spot_img
Home Blog Page 991

ଜଙ୍ଗଲରୁ ଖପୁରୀ, ପଞ୍ଜରା ହାଡ ଜବତ ଘଟଣାକୁ ନେଇ ୧୨ ଘଣ୍ଟିଆ ଟିକାବାଲି ବନ୍ଦ

କନ୍ଧମାଳ: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କୋଟାମଣି ପାହାଡ ତଳ ଜଙ୍ଗଲରୁ ଖପୁରୀ, ପିଞ୍ଜରା ହାଡ ଜବତ ଘଟଣାକୁ ନେଇ ୧୨ ଘଣ୍ଟିଆ କନ୍ଧମାଳ ଜିଲ୍ଲା ଟିକାବାଲି ବନ୍ଦ । ବନ୍ଦ ପାଳନ କରୁଛି ଟିକାବାଲି ବଣିକ ସଂଘ । ବଣିକ ସଂଘ ସମ୍ପାଦକ ପ୍ରଦୀପ କୁମାର ପଣ୍ଡା, ମିତୁ ଭୋଇ, ପ୍ରଶାନ୍ତ ପଣ୍ଡା, ବ୍ଲକ ଅଧ୍ୟକ୍ଷ ଦିଲୀପ କହଁର ଓ ସରପଞ୍ଚ କୁନ୍ଦର ମାଲିକଙ୍କ ନେତୃତ୍ଵରେ ବୈଠକ କରି ଟିକାବାଲି ବନ୍ଦ ଡାକରା ଦିଆଯାଇଛି । ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରଖିବାକୁ ନିବେଦନ କରିଛି ସଂଘ ।

ମୃତ ନାବାଳିକାଙ୍କୁ ନ୍ଯାୟ ପ୍ରଦାନ ସହ ଅଭିଯୁକ୍ତଙ୍କୁ ଫାଶୀ ଦାବିରେ ଟିକାବାଲି ବନ୍ଦ ପାଳନ କରାଯାଉଛି । ନାବାଳିକା ହତ୍ଯା ଘଟଣାରେ ସୋରଡ଼ା ପୋଲିସ ଦ୍ବାରା ଶଙ୍କରଖୋଲ ପଞ୍ଚାୟତ ଅନ୍ତର୍ଗତ ଗୁଡରି ଗାଁ ଅଞ୍ଚଳରୁ ଚାରି ଜଣଙ୍କୁ ଗିରଫ କରାଯାଇଛି । ଏହାସହ ଏକ ଗାଡ଼ିକୁ ମଧ୍ୟ ଜବତ କରିଛି ପୋଲିସ l ଗିରଫ ଯୁବକମାନେ ହେଲେ ଗୁଡରି ଗାଁର ମୁଖ୍ୟ ଅଭିଯୁକ୍ତ ବିଜୟ କୁମାର ନାୟକ ଓ ତାଙ୍କ ସହଯୋଗୀ ଦୀପକ ସାହୁ, ସଞ୍ଜୀବ ସାହୁ ଏବଂ ଚନ୍ଦନ ସେଠୀ l ଚନ୍ଦନ ତିନି ଅଭିଯୁକ୍ତଙ୍କୁ ଶରଣ ଦେଇଥିଲା । ବିଜୟ ଓ ନାବାଳିକା ମଧ୍ୟରେ ପ୍ରେମ ସମ୍ପର୍କ ଥିଲା l

ଡମ୍ଫର ଧକ୍କାରେ ତିନି ଶ୍ରମିକ ମୃତ, ଜଣେ ଗୁରୁତର

ଢେଙ୍କାନାଳ: ରାସ୍ତା କାମ କରୁଥିବା ଡମ୍ଫର ନେଲା ତିନି ଶ୍ରମିକଙ୍କ ଜୀବନ । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେକୁଳା ସତସଙ୍ଗ କେନ୍ଦ୍ର ସମ୍ମୁଖରେ । ରାସ୍ତା କାମରେ ନିୟୋଜିତ ତିନି ଶ୍ରମିକଙ୍କୁ ଧକ୍କା ଦେଇଥିଲା ଡମ୍ଫର । ଡମ୍ଫର ଧକ୍କା ଦେବା ପରେ ରୋଲର ମେସିନରେ ଚାପି ହୋଇଯାଇଥିଲେ ଶ୍ରମିକ ।

