spot_img
Home Blog Page 947

ନୀତି ଆୟୋଗଙ୍କ ପରେ ନବୀନଙ୍କ ଆର୍ଥିକ ପ୍ରଗତିକୁ ସିଏଜିଙ୍କ ମୋହର

ଭୁବନେଶ୍ବର: ନବୀନଙ୍କ ଶାସନ କାଳରେ ଓଡ଼ିଶାର ଅଭିବୃଦ୍ଧି ୧୨.୩୭ ଥିଲା । ରାଜ୍ୟର ଆର୍ଥିକ ସୁପରିଚାଳନାକୁ ନୀତି ଆୟୋଗଙ୍କ ପରେ ପ୍ରଶଂସା କରିଛନ୍ତି ଭାରତର ମହାଲେଖାକାର । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଦ୍ୟ ପ୍ରକାଶିତ ଆର୍ଥିକ ପ୍ରତିବେଦନରେ ସିଏଜି ପୂର୍ବ ସରକାରଙ୍କ ସଫଳତାକୁ ବଖାଣିଛନ୍ତି । ଅନାଟନ ଅର୍ଥନୀତିକୁ ବଳକା ଅର୍ଥନୀତିରେ ପହଞ୍ଚାଇଥିଲେ ନବୀନ । ବିଶେଷଜ୍ଞ କହିଛନ୍ତି, ରାଜ୍ୟର ଦାରିଦ୍ର୍ୟତାକୁ ସମୂଳେ ବିନାଶ କରିବା ପାଇଁ ୩ଟି ମୁଖ୍ୟ ଦିଗ ଉପରେ କାମ କରିଥିଲେ ପୂର୍ବ ସରକାର । ରାଜ୍ୟର ଆର୍ଥିକ ପ୍ରଗତି ସହିତ ସମସ୍ତଙ୍କ ଆର୍ଥିକ ବିକାଶ । ଭୋକର ଭୂଗୋଳକୁ ପ୍ରାଚୁର୍ଯ୍ୟରେ ପରିଣତ । ସେହିପରି ୨୦୧୯ରୁ ୨୦୨୪ ମଧ୍ୟରେ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବିଶେଷ ଗୁରୁତ୍ବ ଦେଇଥିବାରୁ ନବୀନଙ୍କ ଶାସନରେ ସମ୍ଭବ ହୋଇପାରିଛି ଆର୍ଥିକ ପ୍ରଗତି ।

ନୀତି ଆୟୋଗଙ୍କ ପରେ ଖୋଦ ଭାରତର ମହାଲେଖାକାର ବା ସିଏଜି ତାଙ୍କ ଆର୍ଥିକ ପ୍ରତିବେଦନରେ ପୂର୍ବ ସରକାରଙ୍କ ଆର୍ଥିକ ସୁପରିଚାଳନାର ହିସାବ ଦେଇଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷର ହିସାବ ଦେଇ ସିଏଜି କହିଛନ୍ତି ଯେ, ଲଗାତାର ଭାବେ ଓଡ଼ିଶାର ଅଭିବୃଦ୍ଧି ହାର ୧୨.୩୭ ପ୍ରତିଶତ ରହିଛି । ରାଜସ୍ବ ବଳକା ୩୦ ହଜାର ୭୬୧ କୋଟି ରହିଥିବା ବେଳେ, ବିତ୍ତୀୟ ନିଅଣ୍ଟ ପରିମାଣ ନିୟମାନୁଯାୟୀ ଥିଲା ୧୪ ହଜାର ୭୪୩ କୋଟି ଟଙ୍କା । ସେହିପରି ରାଜସ୍ବ ବଳକା ପୂର୍ବ ବର୍ଷ ତୁଳନାରେ ବଢିଥିଲା ୫୮.୧୧ ପ୍ରତିଶତ । ରାଜସ୍ବ ସଂଗ୍ରହ ୨୯ ହଜାର ୧୩୧କୁ ବୃଦ୍ଧି ପାଇଥିବା ବେଳେ, ପୁଞ୍ଜିଗତ ବ୍ୟୟ ପ୍ରାୟ ୪୦ ହଜାର କୋଟିରେ ପହଞ୍ଚିଥିଲା । ଯାହାକି ତତ୍କାଳୀନ ବଜେଟର ଏକ ତୃତୀୟାଂଶ । ବିଶେଷକରି ୨୦୧୯ରୁ ୨୦୨୪ ଭିତରେ ରାଜ୍ୟର ଭିତ୍ତିଭୂମି ବିକାଶ ଏପରି କରାଯାଇଥିଲା ଯେ, ଆଗାମୀ ୫୦ ବର୍ଷ ଭିତରେ ଯିଏ ବି ସରକାରରେ ରହିବ ରାଜ୍ୟର ଆର୍ଥିକ ପ୍ରଗତି କ୍ଷେତ୍ରରେ ମନ୍ଥରତା ଆସିବନି । ନବୀନଙ୍କ ଆର୍ଥିକ ସୁପରିଚାଳନା ଦେଶରେ ଏକ ନମ୍ବର ବୋଲି ଦାବି କରିଛନ୍ତି ପୂର୍ବତନ ବିଧାୟକ ଓ ଅର୍ଥନୀତି ବିଶେଷଜ୍ଞ ।

