ନନ୍ଦିଘୋଷ ବ୍ୟୁରୋ: ସାରା ରାଜ୍ୟରେ ଉପରମୁହାଁ ପାରଦ। ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା। ଦିନ ୧୦ଟା ବାଜିଲେ ଘରୁ ବାହାରିବା ହେଲାଣି ମୁସ୍କିଲ। ଦିନେ ଦୁଇ ଦିନ ଭିତରେ ଆହୁରି ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କିଛି ସ୍ଥାନରେ ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ଶୁଷ୍କ ପବନ ପ୍ରବାହ ବଢୁଥିବାରୁ ତାତି ଆହୁରି ବଢିବ ବୋଲି ଆକଳନ କରାଯାଇଛି। ସେପଟେ ଓଡ଼ିଶାର ତତଲାଗଡ କୁହାଯାଉଥିବା ଟିଟିଲାଗଡରେ ଏବେ ଠାରୁ ଅସହ୍ୟ ତାତି ଅନୁଭୂତ ହେଲାଣି। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସତର୍କ ରହିବା ସହ ଶ୍ରମିକ ମାନେ କାମ ନ କରିବାକୁ ଜାରି ହୋଇଛି ନିର୍ଦ୍ଦେଶ।
ଢେଙ୍କାନାଳରେ ଝିମିଟି ଖେଳରୁ ମହାଭାରତ : ପଞ୍ଚମ ଶ୍ରେଣୀ ଛାତ୍ର ଉପରକୁ ଏସିଡ ମାଡ
ଢେଙ୍କାନାଳ : ଢେଙ୍କାନାଳରେ ଝିମିଟି ଖେଳରୁ ମହାଭାରତ। ପିଲାଙ୍କ ଭିତରେ ଖେଳକୁ ନେଇ ତୁମୁଳକାଣ୍ଡ। ଘରୁ ଡାକି ନେଇ ପଞ୍ଚମ ଶ୍ରେଣୀ ଛାତ୍ର ଉପରକୁ ଅନ୍ୟ ଛାତ୍ର କଲେ ଏସିଡ ମାଡ।ଏସିଡ ମାଡ ପରେ ଗୁରୁତର ଅବସ୍ଥାରେ ପଞ୍ଚମ ଶ୍ରେଣୀ ଛାତ୍ରଜଣକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି । କେଉଁ କାରଣରୁ ଜଣେ ଛାତ୍ର ଅନ୍ୟ ଛାତ୍ର ଉପରେ ଏସିଡ ମାଡ କଲା ତାହା ଜଣା ପଡିନାହିଁ । ଏସିଡ ମାଡରେ ଗୁରୁତର ହୋଇଥିବା ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ନାମ ସାଇ ସମ୍ମାନ ନାଥ ହୋଇଥିବା ବେଳେ ଘଟଣାଟି କାମାକ୍ଷାନଗର ଥାନା ଅନ୍ତର୍ଗତ ନୂଆ ଆଲୁତୁମା ଗ୍ରାମରେ ଘଟିଛି । ଏସିଡ ମାଡ କରି ଅନ୍ୟ ଛାତ୍ର ଫେରାର ହୋଇଯାଇଛି ।
ମ୍ୟାଚ୍ ମଝିରେ ଶୋଇପଡ଼ି ଟାଇମ୍ ଆଉଟ୍ ହେଲେ ପାକିସ୍ତାନୀ ଖେଳାଳି
ନନ୍ଦିଘୋଷ ବ୍ୟୁରୋ : ମ୍ୟାଚ୍ ମଝିରେ ଶୋଇପଡିଥିବାରୁ ଟାଇମ୍ ଆଉଟ୍ ହୋଇଥିଲେ ପାକିସ୍ତାନୀ ଖେଳାଳି । ଚଳିତ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ବିପକ୍ଷରେ ଅର୍ଦ୍ଧଶତକ ମାରିଥିବା ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୌଦ ଶକିଲଙ୍କୁ କ୍ରିଜ୍ ପହଞ୍ଚିବାର ସୁଯୋଗ ହରାଇବା ପରେ ଟାଇମଆଉଟ୍ କରାଯାଇଥିଲା। ମ୍ୟାଚରେ ୫ମ ସ୍ଥାନରେ ସେ ବ୍ୟାଟିଂ କରିବା ନେଇ ସ୍ଥିର ହୋଇଥିଲା, କିନ୍ତୁ ସେ ଶୋଇ ପଡିଥିବାରୁ ତାଙ୍କୁ ଏପରି ପରିସ୍ଥିତି ସାମ୍ନା କରିବାକୁ ପଡିଥିଲା । ଏହି ଘଟଣାଟି ଲୋକଲୋଚନକୁ ଆସିବାରେ ତାଙ୍କୁ ପ୍ରବଳ ସମାଲୋଚନା କରାଯାଉଛି ।
