ଭୁବନେଶ୍ବର: ନବୀନଙ୍କ ହାତ ତିଆରି ଅନୁଷ୍ଠାନ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସିବିଏସଇ ମାଟ୍ରିକ ଓ ଦ୍ବାଦଶ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଛି । ଦଶମ ଶ୍ରେଣୀରେ ପାସ ହାର ୯୧.୮ପ୍ରତିଶତକୁ ବୃଦ୍ଧି ପାଇଛି । ୧୦୬୨ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଦ୍ବାଦଶ ଶ୍ରେଣୀରେ ବିଜ୍ଞାନରେ ୭୨.୦୫ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ବାଣିଜ୍ୟରେ ପାସ ହାର ୭୭.୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ଏହାକୁ ନେଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟପଟେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନାର ଭୂୟସୀ ପ୍ରଶଂସା କରିଛନ୍ତି ବିଜେଡି ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଏହା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ ଯୋଜନା ବୋଲି ସେ କହିବା ସହ ପ୍ରତି ବ୍ଲକରେ ଏହା କରାଯାଉଛି । ଓଏଭିରେ ଭଲ ପାଠ ପଢ଼ାଯାଉଛି । ଗାଁ ଗହଳିରେ ଯେଉଁ ପିଲା ଓ ଅଭିଭାବକ ଭଲ ପଢ଼ାର ସୁଯୋଗ ପାଇଛନ୍ତି ସେମାନେ ଭଲ ଫଳାଫଳ କରିଛନ୍ତି । ଯାହା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶା ଥିଲା, ତାହା ଆଜି ପୂରଣ ହୋଇଛି ବୋଲି ପ୍ରମିଳା କହିଛନ୍ତି ।
ଲୋକ ପ୍ରତିନିଧି ମାନେ ଶିକ୍ଷକ ବଦଳି ପାଇଁ କରି ପାରିବେ ସୁପାରିସ, ସମାଲୋଚନା କଲା ବିଜେଡି, କଂଗ୍ରେସ, ଓଷ୍ଟା
ଭୁବନେଶ୍ବର: ଯୋଗ୍ୟତା ଭିତ୍ତିରେ ଲୋକ ପ୍ରତିନିଧି ମାନେ ଏଣିକି ଶିକ୍ଷକ ବଦଳି ପାଇଁ ସୁପାରିସ କରି ପାରିବେ। ପ୍ରତି ସାଂସଦ ଓ ବିଧାୟକ ଗୋଟିଏ ଶିକ୍ଷା ବର୍ଷରେ ନିଜ ନିର୍ବାଚନ ମଣ୍ଡଳୀର ସର୍ବୋଚ୍ଚ ୧୫ ଜଣଙ୍କ ଜିଲ୍ଲା ଭିତରେ ବଦଳି ପାଇଁ ସୁପାରିସ କରିପାରିବେ । ଅନେକ ଶିକ୍ଷକ ବଦଳି ପାଇଁ ଲୋକ ପ୍ରତିନିଧିମାନଙ୍କ ପାଖକୁ ଯାଇଥାନ୍ତି । ସେମାନଙ୍କ ଅସୁବିଧାକୁ ବିଚାରକୁ ନେଇ ବଦଳି ପାଇଁ ସୁପାରିଶ କରି ପାରିବେ। ଏଥିରେ କୌଣସି ଦୁର୍ନୀତି ହେବ ନାହିଁ। ୬ବର୍ଷରୁ ଉର୍ଦ୍ଧ ସମୟ ଧରି ଥିବା ଶିକ୍ଷକମାନଙ୍କ ବଦଳି ପାଇଁ ସୁପାରିଶ କରାଯାଇପାରିବ। ୧୫ ମେ ରୁ ୧୫ ଜୁନ୍ ଭିତରେ ଲୋକସଭା ସାଂସଦ ଓ ବିଧାୟକ ଜିଲ୍ଲାପାଳଙ୍କୁ ତାଲିକା ଦେବେ । ମାତ୍ର ରାଜ୍ୟ ସଭା ସାଂସଦ ମାନେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତାଲିକା ଦେବେ ବୋଲି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।
