spot_img
Home Blog Page 988

ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ଫୋନରେ ଧମକ, ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଖେଳାଳି

ନୂଆଦିଲ୍ଲୀ : ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଏଥର ଟିମ୍ ଇଣ୍ଡିଆ କୌଣସି ମ୍ୟାଚ୍ ନ ହାରି ଟାଇଟଲ୍ ଜିତିଛି। ଟ୍ରଫି ଜିତିବା ପରେ ପ୍ରାୟ ସମସ୍ତ ଖେଳାଳି ଭାରତ ଫେରି ସାରିଛନ୍ତି। ଏବେ ଟିମ୍ ଇଣ୍ଡିଆର ଏହି ଖେଳାଳିମାନେ ଆଇପିଏଲରେ ଖେଳିବାର ଦେଖିବାକୁ ପାଇବେ। ଏହି ସମୟରେ, ଜଣେ ଭାରତୀୟ ଖେଳାଳି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ପ୍ରକୃତରେ, ଏହି ଖେଳାଳି ୨୦୨୧ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆରେ ସାମିଲ ଥିଲେ । ଏହି ଖେଳାଳିଙ୍କୁ ତାଙ୍କୁ ଭାରତ ଫେରି ନଯିବା ପାଇଁ ଫୋନ୍ ମାଧ୍ୟମରେ ଧମକ ମିଳିଥିଲା। କେବଳ ଏତିକି ନୁହେଁ, ଲୋକମାନେ ଏହି ଖେଳାଳିଙ୍କୁ ମଧ୍ୟ ପିଛା କରିଥିଲେ।

୨୦୨୧ ଟି-୨୦ ବିଶ୍ୱକପରେ, ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଟିମ୍ ଇଣ୍ଡିଆର ପରାଜୟର ଖଳନାୟକ ହୋଇଥିଲେ। ଭାରତୀୟ ଦଳ ଗ୍ରୁପ୍ ପର୍ଯ୍ୟାୟରେ ହିଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲା। ଏହି ସମୟ ମଧ୍ୟରେ, ବରୁଣ ଚକ୍ରବର୍ତ୍ତୀ ୩ଟି ମ୍ୟାଚ୍ ରେ ଗୋଟିଏ ବି ୱିକେଟ୍ ନେଇପାରି ନଥିଲେ  । ବହୁତ ମହଙ୍ଗା ମଧ୍ୟ ପ୍ରମାଣିତ ହୋଇଥିଲେ। ଏହା ପରେ, ବରୁଣଙ୍କୁ ମଧ୍ୟ ଭାରତୀୟ ଦଳରୁ ବାହାର କରାଯାଇଥିଲା। ସେ ପ୍ରାୟ୩ ବର୍ଷ ଧରି ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ତିଆରି କରିପାରି ନଥିଲେ। ଏହା ପରେ, ସେ ଆପିଏଲରେ ଏକ ଭଲ ପ୍ରଦର୍ଶନ ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ  । ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ମାତ୍ର ୩ ମ୍ୟାଚ୍ ରେ ୯ ୱିକେଟ୍ ନେଇଥିଲେ। ସେ ଟୁର୍ଣ୍ଣାମେଣ୍ଟରେ ଭାରତର ସବୁଠାରୁ ସଫଳ ବୋଲର ଥିଲେ।

୨୦୨୧ ଟି-୨୦ ବିଶ୍ୱକପ୍ ବିଷୟରେ କହିବାକୁ ଗଲେ, ଏକ ୟୁଟ୍ୟୁବ୍ ଶୋ’ରେ ବରୁଣ ଚକ୍ରବର୍ତ୍ତୀ କହିଥିଲେ, ‘ଏହା ମୋ ପାଇଁ ବହୁତ ଖରାପ ସମୟ ଥିଲା।’ ମୁଁ ଡିପ୍ରେସନରେ ଥିଲି। ମୁଁ ଅନୁଭବ କଲି ଯେ ବିଶ୍ୱକପ୍ ପାଇଁ ମନୋନୀତ ହେବା ସହିତ ମୁଁ ନ୍ୟାୟ କରିନାହିଁ। ମୁଁ ଗୋଟିଏ ବି ୱିକେଟ୍ ନେଇ ନପାରିବାରୁ ଦୁଃଖିତ ଥିଲି। ଏହା ପରେ ମୋତେ ତିନି ବର୍ଷ ପାଇଁ ଟିମ୍ ଇଣ୍ଡିଆରେ ମନୋନୀତ କରାଯାଇ ନ ଥିଲା। ସେଥିପାଇଁ ମୁଁ ଭାବୁଛି ଡେବ୍ୟୁ ଅପେକ୍ଷା ପ୍ରତ୍ୟାବର୍ତ୍ତନର ପଥ ମୋ ପାଇଁ ଅଧିକ କଷ୍ଟକର ଥିଲା। ୨୦୨୧ ବିଶ୍ୱକପ୍ ପରେ ମୁଁ ଧମକପୂର୍ଣ୍ଣ ଫୋନ୍ ପାଇଲି। ଭାରତ ନ ଆସିବାକୁ ଫୋନରେ କୁହାଯାଇଥିଲା। ଲୋକମାନେ ମୋ ଘରକୁ ଆସୁଥିଲେ। ସେମାନେ ମୋତେ ପିଛା କରୁଥିଲେ। ମୋତେ ଲୁଚିବାକୁ ପଡିଲା। ଯେତେବେଳେ ମୁଁ ବିମାନବନ୍ଦରରୁ ଫେରୁଥିଲି, କିଛି ଲୋକ ବାଇକରେ ମୋ ପଛେ ପଛେ ଯାଉଥିଲେ। କିନ୍ତୁ ଯେତେବେଳେ ମୁଁ ସେହି ଜିନିଷଗୁଡ଼ିକୁ ଦେଖେ ଏବଂ ଏବେ ପାଉଥିବା ପ୍ରଶଂସାକୁ ଦେଖେ, ମୁଁ ଖୁସି ଅନୁଭବ କରେ। ତାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ କହିବାକୁ ଗଲେ, ବରୁଣ ଚକ୍ରବର୍ତ୍ତୀ କହିଛନ୍ତି, ‘୨୦୨୧ ପରେ, ମୁଁ ନିଜକୁ ବହୁତ ପରିବର୍ତ୍ତନ କରିଛି।’ ମୋତେ ମୋର ଦୈନନ୍ଦିନ କାର୍ଯ୍ୟଶୈଳୀ ବଦଳାଇବାକୁ ପଡିଲା। ଏହା ପୂର୍ବରୁ ମୁଁ ଗୋଟିଏ ସେସନ୍‌ରେ ୫୦ଟି ବଲ୍ ଅଭ୍ୟାସ କରୁଥିଲି। ଚୟନକର୍ତ୍ତାମାନେ ମୋତେ ଡାକିବେ କି ନାହିଁ ତାହା ନ ଜାଣି ମୁଁ ଏହାକୁ ଦ୍ୱିଗୁଣିତ କରିଦେଲି। ଏହା କଷ୍ଟକର ଥିଲା। ତୃତୀୟ ବର୍ଷ ପରେ, ମୁଁ ଅନୁଭବ କଲି ଯେ ସବୁକିଛି ସରିଗଲା। ଆମେ ଆପିଏଲ ଜିତିଲୁ ଏବଂ ତା’ପରେ ମୋତେ ପୁଣି ଡକାଗଯାଇଥିବା । ମୁଁ ବହୁତ ଖୁସି ହୋଇଗଲି।

