ରାଜଧାନୀରେ କରୋନା ସ୍ଥିତିକୁ ନେଇ ଆକ୍ସନ ମୋଡରେ ବିଏମସି, ଆଜିଠୁ ଜୋରଦାର ହେବ ଚଢ଼ାଉ

1 min read

ଭୁବନେଶ୍ୱର: ରାଜଧାନୀରେ କରୋନା ସ୍ଥିତିକୁ ନେଇ ଆକ୍ସନ ମୋଡରେ ବିଏମସି । ରାଜଧାନୀର ବିଭିନ୍ନ ସ୍ଥାନରେ ଆଜିଠୁ ଜୋରଦାର ହେବ ଚଢ଼ାଉ । ଏଥିପାଇଁ ସଚେତନତା କାର୍ଯ୍ୟକ୍ରମକୁ ମଧ୍ୟ ତ୍ୱରାନ୍ତିତ କରାଯାଇଛି । ଉଭୟ ସଚେତନତା ଓ କାର୍ଯ୍ୟାନୁଷ୍ଠାନକୁ ଦିଆଯିବ ଗୁରୁତ୍ୱ । ଅପରାହ୍ନରେ ବିମାନ ବନ୍ଦର ଓ ରେଳ ଷ୍ଟେସନରେ ସ୍ଥିତି ଅନୁଧ୍ୟାନ କରିବେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ । କରୋନା ନିୟମକୁ କଡାକଡି ନଜର ଦେବାକୁ ଏନଫୋର୍ସମେଣ୍ଟ ଟିମକୁ ଅଧିକ ଫୋର୍ସ ମିଳିଛି । ବିଏମସିର ୩ଟି ଯୋନରେ ୬ରୁ ଅଧିକ ସ୍କ୍ୱାର୍ଡ ଚଢ଼ାଉରେ ସାମିଲ ହୋଇଛନ୍ତି ।

XIMB ରେ ପ୍ରଥମ ଦିନ ୨୦୧ ଓ ଗତକାଲି ୮୬ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା। ସବୁର RTPCR ଟେଷ୍ଟ କରାଯାଇଛି। ସବୁଗୁଡିକ ନେଗେଟିଭ ଆସିଛି । ଆସନ୍ତାକାଲିଠାରୁ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ମଧ୍ୟ ଯାଞ୍ଚ ଓ ଟେଷ୍ଟିଂକୁ କଡାକଡି କରାଯିବ । ଟ୍ରାଇଡେଣ୍ଟ କଲେଜ ହଷ୍ଟେଲରେ ହେବ ପ୍ରଥମ ଟେଷ୍ଟିଂ କରାଯିବ । CRPF ପକ୍ଷରୁ ଟେଷ୍ଟିଂ ପାଇଁ ଆବେଦନ କରାଯାଇଛି । ପର୍ଯ୍ୟାୟ କ୍ରମେ ସବୁ ହଷ୍ଟେଲରେ ହେବ ଟେଷ୍ଟିଂ । ଏଥିପାଇଁ କୋଭିଡ ସଚେତକଙ୍କୁ ପୁନଃ ନିୟୋଜିତ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି କରିଛନ୍ତି । ପୋଲିସ ପ୍ରସାଶନ ମଧ୍ୟ କୋଭିଡ ୧୯ ଆଇନର ପାଳନ ନେଇ ବ୍ୟାପକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ଗତକାଲିଠାରୁ ଏହି ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି । ଓଡ଼ିଶା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୩ ତାରିଖ ସକାଳୁ, ୨୪ ତାରିଖ ସକାଳ ମଧ୍ୟରେ କୋଭିଡ ଆଇନ ଉଲଙ୍ଘନ ନେଇ ହୋଇଥିବା ଗୋଟିଏ ମାମଲା ରୁଜୁ ହୋଇଥିବାବେଳେ ୧୬ ଜଣଙ୍କୁ ଗିରଫ କରାଯାଇଛି ଓ ୭୬୩ଟି ଗାଡ଼ି ଜବତ କରାଯାଇଛି । ସେହିଭଳି ୨୨,୫୮,୧୦୦( ୨୨ ଲକ୍ଷ ୫୮ ହଜାର ୧୦୦ ଟଙ୍କା) ଜରିମାନା ଆଦାୟ କରାଯାଇଛି ।

ସେହିପରି ଲଗାତାର ଭାବରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନାର ଦ୍ୱିତୀୟ ଲହରୀର ଆତଙ୍କ  । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୪୭ ହଜାର ୨୬୨ ନୂଆ ପଜିଟିଭ  । ଏଥିସହ କରୋନା ନେଇଛି ଆଉ ୨୭୫ ଜୀବନ  । ସେହିପରି ଦିନକରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୨୩ ହଜାର ୯୦୭ ଜଣ ଆକ୍ରାନ୍ତ  । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୭ ଲକ୍ଷ ୩୪ ହଜାର ୫୮ରେ ପହଞ୍ଚିଛି  ।  ଏବେ ସୁଦ୍ଧା ମୋଟ ୧ କୋଟି ୧୨ ଲକ୍ଷ ୫ ହଜାର ୧୬୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳଏ,  ୩ ଲକ୍ଷ ୬୮ ହଜାର ୪୫୭ ସକ୍ରିୟ ମାମଲା ରହିଛି  । ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୪୪୧ରେ ପହଞ୍ଚିଛି  । ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଜାରି ଥିବା ବେଳେ ଏବେ ସୁଦ୍ଧା ୫ କୋଟି ୮ ଲକ୍ଷ ୪୧ ହଜାର ୨୮୬ଜଣଙ୍କୁ ଟିକା ଦିଆଯାଇଛି  ।

Leave a Reply