୨୦୦୦ ମସିହାରେ ଦେବାଳିଆ ସ୍ଥିତିରେ ଥିଲା ଓଡ଼ିଶା । ୧୯୯୯ ମହାବାତ୍ୟାରେ ଅଧାରାଜ୍ୟ ଧ୍ବଂସସ୍ତୁପରେ ପରିଣତ ହୋଇଥିଲା । ସେତେବେଳେ ଋଣ ଶୁଝିବାକୁ ଋଣ କରିବାକୁ ପଡୁଥିଲା । କର୍ମଚାରୀଙ୍କୁ ଦରମା ଦେବାକୁ ଅର୍ଥର ଅଭାବ ପଡ଼ୁଥିଲା । କ୍ରୀଡ଼ା ଓ ଭିତ୍ତିଭୂମି କଥା ଛାଡ଼ନ୍ତୁ,  ଜଳସେଚନ ଅଭାବରୁ ଅଧା ଉପାନ୍ତ ଅଞ୍ଚଳରେ ଅନାହାରର ବିଭିଷୀକା ଦେଖିବାକୁ ମିଳିଥିଲା । ଏତିକି ବେଳେ, ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶାକୁ ସ୍ବାବଲମ୍ବୀ କରିବା କ୍ଷେତ୍ରରେ ପ୍ରଥମ ପଦକ୍ଷେପ ନେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେତିକି ନୁହେଁ, କିପରି ଦୁର୍ବିପାକକୁ ସଫଳତାର ସହ ମୁକାବିଲା କରିହେବ, ସେ ନେଇ କରିଥିଲେ ବିଦ୍ଧିବଦ୍ଧ ଯୋଜନା । ଗରିବଙ୍କ ପେଟକୁ ଦାନା, ମହିଳାଙ୍କୁ ଆତ୍ମନିର୍ଭର କରିବା ଥିଲା ନବୀନ ସରକାରଙ୍କ ମୂଳ ଆଭିମୁଖ୍ୟ । ସ୍ଥିତି ଏମିତି ହେଲା, ୨୦୦୬-୦୭ ବେଳକୁ ରାଜ୍ୟ ନିଅଣ୍ଟିଆ ସ୍ଥିତିରୁ ବଳକା ରାଜ୍ୟରେ ପରିଣତ ହୋଇଥିଲା ।

କେବଳ କଥାରେ ନୁହଁ କାମରେ । ଏହା ହିଁ ଥିଲା ନବୀନ ଶାସନର ମୂଳମନ୍ତ୍ର । ସିଏଜିଙ୍କ ଆର୍ଥିକ ପ୍ରତିବେଦନ ପ୍ରମାଣ କରୁଛି, ପୂର୍ବ ସରକାରଙ୍କ ସ୍ବଚ୍ଛ ଆର୍ଥିକ ପରିଚାଳନା ।

