ଚିନ୍ତା ବଢାଉଛି ଡିପଥେରିଆ, ଆଜିଠୁ ରାୟଗଡ଼ାରେ ଦିଆଯିବ ଟିଡି ବୁଷ୍ଟର ଡୋଜ

ରାୟଗଡା: ଚିନ୍ତା ବଢାଉଛି ଡିପଥେରିଆ । ଆଜିଠୁ ରାୟଗଡ଼ା ଜିଲ୍ଲା କାଶୀପୁରରେ ଟିଡି ବୁଷ୍ଟର ଡୋଜ କାର୍ଯ୍ୟକ୍ରମ ଆରମ୍ଭ ହେବ । ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶରେ କାଶୀପୁରରେ ବୁଷ୍ଟର ଡୋଜ କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରାୟ ୨୦ ବର୍ଷ ପରେ ବିଲୁପ୍ତପ୍ରାୟ ରୋଗ ଡିଫଥେରିଆ ଓଡ଼ିଶାକୁ ଫେରିଛି । ବର୍ତ୍ତମାନ ଓଡ଼ିଶାରେ ଏହା ସଂକ୍ରମଣର ରୂପ ନେଲାଣି ।

ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ଏହା ମାଡ଼ିଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ରାୟଗଡ଼ା, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରୁ ୨୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ରାୟଗଡ଼ାରୁ ଚିହ୍ନଟ ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ୫ ଜଣଙ୍କର ଡିପଥେରିଆରେ ମୃତ୍ୟୁ ହୋଇଛି । ୫ ଡିପଥେରିଆ ରୋଗୀଙ୍କ ଚିକିତ୍ସା ଚାଲିଥିବାବେଳେ ବାକି ୫ ଜଣଙ୍କ ନମୁନା ପରୀକ୍ଷା ପାଇଁ ଯାଇଛି । ସଂକ୍ରମଣର ମୁକାବିଲା ପାଇଁ ୩ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଟିମ ମିଳିତ ଭାବେ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।