ଗତକାଲି ବିଳମ୍ବିତ ରାତିରେ ରେକୁଳା ସତସଙ୍ଗ କେନ୍ଦ୍ର ସମ୍ମୁଖରେ ରାସ୍ତାରେ ପିଚୁ କାମ ଚାଲିଥିଲା । ଏହି ସମୟରେ ଶ୍ରମିକମାନେ ଡମ୍ଫର ସହ ଧକ୍କା ହେବା ପରେ ପିଚୁକୁ ରୋଲିଙ୍ଗ କରୁଥିବା ରୋଲର ମେସିନ ଓ ଏକ ବିଦ୍ୟୁତ ଖୁଣ୍ଟ ମଝିରେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ କଟରରେ କାଟି ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ଜଣେ ମୃତକଙ୍କ ପରିଚୟ ମିଳିଛି । ସେ ହେଲେ ରେକୁଳା ଗ୍ରାମର କ୍ଷୀରୋଦ ସାହୁ ଓ ଅନ୍ୟ ମୃତକଙ୍କର ପରିଚୟ ମିଳିପାରି ନାହିଁ ।

ନିମ୍ନମାନର କାମ ଓ ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । କାମାକ୍ଷାନଗରରୁ ଢେଙ୍କାନାଳ ରାସ୍ତା ଯାତାୟତ ଠପ ହୋଇଯାଇଛି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକିତ୍ସକଙ୍କୁ ମରଣାନ୍ତକ ଆକ୍ରମଣ

ଜଳେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକିତ୍ସକଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣର ଶିକାର ବ୍ୟକ୍ତିଙ୍କ ନାଁ ଗଙ୍ଗାଧର ବୋଲି ଜଣାପଡିଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ସ୍ଥିତ ଚନ୍ଦନେଶ୍ଵର ମନ୍ଦିର ନିକଟରେ ଗଙ୍ଗାଧରଙ୍କ କ୍ଲିନକ ରହିଛି । ଗଙ୍ଗାଧର କ୍ଲିନିକ ବନ୍ଦ କରି ଯାଇଥିବା ବେଳେ ବରବରିଆ ଗାଁର ଶିବଶଙ୍କର ପଣ୍ଡା ତାଙ୍କୁ ଏକ କଟୁରିରେ ପଛପଟୁ ଆକ୍ରମଣ କରିଥିଲେ ।

ଗଙ୍ଗାଧର ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତକୁ ସ୍ଥାନୀୟ ଲୋକେ କାବୁ କରି ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଅଭିଯୁକ୍ତଙ୍କୁ ହେପାଜତକୁ ନେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭିଜିଲାନ୍ସ ଜାଲରେ ଜଟଣୀ ପୌର ନିର୍ବାହୀ ଅଧିକାରୀ

ଜଟଣୀ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଏଥର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଟଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ । ଏକକାଳୀନ ୨ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ ।

ସୁର୍ଯ୍ୟମଣୀଙ୍କ ଭୁବନେଶ୍ୱର ସ୍ଥିତ ବାସଭାବନ ଓ ଜଟଣୀ ପୌର ପରିଷଦ ଅଫିସ ପରିସରରେ ଚଢାଉ ଜାରି ରହିଛି । ଏହି ଚଢାଉରେ ୨ଟି ଟିମ୍ ସାମିଲ ହୋଇଛନ୍ତି ।

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ମହାସ୍ନାନ, ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ କରାଯାଇଛି ମହାସ୍ନାନ । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ପରେ ମଇଲମ ଚାଲିଥିବା ବେଳେ ଶ୍ରୀମନ୍ଦିରରେ ଅଘଟଣ ଯୋଗୁଁ ତିନି ଠାକୁରଙ୍କ କରାଯାଇଛି ମହାସ୍ନାନ ।