ପ୍ରତୀକ୍ଷାର ହେବ ଅବସାନ, ସୁନୀତା ୱିଲିୟମ୍ସଙ୍କ ଫେରିବା ନେଇ କାଉଣ୍ଟଡାଉନ୍ ଆରମ୍ଭ

ନୂଆଦିଲ୍ଲୀ : ମହାକାଶରେ ଫସି ରହିଥିବା ମହାକାଶଚାରିଣୀ ସୁନୀତା ଓ୍ବିଲିୟମ୍ସ ଓ ବୁଚ ଓ୍ବିଲମୋରଙ୍କୁ ଆଣିବା ଲାଗି ଆଜିଠାରୁ ଆରମ୍ଭ  ହେବ ପ୍ରକ୍ରିୟା । ଆଜି ଆନ୍ତର୍ଜାତିକ ମହାକାଶ ଷ୍ଟେସନ ଅଭିମୁଖେ ବାହାରିବ ଏଲନ ମସ୍କଙ୍କ ସ୍ପେସ ଏକ୍ସ ଡ୍ରାଗନ । ଗତବର୍ଷ ଜୁନ ୫ରେ ଫ୍ଲୋରିଡାରୁ ବୋଇଂ ଷ୍ଟାରଲାଇନରକୁ ଉତକ୍ଷେପଣ କରାଯାଇଥିଲା । ମାତ୍ର ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁଇ ମହାକାଶଚାରୀଙ୍କୁ ଫେରାଇ ଅଣାଯାଇପାରୁନାହିଁ । ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ମିସନ ଆରମ୍ଭ ହେବ । ଡ୍ରାଗନ ସ୍ପେସକ୍ରାଫ୍ଟରେ ଯିବାକୁ ଥିବା ଚାରି ମହାକାଶଚାରୀ ହେଉଛନ୍ତି ଆନ୍ନେ ମାକଲେନ, ଆୟର୍ସ ନିକୋଲ ଆୟର୍ସ, ତାକୁୟା ଅନିସି ଓ କିରିଲ ପେସକୋଭ । ଫାଲକନ-୯ରୁ ଅଲଗା ହୋଇଯିବା ପରେ ଡ୍ରାଗନ ସ୍ପେସକ୍ରାଫ୍ଟ ସ୍ପେସ ଷ୍ଟେସନର ନିକଟବର୍ତ୍ତୀ ହେବ । ପରେ ସେଥିରେ ମହାକାଶଚାରୀ ଫେରିବେ । ତେବେ ଏହି ପ୍ରସଙ୍ଗକୁ ନେଇ ଆମେରିକା ରାଜନୀତି ଜୋର ଧରିଛି । ପୂର୍ବତନ ବାଇଡେ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଆସନ୍ତା ମାର୍ଚ୍ଚ ୧୯ କିମ୍ବା ୨୦ରେ ସୁନୀତା ଓ ଓ୍ବିଲମୋର ପୃଥିବୀ ଫେରିବା ସମ୍ଭାବନା ରହିଛି ।

୫୮ ବର୍ଷୀୟା ସୁନୀତା ଏବଂ ୬୧ ବର୍ଷୀୟ ବୁଚ୍ ୮ ଦିନ ପାଇଁ ମହାକାଶକୁ ଯାଇଥିଲେ। ୫ ଜୁନ୍ ୨୦୨୪ରେ ସେ ବୋଇଂର ଷ୍ଟାରଲାଇନର୍ ମହାକାଶଯାନରେ ଉଡ଼ିଥିଲେ। ସୁନିତା ଫେରୁଥିବା ସମୟରେ ଷ୍ଟାରଲାଇନର୍ ସ୍ପେସ୍କ୍ରାଫ୍ଟର ଥ୍ରଷ୍ଟରରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ସେବେଠାରୁ ସୁନୀତା ଏବଂ ବୁଚ୍ ମହାକାଶରେ ଫସି ରହିଛନ୍ତି। ପ୍ରାୟ ୯ ମାସ ହୋଇଗଲାଣି। ନାସା ଏବଂ ସ୍ପେସଏକ୍ସ ମିଳିତ ଭାବରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ ପାଇଁ ମିଶନକୁ କାର୍ଯ୍ୟକାରୀ କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୁନୀତା ଏବଂ ବୁଚଙ୍କୁ ଫେରାଇ ଆଣିବାର ଦାୟିତ୍ୱ ଏଲୋନ ମସ୍କଙ୍କୁ ହସ୍ତାନ୍ତର କରିଛନ୍ତି। ସୁନିତା ୯ ମାସରୁ ଅଧିକ ସମୟ ଧରି ମହାକାଶରେ ଅଛନ୍ତି। ଏହା ସହିତ, ସେ ସବୁଠାରୁ ଅଧିକ ସମୟ ପାଇଁ ନିରନ୍ତର ଭାବରେ ମହାକାଶରେ ରହିବାରେ ପ୍ରଥମ ମହିଳା ହୋଇଯାଇଛନ୍ତି। ତଥାପି, ଏହା ସୁନୀତାଙ୍କର ପ୍ରଥମ ରେକର୍ଡ ନୁହେଁ। ୨୦୦୬-୦୭ ମସିହାରେ ତାଙ୍କର ପ୍ରଥମ ମହାକାଶ ଯାତ୍ରା ସମୟରେ, ସେ ୨୯ ଘଣ୍ଟା ୧୭ ମିନିଟ୍ ପାଇଁ ସ୍ପେସୱାକ୍ କରିଥିଲେ। ଏହା ଜଣେ ମହିଳାଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ସବୁଠାରୁ ଲମ୍ବା ସ୍ପେସୱାକ୍ ଥିଲା। ପୂର୍ବରୁ ଏହି ରେକର୍ଡ ମହାକାଶଚାରୀ କ୍ୟାଥରିନ ଥାର୍ନଟନଙ୍କ ନାମରେ ଥିଲା। ସେ ୨୧ ଘଣ୍ଟାରୁ ଅଧିକ ସମୟ ଧରି ସ୍ପେସୱାକ୍ କରିବାର ରେକର୍ଡ ରଖିଥିଲେ।