ଅନ୍ୟପଟେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବଦଳି ପାଇଁ ସୁପାରିଶ କରିବୁ ନାହିଁ। ଏହାକୁ ଅଫିସିଆଲ କରାଯାଇଥିବା ସତ୍ୱେ ସୁପାରିଶ କରିବୁ ନାହିଁ। ସେଥିପାଇଁ BEO, ସ୍କୁଲ କମିଟି, ସ୍କୁଲ ଅଧ୍ୟକ୍ଷ ଅଛନ୍ତି। ଯେଉଁଠି ସେମାନେ ଅନୁଭବ କରିବେ, ବଦଳି କରିବେ କି ଶିକ୍ଷକ ନଥିବା ସ୍କୁଲକୁ ଶିକ୍ଷକ ଦେବେ। ଅତି ଜରୁରୀକାଳୀନ କି ମେଡିକାଲ କେଶରେ ଆମେ କହି ପାରୁ। ହେଲେ ସୁପାରିଶ କରିବୁ ନାହିଁ। ଶିକ୍ଷକ କିଛି ଭୁଲ କରୁ ନାହାନ୍ତି। ସେମାନେ ଭୟଭୀତ ନ ହୁଅନ୍ତୁ। ସରକାର ତ କହିଥିଲେ, ଶିକ୍ଷକ ଅଭାବ ପୂରଣ କରିବେ। ହେଲେ କେତେ କଲେ? ସରକାର କଣ କରିବେ, ସମୟ କହିବ। ଶିକ୍ଷକମାନେ ତାଙ୍କ କାମ କରୁଛନ୍ତି। ତାଙ୍କୁ ହଇରାଣ ନ କରାଯାଉ। ଦଳୀୟ ଭିତ୍ତିରେ ଶିକ୍ଷକଙ୍କୁ ହଇରାଣ ନ କରାଯାଉ ବୋଲି ପ୍ରମିଲ୍ଲା ମଲ୍ଲିକ କହିଛନ୍ତି।
ଶିକ୍ଷକ ବଦଳିରେ ବିଧାୟକ, ସାଂସଦଙ୍କ ସୁପାରିଶ ନିଷ୍ପତ୍ତି ବିରୋଧରେ ବର୍ଷିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ସେ ପ୍ରଶ୍ନ କରିଛନ୍ତି, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କଣ ନିଜେ ସ୍ୱଚ୍ଛ ? ସେ ତ ନିଜେ ସ୍ୱଚ୍ଛ ନୁହଁନ୍ତି। ସେ ଆସିବା ଦିନଠାରୁ ୩୦୦୦ ବଦଳି କରି ସାରିଲେଣି। ନବରଙ୍ଗପୁର, କୋରାପୁଟରୁ ବଦଳି କରି କରି ଶିକ୍ଷକ ଖାଲି କରି ଦେଇଛନ୍ତି। ସେ ଟଙ୍କା ଖାଇବା ମୁଁ ଦେଖିନି। ହେଲେ ଲୋକ ଯାହା କହୁଛନ୍ତି ସେ ବୁଝିବା ଦରକାର। ଗଣଶିକ୍ଷା ମନ୍ତ୍ରୀ କେବେ ବି ବିରୋଧୀଙ୍କ କାମ କରନ୍ତି ନାହିଁ। ବଦଳି ପାଇଁ ଯଦି ବିରୋଧୀ ବିଧାୟକ ସୁପାରିଶ କରିବେ, ତାହା ସେ କରିବେ ନାହିଁ ବୋଲି କହିଛନ୍ତି ତାରା ବାହିନୀପତି।