ଆଜି ଭୋରୁ ଶ୍ରୀଜିଉଙ୍କ ମଇଲମ ଚାଲିଥିଲା । ଏହି ସମୟରେ ଜଣେ ସେବାୟତ ସିଂହାସନରେ ବସିଥିବା ପାଳିଆ ସେକମଙ୍କୁ ଛୁଇଁ ଦେଇଥିଲେ । ଏଥିପାଇଁ ଶ୍ରୀଜିଉଙ୍କ ମହାସ୍ନାନ କରାଯାଇଛି । ମହାସ୍ନାନ ନୀତି ପାଇଁ ସର୍ବସାଧାରଣଙ୍କ ଦର୍ଶନ ଓ ନୀତି ବନ୍ଦ ରହିଥିଲା । ପାଣି ପଡି ଧୁଆ ହେବା ପରେ ମହାପ୍ରଭୁଙ୍କ ପରବର୍ତ୍ତୀ ନୀତି ଓ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ ହୋଇଛି ।

ବନ୍ଧୁକ ଦେଖାଇ ୫୦ ଲକ୍ଷ ଟଙ୍କାର ସୁନା ଓ ୩୦ ଲକ୍ଷରୁ ଅଧିକ ଟଙ୍କା ଡକାୟତି

ସାଲେପୁର: କଟକ ଜିଲ୍ଲା ସାଲେପୁରରେ ଡକାୟତି । ଘରେ ଥିବା ସୁନା ଓ ଟଙ୍କା ଲୁଟ୍ । ପ୍ରାୟ ଏକ କୋଟି ଟଙ୍କାର ସୁନା ଓ ଟଙ୍କା ଲୁଟ ହୋଇଥିବା ଅଭିଯୋଗ । ସାଲେପୁର ଜାହାଙ୍ଗୀବାଦ ଗାଁରେ ଘଟିଛି ଡୟକାତି । ଲୁଟର ଶିକାର ହୋଇଛନ୍ତି ଗାଁର ବିଜୟ ମହାନ୍ତି ।

ମିଳିଥିବା ସୂଚନା ଅନୁସାରେ, ବିଜୟ ଜମି ବିକ୍ରି କରିଥିଲେ । ଏହି ଟଙ୍କାରେ ସେ ୫୦ ଲକ୍ଷ ଟଙ୍କାର ସୁନା କିଣିଥିଲେ । ତେବେ ଗତରାତିରେ ତାଙ୍କ ଘରେ ଡକାୟତି ହୋଇଛି । ଦୁର୍ବୃତ୍ତମାନେ ଘରେ ପଶି ସୁନା ସହ ୩୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ।

ଗତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ୪ ଜଣ ଦୁର୍ବୃତ୍ତ ଘରେ ପଶିଥିଲେ । ଦୁର୍ବୃତ୍ତମାନେ ଛାତର କବାଟ ଭାଙ୍ଗି ଘରେ ପଶିବା ସହ ଲୁଟ୍ କରିଥିବା ବିଜୟ କହିଛନ୍ତି । ତେବେ ଏତେ ଟଙ୍କା ଓ ସୁନା ଜଣେ କିପରି ଘରେ ରଖିଥିଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ବିଭିନ୍ନ ଦିଗକୁ ନେଇ ଯାଞ୍ଚ ଚାଲିଥିବା ପୋଲିସ କହିଛି ।

ନାରୀ ନିର୍ଯାତନା ଓ ମହାନଦୀ ପ୍ରସଙ୍ଗରେ ଆଜି ବି ସରକାରଙ୍କୁ ଭେରିବେ ବିରୋଧୀ

ଭୁବନେଶ୍ବର: ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ଶାସକ ଓ ବିରୋଧୀ ନିଜ ନିଜ ଜିଦରେ ଅଟଳ ରହିଥିବାରୁ ସ୍ବାଭାବିକ ହୋଇପାରୁନି ଗୃହ । ଯାହାକୁ ନେଇ ବିଜେପି ଓ କଂଗ୍ରେସ ମୁହାମୁହିଁ ହୋଇଛନ୍ତି । ଆଜି ପଞ୍ଚାୟତରାଜ, ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜୟବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରଶ୍ନକାଳ ରହିଛି । ଶୂନ୍ୟକାଳରେ ମହିଳା ନିର୍ଯାତନା, ମହାନଦୀ ପରି ଅନେକ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ବିରୋଧୀ ଘେରିବେ ।