ତାମିଲନାଡୁ ସମେତ ୧୮ଟି ରାଜ୍ୟକୁ ଆଇଏମଡି ଆଲର୍ଟ

ନୂଆଦିଲ୍ଲୀ : ଇରାକ ଓ ବାଂଲାଦେଶରେ ଦୁଇଟି ସାଇକ୍ଲୋନ। ଏନେଇ ୧୮ଟି ରାଜ୍ୟକୁ ଆଲର୍ଟ କରିଛି ପାଣିପାଗ ବିଭାଗ। ଜାମ୍ମୁ ଓ କାଶ୍ମୀର, ବିହାର, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ସମେତ ୧୮ଟି ରାଜ୍ୟରେ ବର୍ଷା ହେବ ବୋଲି ସୂଚନା ମିଳିଛି। ବିଶେଷ କରି ଦିଲ୍ଲୀ ଏନସିଆର ଓ ଉତ୍ତର ଭାରତୀୟ ରାଜ୍ଯରେ ଅଧିକ ବର୍ଷା ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛି ପାଣିପାଗ ବିଭାଗ। ଜାମ୍ମୁ ଓ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ବର୍ଷା ସହ ତୁଷାରପାତ ହେବ ବୋଲି ସତର୍କ କରାଯାଇଛି। ପଡୋଶୀ ଦେଶରେ ଝଡ଼ବାତ୍ୟା ଯୋଗୁ ଭାରତର ପୂର୍ବାଞ୍ଚଳ ଓ ଉତ୍ତରପୂର୍ବାଞ୍ଚଳ ରାଜ୍ଯଗୁଡିକ ପ୍ରଭାବିତ ହେବା ସମ୍ଭାବନା ରହିଛି। ଗତକାଲି ରାତିରେ ଦିଲ୍ଲୀରେ ବର୍ଷା ହୋଇଛି।

ଜଗନମୋହନ ରେଡ୍ଡୀଙ୍କ ପ୍ରାସାଦକୁ ନେଇ ସସପେନ୍ସ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ରାଜକୀୟ ପ୍ରାସାଦକୁ ନେଇ ଚର୍ଚ୍ଚା। ଭାଇଜାଗସ୍ଥିତ ଋଷିକୋଣ୍ଡା ହିଲରେ ନିର୍ମିତ ଏହି କୋଠାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ପ୍ରାସାଦ ନିର୍ମାଣରେ ବ୍ଯାପକ ପାଣ୍ଠିର ଅପବ୍ୟୟ ହୋଇଥିବା ଅଭିଯୋଗ କରିଛି ଟିଡିପି ନେତୃତ୍ବାଧୀନ ଏନଡିଏ ସରକାର। ଏହି ପ୍ରାସାଦକୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସିସମହଲ ସହ ବି ତୁଳନା କରାଯାଇଛି। ଟୁରିଷ୍ଟ ହବ୍ କୁହାଯାଉଥିବା ଋଷିକୋଣ୍ଡରେ ପ୍ରାୟ ୧୦ ଏକର ଜମିରେ ନିର୍ମିତ ହୋଇଛି ପ୍ରାସାଦ। ଏଥିରେ ସୁନାର ଛାଉଣୀ, ଇଟାଲୀ ମାର୍ବଲ, ବ୍ୟୟବହୁଳ ଇଣ୍ଟେରିଅର ଆଦି ରହିଛି। ଏହି ପ୍ରାସାଦ ଭିତରେ ୧୦୦ କେଭି ବିଦ୍ୟୁତ ସବଷ୍ଟେସନ ରହିଛି। ଏହି ପ୍ରାସାଦକୁ କଣ କରାଯିବ ସେ ନେଇ ବିତର୍କ କରାଯିବ ବୋଲି ଆହ୍ବାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। କୋଠାରେ ପ୍ରାୟ ୬୦୦ କୋଟି ଟଙ୍କା ନିବେଶ କରାଯାଇଥିବା ସୂଚନା ମିଳିଛି। ତେଣେ ପରିବେଶ ସନ୍ତୁଳନ ଲାଗି ଏହି ପ୍ରାସାଦକୁ ଭଙ୍ଗାଯିବା ଉଚିତ ବୋଲି ପ୍ରସ୍ତାବ ଆସିଛି। ଏହି କୋଠା ବି ଉପକୂଳ ନିୟାମକ ଜୋନ ବା ସିଆରଜେ଼ଡ ଉଲ୍ଲଂଘନ କରୁଥିବା କୁହାଯଇଛି।