ଶିକ୍ଷକ ବଦଳିରେ ବିଧାୟକ, ସାଂସଦଙ୍କ ସୁପାରିଶ ବିରୋଧରେ ପ୍ରଶ୍ନ ଉଠାଇଛି ଓଷ୍ଟା। କେବଳ ଅଫଲାଇନରେ କାହିଁକି ଆବେଦନ ହେବ, ଅନଲାଇନ ଆବେଦନ ବି ହେଉ। କେବଳ ଅଫଲାଇନ ହେଲେ ମେଡିକାଲ ବା ସ୍ପାଉସ ସ୍ତରରେ ବଦଳି ହେବନି। ଦଳୀୟ ଭିତ୍ତିରେ ବଦଳି ନ ହେଉ। ସବୁ ଦଳର ବିଧାୟକମାନଙ୍କ ସୁପାରିଶକୁ ଅଗ୍ରାଧିକାର ଦିଆଯାଉ। କାରଣ ବିଜ୍ଞପ୍ତିରେ ଲେଖାଯାଇଛି ଯେ ଆବଶ୍ୟକତା ଭିତ୍ତିକୁ ଅଗ୍ରାଧିକାର ଦିଆଯିବ। ଶିକ୍ଷକ ଅଭାବ ଅଛନ୍ତି। ରାସନାଲାଇଜେସନକୁ ଗୁରୁତ୍ୱ ଦିଆଯାଇ ଶିକ୍ଷକ ଅଭାବ ଥିବା ସ୍କୁଲକୁ ଶିକ୍ଷକ ବଦଳି ହେଉ। ହେଲେ ଯେଉଁ ନିୟମ କରାଯାଇଛି ଯେ, ଗାଁରୁ ସହର ବଦଳି ହୋଇ ପାରିବ ନାହିଁ, ତାହା ପରିବର୍ତ୍ତନ କରାଯାଉ। ନ ହେଲେ ମେଡିକାଲ କି ସ୍ପାଇଜ୍ କ୍ଷେତ୍ରରେ ଏହା ବି ଅସୁବିଧା ଆଣିବ। ଯେଉଁମାନେ ଜିଲ୍ଲା ବାହାରକୁ ଯିବାକୁ ଚାହିଁବେ, ସେମାନଙ୍କୁ ଯିବାକୁ ଦିଆଯାଉ ବୋଲି ଓଷ୍ଟା କହିଛି।
ପିପିଲି ଦୁଷ୍କର୍ମ ମାମଲା ନେଇ ପୁରୀ ଏସପିଙ୍କୁ ଭେଟିଲା ବିଜେଡି
ପୁରୀ: ପୁରୀରେ ବିଜେଡି ଟିମ। ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ପୁରୀ ଏସପି ଙ୍କୁ ଭେଟିଛି। ଟିମରେ ସାଂସଦ ସୁଭାଶିଷ ଖୁଣ୍ଟିଆ, ସତ୍ୟବାଦୀର ପୂର୍ବତନ ବିଧାୟକ ଉମା ସାମନ୍ତରାୟ,ପିପିଲିର ପୂର୍ବତନ ବିଧାୟକ ରୁଦ୍ର ମହାରଥୀ, ଜଗତସିଂହପୁର ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ ରହିଅଛନ୍ତି। ପିପିଲି ଦୁଷ୍କର୍ମ ମାମଲା ନେଇ ବିଜେଡି ଟିମ ଏସପି ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ଚୀନ ଖବରକାଗଜ ‘ଗ୍ଲୋବାଲ ଟାଇମ୍ସ’ X ଆକାଉଣ୍ଟ ବ୍ୟାନ୍ କଲା ଭାରତ
ନନ୍ଦିଘୋଷ ବ୍ୟୁରୋ: ଭାରତ ପାକିସ୍ତାନ ମଧ୍ୟ ସମ୍ପର୍କ ଖରାପ ହେଉଥିଲାବେଳେ ଚୀନ ଏ ବିଷୟର ଫାଇଦା ନେବାକୁ ଚାହୁଁଛି । ଭାରତରେ ବିଭିନ୍ନ ଅପପ୍ରଚାର ଚଳାଇଥିବା ଅଭିଯୋଗ। । ଏହା ପରେ ଚୀନ ଖବରକାଗଜର ଏକ୍ସ ଆକାଉଣ୍ଟ ‘ଗ୍ଲୋବାଲ ଟାଇମ୍ସ’ କୁ ଭାରତରେ ବ୍ୟାନ୍ କରାଯାଇଛି । ଏବେ ଭାରତରେ କେହି ଏହି ଏକ୍ସ ଆକାଉଣ୍ଟକୁ ଦେଖି ପାରିବେ ନାହିଁ । ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି-ପାକିସ୍ତାନୀ ସପକ୍ଷବାଦୀମାନେ ଭାରତ ବିରୋଧରେ ବିଶେଷ କରି ଅପରେସନ ସିନ୍ଦୂର ନେଇ ଅପପ୍ରଚାର କରୁଥିବାରୁ ଭାରତ ଏହି ପଦକ୍ଷେପ ନେଇଛି।
