ମାଓବାଦୀଙ୍କୁ ଜବାବ ଦେଇଥିବା ଆଦିବାସୀଙ୍କୁ ସୁରକ୍ଷା ଦେବ ବିଏସଏଫ୍

କଙ୍କ୍ରିଟ ରାସ୍ତାର ‘କ’ ଅକ୍ଷର ଜାଣିନଥିବା ଲୋକ ଦେଖିବେ ବିକାଶର ବାକ୍ସ । ଗୁଳିଗୋଳା, ପ୍ରଜାକୋର୍ଟ, ଧମକ ଭଳି ନୀତିଦିନିଆ ଭୟ ଓ ଆତଙ୍କର ଗୋଲକଧନ୍ଦାରେ ଧନ୍ଦି ହେଉଥିବା ମଣିଷ ଏଥର ଶାନ୍ତିରେ ନିଶ୍ୱାସ ନେବେ । ଏସବୁର ଶ୍ରେୟ କାହାକୁ ଯିବ ଜାଣନ୍ତି…ବିଏସଏଫ୍‌ । ଯାହାଙ୍କ ପାଇଁ ସମ୍ଭବ ହୋଇଛି ଗୁରୁପ୍ରିୟା ସେତୁ, ସ୍ୱାଭିମାନ ଅଞ୍ଚଳର ବିକାଶ, ଆହୁରି ଅନେକ କିଛି ।

କେବେକେବେ ଯନ୍ତ୍ରଣା ଜର୍ଜରିତ ପ୍ରସୂତି ମାଆ ପାଇଁ ଦେବଦୂତ ସାଜିଥିବା ବିଏସ୍‌ଏଫ୍‌ ଯବାନ ଆଜି ପୁଣି ପ୍ରାସଙ୍ଗିକ ହୋଇଛି କିଛି ନୂଆ କଥା ପାଇଁ ।

ଦିନେ ଫୁଟୁଥିଲା ଗୁଳି, ଏବେ ଶୁଭିବ ବିକାଶର ସ୍ୱର । ଭୟ ଓ ଆତଙ୍କର ଅସ୍ତିମଜ୍ଜାଗତ ସମସ୍ୟା ବଦଳରେ ଜନତା ସାଉଁଟିବେ ଆତ୍ମବିଶ୍ୱାସର ଆସର । ନୀରିହ ଆଦିବାସୀଙ୍କୁ ନିରସ୍ତ୍ର କରି ଆଉ ଚାଲିବନି ଛଦ୍ମ ବିକାଶର ଠିକାଦାରୀ ।

ନୀତି ଭୁଲିଥିବା ଦିଶାହୀନ ଲାଲ୍‌ବାହିନୀକୁ ଏଥର ଠିକଣା ଦିଶା ଦେଖାଇବ ବିଏସ୍‌ଫ୍‌ । ମୁଖ୍ୟସ୍ରୋତରେ ସାମିଲ ହୁଅ, ନଚେତ୍‌ ଆଦିବାସୀଙ୍କ ସରଳପଣରେ ବିଷ ମିଶାଇଲେ ମିଳିବ କଡ଼ା ଜବାବ୍‌ । ବିକାଶର ସେତୁ ଗୁରୁପ୍ରିୟା ଠାରୁ ୨୫ କିଲୋମିଟର ଦୂର ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ । ଏଠି ପ୍ରତିଷ୍ଠା ହେବ ବିଏସ୍‌ଏଫ୍‌ କ୍ୟାମ୍ପ ।  କିଛି ଦିନ ତଳେ ବିକାଶର ବାଟ ଓଗାଳୁଥିବା ମାଓବାଦୀଙ୍କ ବିରୋଧରେ ଏଇଠୁ ଉଠିଥିଲା ସ୍ୱାଭିମାନର ସ୍ୱର ।

ହନ୍ତାଳଗୁଡ଼ାର ରାସ୍ତାକାମକୁ ବିରୋଧ କରିବାକୁ ଆସିଥିବା ଲାଲବାହିନୀଙ୍କୁ ହତ୍ୟା କରି ଠିକଣା ଜବାବ୍‌ ଦେଇଥିଲେ ଆଦିବାସୀ । ଏହାପରେ ରାଗରେ ଲାଲ୍‌ ପଡ଼ିଥିବା ଲାଲ୍‌ବାହିନୀ ଯୋଡାମ୍ବରେ ପଶି ଲୋକଙ୍କ ଘର ପୋଡିଦେଇଥିଲେ । ଏହାପର ଠାରୁ ଭୟରେ ହସ ଭୁଲିଯାଇଥିବା ଲୋକଙ୍କୁ ଜଗିଥିଲେ ସୁରକ୍ଷାବାହିନୀ । ଆଉ ଏବେ ସେଠାରେ ତିଆରି ହେଉଛି ବିଏସ୍‌ଏଫ୍‌ କ୍ୟାମ୍ପ ।

ଗୁରୁପ୍ରିୟା ସେତୁ ଉଦଘାଟନ ସମୟରେ ସ୍ୱାଭିମାନ ଅଞ୍ଚଳର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଶହେ କୋଟିର ପ୍ୟାକେଜ୍‌ । ତା’ପରେ ଗୋଟିଏ ପରେ ଗୋଟିଏ ଜାଗାକୁ ଯୋଡ଼ି ହେଉଛି ବିକାଶର ରାସ୍ତା । ପୂର୍ବରୁ ପେପରମେଟଲା, ହନ୍ତାଳଗୁଡ଼ାରେ ରାସ୍ତା ପରେ ଏବେ ଯୋଡ଼ାମ୍ବର ପାଳି ।

ବିଏସ୍‌ଏଫ୍‌ ଉପସ୍ଥିତିରେ ଏଠି ବି ତିଆରି ହେବ ସବୁଦିନିଆ ସଡ଼କ, ଥାନା, ଦକ୍ଷତାବିକାଶ କେନ୍ଦ୍ର । ୫ଟି ପଞ୍ଚାୟତ ପାଇଁ ତିଆରି ହେଉଥିବା ଏହି କ୍ୟାମ୍ପ ଆଦିବାସୀ ଯ଼ୁବକଙ୍କୁ ଚଖାଇବ ସ୍ୱାବଲମ୍ୱୀ ହେବାର ସ୍ୱାଦ । ଯାହାର ସୂତ୍ରଧର ସାଜିବେ ବିଏସ୍‌ଏଫ୍‌ ଯବାନ।

Leave a Reply