ଆଜି ରଙ୍ଗର ପର୍ବ ହୋଲି, ଗାଁଠୁ ସହର ସବୁଠି ଉତ୍ସବମୁଖର

ଭୁବନେଶ୍ବର : ବର୍ଷକରେ ଦିନଟିଏ। ସବୁକିଛି ଭୁଲି ରଙ୍ଗର ମାହୋଲରେ ଭିଜିଯିବାର  ପରମ୍ପରାରେ ମସଗୁଲ ହେବେ ସମସ୍ତେ। ରଙ୍ଗର ପର୍ବ ହୋଲି ଲାଗି ସବୁଠି ଉତ୍ସାହ। ପୁରପଲ୍ଲୀରୁ ସହର। ସବୁଠି ରଙ୍ଗ ଉତ୍ସବରେ ମସଗୁଲ  ଜନତା। ପିଲାଠାରୁ ବୟସ୍କ ସମସ୍ତେ ଉତ୍ସାହ ଓ ଉଦ୍ଦୀପନାରେ ପାଳନ କରୁଛନ୍ତି ହୋଲି। ହୋଲି ଲାଗି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ପରିବାର, ପ୍ରିୟଜନ, ବନ୍ଧୁଙ୍କୁ ହୋଲି ଲଗାଇ ଆରମ୍ଭ ହୋଇଛି ସେଲିବ୍ରେସନ୍ । ବିଭିନ୍ନ ସ୍ଥାନରେ ଭୋଜି ଭାତର ଆୟୋଜନ ହେଉଥିବା ବେଳେ ନାଚ ଗୀତର ଆସର ବି ଜମିବାକୁ ଲାଗିଲାଣି। ପରସ୍ପରକୁ ରଙ୍ଗ ଲଗାଇବା ସହ ପିଚକାରୀ ମାରି ରଙ୍ଗର ପର୍ବକୁ ଭରପୂର ପାଳନ କରୁଛନ୍ତି ଦେଶବାସୀ। ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ- ସବୁଠି ହୋଲିର ବଡ଼ ସେଲିବ୍ରେସନ। କେବଳ ରଙ୍ଗର ପର୍ବ ନୁହେଁ ବରଂ ପରସ୍ପର ମଧ୍ୟରେ ସଂପ୍ରୀତି, ସଦଭାବ, ସୌହାର୍ଦ୍ଦ୍ୟ ରକ୍ଷା ଲାଗି ହୋଲି କରାଯାଉଛି ପାଳନ।  ହୋଲି ଲାଗି ସବୁଠି ସୁରକ୍ଷା ବ୍ୟବସ୍ଥା କରାଯାଇଛି।

କାନାଡାର ଚବିଶତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମାର୍କ କାର୍ଣ୍ଣି

ନନ୍ଦଘୋଷ ବ୍ୟୁରୋ: କାନାଡାର ଚବିଶତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମାର୍କ କାର୍ଣ୍ଣି । ତାଙ୍କ ସହ କ୍ୟାବିନେଟ ମନ୍ତ୍ରୀମାନେ ବି ଶପଥ ନେଇଛନ୍ତି । ଲିବରାଲ ପାର୍ଟିରେ ହୋଇଥିବା ଲିଡରସିପ୍ ରେସରେ ବିଜୟୀ ହୋଇଥିଲେ କାର୍ଣ୍ଣି । ଜଷ୍ଟିନ ଟ୍ରୁଡୁଙ୍କ ସ୍ଥାନ ନେଇଛନ୍ତି କାର୍ଣ୍ଣି ।

ପ୍ରଧାନମନ୍ତ୍ରୀ ପଦ ଲାଗି ହୋଇଥିବା ରେସରେ ୫୯ ବର୍ଷ ବୟସ୍କ କାର୍ଣ୍ଣିଙ୍କୁ ମିଳିଥିଲା ୮୬ ପ୍ରତିଶତ ଭୋଟ । ପ୍ରତିଦ୍ବନ୍ଦ୍ବୀ ତଥା ପୂର୍ବତନ ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ ହୋଇଥିଲେ ପରାସ୍ତ । ଏହି ଭୋଟରେ ଦଳର ୧ ଲକ୍ଷ ୫୨ ହଜାର ସଦସ୍ୟ ଅଂଶଗ୍ରହଣ କରିଥିଲେ । ଗତ ଜାନୁଆରୀ ପ୍ରଧାନମନ୍ତ୍ରୀ ପଦରୁ ଓହରିଯିବା ଲାଗି ଘୋଷଣା କରିଥିଲେ ଟ୍ରୁଡୁ । ଆମେରିକା ସହ ଟାରିଫ ବିବାଦରେ ବର୍ତ୍ତମାନ କାନାଡାକୁ କିପରି କାର୍ଣ୍ଣି ନେତୃତ୍ବ ଦେବେ ତାହାକୁ ନେଇ ସମସ୍ତଙ୍କ ନଜର ରହିଛି । ବଡ଼ କଥା ହେଉଛି କାର୍ଣ୍ଣିଙ୍କ ସେପରି କୌଣସି ରାଜନୈତିକ ଇତିହାସ ନାହିଁ । ୨୦୦୮-୦୯ରେ ସେ ସେଣ୍ଟ୍ରାଲ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟରତ ଥିଲେ । ଗୋଲ୍ଡମାନ ସାକ୍ସରେ ସେ ୧୩ ବର୍ଷ କାର୍ଯ୍ୟ କରିଥିଲେ । ୨୦୧୩ରେ ପ୍ରଥମ ଅଣବ୍ରିଟିଶ ଭାବେ ସେ ବ୍ୟାଙ୍କ ଅଫ ଇଂଲଣ୍ଡର ଗଭର୍ଣ୍ଣର ଦାୟିତ୍ବ ନେଇଥିଲେ ।

ଟ୍ରମ୍ପ-ପୁଟିନ ଆଲୋଚନା: ଶେଷ ହେବ କି ୟୁକ୍ରେନ ଯୁଦ୍ଧ ?

ନନ୍ଦିଘୋଷ ବ୍ୟୁରୋ: ଖୁବ୍ ଶୀଘ୍ର ଅନ୍ତ ହୋଇପାରେ ଋଷ-ୟୁକ୍ରେନ ଯୁଦ୍ଧ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଯୁଦ୍ଧର ଅନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ।

