ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବକ୍ତବ୍ୟକୁ ନେଇ ଏବେ ସାରା ଓଡ଼ିଶାରେ ରାଜନୈତିକ ତୁମ୍ବି ତୋଫାନ ଦେଖିବାକୁ ମିଳିଛି । ଏକ ସରକାରୀ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସଙ୍ଗୀତକୁ ଯେଉଁ ଭଳି ଅପମାନିତ କଲେ ଏବଂ ବିଧାନସଭାରେ କଂଗ୍ରେସ ଦଳର ବିଧାୟକ ତାରାବାହିନି ପତିଙ୍କୁ ହୋଇଥିବା ଅସମ୍ମାନକୁ ଦୃଢ଼ ନିନ୍ଦା କରିଛି ଆଠଗଡ଼ ଯୁବ କଂଗ୍ରେସ । ଏନେଇ ଯୁବ କଂଗ୍ରେସ ପକ୍ଷରୁ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ବିଜେପିର ଏହା କଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛି ଦଳ । ଯୁବ କଂଗ୍ରେସର ସଭାପତି ମନୋରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ସଦସ୍ୟ ମାନେ ପୁରୁଣା ବସ୍ ଷ୍ଟାଣ୍ଡ ଠାରେ ବିଜେପି ବିରୁଦ୍ଧରେ ନାରାବାଜି କରିବା ସହ ଜୟନାରାୟଣ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଛି ।
ଜୟ ନାରାୟଣ ମିଶ୍ରଙ୍କ ମନ୍ତବ୍ୟ ସ୍ପୃହଣୀୟ ନୁହେଁ: ଆଇନମନ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ: ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ମନ୍ତବ୍ୟ ସ୍ପୃହଣୀୟ ନୁହେଁ। ବିଜେପି ବିଧାୟକଙ୍କ ମତ କ୍ଷେତ୍ରରେ ରାଜ୍ୟ ସରକାରଙ୍କ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି- ସରକାରଙ୍କ ପକ୍ଷରୁ ଆଜି ବିଧାନସଭାରେ ସ୍ପଷ୍ଟ କରାଯାଇଛି – ବିଜେପି ବିଧାୟକଙ୍କ ମତ କ୍ଷେତ୍ରରେ ରାଜ୍ୟ ସରକାରଙ୍କ କୌଣସି ସମ୍ପର୍କ ନାହିଁ। ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସରକାର ପ୍ରତିଶୃତିବଦ୍ଧ। ଏଥିପାଇଁ ଗତ ଆଠ ମାସରେ ତ୍ୱରାନ୍ୱିତ ପଦକ୍ଷେପ ନିଆଯାଉଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ନିଷ୍ପତ୍ତି ବି ହୋଇଛି। ସବୁ ଅଞ୍ଚଳକୁ ବିକାଶ ଯୋଜନା ପହଂଚାଇବାକୁ କାମ ଚାଲିଛି।
ସୁନ୍ଦରଗଡ଼ରେ ସକ୍ରିୟ ବାଲି ମାଫିଆ,ଦିନ ଦିପହରେ ବିଭିନ୍ନ ନଦୀରୁ ହେଉଛି ଵାଲି ଚୋରା
ନନ୍ଦିଘୋଷ ବ୍ୟୁରୋ: ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ନଦୀରୁ ଵାଲିର ଚୋରା କାରବାର ବୃଦ୍ଧି ପାଇଥିବା ଅଭିଯୋଗ ହେଉଛି। ବିଶେଷ କରି ରାତି ସମୟରେ ବିଭିନ୍ନ ନଦୀରୁ ଶହଶହ ଟ୍ରିପ ବାଲି ଚୋରା ଚାଲାଣ କରାଯାଉଛି । ମାଫିଆମାନେ ବାଲିର ଚୋରା ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଉଥିବା ବେଳେ ସରକାର