ଅରୁଣାଞ୍ଚଳ ପ୍ରଦେଶର କିଛି ଅଞ୍ଚଳକୁ ଚୀନ ନାଁ ଦେବା ଘଟଣାକୁ ମଧ୍ୟ ଭାରତ ଖଣ୍ଡନ କରିଛି । ଏ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଅରୁଣାଞ୍ଚଳ ପ୍ରଦେଶ ଆମର ନାଁ ଦେବା ପ୍ରୟାସ ନିରର୍ଥକ । ଅରୁଣାଞ୍ଚଳ ପ୍ରଦେଶ ଭାରତର ଥିଲା, ଅଛି ଏବଂ ରହିବ ।
୨୦ ଦିନ ପରେ BFS ଯବାନଙ୍କୁ ଛାଡ଼ିଲା ପାକିସ୍ତାନ
ନନ୍ଦିଘୋଷ ବ୍ୟୁରୋ: ଭାରତର କାର୍ଯ୍ୟାନୁଷ୍ଠାନ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ । ଶେଷରେ ଭାରତୀୟ ଯବାନଙ୍କୁ ଛାଡ଼ିଲା । ପାକିସ୍ତାନୀଙ୍କ ହେପାଜତରେ ଥିବା BSF ଯବାନଙ୍କୁ ଆଜି ସ୍ବଦେଶ ଛାଡ଼ିଛି ପାକିସ୍ତାନ । ସେ ୨୦ ଦିନରୁ ଅଧିକ ସମୟ ହେବ ପାକିସ୍ତାନରେ ରହିଥିଲେ । ଏବେ ସେ ଅଟ୍ଟାରୀ-ଓ୍ବାଘା ବର୍ଡର ଦେଇ ଭାରତକୁ ଫେରିଛନ୍ତି ।
୪୦ ବର୍ଷିୟ ପୂର୍ଣ୍ଣମ ସ’ ଏପ୍ରିଲ ୨୩ ତାରିଖରେ ଅସାବଧାନତାବଶତଃ ଅନ୍ତର୍ଜାତୀୟ ସୀମା ପାର୍ କରିଯାଇଥିଲେ । ପରେ ପାକିସ୍ତାନ ରେଞ୍ଜର୍ସଙ୍କ ଦ୍ବାରା ତାଙ୍କୁ ଅଟକ ରଖାଯାଇଥିଲା । ପଞ୍ଜାବର ଫିରୋଜପୁର ସେକ୍ଟରର BSF ୧୮୨ ତମ ବାଟାଲିୟନରେ ନିଯୁକ୍ତ ଥିଲେ ପୂର୍ଣ୍ଣମ କୁମାର ସ’ । ସେ ସେଦିନ ୟୁନିଫର୍ମ ପିନ୍ଧିଥିଲେ ଏବଂ ତାଙ୍କ ପାଖରେ ସର୍ଭିସ ରାଇଫଲ ଥିଲା । BSF ଅଧିକାରୀଙ୍କ ଅନୁସାରେ, ସୀମା ନିକଟରେ ଚାଷୀମାନଙ୍କ ସୁରକ୍ଷା ପାଇଁ ଏକ ଗୋଷ୍ଠୀ ଯାଉଥିଲା ସମୟରେ ଏହି ଘଟଣା ଘଟିଥିଲେ । ସେ ଗଛ ତଳେ ବିଶ୍ରମ ନେବାକୁ ଯାଇ ଅଜାଣତରେ ପାକିସ୍ତାନରେ ପ୍ରବେଶ କରିଥିଲେ । ତାଙ୍କୁ ତୁରନ୍ତ ପାକିସ୍ତନୀ ରେଞ୍ଜର୍ସମାନେ ହେପାଜତକୁ ନେଇଯାଇଥିଲେ ।
ଅନ୍ୟପଟେ କବଜାରେ ଥିବା ପାକିସ୍ତାନୀ ରେଞ୍ଜର୍ସଙ୍କୁ ଛାଡ଼ିଲା ଭାରତ । ପାକିସ୍ତାନୀ ରେଞ୍ଜର୍ସ ମହମ୍ମଦ ଆଲ୍ଲାଙ୍କୁ ଛାଡ଼ିଲା ଭାରତ । ଅଟ୍ଟାରୀ- ୱାଘା ବର୍ଡର ଦେଇ ଛାଡିଲା ଭାରତ ।
ସୁପ୍ରିମକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ବି. ଆର୍ ଗବାଇ
ନୂଆଦିଲ୍ଲୀ: ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗବାଇ ଆଜି ସୁପ୍ରିମକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ସୁପ୍ରିମକୋର୍ଟର ୫୨ତମ CJI ହୋଇଛନ୍ତି। ଦେଶର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଗ୍ରହଣ କରିବା ପୂର୍ବରୁ, ସେ ତାଙ୍କ ମାଆଙ୍କଠାରୁ ଆଶୀର୍ବାଦ ନେଇଥିଲେ। ସିଜେଆଇ ଭାବରେ ଶପଥ ନେବା ମାତ୍ରେ ସେ ପ୍ରଥମେ ତାଙ୍କ ମାଆ କମଳତାଇ ଗବାଇଙ୍କ ପାଦ ଛୁଇଁଥିଲେ।