ଟ୍ରମ୍ପ କହିଛନ୍ତି, ପୁଟିନଙ୍କ ସହ ସକାରାତ୍ମକ ଆଲୋଚନା ହୋଇଛି । ନିରୀହ ୟୁକ୍ରେନ ବାହିନୀର ସୈନ୍ୟମାନଙ୍କ ଜୀବନ ରକ୍ଷା କରିବା ଲାଗି ସେ ଆହ୍ବାନ ଦେଇଛନ୍ତି । ଯୁଦ୍ଧରେ ବର୍ତ୍ତମାନ ୟୁକ୍ରେନ ବାହିନୀ ସମ୍ପୂର୍ଣ୍ଣ ତଳିତଳାନ୍ତ ହୋଇଗଲାଣି ବୋଲି ସେ କହିବା ସହ ଯୁଦ୍ଧର ତୁରନ୍ତ ଅନ୍ତ ଘଟିବା ନେଇ ସେ ଆଶାବାଦୀ ରହିଥିବା କହିଛନ୍ତି । ୟୁକ୍ରେନ ବାହିନୀ ଅତି ଦୁର୍ବଳ ଅବସ୍ଥାରେ ରହିଛନ୍ତି । ଯଦି ସେମାନଙ୍କ ଉପରେ ଋଷ ଆକ୍ରମଣ କରେ ତେବେ ସ୍ଥିତି ଅତି ସଙ୍ଗୀନ ହେବ । ଋଷ ଓ ୟୁକ୍ରେନ ମଧ୍ୟରେ ୩୦ ଦିନିଆ ଅସ୍ତ୍ରବିରତି ଆମେରିକା ପ୍ରସ୍ତାବ ଦେବାର କିଛି ଦିନ ମଧ୍ଯରେ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ଏହି ଆଲୋଚନା ହୋଇଛି । ସେପଟେ ଅସ୍ତ୍ରବିରତି ପ୍ରସ୍ତାବ ନେଇ ଟ୍ରମ୍ପଙ୍କୁ ନିକଟକୁ ଏକ ବାର୍ତ୍ତା ପଠାଇଛନ୍ତି ପୁଟିନ।

ଯମ ସାଜିଛି ମୋ ବସ୍: ୮ ମାସରେ ନେଲାଣି ୬ ମୁଣ୍ଡ, ନୂଆ ସରକାର ଆସିବା ପରଠୁ ଲଗାମଛଡ଼ା କ୍ରୁଟ ଓ ଡ୍ରାଇଭର

ଭୁବନେଶ୍ବର: ରାସ୍ତାରେ ମୋ ବସକୁ ଦେଖି ଡରିଲେଣି ଲୋକ । ନୂଆ ସରକାର ଆସିବା ପରେ ଅଧିକ ବେପରୁଆ ହୋଇଯାଇଛନ୍ତି ଡ୍ରାଇଭର । ୬ ମୁଣ୍ଡ ଗଡ଼ିବା ପରେ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ବିଳମ୍ବରେ ହେଲେ ବି ଡ୍ରାଇଭରଙ୍କୁ ଟ୍ରେନିଂ ଦେବାକୁ ନଗର ଉନ୍ନୟନ ବିଭାଗ ଚିନ୍ତା କରିବା ସହ ମୋ ବସ ଆଗରେ ଓ ପଛରେ ସିସିଟିଭି କ୍ୟାମେରା ଲଗାଇବାକୁ ଚିନ୍ତା କରାଯାଇଛି ।  ଏସବୁ ବ୍ୟବସ୍ଥା ଭିତରେ ମୋ ବସ ଦାୟିତ୍ବରେ ଥିବା କ୍ରୁଟକୁ ଅଭିଜ୍ଞ ସମ୍ପନ୍ନ ହୋଇ କାମ କରିବାକୁ ସଡ଼କ ସୁରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି । ନହେଲେ ଆହୁରି ବିପଦ ଆଣି ପାରେ ମୋ ବସ ।

ଜୁନ୍ ୨୦୨୪ ଠାରୁ ଏଯାବତ୍ କଟକ, ପୁରୀ ଓ ଭୁବନେଶ୍ବରରେ ପରିଚାଳିତ ମୋ ବସ୍ ସେବା ଦ୍ବାରା ୧୯ଟି ଦୁର୍ଘଟଣା ଘଟିଛି । ଯେଉଁଥରେ ୧୮ ଜଣ ଆହତ ଓ ୬ ଜଣଙ୍କର ଜୀବନ ଯାଇଛି  । କେବଳ ଦୁଇଟି ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷ ୫ ହଜାର କ୍ଷତିପୂରଣ ଦିଆଯାଇଛି । କେତେବେଳେ ମଦ୍ୟପାନ କରି ଡ୍ରାଇଭିଂ ତ ଆଉ କେତେବେଳେ ଅନଭିଜ୍ଞ ଡ୍ରାଇଭରଙ୍କ ଦ୍ବାରା ଗାଡ଼ି ଚାଳନା ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି ।

ଏତେ ସବୁ ଅଘଟଣ ପରେ ଏବେ ସରକାରଙ୍କ ଚେତା ପଶିଛି । ଦିନକୁ ତିନି ଥର ଡ୍ରାଇଭରଙ୍କ ମଦ ପିଆ ପରୀକ୍ଷା କରାଯାଉଛି । ଏହାଦ୍ବାରା ଡ୍ରାଇଭର ମଦ ପିଇ ଗାଡ଼ି ଚଳାଉଥିବା ସ୍ବୀକାର କରି ୭ ଜଣଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଥିବା ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ୭ ଜଣଙ୍କ ଲାଇସେନ୍ସ ବାତିଲ କରିବାକୁ ବି ଆରଟିଓକୁ ଚିଠି ଲେଖାଯାଇଛି । ତେବେ ମୋ ବସ ଆଗ ଓ ପଛରେ ସିସିଟିଭି ଲଗାଇବାକୁ ବି ଯୋଜନା କରାଯାଉଛି । ସ୍ବୟଂକ୍ରିୟ ଚାଳକ ସହାୟକ ବ୍ୟବସ୍ଥା-ଆଡାସ ସହ ଡ୍ରାଇଭରମାନଙ୍କୁ ଟ୍ରେନିଂ ଦେଇ ଦକ୍ଷ କରିବାକୁ ଚିନ୍ତା ବି କରୁଛନ୍ତି ସରକାର । ଡିଜେଲ ମୋ ବସର ସ୍ପିଡ ଲିମିଟ ଘଣ୍ଟା ପ୍ରତି ୪୦ କିଲୋମିଟର ଓ ବୈଦ୍ଯୁତିକ ବସର ୩୫ କିଲୋମିଟର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  ତା’ସତ୍ତ୍ବେ ଗାଡ଼ିକୁ ଡ୍ରାଇଭରମାନେ ନିୟନ୍ତ୍ରଣକୁ ଆଣି ନପାରିବା ସେମାନଙ୍କ ପାରିବା ପଣିଆ ସହ କ୍ରୁଟର ଡ୍ରାଇଭର ଚୟନକୁ କାଠଗଡ଼ାରେ ଠିଆ କରିଛି ।