ବୁଦ୍ଧି ଶିଖିଲା ବିଜେପି: ଆଚରଣ ଓ ଉଚ୍ଚାରଣ ପାଇଁ ନେବେ ଟ୍ରେନିଂ

ଭୁବନେଶ୍ବର: ସରକାର ଗଠନ ପରେ ବି ଟ୍ରାକକୁ ଆସିପାରୁନି ବିଜେପି । ବିଳମ୍ବ ହୋଇ ଚାଲିଛି ରାଜ୍ୟ ସଭାପତି ଚୟନ । ସରକାରର ୧୦ ମାସ ପରେ ବି ହୋଇପାରୁନି ନିଗମ ନିଯୁକ୍ତି । ମନ୍ତ୍ରିମଣ୍ଡଳରେ ବି ୬ ପଦ ଖାଲି ପଡ଼ିଛି । ସମସ୍ୟା ସୃଷ୍ଟି କରୁଛି ଦବଙ୍ଗ ନେତାଙ୍କ ଆଚରଣ ଉଚ୍ଚାରଣ । ଏଭଳି ସ୍ଥିତିରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ତିନି ଦିନିଆ ଗସ୍ତ ଅବସରରେ ନଡ୍ଡା ଦଳର ବିଧାୟକ, ସାଂସଦ ଓ କର୍ମକର୍ତ୍ତାଙ୍କ ପ୍ରଶିକ୍ଷଣ ଶିବିରରେ ଯୋଗଦେବେ । ତୃଣମୂଳ ସ୍ତରର ନେତାଙ୍କଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କୁ ପଢାଇବେ ଶିଷ୍ଟାଚାରର ପାଠ । ସଭାପତି ଓ ନିଗମ ନିଯୁକ୍ତି ନେଇ ବି ଆଲୋଚନା ହେବ ବୋଲି ଜଣାପଡ଼ିଛି ।

ବିଜେପି ନେତା ପଢିବେ ଶିଷ୍ଟାଚାରର ପାଠ । ସରକାର ଆସିଲା ପରେ ଉଶୃଙ୍ଖଳ ହୋଇଥିବା କର୍ମୀ ଶିଖିବେ ସଠିକ୍ ଆଚରଣ ଓ ଉଚ୍ଚାରଣ । ଜାଣିବେ ଭାଷଣ ଦେବାର କଳା କୌଶଳ । ଏଥିପାଇଁ ଆସନ୍ତା ୧୧ରୁ ୧୩ ତାରିଖ ଯାଏଁ ପୁରୀରେ ଆୟୋଜିତ ହେବ ବିଜେପିର ପ୍ରଶିକ୍ଷଣ ଶିବିର । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ନେତାଙ୍କୁ ଶିଖାଇବେ ନୀତି ନୈତିକତାର କଥା । ସରକାର ଗଠନ କରିବାର ୧୦ ମାସ ପରେ ବି ରାଜ୍ୟ ବିଜେପିରେ ସ୍ଥାଣୁ ଅବସ୍ଥା ଜାରି ରହିଛି । ତାରିଖ ପରେ ତାରିଖ ଘୁଞ୍ଚି ଚାଲିଛି, ହେଲେ ହୋଇପାରୁନି ସଭାପତି ଚୟନ । ନିଗମ ନିଯୁକ୍ତି ପାଇଁ ଶତାଧିକ ଆଶାୟୀ ଅନାଇ ବସିଛନ୍ତି, ହେଲେ ବାଟ ଫିଟୁନି । ମନ୍ତ୍ରିମଣ୍ଡଳରେ ବି ଖାଲିଥିବା ପଦ ପୂରଣ ହୋଇପାରୁନି । ଏଭଳି ସ୍ଥିତିରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ ଅନେକ ଗୁରୁତ୍ବ ବହନ କରୁଛି । ଏଥର ଗସ୍ତର ଫୋକସ ହେଉଛି ନେତାଙ୍କ ପାଠଶାଳା ।

ସରକାରକୁ ଆସିଲା ପରେ ବିଜେପି ନେତାଙ୍କ ଗର୍ବ ଅହଙ୍କାର ସୀମା ଟପିଲାଣି । ଲୋକେ ବି ଏହା ଦେଖୁଛନ୍ତି । ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପୋଲିସକୁ ବାଡ଼େଇବା ପାଇଁ କହିବା ହେଉ କି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଓ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଆଚରଣ ପାଇଁ ଦଳ ବ୍ୟାକ ଫୁଟରେ । ତୃଣମୂଳ ସ୍ତରରେ ବିଜେପି କର୍ମୀମାନେ ତହସିଲ, ଥାନା, ବ୍ଲକରେ ଏକ ପ୍ରକାର କ୍ୟାମ୍ପ ପକାଇ ରାଜୁତି ଆରମ୍ଭ କରୁଥିବାର ଅଭିଯୋଗ ହେଉଛି । ସରକାରୀ ଦଳ ହିସାବରେ ନେତାଙ୍କ ଶାଳୀନତା ପବ୍ଲିକ ଲାଇଫରେ ଜରୁରୀ ଥିବାରୁ ଏହା ଉପରେ ଦଳ ଗୁରୁତ୍ବ ଦେଇଛି । ତିନି ଦିନିଆ ପ୍ରଶିକ୍ଷଣ ଶିବିରରେ ନେତା ଓ କର୍ମୀ ଶିଷ୍ଟାଚାରର ପାଠ ପଢିବେ । ନଡ୍ଡାଙ୍କ ସମେତ ଦଳର ଭେଟେରାନ ନେତା ବି ଆଚାର ବ୍ୟବହାର ଉପରେ ଟିପ୍ସ ଦେବେ ।