ଜଷ୍ଟିସ୍ ଗଭାଇ ଭାରତର ପ୍ରଥମ ବୌଦ୍ଧ ମୁଖ୍ୟ ବିଚାରପତି। ସ୍ୱାଧୀନତା ପରେ ସେ ଦେଶର ଦଳିତ ସମ୍ପ୍ରଦାୟର ଦ୍ୱିତୀୟ CJI। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବରେ ତାଙ୍କର କାର୍ଯ୍ୟକାଳ ଛଅ ମାସ ହେବ। ଭାରତର ପ୍ରଧାନ ବିଚାରପତି (CJI) ଜଷ୍ଟିସ୍ ଗବାଇଙ୍କ ମାଆ କହିଛନ୍ତି ଯେ ତାଙ୍କ ପୁଅ ଜଣେ ସାହସୀ, ଯାହାର କେହି ମୁଣ୍ଡ ନୁଆଁଇ ପାରିବେ ନାହିଁ। ସେ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହିତ ଦେଶର ଲୋକଙ୍କୁ ନ୍ୟାୟ ଦେବ।
ବିଚାରପତି ଥିବା ସମୟରେ, ଜଷ୍ଟିସ୍ ଭି.ଆର. ଗବାଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଥିଲେ, ଯାହା ବହୁ ଆଲୋଚନା ହୋଇଥିଲା। ତାଙ୍କର ପ୍ରମୁଖ ନିଷ୍ପତ୍ତି ମଧ୍ୟରେ ବୁଲଡୋଜର ଜଷ୍ଟିସ୍, ଧାରା ୩୭୦ ଉଚ୍ଛେଦକୁ ବଜାୟ ରଖିବା, ବିମୁଦ୍ରୀକରଣକୁ ବଜାୟ ରଖିବା, ଏସସି କୋଟାରେ ଉପ-ବର୍ଗୀକରଣକୁ ବଜାୟ ରଖିବା, ମଦ ନୀତିରେ କେ କବିତାଙ୍କୁ ଜାମିନ ପ୍ରଦାନ କରିବା, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଦୁଇଥର ସମାଲୋଚନା କରିବା ଅନ୍ତର୍ଭୁକ୍ତ।
ନୂତନ CJI ଗବାଇଙ୍କ ଜନ୍ମ ୨୪ ନଭେମ୍ବର ୧୯୬୦ରେ ମହାରାଷ୍ଟ୍ରର ଅମରାବତୀରେ ହୋଇଥିଲା। ସେ ୧୬ ମାର୍ଚ୍ଚ ୧୯୮୫ରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ। ୧୯୮୭ ରୁ ୧୯୯୦ ପର୍ଯ୍ୟନ୍ତ, ସେ ବମ୍ବେ ହାଇକୋର୍ଟରେ ସ୍ୱାଧୀନ ଭାବରେ ଅଭ୍ୟାସ କରିଥିଲେ।
ଜଷ୍ଟିସ୍ ଗବାଇ ୧୯୯୦ ପରେ ମୁଖ୍ୟତଃ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ସାମ୍ବିଧାନିକ ଏବଂ ପ୍ରଶାସନିକ ଆଇନର ସ୍ୱତନ୍ତ୍ର କ୍ଷେତ୍ର ସହିତ ଅଭ୍ୟାସ କରିଥିଲେ। ସେ ନାଗପୁର ମ୍ୟୁନିସିପାଲ କର୍ପୋରେସନ, ଅମରାବତୀ ମ୍ୟୁନିସିପାଲ କର୍ପୋରେସନ ଏବଂ ଅମରାବତୀ ବିଶ୍ୱବିଦ୍ୟାଳୟର ସ୍ଥାୟୀ ପରାମର୍ଶଦାତା ଥିଲେ। ଏହା ବ୍ୟତୀତ, ସେ ନିୟମିତ ଭାବରେ ବିଭିନ୍ନ ସ୍ୱାୟତ୍ତ ସଂସ୍ଥା ଏବଂ CICOM, DCVL, ବିଦର୍ଭ ଅଞ୍ଚଳର ଅନେକ ପୌର ପରିଷଦ ପାଇଁ ଲବି କରୁଥିଲେ।
ପାକିସ୍ତାନର ପରମାଣୁ ଘାଟିରୁ ଲିକ୍ ହେଉଛି କି ରେଡିଓଆକ୍ଟିଭ, ଏ ନେଇ କ’ଣ କହିଲା ଆମେରିକା?
ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ସମ୍ବେଦନଶୀଳ ପରମାଣୁ ସ୍ଥାନ ଉପରେ ବୋମା ମାଡ଼ ହୋଇଥିବା ସମସ୍ତ ରିପୋର୍ଟକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। କିନ୍ତୁ ସୋସିଆଲ ମିଡିଆରେ ଅନେକ ବିଶେଷଜ୍ଞ ବାରମ୍ବାର ଦାବି କରୁଛନ୍ତି ଯେ କିରାଣା ହିଲ୍ସ ଯେଉଁଠାରେ ପାକିସ୍ତାନ ଏହାର କିଛି ପରମାଣୁ ଯୁଦ୍ଧାସ୍ତ୍ର ରଖିଥିଲା କିମ୍ବା ଯେଉଁଠାରେ ପାକିସ୍ତାନର ପରମାଣୁ ଘାଟି ରହିଛି, ତାହାକୁ ଟାର୍ଗେଟ କରାଯାଇଛି। ଭାରତର ବୋମା ମାଡ଼ ପରେ ରେଡିଓଆକ୍ଟିଭ୍ ଲିକେଜ୍ ଆରମ୍ଭ ହୋଇଛି ବୋଲି ଦାବି କରାଯାଉଛି ଏବଂ ଆମେରିକା ତାର ଏକ ବିମାନକୁ ସେହି ସ୍ଥାନକୁ ପଠାଇଛି ଏବଂ ରେଡିଏସନ୍ ତଦନ୍ତ କରିଛି। ଏବେ ଆମେରିକା ମଧ୍ୟ ଏହା ଉପରେ ନିଜର ବୟାନ ଦେଇଛି। ଆମେରିକାର ବୈଦେଶିକ ବିଭାଗ ପ୍ରଥମ ଥର ପାଇଁ ଏହି ଅଭିଯୋଗଗୁଡ଼ିକ ଉପରେ ଏକ ବିବୃତ୍ତି ଦେଇଛି।
ପ୍ରକୃତରେ, ମେ ୧୨ ତାରିଖରେ ଏକ ପ୍ରେସ୍ ବ୍ରିଫିଂରେ ଭାରତର ଏୟାର ଅପରେସନ୍ସ ମହାନିର୍ଦ୍ଦେଶକ ଏୟାର ମାର୍ଶାଲ ଏ.କେ. ଭାରତୀ କହିଥିଲେ ଯେ “ଆମେ କିରାଣା ହିଲ୍ସ ଉପରେ ଆକ୍ରମଣ କରିନାହୁଁ।” ସେହି ପ୍ରେସ୍ ବ୍ରିଫିଂ ସମୟରେ, ସେ ହାଲୁକା ଭାବରେ କହିଥିଲେ, “କିରାଣା ହିଲ୍ସରେ ପରମାଣୁ ପ୍ରତିଷ୍ଠାନ ଅଛି ବୋଲି ଆମକୁ କହିବା ପାଇଁ ଧନ୍ୟବାଦ। ଆମେ ଏହା ବିଷୟରେ ଅବଗତ ନଥିଲୁ।”
ଯେତେବେଳେ ଆମେରିକୀୟ ବିଦେଶ ବିଭାଗକୁ ପଚରାଗଲା ଯେ ପରମାଣୁ ବିକିରଣ ଲିକ୍ ମାମଲାରେ ଆମେରିକୀୟ ଟିମ ପାକିସ୍ତାନ ଯାଇଛି କି ? ଏହି ପ୍ରଶ୍ନର ଉତ୍ତରରେ, ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର କହିଛନ୍ତି, ‘ଏହି ସମୟରେ ଏହା ଉପରେ ପୂର୍ବାବଲୋକନ କରିବା ପାଇଁ ମୋର କିଛି ନାହିଁ।’ ତାଙ୍କ ବକ୍ତବ୍ୟର ଅର୍ଥ ହେଉଛି ‘ଏପରି କିଛି ନାହିଁ ଯାହାର ତଦନ୍ତ କରାଯାଇପାରିବ।’ ଏହାର ଅର୍ଥ ହେଉଛି ଯେ ଆମେରିକା ଏକ ପ୍ରକାରେ ପରମାଣୁ ବିକିରଣର ତଦନ୍ତ ଖବରକୁ ଅସ୍ୱୀକାର କରିଛି।
US State Department:
