ନିପାଣିଆ ଡଙ୍ଗାବୁଡ଼ି ବେଳେ ଉଦ୍ଧାରରେ ସହଯୋଗ ପାଇଁ ମହାକାଳପଡ଼ାର ୨ ଭଉଣୀଙ୍କୁ ମିଳିବ ଜାତୀୟ ପୁରସ୍କାର

1 min read

ଭୁବନେଶ୍ୱର : ମହାକାଳପଡ଼ାର ଦୁଇ ଭଉଣୀଙ୍କୁ ମିଳିବ ଜାତୀୟ ସାହସିକତା ପୁରସ୍କାର । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ହସିବା ଗାଁର କିଛି ପରିବାର ୨୦୧୯ ଜାନୁଆରୀ-୨ ତାରିଖରେ ହୁକିଟୁଲାରେ ବଣଭୋଜି ସାରି କୂଳକୁ ଫେରୁଥିବା ବେଳେ ସଂଧ୍ୟାରେ ନିପାଣିଆ ଘାଳିଆ ନଦୀରେ ବୁଡ଼ିଯାଇଥିଲା ଡଙ୍ଗା । ଦୁଇ ଭଉଣୀ ଘରେ ବସି ପଢୁଥିବା ସମୟରେ ଶୁଭିଥିଲା ବଞ୍ଚାଅ ବଞ୍ଚାଅର ଶ୍ୱର । ବାହାରକୁ ଆସି ସେମାନେ ଦେଖିଥିଲେ ଯେ, ଡଙ୍ଗା ବୁଡିଯାଇଛି ଏବଂ ଡଙ୍ଗାରେ ଥିବା ଲୋକମାନେ ନଦୀର ପାଣିରେ ବୁଡି ବଞ୍ଚାଇବାକୁ ଚିତ୍କାର କରୁଛନ୍ତି ।

ନଦୀରେ କୁମ୍ଭୀର ଓ ଅନ୍ଧାର ରାତି ସାଙ୍ଗକୁ ପ୍ରବଳ ଶୀତକୁ ଖାତିରି ନକରି ଦୁଇ ଭଉଣୀ ପୂର୍ଣ୍ଣିମା ଓ ସବିତା ମିଶି ୧୨ ଜଣଙ୍କୁ ନଦୀରୁ ଉଦ୍ଧାର କରିଥିଲେ । ନିପାଣିଆ ଡଙ୍ଗା ବୁଡ଼ି ଘଟଣାରେ ସାରା ଓଡିଶାରେ ଚହଳ ସୃଷ୍ଟି କରିଥିଲା । ସେ ସମୟରେ ଦେବଦୁତ ସାଜି ୧୨ଟି ମୁଲ୍ୟବାନ ଜୀବନ ବଞ୍ଚାଇଥିବା ପୂର୍ଣ୍ଣିମା ଓ ସବିତାଙ୍କୁ ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ଅନୁଷ୍ଠାନ ସମ୍ବର୍ଦ୍ଧିତ କରିଥିଲେ । ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୁଇ ଭଉଣୀଙ୍କୁ ଜାତୀୟ ସାହାସିକତା ପୁରସ୍କାର ପାଇଁ ମନୋନୀତ କରାଯାଇଛି ।


ଏହି ସୂଚନା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉଲ୍ଲେଖ କରିଛନ୍ତି ଯେ, ଉଚ୍ଚ ଜୁଆର ଏବଂ ବିପଦ ଜନକ କୁମ୍ଭୀରଙ୍କ ମୁଁହରେ ନିଜ ଜୀବନକୁ ବାଜି ଲଗାଇ ୨ ଭଉଣୀ ସାହସର ସହିତ ଅନ୍ୟମାନଙ୍କ ଜୀବନ ବଞ୍ଚାଇଥିଲେ । ସେମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।


ଏ ଖବର ପାଇବା ପରେ ମହାକାଳପଡା ବ୍ଲକ ଓ ବତିଘର ପଞ୍ଚାୟତ ସମେତ ପୂର୍ଣ୍ଣିମା, ସବିତା ପଢୁଥିବା ଜ୍ଞାନମୟୀ ଉଚ୍ଚ ବିଦ୍ୟାଳୟ, ବରକୋଳିଖଳାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବେଶ୍ ଗର୍ବ ଅନୁଭବ କରୁଥିବା କହିଛନ୍ତି ।

Leave a Reply