ଓଡ଼ିଶାରେ ବିଜେପି ଲମ୍ବା ସମୟ ଧରି ଶାସନ କ୍ଷମତାରେ ରହିବାକୁ ଯୋଜନା କରିଥିବାରୁ ନେତା ଓ କର୍ମୀଙ୍କ ଆଚରଣ, ଉଚ୍ଚାରଣ ଉପରେ ଗୁରୁତ୍ବ ଦିଆଯିବା ଜରୁରୀ । ଏହାସହ ଦଳ ଓ ସରକାର ମଧ୍ୟରେ ସମନ୍ବୟ ରଖିବା ଆବଶ୍ୟକ ଥିବାରୁ ରାଷ୍ଟ୍ରୀୟ ନେତୃତ୍ବ ଏହାର ଖସଡ଼ା ପ୍ରସ୍ତୁତ କରୁଛନ୍ତି ।

୪ ବର୍ଷର ଶିଶୁକନ୍ୟାକୁ ୧୭ ବର୍ଷ ନାବାଳକଙ୍କ ଦୁଷ୍କର୍ମ !

ଦେବଗଡ଼: ଦେବଗଡ଼ରେ ଲଜ୍ୟା । ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କଲା ୧୭ ବର୍ଷର ନାବାଳକ । ଅଭିଯୁକ୍ତ ନାବାଳିକାଙ୍କ ସମ୍ପର୍କୀୟ ଅଜା ବୋଲି ଜଣାପଡ଼ିଛି । ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି । ଘଟଣା ଘଟିଛି ରିଆମାଳ ଥାନା ଅଞ୍ଚଳରେ ।

ଅଭିଯୋଗ ଅନୁସରେ, ଗତକାଲି ଶିଶୁଟି ଘର ବାହାରେ ଖେଳୁଥିବା ବେଳେ ମୋବାଇଲ ଦେଖାଇବା ବାହାନାରେ ନାବାଳକ ଜଣଙ୍କ ଡାକି ନେଇ ଦୁଷ୍କର୍ମ କରିଥିଲେ । ଏନେଇ ଶିଶୁକନ୍ୟା ଜଣକ ତାଙ୍କ ମାଆଙ୍କୁ ଜଣାଇବା ପରେ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ।

ଶେଷ ଅବସ୍ଥାରେ ପହଞ୍ଚଛି ଗ୍ଲୋବାଲାଇଜେସନ, ଟ୍ରମ୍ପଙ୍କ ପଦକ୍ଷେପ ଯୋଗୁଁ ବିଶ୍ଵରେ ମାନ୍ଦାବସ୍ଥା !