ବିରୋଧୀଙ୍କ ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ । ସେହିପରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି । ତେବେ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇ ସରକାରକୁ ଘେରିବାକୁ ପ୍ରସ୍ତୁତ ଥିବାରୁ ଗୃହ କାର୍ଯ୍ୟ ସ୍ବାଭାବିକ ଚାଲିବ କି ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଚିଙ୍ଗୁଡ଼ି ଜାଆଁଳା ଗାଡିକୁ କେନ୍ଦ୍ର କରି ବାଲେଶ୍ବରରେ ହଣାକଟା

ନନ୍ଦିଘୋଷ ବ୍ୟୁରୋ: ଅଶାନ୍ତ ବାଲେଶ୍ୱର । କଥା କଥାରେ ବୁଲୁଛି ଖଣ୍ଡା ତରବାର । ଚିଙ୍ଗୁଡ଼ି ଜାଆଁଳା ଗାଡିକୁ କେନ୍ଦ୍ର କରି ହଣାକଟା ହୋଇଛି । ଦୁବୃତ୍ତଙ୍କ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ନିଧିପଡ଼ା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ୬ ଜଣ ଦୁର୍ବୃତ୍ତ ଦୁଇଟି ବାଇରେ ଆସି ହାଣିଛନ୍ତି । ଚିଙ୍ଗୁଡ଼ି ଜାଆଁଳା ଗାଡି ଚାଲାଣ ବେଳେ ଚାନ୍ଦା ଉଠାଇବାକୁ ନେଇ ଆକ୍ରମଣ ଅଭିଯୋଗ ହୋଇଛି । ସେହିପରି ବାଲେଶ୍ୱର ରେମୁଣା ଥାନା ସାହାଜୀପାଟଣା ଗାଁରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି । ୩ଜଣ ଦୁର୍ବୃତ୍ତ ବାଇକରେ ଆସି  ଯୁବକଙ୍କ ହାତକୁ ହାଣିଛନ୍ତି। ଯୁବକ ଜଣକ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ୱର ଓ ପରେ କଟକ ବଡ଼ ମେଡିକାକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ରେମୁଣା ପୋଲିସର ତଦନ୍ତ ଜାରି ରହିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।

ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଲର୍ଟ ସ୍ୱାସ୍ଥ୍ୟ ବିଭାଗ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ । ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବା ସହ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି । ପ୍ରତ୍ୟେକ ହସ୍ପିଟାଲରେ ଡେଡିକେଟେଡ଼ ବେଡ଼ ସହ କୁଲିଙ୍ଗ ବ୍ୟବସ୍ଥା ରଖାଯାଇଛି । ଲୋକଙ୍କ ପାଇଁ ସ୍ୱତନ୍ତ୍ର ଆଡ଼ଭାଇଜରି ଜାରି ହୋଇଛି । ଟାଣ ଖରାରେ ବାହାରକୁ ନ ବାହାରିବାକୁ ପରାମର୍ଶ । ବାହାରକୁ ଗଲେ ମୁଣ୍ଡରେ ଓଦା ଗାମୁଛା ପକାଇବା ସହ ପ୍ରଚୁର ପାଣି ପିଇବା, ସାଙ୍ଗରେ ଛତା ନେବାକୁ ପରାମର୍ଶ । ରୋଗୀ ଲୋକ ଖରାରେ ନ ବହାରିବାକୁ ପରାମର୍ଶ । ବାହାରେ କାମ କରୁଥିଲେ ଅଂଶୁଘାତର କିଛି ଲକ୍ଷଣ ଦେଖାଦେଲେ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଛାଇକୁ ଆଣି ଥଣ୍ଡା ପାଣିରେ ପୋଛିବା ସହ ପାଣି ପିଇବାକୁ ଦେଇ ତୁରନ୍ତ ହସ୍ପିଟାଲ ଆଣିବାକୁ ପରାମର୍ଶ । ଏବର୍ଷ ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଆକଳନକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ ବିଭାଗର କଡା ନଜର ରହିଛି । ଇଣ୍ଟିଗ୍ରେଟେଡ଼ ହେଲଥ ରେସପନ୍ସ ସିଷ୍ଟମରେ ସବୁ ବ୍ଲକରେ ରାପିଡ ଆକ୍ସନ ଟିମ ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ପଡ଼ିଲେ ଏହି ଟିମ ବିଭିନ୍ନ ସ୍ଥାନକୁ ଯିବ । ଏହାକୁ ମନିଟର କରାଯାଉଛି । ଏହାସହିତ ବିଭିନ୍ନ ସ୍ଥାନରେ ଅସୁରକ୍ଷିତ ଭାବେ ଜଳଛତ୍ର ଖୋଲାଯାଉଥିବାରୁ ଜଳଛତ୍ରରେ ସ୍ୱଚ୍ଛ ପାନୀୟ ଜଳ ରଖି ପିଇବାକୁ ଦେବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ହାଇଜେନିକ ମେଥଡ଼ରେ ପାଣି ଦେବାକୁ ପରାମର୍ଶ । ଏସବୁ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ସମ୍ଭାବ୍ୟ ପରିସ୍ଥିତିକୁ ଆଖି ଆଗରେ ରଖି ନିର୍ଦେଶନାମା ଜାରି କରାଯାଇଛି ବୋଲି ସୂଚନା ଦେଲେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।..

ଅନିଶ୍ଚିତତା ଭିତରେ କ୍ଯାପିଟାଲ ରିଜିୟନ ରିଙ୍ଗ ରୋଡ ପ୍ରକଳ୍ପ

ନନ୍ଦିଘୋଷ ବ୍ୟୁରୋ: ଆଗରୁ ଟେଣ୍ଡର ତାରିଖ ଘୁଞ୍ଚୁଥିଲା । ଏବେ ଜନଶୁଣାଣି ତାରିଖ ବି ଘୁଞ୍ଚିଲାଣି । ପୁଣି ଥରେ କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡ ଭାଗ୍ୟ ସରକାରୀ ପ୍ରକ୍ରିୟାରେ ଅଟକିଛି । ପ୍ରାଶାସନିକ ମଞ୍ଜୁରି କେବେ ମିଳିବ ଦୂର କଥା  ରାଜ୍ୟ ସରକାରଙ୍କ ତତ୍ପରତା ଅଭାବରୁ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଉଛି ସିଆର୍ଆର୍ ଭାଗ୍ୟ । ଅଭିଯୋଗ ହୋଇଛି କେରଳ, ହରିୟାଣାଠାରୁ ଓଡ଼ିଶା କ୍ଷେତ୍ର ଓ ଜନସଂଖ୍ୟାରେ ୪ ଗୁଣ ଅଧିକ ହୋଇ ବି ଜାତୀୟ ରାଜପଥ ବାବଦରେ କମ୍ ଟଙ୍କା ପାଉଛି । କେବଳ ପରିକଳ୍ପନା ନେଇ ବାହାବା ଗୋଟାଉଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ ହୋଇଛି ।