ସିସିଟିଭି ଲଗାଇଲେ କିଛି ହେବନି । କାରଣ ଦକ୍ଷ ଡ୍ରାଇଭରର ଆବଶ୍ୟକତା ରହିଛି । ଯଦି ଏବେ ଡ୍ରାଇଭରମାନଙ୍କ ଟ୍ରେନିଂ କଥା ଚିନ୍ତା କରାଯାଉଛି, ତେବେ ଅଣପ୍ରଶିକ୍ଷିତ ଡ୍ରାଇଭରମାନଙ୍କୁ କ୍ରୁଟ କିପରି ଚୟନ କଲା ବୋଲି ସଡ଼କ ସୁରକ୍ଷା ବିଶେଷଜ୍ଞ ପ୍ରଶ୍ନ କରିଛନ୍ତି । କ୍ରୁଟ ବି ଅସ୍ଥାୟୀ ଡ୍ରାଇଭରଙ୍କ ଦ୍ବାରା ମୋ ବସ ଚଳାଉଛି । ସ୍ଥାୟୀ ଓ ଅଭିଜ୍ଞ ସମ୍ପନ୍ନ ଡ୍ରାଇଭର ନ ଆସିବା ଯାଏଁ, ମୋ ବସର କିଲର ଇମେଜରେ ସୁଧାର ଆସିବ ନାହିଁ ବୋଲି ମତ ପ୍ରକାଶ ପାଇଛି ।

ସାରା ଓଡ଼ିଶାର ରାସ୍ତା ଏବେ କିଲର ରୋଡ ପାଲଟିଲାଣି । କେବଳ ସଡ଼କ ସୁରକ୍ଷା ମାସରେ ହିଁ ସଡ଼କ ଦୁର୍ଘଟଣା ନେଇଛି ୫୦୫ ମୁଣ୍ଡ । ଏହି ଗୋଟେ ମାସରେ ହିଁ ୮୪୮ ଦୁର୍ଘଟଣା ଘଟିଛି । ଏଥିରେ ୪୭୨ ଜଣ ଆହତ ହୋଇଥିବା ବିଧାନସଭାରେ ରିପୋର୍ଟ ହୋଇଛି ।

ବିଜେପି ସରକାର ଆସିବା ପରେ ଘୁଞ୍ଚିବାରେ ଲାଗିଛି ମେଟ୍ରୋ ରେଳ ସ୍ବପ୍ନ, ଡିପିଆର୍ ପରିବର୍ତ୍ତନ କରିବା ବାହାନାରେ କାମ ଠପ୍

ଭୁବନେଶ୍ବର: ଘୁଞ୍ଚିବାରେ ଲାଗିଛି ମେଟ୍ରୋ ଟ୍ରେନ ସ୍ବପ୍ନ । ପ୍ରକଳ୍ପ ପାଇଁ ଅର୍ଥର ବ୍ୟବସ୍ଥା କରିଥିଲେ ନବୀନ ସରକାର । କାମ ବି ଆଗେଇଥିଲା । ହେଲେ ବିଜେପି ସରକାର ମେଟ୍ରା ପ୍ରକଳ୍ପକୁ ବନ୍ଦ କରିବାକୁ ଯୋଜନା କରିଛି । ମେଟ୍ରୋ ପ୍ରକଳ୍ପର ତର୍ଜମା ଲାଗି ସରକାର ଗଠନ କରିଛନ୍ତି ଉଚ୍ଚସ୍ତରୀୟ କମିଟି । ବିଜେପି ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛି ବିଜେଡ଼ି । ଜାଣିଶୁଣି ସରକାର ଛଳନା କରୁଛନ୍ତି ବୋଲି କହିଛି ବିଜେଡି ।

ଏପ୍ରିଲ ୨୦୨୩ରେ ନବୀନ ସରକାର ମେଟ୍ରା ରେଳ ପ୍ରକଳ୍ପକୁ କରିଥିଲେ ଅନୁମୋଦନ । ୨୦୨୪ ଜାନୁଆରୀ ପହିଲାରେ ବାରଙ୍ଗରେ ପଡ଼ିଥିଲା ଭିତ୍ତିପ୍ରସ୍ତର । ପ୍ରକଳ୍ପ ପାଇଁ ୬ ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଥିଲେ ଓଡ଼ିଶା ସରକାର । ରାଜ୍ୟବାସୀଙ୍କ ମେଟ୍ରୋ ରେଳ ପ୍ରକଳ୍ପ ସ୍ବପ୍ନ ବାସ୍ତବ ହେଉଛି ବୋଲି ଅନୁଭୂତ ହେଲା । ହେଲେ ବିଜେପି ସରକାର ଆସିବା ପରେ ବଦଳିଗଲା ଚିତ୍ର । ରଙ୍ଗ ବଦଳାଇବାରେ ମାହିର ବିଜେପି ସରକାର ମେଟ୍ରୋ ରେଳ ପ୍ରକଳ୍ପକୁ ମାଡ଼ି ମକଚି ଦେବାକୁ ଉଦ୍ୟମ କରିଛି । ମେଟ୍ରୋ ପ୍ରକଳ୍ପ ଆର୍ଥିକ ଦୃଷ୍ଟିରୁ କିପରି ସଶକ୍ତ ହେବ, ତା’ର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ବିଭିନ୍ନ ରାଜ୍ୟକୁ ଯାଇ କମିଟି ସ୍ଥିତି ଅନୁଧ୍ୟାନ କରିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରଠାରୁ କଟକର ତ୍ରିଶୂଳିଆ ଯାଏଁ ସ୍ଥିରୀକୃତ ହୋଇଥିବା ରୁଟ୍ ପରିବର୍ତ୍ତନ ନେଇ ଆଲୋଚନା ହେଉଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