ନନ୍ଦିଘୋଷ ବ୍ୟୁରୋ: ଗ୍ଲୋବାଲାଇଜେସନର ଯୁଗ ସରି ଆସୁଛି କି । ନା ଏହାର ଶେଷ ଆରମ୍ଭ ହୋଇ ଗଲାଣି। ୧୯୯୧ ପରେ ବିଶ୍ଵ ବାଣିଜ୍ୟ କ୍ଷେତ୍ରରେ ଯେଉଁ ଉଦାରୀକରଣ ଓ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଯେଉଁ ସହଯୋଗ ଓ ନିର୍ଭରଶୀଳତା ଥିଲା, ତାହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏପରି ଆଶଙ୍କାର କାରଣ ହେଲା ଟ୍ରମ୍ପଙ୍କ ବାଣିଜ୍ୟ ନୀତି ପରେ ସାରା ବିଶ୍ଵରେ ଦେଖାଦେଇଛି ଅନିଶ୍ଚିତତା ଓ ମାନ୍ଦାବସ୍ଥା। ସୂୂଚନା ଅନୁସାରେ ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଘୋଷଣା କରିବେ, ଗ୍ଲୋବାଲାଇଜେସନ ଯୁଗ ଶେଷ ହୋଇଛି। ସେ ସ୍ଵୀକାର କରିଛନ୍ତି ଆମେରିକାର ପଦକ୍ଷେପ ଯୋଗୁଁ ବିଶ୍ୱ ବଜାର ଅନିଶ୍ଚିତତା ଭିତରକୁ ଠେଲି ହୋଇଛି। ଆମେରିକା ଏବେ ଅର୍ଥନୈତିକ ଜାତୀୟତାବାଦକୁ ଧ୍ୟାନ ଦେଉଛି। ଅନ୍ୟ ଦେଶ ବି ଏହାକୁ ଅନୁସରଣ କରିବେ । ଏହା ଦ୍ଵାରା ବିଶ୍ଵରେ ଯେଉଁ ଉଦାରୀକରଣ ଓ ପରସ୍ପର ନିର୍ଭରଶୀଳତା ଥିଲା, ଗ୍ଲୋବାଲାଇଜେସନ ଥିଲା, ତାହା ଶେଷ ହେବାକୁ ଯାଉଛି । ଏହା ଦ୍ଵାରା ପ୍ରତିଯୋଗିତା ବଢିବ ।

ଦେଶର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସମୁଦ୍ର ସେତୁ ପମ୍ବନ ଉଦଘାଟିତ

ନନ୍ଦିଘୋଷ ବ୍ୟୁରୋ: ଉଦଘାଟିତ ହେଲା ଦେଶର ସବୁଠାରୁ ହାଇଟେକ୍ ବ୍ରିଜ୍ ପମ୍ବନ ସେତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୁନ୍ଦର ପମ୍ବନ୍ ରେଳ ସେତୁର ଉଦଘାଟନ କରିଛନ୍ତି, ଯାହା ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁ । ପମ୍ବନ୍ ସମୁଦ୍ର ସେତୁ ମୁଖ୍ୟଭୂମି ଏବଂ ରାମେଶ୍ୱରମ୍ ଦ୍ୱୀପ ମଧ୍ୟରେ ଏକ ରେଳ ସଂଯୋଗ ପ୍ରଦାନ କରିବ। ପମ୍ବନ ସେତୁର ଲକ୍ଷ୍ୟ ହେଉଛି ଆଧ୍ୟାତ୍ମିକ ଉପକୂଳବର୍ତ୍ତୀ ସହର ରାମେଶ୍ୱରମ ସହିତ ଯୋଗାଯୋଗକୁ ଉନ୍ନତ କରିବା, ଯେଉଁଠିକୁ ଦେଶ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ବର୍ଷସାରା ଭକ୍ତମାନେ ଆସିଥାନ୍ତି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ, ପବିତ୍ର ସମୁଦ୍ରକୁ ଦେଖି ପମ୍ବନ ରେଳ ସେତୁରେ ଏକ ପରୀକ୍ଷଣ କରାଯାଇଥିଲା। ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ନିର୍ମିତ ଏହି ନୂତନ ପମ୍ବନ ସେତୁ ସମୁଦ୍ର ଉପରକୁ ଉଠିପାରିବ। ଏହା କେବଳ ଏକ ସେତୁ ନୁହେଁ ବରଂ ଭାରତର ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ।

ଏସିଆର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁ ମଣ୍ଡପମରୁ ରାମେଶ୍ୱରମ ପର୍ଯ୍ୟନ୍ତ ତିଆରି କରାଯାଇଛି । ଏହାକୁ ନିର୍ମାଣ କରିବାକୁ ୫୩୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ୨୦୧୯ ମସିହାରେ ଏହାର ଶିଳାନ୍ୟାସ କରିଥିଲେ ।