Q. Has a US team gone to Pakistan over Nuclear Radiation leaks?
A. I have nothing to preview on that at this time. pic.twitter.com/0LOZ8NAAsk— Geeta Mohan گیتا موہن गीता मोहन (@Geeta_Mohan) May 14, 2025
‘ଅରୁଣାଚଳ ପ୍ରଦେଶ ଭାରତର ଥିଲା, ରହିଛି, ରହିବ, ଏହାକୁ ଚୀନ ଗ୍ରହଣ କରି ନେଉ’
ନନ୍ଦିଘୋଷ ବ୍ୟୁରୋ: ଅରୁଣାଚଳ ପ୍ରଦେଶ ଭାରତର ଥିଲା, ରହିଛି, ରହିବ । ଏହାକୁ ଚୀନ ଗ୍ରହଣ କରି ନେଉ। ଏହା ସ୍ପଷ୍ଟ ଭାବେ କହିଛି ବୈଦେଶିକ ବିଭାଗ। ଅରୁଣାଚଳର କିଛି ସ୍ଥାନକୁ ଚୀନ ନିଜ ଅନୁସାରେ ନାମକରଣ ପରେ ଏପରି କଡ଼ା ଭାଷାରେ ବିବୃତି ଦିଆଯାଇଛି। ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳକୁ ଚୀନ ନିଜର ବୋଲି ଦାବି କରି ଅନେକ ସ୍ଥାନର ନାମ ପରିବର୍ତ୍ତନ କରି ମାନଚିତ୍ର ପ୍ରକାଶ କରିଛି। ଏହା ଚୀନର ବୃଥା ଓ ଅଯଥା ଅହଙ୍କାର ବୋଲି କହିଛି ଭାରତ। ବୈଦେଶିକ ବିଭାଗର ଏକ ବିବୃତିରେ କୁହାଯାଇଛି ଯେ, “ଆମେ ଦେଖିଛୁ ଯେ ଚୀନ୍ ଭାରତୀୟ ରାଜ୍ୟ ଅରୁଣାଚଳ ପ୍ରଦେଶରେ ସ୍ଥାନଗୁଡ଼ିକର ନାମକରଣ କରିଚି। ଏହା ବୃଥା ଏବଂ ଅହଂକାରୀ ପ୍ରୟାସ। ଆମର ନୀତିଗତ ସ୍ଥିତି ସହିତ ଆମେ ଏପରି ପ୍ରୟାସକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରୁଛୁ। ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଏବଂ ଅବିଚ୍ଛେଦ୍ୟ ଅଂଶ ଥିଲା, ଅଛି ଏବଂ ସର୍ବଦା ରହିବ। ୨୦୨୪ ମସିହାରେ ଚୀନ୍ ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନର ୩୦ଟି ନୂତନ ନାମର ଏକ ତାଲିକା ପ୍ରକାଶ କରିଥିଲା, ଯାହାକୁ ଭାରତ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଥିଲା। ଚୀନ୍ ନିୟମିତ ଭାବରେ ଭାରତର ନେତାମାନଙ୍କ ରାଜ୍ୟ ଗସ୍ତକୁ ବିରୋଧ କରି ନିଜର ଦାବିକୁ ଉଜାଗର କରିଥାଏ। ବେଜିଂ ଏହି ଅଞ୍ଚଳକୁ ‘ଜାଙ୍ଗନାନ୍’ ନାମ ଦେଇଥିଲା।
ବଢ଼ିଲା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା ବ୍ୟବସ୍ଥା
ନୂଆଦିଲ୍ଲୀ: ଭାରତ ପାକିସ୍ତାନ ଉତ୍ତେଜନାକୁ ଦୃଷ୍ଟିରେ ରଖି ବଢ଼ିଲା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା ବ୍ୟବସ୍ଥା । ଗୃହ ମନ୍ତ୍ରଣାଳୟ ତାଙ୍କର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛନ୍ତି । ଭାରତ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ତାଙ୍କୁ ବୁଲେଟ ପ୍ରୁଫ୍ କାର୍ ଦିଆଯାଇଛି । ଦିଲ୍ଲୀରେ ତାଙ୍କ ଘର ଚାରିପାଖରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜୟଶଙ୍କର ପୂର୍ବରୁ CRPF କମାଣ୍ଡୋଙ୍କଠାରୁ Z ବର୍ଗର ସୁରକ୍ଷା ଉପଭୋଗ କରୁଥିଲେ । ଅକ୍ଟୋବର ୨୦୨୩ରେ ତାଙ୍କର ସୁରକ୍ଷାକୁ Y ବର୍ଗରୁ Z ବର୍ଗକୁ ଉନ୍ନୀତ କରାଯାଇଥିଲା । ଭାରତ ପାକିସ୍ତାନ ଉତ୍ତେଜନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବୈଦେଶୀକ ମନ୍ତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।
Z ବର୍ଗ କ’ଣ?