ମେଟ୍ରୋ ପ୍ରକଳ୍ପକୁ ନେଇ ବିଜେପି ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି ବିଜୁ ଜନତା ଦଳ । ଆର୍ଥିକ ଓ ଭିତ୍ତିଭୂମି ଦୃଷ୍ଟିରୁ ଓଡ଼ିଶାକୁ ଦେଶରେ ଅଗ୍ରଣୀ କରାଇଥିଲେ ନବୀନ ପଟ୍ଟନାୟକ । ଭୁବନେଶ୍ବର ସହର କ୍ରୀଡ଼ାରୁ ଶିକ୍ଷା, ଆଇଟିରୁ ସ୍କିଲ ଡେଭେଲପେମଣ୍ଟର ହବ୍ ହୋଇଥିବାରୁ ଟ୍ବିନ ସିଟି ମଧ୍ୟରେ ମେଟ୍ରୋ ଚଳାଇବାକୁ ନିଷ୍ପତ୍ତି ନେଇଥିଲେ । କେନ୍ଦ୍ରର ବିନା ସହଯୋଗରେ ରାଜ୍ୟ ସରକାରଙ୍କ ପାଣ୍ଠିରୁ ପ୍ରକଳ୍ପ ପାଇଁ ଅର୍ଥ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୂଳିଆ ଯାଏଁ ୨୬ କିଲୋମିଟର ଦୂରତା ମଧ୍ୟରେ ୨୦ଟି ଷ୍ଟେସନ ଦେଇ ମେଟ୍ରୋ ଟ୍ରେନ ଚଲାଇବାକୁ ଧାର୍ଯ୍ୟ ହୋଇଥିଲା । ତ୍ରିଶୁଳିଆରେ ମେଟ୍ରୋ ଟ୍ରେନର କେନ୍ଦ୍ରୀୟ ଡିପୋ କାମ ବି ଚାଲିଛି । ଏତେ ସବୁ ଆଗେଇବା ପରେ ବିଜେପି ସରକାର ପ୍ରକଳ୍ପର ତର୍ଜମା ପାଇଁ ଉଚ୍ଚସ୍ତରୀୟ କମିଟି ଗଢି ମେଟ୍ରୋ ଟ୍ରେନ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଛି । ମେଟ୍ରୋ ପାଇଁ ନବୀନଙ୍କୁ ଶ୍ରେୟ ଯିବା ନିଶ୍ଚିତ ଥିବାରୁ ଡରିଯାଇଛି ବିଜେପି । ଏଥିପାଇଁ  ରାଜ୍ୟବାସୀ ବିଜେପିକୁ କେବେ ବି କ୍ଷମା ଦେବେ ନାହିଁ ବୋଲି କହିଛି ବିଜେଡି ।

ମେଟ୍ରା ପ୍ରକଳ୍ପର ଭବିଷ୍ୟତ ଅନିଶ୍ଚିତତା ଘେରରେ । ୨୦୨୪ ମାର୍ଚ୍ଚରେ ଭୁବନେଶ୍ବର-କଟକ ମେଟ୍ରୋ କାମ ନେଇଥିବା ଦିଲ୍ଲୀ ମେଟ୍ରା ନିଗମ ୬୩୦ କୋଟିର ପ୍ରଥମ ପର୍ଯ୍ୟାୟ ଟେଣ୍ଡର ଡାକିଥିଲା । ଟେଣ୍ଡର ସରିବା ପରେ କାମ ମଧ୍ୟ ଆରମ୍ଭ ହୋଇଥିଲା । ହେଲେ ଜୟଦେବ ବିହାର-ନନ୍ଦନକାନନ ରାସ୍ତା ପାଇଁ ପୂର୍ତ୍ତ ବିଭାଗର ଯୋଜନା ଯୋଗୁଁ ମେଟ୍ରୋ ପ୍ରକଳ୍ପରେ ଡିପିଆର୍ ପରିବର୍ତ୍ତନ କରିବା ବାହାନାରେ ଏବେ ମେଟ୍ରୋ କାମ ବନ୍ଦ ରହିଛି ।

ଧରାପଡିଲା ଡବଲ ଇଞ୍ଜିନ ସରକାରଙ୍କ ଜଙ୍ଗଲ ସମ୍ପଦ ପ୍ରୀତି, ନିଆଁ ଆୟତ୍ତ ଲାଗି ବଜେଟରେ କାଟି ଦେଲେ ୫୦ ପ୍ରତିଶତ ଅର୍ଥ

ଭୁବନେଶ୍ବର: ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ ନିଆଁ । ଜଙ୍ଗଲ ନିଆଁ ପ୍ରତିରୋଧ ଓ ପରିଚାଳନ ବାବଦ ବ୍ୟୟବରାଦ ଅର୍ଥ ପୂର୍ବ ବର୍ଷ ତୁଳନାରେ ୫୦ ପ୍ରତିଶତ କାଟି ଦେଇଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ଜଙ୍ଗଲ ଅଧିକାରୀ ଓ ପରିବେଶବିତ । ଜଙ୍ଗଲ ନିଆଁ ଲାଗି ଜଙ୍ଗଲ ସମ୍ପଦ ନଷ୍ଟ ହେବାରେ ଓଡ଼ିଶା ଦେଶରେ ଦ୍ବିତୀୟ । ଏହାକୁ ଆୟତ୍ତ ପାଇଁ ବଜେଟ୍ ଅର୍ଥ ବଢିବା ପରିବର୍ତ୍ତେ କମୁଛି କିପରି ବୋଲି ପ୍ରଶ୍ନ ଉଠିଛି ? ଯେତିକି ଅର୍ଥ ଦିଆଯାଇଛି ବର୍ଷେ ତ ଯିବନି ମାତ୍ର କେଇମାସରେ ସରିଯିବ । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଅଭିଯୋଗ ଉଠିଛି । ଅନ୍ୟପକ୍ଷରେ ଓଡ଼ିଶାରେ ନବୀନଙ୍କ ଶାସନ ସମୟରେ ଏହି କ୍ଷେତ୍ରରେ ଅଧିକ ଅର୍ଥ ଦିଆଯାଉଥିଲା । ଆଉ ଏବେର ବିଜେପି ସରକାର ଆସୁ ଆସୁ ଅର୍ଥ କାଟିବା ଆରମ୍ଭ କରି ଦେଇଛନ୍ତି ।