ପମ୍ବନ ସେତୁ ବିଷୟରେ ଅଜଣା ତଥ୍ୟ

  • 550 କୋଟି ଟଙ୍କା ବ୍ୟୟରେ ନିର୍ମିତ, ପମ୍ବନ ସେତୁ ଷ୍ଟେନଲେସ୍ ଷ୍ଟିଲ୍ ଦୃଢ଼ୀକରଣ, ଉଚ୍ଚ-ଗ୍ରେଡ୍ ସୁରକ୍ଷାତ୍ମକ ରଙ୍ଗ ଏବଂ ସମ୍ପୂର୍ଣ୍ଣ ୱେଲ୍ଡିଂ ସନ୍ଧି ସହିତ ନିର୍ମିତ।
  • ଏହି ସେତୁର ଲମ୍ବ08 କିଲୋମିଟର, ଏଥିରେ 99ଟି ସ୍ପାନ୍ ଏବଂ 72.5 ମିଟର ଭୂଲମ୍ବ ଲିଫ୍ଟ ସ୍ପାନ୍ ଅଛି ଯାହା 17 ମିଟର ଉଚ୍ଚତା ପର୍ଯ୍ୟନ୍ତ ଉପରକୁ ଉଠିଥାଏ, ଯାହା ବଡ଼ ଜାହାଜଗୁଡ଼ିକର ସୁଗମ ଗତିକୁ ସହଜ କରିବା ସହିତ ସୁଗମ ଟ୍ରେନ୍ ପରିଚାଳନାକୁ ସୁନିଶ୍ଚିତ କରିଥାଏ।
  • ଏହି ଭୂଲମ୍ବ ସମୁଦ୍ର ସେତୁର ଏକ ଗଭୀର ସାଂସ୍କୃତିକ ଗୁରୁତ୍ୱ ମଧ୍ୟ ରହିଛି, କାରଣ ରାମାୟଣ ଅନୁସାରେ, ରାମେଶ୍ୱରମ୍ ନିକଟସ୍ଥ ଧନୁଷକୋଡିରୁ ରାମ ସେତୁର ନିର୍ମାଣ ଆରମ୍ଭ ହୋଇଥିଲା।
  • ରାମେଶ୍ୱରମକୁ ମୁଖ୍ୟଭୂମି ସହିତ ସଂଯୋଗ କରୁଥିବା ଏହି ସେତୁ ବିଶ୍ୱ ସ୍ତରରେ ଭାରତୀୟ ଇଞ୍ଜିନିୟରିଂର ଏକ ଉଲ୍ଲେଖନୀୟ ସଫଳତା ଭାବରେ ଠିଆ ହୋଇଛି। ପାମ୍ବନ ସେତୁର ସ୍ଥାୟୀତ୍ୱ ବୃଦ୍ଧି ଏବଂ ରକ୍ଷଣାବେକ୍ଷଣ ଆବଶ୍ୟକତା ହ୍ରାସ ପାଇଛି।
  • ଏହାକୁ ଭବିଷ୍ୟତର ଚାହିଦା ପୂରଣ କରିବା ପାଇଁ ଦ୍ୱୈତ ରେଳ ଟ୍ରାକ ପାଇଁ ଡିଜାଇନ୍ କରାଯାଇଛି। ଏକ ସ୍ୱତନ୍ତ୍ର ପଲିସିଲୋକ୍ସେନ ଆବରଣ ଏହାକୁ ଜଙ୍କ୍ ଲାଗିବାରୁ ବି ରକ୍ଷା କରିବ, କଠୋର ସାମୁଦ୍ରିକ ପରିବେଶରେ ଦୀର୍ଘସ୍ଥାୟୀ ରଖିବ  ।

 

 

 