ରାଜସ୍ବ ହରାଉଥିବା ଅଭିଯୋଗ ହୋଇଛି । ଦୈନିକ ଶହ ଶହ ଟ୍ରିପ ବାଲି ଖୋଲାଖୋଲି ଭାବେ ଚୋରା ଚାଲାଣ ହେଉଥିଲେ ମଧ୍ୟ ଖଣି ଵିଭାଗ, ରାଜସ୍ଵ ଵିଭାଗ, ଜଙ୍ଗଲ ବିଭାଗ ଓ ପ୍ରଶାସନ ପକ୍ଷରୁ କେବଳ ନାମକୁ ମାତ୍ର ଚଢାଉ କରାଯାଉଛି । ରାଉରକେଲା ସହର ରେ ଗୋଟିଏ ଟ୍ରାକ୍ଟର ବାଲି 2500 ଟଙ୍କା, ଗୋଟିଏ ଡମ୍ଫର ବାଲି 8 ହଜାର ଟଙ୍କା ଓ ଗୋଟିଏ ହାଇୱା ବାଲି 15 ହଜାର ଟଙ୍କାରେ ବିକ୍ରି କରି ଵାଲି ମାଫିଆମାନେ ଲାଭବାନ ହେଉଥିବା ନିଖିଳ ଓଡିଶା ଠିକାଦାର ମହାସଂଘ, ରାଉରକେଲା ଶାଖା ସଭାପତି ଅଭିଯୋଗ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୪ ମସିହା ଏପ୍ରିଲ ମାସରୁ ୨୦୨୫ ମସିହା ଫେବ୍ରୁଆରୀ ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୨୦ ଟି ଗାଡି ଜଵତ କରାଯାଇଥିଲା । ଏଥିରୁ ଏକ କୋଟି ୨୩ ଲକ୍ଷ ୫୮ ହଜାର ୯୦୧ ଟଙ୍କା ରାଜସ୍ୱ ଆଦାୟ କରାଯାଇଛି । ଚଳିତ ମାର୍ଚ୍ଚ ମାସରେ ୧୦ ଦିନରେ ୧୯ ଟି ଚୋରା ବାଲି ଭର୍ତ୍ତି ଗାଡି ଜଵତ କରାଯାଇଛି । ବାଲିର ଚୋରା କାରବାର ବୃଦ୍ଧି ପାଉଥିବା ଅଭିଯୋଗ ପାଇବା ପରେ ଚୋରା କାରବାର ରୋକିବା ପାଇଁ ପଦକ୍ଷେପ ନିଆଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଷ୍ଟୁଡେଣ୍ଟସ ଏଗେନଷ୍ଟ କର୍ପୋରେସନର ଅଭିଯୋଗ: ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ମାନସିକ ନିର୍ଯାତନା
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ । ଏଭଳି ଅଭିଯୋଗ କରିଛି ଷ୍ଟୁଡେଣ୍ଟସ ଏଗେନଷ୍ଟ କର୍ପୋରେସନ । ବାଟାଲିଅନ ଓ ପିଏମଟି ଡ୍ରାଇଭର ପରୀକ୍ଷାର୍ଥୀଙ୍କୁ ସରକାର ନାଲି କୋଠା ଦେଖାଉଥିବା ଅଭିଯୋଗ ହୋଇଛି । ପିଏମଟି ଡ୍ରାଇଭରଙ୍କ ପାଇଁ ଚାରିବର୍ଷ ଓ ବାଟାଲିଅନ ପରୀକ୍ଷାରେ ୬ ବର୍ଷ ବୟସସୀମା କୋହଳ ପାଇଁ ଉଚ୍ଚନ୍ୟାୟାଳୟ ନିର୍ଦେଶ ଦେଇଥିଲେ । ହେଲେ ରାଜ୍ୟ ସରକାର ଏଜିଙ୍କୁ ଲଗାଇ ଏହାକୁ ଷ୍ଟେ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି ଷ୍ଟୁଡେଣ୍ଟସ ଏଗେନଷ୍ଟ କର୍ପୋରେସନ । କେଶ ଜିତିବା ପରେ ପରୀକ୍ଷାର୍ଥୀମାନେ ଫଳାଫଳକୁ ଅପେକ୍ଷା କରି ରହିଥିବା ବେଳେ ସରକାର ପରୀକ୍ଷାର୍ଥୀଙ୍କ ବିରୋଧରେ ହାଇକୋର୍ଟରେ ଡବଲ ବେଞ୍ଚକୁ ଯାଉଛନ୍ତି ବୋଲି ଅଭିଯୋଗ ହୋଇଛି । ସରକାର ତୁରନ୍ତ ଏହି ନିଷ୍ପତ୍ତିରୁ ଓହରିବା ପାଇଁ ଦାବି ହୋଇଛି । ଦାବି ପୂରଣ ନହେଲେ ଆସନ୍ତା ୧୭ ତାରିଖରେ ସଂଗଠନ ପକ୍ଷରୁ ବିଧାନସଭା ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