ଲଗାତାର ୱିକେଟ୍ ପଡ଼ିବା ପରେ, ୫ ନମ୍ବରରେ ବ୍ୟାଟିଂ କରିବାକୁ ଥିବା ସୌଦ ଶକିଲ୍ ନିର୍ଦ୍ଧାରିତ ତିନି ମିନିଟ୍ ମଧ୍ୟରେ କ୍ରିଜ୍ ପହଞ୍ଚି ପାରିନଥିଲେ । ଏହା ପରେ ପିଟିଭି ଦଳର ଅଧିନାୟକଙ୍କୁ ଅପିଲ୍ କରିଥିଲେ ହେଲେ ଅମ୍ପାୟାର ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ରିପୋର୍ଟ ଅନୁଯାୟୀ, ଶକିଲ୍ ଶୋଇପଡ଼ିଥିଲେ ଏବଂ ସମୟ ମଧ୍ୟରେ ବ୍ୟାଟିଂ କରିବାର ସୁଯୋଗ ହରାଇଥିଲେ ବୋଲି ଅଭିଯୋଗ ହୋଇଛି।
କର୍ଣ୍ଣାଟକ ମାଙ୍ଗାଳୁରୁ ଜେଲରେ ଫୁଡ ପଏଜନିଂ ; ୪୫ରୁ ଅଧିକ କଏଦୀ ଅସୁସ୍ଥ
ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକ ମାଙ୍ଗାଳୁରୁ ଜେଲରେ ଫୁଡ ପଏଜନିଂ। ୪୫ରୁ ଅଧିକ ବିଚାରାଧୀନ କଏଦୀ ଅସୁସ୍ଥ ହୋଇଛନ୍ତି। ସମସ୍ତ ଅସୁସ୍ଥ କଏଦୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖାଦ୍ୟ ଖାଇବା ପରେ ସମସ୍ତଙ୍କ ପେଟ ଯନ୍ତ୍ରଣା ଓ ବାନ୍ତି ହେବା ପରେ ଜେଲରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହି ଘଟଣା ପରେ ବିଷାକ୍ତ ଖାଦ୍ୟ ନେଇ ତନାଘନା ଜାରି ରହିଛି। ଏହା ସହ ଜେଲର ସୁରକ୍ଷାକୁ ବଢାଇ ଦିଆଯାଇଛି। ପୋଲିସ କମିଶନର ଅନୁପମ ଅଗ୍ରୱାଲ ହସ୍ପିଟାଲ ପରିଦର୍ଶନ କରିବା ସହ ଘଟଣା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ବଢ଼ିଲା ଔରେଙ୍ଗଜେବଙ୍କୁ ନେଇ ମନ୍ତବ୍ୟ ବିବାଦ, ମହାରାଷ୍ଟ୍ର ବିଧାନସଭାରୁ ସସପେଣ୍ଡ ହେଲେ ସାଂସଦ ଆବୁ ଆଜମୀ
ନନ୍ଦିଘୋଷ ବ୍ୟୁରୋ : ବଢ଼ିଲା ଔରେଙ୍ଗଜେବଙ୍କୁ ନେଇ ମନ୍ତବ୍ୟ ବିବାଦ। ମହାରାଷ୍ଟ୍ର ବିଧାନସଭାରୁ ସସପେଣ୍ଡ ହେଲେ ସମାଜବାଦୀ ପାର୍ଟି ବିଧାୟକ ଆବୁ ଆଜମୀ। ମୋଗଲ ଶାସକଙ୍କୁ ସେ ପ୍ରଶଂସା କରିବା ସହ ଛାବା ଚଳଚ୍ଚିତ୍ରରେ ଐତିହାସିକ ଘଟଣାବଳୀକୁ ବିକୃତ କରାଯାଇଥିବାରୁ ସମାଲୋଚନା କରିଥିଲେ। ଏପରିକି ଔରେଙ୍ଗଜେବଙ୍କୁ ଜଣେ ଭଲ ପ୍ରଶାସକ ବୋଲି କହିଥିଲେ ଆଜମୀ। ଏହା ସହ ଅତୀତରେ ଆଫଗାନିସ୍ତାନ ଓ ପରେ ବର୍ମା ଯାଏ ଭାରତର ସୀମା ପରିବ୍ୟାପ୍ତ ହୋଇଥିଲା। ଔରେଙ୍ଗଜେବ ଅନେକ ମନ୍ଦିର ନିର୍ମାଣ କରିଥିଲେ। ସେ ଜଣେ ନିଷ୍ଠୁର ପ୍ରଶାସକ ନଥିଲେ। ଔରେଙ୍ଗଜେବଙ୍କ ସମୟରେ ଭାରତ ସୁନାର ପକ୍ଷୀ ଥିଲା। ସେତେବେଳେ ବିଶ୍ବ ଜିଡିପିରେ ଭାରତର ଅବଦାନ ୨୪ ପ୍ରତିଶତ ଥିଲା ବୋଲି କହିଥିଲେ ଆଜମୀ।
ଏହାକୁ କେନ୍ଦ୍ର କରି ଆଜମୀଙ୍କୁ ଗୃହରୁ ବାହାର କରିବା ଲାଗି ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ଏକ ପ୍ରସ୍ତାବ ଆଗତ କରିବା ପରେ ତାହା ଗୃହୀତ ହୋଇଥିଲା। ସେପଟେ ଏହି ନିଷ୍ପତ୍ତିକୁ ଅନ୍ୟାୟ ବୋଲି କହିଛନ୍ତି ୪ ଥରର ବିଧାୟକ ଆଜମୀ। ରାଜ୍ୟରେ ଦୁଇ ପ୍ରକାର ଆଇନ ରହିଛଇ କି ବୋଲି ସେ ପ୍ରଶ୍ନ କରିଛନ୍ତି। ପୂର୍ବରୁ ଛତ୍ରପତି ଶିବାଜୀଙ୍କ ସମ୍ପର୍କରେର ଅଭିନେତା ରାହୁଲ ସୋଲାପୁର୍କର ଓ ପୂର୍ବତନ ସାମ୍ବାଦିକ ପ୍ରଶାନ୍ତ କୋରତକର ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀ। ଆଜମୀ ତାଙ୍କର ଏହି ବିବୃତି ପ୍ରତ୍ୟାହାର କରି ନିଅନ୍ତୁ ବୋଲି ଦାରି କରିଥିଲେ ଉପମୁଖ୍ଯମନ୍ତ୍ରୀ ଏକନାଥ ସିଦେ। ତେଣେ ଆଜମୀଙ୍କ ବିରୋଧରେ ଏମପି ନରେଶ ମିହାସେକ ଏକ ଏଫଆଇଆର ଦାୟର କରିଛନ୍ତି। ଆବୁ ଆଜମୀ ମନଖୁର୍ଦ୍ଦ ଶିବାଜୀ ନଗରରୁ ପ୍ରତିନିଧିତ୍ବ କରୁଛନ୍ତି। ତେଣେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଉତ୍ତରପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଆଜମୀଙ୍କୁ ସମାଜବାଦୀ ପାର୍ଟିରୁ ବହିଷ୍କାର କରିବା ଲାଗି ସେ ଦାବି କରିଛନ୍ତି। ଏହି ଧରଣର ଲୋକଙ୍କୁ କିପରି ସାବାଡ କରାଯିବ ତାହାକ ଉତ୍ତରପ୍ରଦେଶ ଜାଣେ ବୋଲି ସେ କହିଛନ୍ତି।
ଆମେରିକା ଲାଗି ସୁବର୍ଣ୍ଣ ଯୁଗ, ଗ୍ରୀନଲାଣ୍ଡ ଓ ପାନାମା କେନାଲ କବଜା ଲକ୍ଷ୍ୟ
ନନ୍ଦିଘୋଷ ବ୍ୟୁରୋ : ଆମେରିକା ଲାଗି ଆରମ୍ଭ ହୋଇଛି ସୁବର୍ଣ୍ଣ ଯୁଗ। ଏଥିଲାଗି ଦେଶବାସୀଙ୍କୁ ପ୍ରସ୍ତୁତ ହେବାକୁ ପଡିବ। ଆମେରିକୀୟ କଂଗ୍ରେସର ମିଳିତ ଅଧିବେଶନରେ ଉଦବୋଧନ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଆମେରିକୀୟ କଂଗ୍ରେସକୁ ଉଦବୋଧନ ଦେଇଛନ୍ତି ଟ୍ରମ୍ପ। ଦେଶର ଆଭ୍ୟନ୍ତରୀଣ ଓ ବୈଦେଶିକ ନୀତି ପ୍ରସଙ୍ଗରେ ମତ ରଖିଛନ୍ତି ଟ୍ରମ୍ପ। ମାତ୍ର ୬ ସପ୍ତାହର ଶାସନ କାଳରେ ଦେଶରେ ପ୍ରବାସୀଙ୍କୁ ନିଜ ଦେଶକୁ ଫେରାଇବା, ବହୁ ରାଷ୍ଟ୍ର ଉପରେ ଶୁଳ୍କ ଲାଗୁ କରିବା, ବ୍ୟାପକ ଛଟେଇ କରି ବିଶ୍ବକୁ ଥରହର କରିସାରିଲେଣି ଟ୍ରମ୍ପ।