ବଢୁଛି ତାପମାତ୍ରା, ଜଳୁଛି ଜଙ୍ଗଲ । ବିରୋଧୀରେ ଥିଲା ବେଳେ ଭାରି ଉଦବେଗ । କ୍ଷମତାକୁ ଆସିବାରୁ ପୂରା ନିହଲ । ଏ ହେଉଛି ଡବଲ ଇଞ୍ଜିନ ସରକାରଙ୍କ ଜଙ୍ଗଲ ପ୍ରୀତି । ଜଙ୍ଗଲ ନିଆଁ ପ୍ରତିରୋଧ ଓ ପରିଚାଳନା ବ୍ୟୟ ବରାଦ ଅର୍ଥ ପୂର୍ବ ଦୁଇ ବର୍ଷ ତୁଳନାରେ କାଟିଛନ୍ତି ୫୦ ପ୍ରତିଶତ । ଜଙ୍ଗଲ ସମ୍ପଦକୁ ସୁରକ୍ଷା ଦେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାବି କେବଳ ଫମ୍ପା । ରାଜ୍ୟ ସରକାରଙ୍କ ୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ରୁ ଏହି କଥା ଜଳଜଳ ଦିଶୁଛି  । ଏବେ ବି ରାଜ୍ୟର ବିଭିନ୍ନ ବଡ଼ ଜଙ୍ଗଲର ୭୬ଟି ସ୍ଥାନରେ ହୁତୁ ହୁତୁ ହୋଇ ଜଳୁଛି ନିଆଁ । ଜଙ୍ଗଲ ନିଆଁ ପ୍ରତିରୋଧ ଓ ପରିଚାଳନା ହେଉଛି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା । ଏ ବାବଦରେ କେନ୍ଦ୍ର ସରକାର ଯେତିକି ଅର୍ଥ ଦିଅନ୍ତି ତାର ଆନୁପାତିକ ଅଂଶ ରାଜ୍ୟ ସରକାର ବହନ କରନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷା ଗାଏବ ହେଉଥିବାରୁ ଗତ ଦୁଇବର୍ଷ ହେଲାଣି ରାଜ୍ୟରେ ଜଙ୍ଗଲ ନିଆଁ କାୟା ମେଲାଇ ଚାଲିଛି । ସ୍ଥଳଚର ପ୍ରାଣୀଙ୍କ ଜୀବନ ହାନୀ ଓ ଅଧିକ କାର୍ବନ ନିର୍ଗମନ ଯୋଗୁଁ ପରିବେଶ ଦୂଷିତ ହେଉଛି । ଏହାକୁ ଆୟତ୍ତ କରିବାକୁ ଅଧିକ ବଜେଟ୍ ଅର୍ଥ ଦେବା ପରିବର୍ତ୍ତେ କେନ୍ଦ୍ର ସରକାର କମାଇଛନ୍ତି । ୨୦୨୩-୨୪ରେ ଉଭୟ ମୂଳ ଓ ଅତିରିକ୍ତ ରାଜ୍ୟ ଜଙ୍ଗଲ ବିଭାଗ ବଜେଟର ବ୍ୟୟ ବରାଦ ଥିଲା ୪୦ କୋଟି । ସମାନ ପରିମାଣ ଅର୍ଥ ୨୦୨୪-୨୫ ଆର୍ଥିକ ବର୍ଷରେ ଦିଆଯାଇଥିଲା । କିନ୍ତୁ ଗତ ଫେବ୍ରୁଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଦେଇଥିବା ୨୦୨୫-୨୬ ବର୍ଷ ବଜେଟରେ ଏହି ଅର୍ଥ ରାଶି ମାତ୍ର ୨୦ କୋଟି ରଖାଯାଇଛି ।  ଯାହାକୁ ନେଇ ପୂର୍ବତନ ଜଙ୍ଗଲ ଅଧିକାରୀ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ରାଜ୍ୟରେ ୩୩ ପ୍ରତିଶତରୁ ଅଧିକ ଅଞ୍ଚଳ ଜଙ୍ଗଲ ଆଚ୍ଛାଦିତ । ଏହାକୁ ସୁରକ୍ଷା ଦେବା ସମସ୍ତଙ୍କର ଦାୟିତ୍ବ । ଯଦି ଏତେକମ୍ ବଜେଟ୍ ଦିଆଯିବ ତା’ହେଲେ ଜଙ୍ଗଲ ପାଖ ଗାଁଲୋକଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ଯଥେଷ୍ଟ ହେବନି । ଫଳରେ ଉଭୟ ପରିବେଶ ଓ ଜଙ୍ଗଲ ସମ୍ପଦ ନଷ୍ଟ ହୋଇଚାଲିବ ବୋଲି ଉଦବେଗ ପ୍ରକାଶ କରି କହିଛନ୍ତି ପରିବେଶ ବିଜ୍ଞାନୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଙ୍ଗଲ ନିଆଁ ଆୟତ୍ତ କରିବା ପାଇଁ ବଜେଟ୍ ଅଧିକ ଅର୍ଥ ଦେବା ଆବଶ୍ୟକ । ୨୦୨୧ ମସିହାରେ ଓଡ଼ିଶାରେ ଜଙ୍ଗଲ ନିଆଁ ଏତେ ପରିମାଣରେ ବ୍ୟାପିଥିଲା ଯେ, ସେଥିରେ ୫୧ଟି ସ୍ଥାନ ଜଳୁଥିବା ଚିହ୍ନଟ ହୋଇଥିଲା । ତତ୍କାଳୀନ ସରକାର ଜଙ୍ଗଲ ପାଖରେ ଥିବା ଗାଁ ଲୋକଙ୍କୁ ନିଆଁ ଆୟତ୍ତ କରିବାରେ ସହାୟତା କରିବାକୁ ପ୍ରୋତ୍ସାହନ ରାଶି ଦେବାର ବ୍ୟବସ୍ଥା କରିଥିଲେ । ଏବେ ଯେତିକି ପରିମାଣର ବଜେଟ୍ ଦିଆଯାଇଛି ତାହା ସମୁଦ୍ରକୁ ଶଙ୍ଖେ ଭଳି ।

ଜଙ୍ଗଲ ସମ୍ପଦର ସୁରକ୍ଷା କଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବଡ଼ ପାଟିରେ ଚିତ୍କାର କରୁଛନ୍ତି । ପ୍ରଚାର ପ୍ରସାର ପାଇଁ ବିଭିନ୍ନ ବନ୍ୟଜନ୍ତୁ ଓ ଜଙ୍ଗଲ ସପ୍ତାହ ପାଳନ କରିବାରେ ବ୍ୟସ୍ତ । ବଜେଟ୍ ଅର୍ଥ ହ୍ରାସ କରି ଡବଲ ଇଞ୍ଜିନ ସରକାର ପ୍ରମାଣ କରିଛନ୍ତି ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯେପରି ଆଗାମୀ ଦିନରେ ଆସିବନି । ଏହା ସରକାରଙ୍କ ସାହାସ କି ଦୁଃସାହସ ତାକୁ ନେଇ ବୁଦ୍ଧିଜୀବୀ ଆଚମ୍ବିତ ।