାକ୍ସ ଛାଡ଼ ସୀମା ୨.୫ ଲକ୍ଷ ରହିଥିବା ବେଳେ, ଏହାକୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ । ଏଭଳି ଆଶା ଏଥିଲାଗି ମଧ୍ୟ କରାଯାଉଛି ଯେ, ଗତ ୭ ବର୍ଷ ମଧ୍ୟରେ ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଜୁଲାଇ ୨୦୧୪ରେ ଆସିଥିବା ବଜେଟ ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ସୀମା ୨ ଲକ୍ଷ ଟଙ୍କାରୁ ଅଢ଼େଇ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

8୦- C ଅନୁଯାୟୀ  ନିବେଶ ଉପରେ ବଢ଼ିପାରେ ରିହାତି

ଆୟକର ଅଧିନିୟମ ୮୦-ସି ଅନୁଯାୟୀ ଦେଢ଼ ଲକ୍ଷ ଯାଏଁ ଇନଭେଷ୍ଟ ଇନ୍‌କମ୍‌ ଉପରେ କୌଣସି ଆୟକର ଦେବାକୁ ପଡ଼ୁନଥିଲା । ତେବେ ଚଳିତ ଥର ଏହାକୁ ବୃଦ୍ଧି କରି ୨ ଲକ୍ଷ ଟଙ୍କା କରାଯିବା ନେଇ ଆଶା କରାଯାଇଛି । କିନ୍ତୁ ଏହି ଆୟକର ସୀମାକୁ ୩ ଲକ୍ଷକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି ।

କରୋନା କାଳରେ ୮୦-ଡି ଅନୁଯାୟୀ ମିଳିପାରେ ଆଶ୍ୱସ୍ତି

୨୦୨୦-୨୧ ପୂରା ବର୍ଷ କରୋନା ଯୋଗୁଁ କଲବଲ ହେଲେ ଲୋକେ । ଔଷଧ ବାବଦକୁ ଅନେକ ଖର୍ଚ୍ଚ କରିବାକୁ ପଡ଼ିଲା । ବହୁତ ଲୋକେ ଭବିଷ୍ୟ ଆଶଙ୍କାରେ ମେଡିକାଲ ଇନ୍‌ସ୍ୟୁରାନ୍ସ ରାଶିକୁ ମଧ୍ୟ ବୃଦ୍ଧି କରିଛନ୍ତି । କରୋନା କାଳକୁ ନଜରରେ ରଖି ଆଶା କରାଯାଉଛି ଯେ, ମେଡିକାଲ ଇନସ୍ୟୁରାନ୍ସକୁ ନଜରରେ ରଖି ସରକାର ଚଳିତ ଥର ୮୦-ଡି ଅନୁଯାୟୀ ମିଳୁଥିବା ୨୫ହଜାର ଟଙ୍କା ଛାଡ଼କୁ ବୃଦ୍ଧି କରି ୫୦ ହଜାର ଟଙ୍କା କରାଯାଇପାରେ । ସେଠାରେ ସିନିୟର ସିଟିଜନ୍ ପାଇଁ ଆୟକର ସୀମା ବଢ଼ି ୭୫ ହଜାର  ଟଙ୍କା ଯାଏଁ କରାଯିବାକୁ ଆଶା କରାଯାଉଛି ।

Leave a Reply