ଆମେରିକା ସୀମାରେ ଗ୍ରୀନଲ୍ୟାଣ୍ଡକୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଟ୍ରମ୍ପ। ନିଜ ଭବିଷ୍ୟତ ନିଜେ ନିର୍ଦ୍ଧାରଣ କରିବାକୁ ଗ୍ରାନଲ୍ୟାଣ୍ଡବାସୀଙ୍କୁ ଆହ୍ବାନ ଦେଇଛନ୍ତି ଟ୍ରମ୍ପ। ଏହା ସହ ଆମେରିକାର ନିରାପତ୍ତା ଲାଗି ଗ୍ରୀନଲାଣ୍ଡକୁ ମିଶାଇବା ଲକ୍ଷ୍ୟ ବିଷୟ ସେ ଘୋଷଣା କରିଛନ୍ତି। ସେହିପରି ପାନାମା କେନାଲକୁ ଆମେରିକା ନିଜ ଅକ୍ତିଆରକୁ ଆଣିବ ବୋଲି ସେ ସୂଚନା ଦେଇଛନ୍ତି। ଆବ୍ରାହମ ଚୁକ୍ତି ଅନୁସାରେ ଗାଜାରୁ ପଣବନ୍ଦୀଙ୍କୁ ମୁକୁଳାଇ ଆଣିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ଗାଜା ପ୍ରସଙ୍ଗରେ ଆହୁରି କିଛି ଚୁକ୍ତି ସ୍ବାକ୍ଷର କରାଯିବ ବୋଲି ସେ କହିଛନ୍ତି।
ଆମେରିକା ସହ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଖଣିଜ ଚୁକ୍ତି କରିବାକୁ ଆଗ୍ରହୀ ଅଛନ୍ତି। ଏନେଇ ସେ ଜେଲେନସ୍କିଙ୍କଠାରୁ ପତ୍ର ପାଇଛନ୍ତି ବୋଲି ସେ କହିଛନ୍ତି। ୟୁକ୍ରେନକୁ ସମସ୍ତ ପ୍ରକାର ସାମରିକ ସହାୟତା ବନ୍ଦ ଘୋଷଣା ପରେ ନରମିଛନ୍ତି ଜେଲେନସ୍କି। ଭାରତ ପକ୍ଷରୁ ଲାଗୁ କରାଯାଇଥିବା ଅଧିକ ଶୁଳ୍କକୁ ସେ ବିରୋଧ କରିବା ସହ ଏହାର ଫଳ ଭୋଗିବାକୁ ପଡିପାରେ ବୋଲି ସେ ଚେତାବନୀ ଦେଇଛନ୍ତି। ଏହା ସହ ଶୁଳ୍କ ପ୍ରସଙ୍ଗରେ ଚୀନ ଓ ୟୁରୋପୀୟ ୟୁନିଅନକୁ ବି ଟାର୍ଗେଟ କରିଛନ୍ତି।
ଆସନ୍ତା ଏପ୍ରିଲ ୨ରୁ ବିଜିନେସ ପାର୍ଟନରଙ୍କ ଲାଗି ନୂଆ ଶୁଳ୍କ ନୀତି ଲାଗୁ ହେବ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ। ସରକାରୀ ସ୍ତରରେ ଚାଲିଥିବା ଜାଲିଆତିକୁ ବିଲୋପ କରାଯିବା ସହ କର୍ମଚାରୀଙ୍କ ଦକ୍ଷତା ସମ୍ପର୍କରେ ସମୀକ୍ଷା କରାଯିବ। ଆମେରିକା ଉପରେ ଇସ୍ରାଏଲ ପରି ମିସାଇଲ ଡିଫେନ୍ସ ସିଲ୍ଡ ପ୍ରତିଷ୍ଠା କରାଯିବ ବୋଲି ସୂଚନା ଦେଇଛନ୍ତି ଟ୍ରମ୍ପ।