Z ସୁରକ୍ଷା ବର୍ଗ ହେଉଛି ଭାରତର ତୃତୀୟ ସର୍ବୋଚ୍ଚ ସୁରକ୍ଷା । ଏଥିରେ ୨୨ ଜଣ ସୈନିକ ରହିଥାନ୍ତି । ଏଥିରେ ୪ରୁ ୬ ଜଣ NSG କମାଣ୍ଡୋ ଏବଂ ସ୍ଥାନୀୟ ପୋଲିସ ଥାଆନ୍ତି । ଏଥିରେ ବୁଲେଟ ପ୍ରୁଫ କାର ମଧ୍ୟ ରହିଛି । ଏହା ସହ ଗାଡ଼ି ଗଲା ବେଳେ ତାଙ୍କୁ ଏସକର୍ଟ ମଧ୍ୟ ଦିଆଯାଇଥାଏ । ଏହି ସୁରକ୍ଷା ସାଧାରଣତଃ ବଡ଼ ବଡ଼ ନେତା ଏବଂ ସେଲିବ୍ରିଟିଙ୍କୁ ଦିଆଯାଇଥାଏ ।
ଆଜି ବସିବ CCS ବୈଠକ, ଅପରେସନ୍ ସିନ୍ଦୂର ନେଇ ହେବ ଆଲୋଚନା
ନୂଆଦିଲ୍ଲୀ: ଆଜି ବସୁଛି କ୍ୟାବିନେଟ କମିଟି ଅନ୍ ସିକ୍ୟୁରିଟି, CCS ବୈଠକ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ। ଏହି ମିଟିଂରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଯୋଗ ଦେବେ ବୋଲି ଜଣାପଡ଼ିଛି। ତା ସହିତ NSA ଅଜିତ ଡୋଭାଲ, ସିଡିଏସ୍, ତିନି ସେନାର ମୁଖ୍ୟ ମଧ୍ୟ ଯୋଗ ଦେଇପାରନ୍ତି। ଦେଶର ସୁରକ୍ଷା ନେଇ ଏହି ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ବିଶେଷ କରି ଅପରେସନ ସିନ୍ଦୂର, ତା ପରେ ଅସ୍ତ୍ରବିରତି ପାଇଁ ପାକିସ୍ତାନ ସହିତ ସହମତି, ପହଲଗାଓଁ ଆକ୍ରମଣ ପରର ସ୍ଥିତି ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏପ୍ରିଲ ୨୨ରେ ପହଲଗାଓଁରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ଭାରତ କରିଥିଲା ଅପରେସନ ସିନ୍ଦୂର। ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିରକୁ ଧ୍ଵଂସ କରିଥିଲା ଭାରତୀୟ ବାୟୁସେନା। ପ୍ରତିଆକ୍ରମଣ କରିବାକୁ ପାକିସ୍ତାନ ଚେଷ୍ଟା କରିଥିଲେ ମଧ୍ୟ ତାକୁ ପ୍ରତିହତ କରିଥିବା ଭାରତର ଡିଫେନ୍ସ ସିଷ୍ଟମ। ଏପରିକି ପାକିସ୍ତାନ ଓ ଭାରତ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଥିଲା। ୧୦ ତାରିଖରେ ଅସ୍ତ୍ରବିରତି ପାଇଁ ଦୁଇ ଦେଶ ରାଜି ହୋଇଥିଲେ। ବର୍ତ୍ତମାନ ସ୍ଥିତି ଶାନ୍ତ ଥିଲେ ମଧ୍ୟ ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ହେଉଛି ଦୁଇଟି ଗୁରୁତ୍ଵପୂର୍ଣ୍ଣ ବୈଠକ ।