ଅନିଶ୍ଚିତତା ଭିତରେ କି କ୍ୟାପିଟାଲ ରିଜିୟନ୍ ରିଙ୍ଗ ରୋଡ ଭାଗ୍ୟ ? ଟେଣ୍ଡର ତାରିଖ ଘୁଞ୍ଚୁଥିଲା । ଏବେ ଘୁଞ୍ଚିଲାଣି ଜନଶୁଣାଣି ତାରିଖ । ସେପଟେ କେରଳ ଓ ହରିୟାଣା ଭଳି ଓଡ଼ିଶାରୁ ୪ ଗୁଣ ଛୋଟ ରାଜ୍ୟ ଏନ୍ଏଚ୍ ବିକାଶ ବାବଦରେ ଡବଲ ଅର୍ଥ ପାଉଛନ୍ତି । ଭୁବନେଶ୍ବର, କଟକ, ଖୋର୍ଦ୍ଧା ସମେତ ସହରକୁ ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତ କରିବା ପାଇଁ ଦୀର୍ଘ ବର୍ଷ ତଳେ ପରିକଳ୍ପନା ହୋଇଥିବା ସିଆର୍ଆର୍ । ହେଲେ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ମଞ୍ଜୁରି ପାଇପାରିଲାନି । ଖୋର୍ଦ୍ଧା ରାମେଶ୍ବରରୁ କଟକ ଟାଙ୍କୀ ପର୍ଯ୍ୟନ୍ତ ଜନଶୁଣାଣି ଶେଷ ତାରିଖ ଧାର୍ଯ୍ୟ ହୋଇଥିବା ୨୦୨୫ ଏପ୍ରିଲ ୫ ତାରିଖ । ଏବେ ପୁଣି ବଢିଲା ଏପ୍ରିଲ ୨୧ ତାରିଖକୁ । ସେପଟେ ମାର୍ଚ୍ଚ ୨୦ ତାରିଖ ଟେଣ୍ଡର ଆହ୍ବାନର ଶେଷ ତାରିଖ ଧାର୍ଯ୍ୟ କରିଥିଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷ । ଏବେ ଆସନ୍ତାମାସ ୨୪ ତାରିଖକୁ ବୃଦ୍ଧି କରାଯାଇଛି । କ୍ଯାପିଟାଲ ରିଜିୟନ ରିଙ୍ଗ ରୋଡ ବାସ୍ତବ ରୂପ ନେବା ପାଇଁ କେତେ ଦିନ ଚାଲିବ ସରକାରୀ ପ୍ରକ୍ରିୟା ବୋଲି ପ୍ରଶ୍ନ ଉଠିଛି ।

ସହରକୁ ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ହେଲେ କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡର ଆବଶ୍ୟକତା ରହିଛି । ଏହାକୁ କେନ୍ଦ୍ର ସରକାରଙ୍କ ସଂସ୍ଥା ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିର୍ମାଣ କରିବେ ସିନା ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଏ ନେଇ କେନ୍ଦ୍ର ପାଖରେ ବାରମ୍ବାର ଜୋର ଦାବି ରଖିବା ଦରକାର । କାମ ତ୍ବାରାନ୍ବିତ କରିବାକୁ ହେଲେ ପଦୁଟିଏ କହିଦେଲେ ଚଳିନନି । ରାଜ୍ୟରେ ଏବେ ଡବଲ୍ ଇଞ୍ଜିନ ସରକାର । ଲୋକେ ଆଶା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଯେପରି ଘୋଷଣା କରିଥିଲେ ସେତିକି ବେଗରେ କାମ ଆରମ୍ଭ ହେବା କଥା । କିନ୍ତୁ ସେସବୁ ପ୍ରତିଶ୍ରୁତି ଏବେ ପାଣିର ଗାର ହୋଇ ରହିଛି । ରାଜ୍ୟ ସରକାର ବି କେବଳ ଆଶା ଦେଖାଇଚାଲିଛନ୍ତି । କେବେ ପୂରା ହେବ ଜନଶୁଣାଣି ? କେବେ ପାଇବ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ? ଏ ସବୁ ପ୍ରସଙ୍ଗରେ କେନ୍ଦ୍ରୀୟ ସଂସ୍ଥାଙ୍କ ଆଗରେ ରାଜ୍ୟ ସରକାର ତତ୍ପରତା ନ ଦେଖାଇଲେ କୌଣସିଟିରେ ଅଗ୍ରଗତି ହେବନି । ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆଗରୁ ସ୍ପଷ୍ଟ କରିଛନ୍ତି ଯେ ପର୍ଯ୍ୟନ୍ତ ଜନଶୁଣାଣି ନ ସରିଛି ଏବଂ ପରିବେଶ ମଞ୍ଜୁରୀ ନ ମିଳିଛି ସେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ମଞ୍ଜୁରୀ ମିଳିବନି ।