ଜନଗଣନା ପରେ ଆସନ୍ତାବର୍ଷ ସୀମା ପୁନଃନିର୍ଦ୍ଧାରଣ; ଲୋକସଂଖ୍ୟା ଓ ଭୌଗୋଳିକ ସ୍ଥିତିକୁ ଦେଖି ଚାଲିବ ପ୍ରକ୍ରିୟା
ନନ୍ଦିଘୋଷ ବ୍ୟୁରୋ : ଜନସଂଖ୍ୟା ଆଧାରରେ ସୀମା ପୁନଃନିର୍ଦ୍ଧାରଣ ହେବ । ସାରା ଦେଶରେ ଏହି ପ୍ରକ୍ରିୟା କରିବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡିଥିବା ବେଳେ ଅନେକ ରାଜ୍ୟରେ ଏ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ପ୍ରଥମେ ୨୦୨୫ରେ ଜନଗଣନା ଓ ୨୦୨୬ରେ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ତ୍ବରାନ୍ବିତ ହେବ । ଲୋକସଂଖ୍ୟା ଓ ଭୌଗୋଳିକ ସ୍ଥିତିକୁ ଦେଖି ଯଦି ସୀମା ପୁନଃନିର୍ଦ୍ଧାରଣ କରାଯାଏ ତେବେ ଓଡିଶାର ଲୋକସଭା ଆସନ ସଂଖ୍ୟା ୨୧ରୁ ୨୮କୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଯୁକ୍ତି- ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ ସୀମା ପୁନଃନିର୍ଦ୍ଧାରଣ କରାଯାଉ । କିଛି ରାଜ୍ୟରେ ଦେଖାଦେଇଥିବା ବିବାଦକୁ ମଧ୍ୟ ଏଡାଇ ଦେବା ଅନୁଚିତ । କାହିଁକି ଏଯାଏଁ କେନ୍ଦ୍ର ସରକାର ଜାତିଭିତ୍ତିକ ଜନଗଣନା କରୁନାହାଁନ୍ତି ବୋଲି ଦଳ ପ୍ରଶ୍ନ ଉଠାଇଛି । ଓଡିଶା ସରକାର ଜନସଂଖ୍ୟା ନିୟନ୍ତ୍ରଣରେ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ସଫଳତା ପାଇଛନ୍ତି । ତେଣୁ ଏହାଦ୍ବାରା କେଉଁଠି ନା କେଉଁଠି ଓଡିଶା ପ୍ରଭାବିତ ହେବାର ଆଶଙ୍କା ରହିଛି ।
ରାଜ୍ୟର ଉଭୟ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ବଢିବା ଦରକାର । ସେହି ଅନୁସାରେ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି- ପ୍ରଥମେ କେନ୍ଦ୍ର ସରକାର ଜନଗଣନା କରନ୍ତୁ । ଜନଗଣନା ନକରି କେଉଁ ଆଧାରରେ ସୀମା ପୁନଃନିର୍ଦ୍ଧାରଣ କରିବେ ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି । ବିଜେପି ବିଧାୟକ ଅଶ୍ବିନୀ ଷଢଙ୍ଗୀ କହିଛନ୍ତି- କେନ୍ଦ୍ର ସବୁ ଦିଗକୁ ବିଚାର କରି ନିୟମ ଅନୁସାରେ ସୀମା ପୁନଃନିର୍ଦ୍ଧାରଣ କରୁଛନ୍ତି । ସୀମା ପୁନଃନିର୍ଦ୍ଧାରଣ କରାଗଲେ ଓଡିଶାର କେତେ ଲୋକସଭା ଓ କେତେ ବିଧାନସଭା ଆସନ ବଢିବ ଓ କେବେ ଜାତିଭିତ୍ତିକ ଜନଗଣନା କରାଯିବ ତାକୁ ନେଇ ଆରମ୍ଭ ହୋଇଛି ବୟାନବାଜି ।