ଆମେରିକାରେ ବଡ଼ ଧରଣର ବିକ୍ଷୋଭ, ରାଷ୍ଟ୍ରପତି ଟ୍ରମ୍ପଙ୍କ ନୀତିକୁ ଜୋରଦାର ବିରୋଧ

ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ବଡ଼ ଧରଣର ବିକ୍ଷୋଭ। ଏହାର ନାଁ ରଖାଯାଇଛି ହ୍ୟାଣ୍ଡସ୍ ଅଫ୍ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆମେରିକାର ସବୁ ରାଜ୍ୟରେ ଏପରି ରାଲି ଓ ଶୋଭାଯାତ୍ରା ହୋଇଛି । ବିକ୍ଷୋଭ କରିଛନ୍ତି ହଜାର ହଜାର ଆମେରିକାବାସୀ। ସରକାରୀ କର୍ମଚାରୀ ସଂଖ୍ୟା ହ୍ରାସ ଠାରୁ ଆରମ୍ଭ କରି ବାଣିଜ୍ୟ ଶୁଳ୍କ, ନାଗରିକଙ୍କ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରିବା ଆଦି ପ୍ରସଙ୍ଗରେ ଟ୍ରମ୍ପଙ୍କ ନୀତିକୁ ବିରୋଧ କରାଯାଇଛି। ୱାଶିଂଟନ, ନ୍ୟୁୟର୍କ, ହ୍ୟୁଷ୍ଟନ, ଫ୍ଲୋରିଡା, କଲୋରାଡୋ ଏବଂ ଲସ୍ ଆଞ୍ଜେଲସରେ ହୋଇଛି ପ୍ରତିବାଦ। ଏପରିକି ହ୍ଵାଇଟ ହାଉସର ଅଳ୍ପ ଦୂରରେ ଏକ ବିରାଟ ସମାବେଶ କରି ଟ୍ରମ୍ପଙ୍କ ବିରୋଧରେ ଗର୍ଜିଛନ୍ତି ଆମେରିକୀୟମାନେ। ବିଶେଷ କରି ଟ୍ରମ୍ପ ଓ ଏଲନ ମସ୍କଙ୍କୁ ସେମାନେ ଟାର୍ଗେଟ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, ଟ୍ରମ୍ପଙ୍କ ନୀତି ଯୋଗୁଁ ବିଶ୍ଵରେ ଆମେରିକାର ଏକଘରିକିଆ ହେବାର ଆଶଙ୍କା ଦେଖାଦେଲାଣି। ବିଶ୍ଵର ସବୁ ସହଯୋଗୀ ଏବେ ଆମେରିକାର ହାତ ଛାଡ଼ି ଦେଲେଣି। ଟ୍ରମ୍ପ ନିଜକୁ ଆମେରିକାର ରାଜା ବୋଲି ଭାବୁଛନ୍ତି। ଏହା ଆମେ କରାଇ ଦେବୁ ନାହିଁ । ସେମାନେ କହିଛନ୍ତି, ଆମେ ଚୁପ୍ ହୋଇ ବସିବୁ ନାହିଁ କି ଏଠାରୁ ଆମେ ଯିବୁ ନାହିଁ । ୟୁରୋପର କିଛି ସହରରେ ମଧ୍ୟ ଏପରି ବିକ୍ଷୋଭ ଶୋଭାଯାତ୍ରା ହୋଇଛି। ଟ୍ରମ୍ପଙ୍କ ନୀତି ବିଶ୍ଵକୁ ଆର୍ଥିକ ମାନ୍ଦାବସ୍ଥା ଆଡ଼କୁ ଠେଲି ଦେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଶ୍ବଶୁର ଘରକୁ ବୋମା ପକାଇଲା ଜ୍ୱାଇଁ, ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି

କଟକ: କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ମୁସଲିମ ବସ୍ତିରେ ଫୁଟିଲା ବୋମା । ଶ୍ବଶୁର ଘରକୁ ବୋମା ପକାଇଲା ଜ୍ୱାଇଁ । ସୁଲତାନ ମହମ୍ମଦଙ୍କ ଜ୍ୱାଇଁ ଅବଦୁଲ ମନସୁରଙ୍କ ସହ ଦୁଇ ସହଯୋଗୀ ତାଙ୍କ ଘର ଉପରକୁ ବୋମା ପକାଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଅବଦୁଲ ମନସୁର ଓ ତାଙ୍କର ଦୁଇ ସହଯୋଗୀ ବାଇକରେ ଆସି ବୋମା ମାଡ କରିଛନ୍ତି । ବୋମାମାଡରେ ଘରର କବାଟ, ଝରକା ଓ ବିଭିନ୍ନ ଆସବାବପତ୍ର ନଷ୍ଟ ହୋଇଛି । ଏନେଇ ପରିବାର ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଛି । ନରସିଂହପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

 

ସଜେଇ ହୋଇଛି ଅଯୋଧ୍ୟା, ରାମନବମୀରେ ପୁରା ବିଶ୍ବ ଦେଖିବ ରାମଲଲ୍ଲାଙ୍କ ସୂର୍ଯ୍ୟ ତିଳକ

ନନ୍ଦିଘୋଷ ବ୍ୟୁରୋ: ଆଜି ପବିତ୍ର ରାମ ନବମୀ। ପ୍ରଭୁ ଶ୍ରୀରାମ ଲଲ୍ଲାଙ୍କ ଜନ୍ମଦିନ । ଏହି ଅବସରରେ ସଜେଇ ହୋଇଛି ଭଗବାନ୍ ରାମଙ୍କ ନଗରୀ ଅଯୋଧ୍ୟା । ପ୍ରଭୁ ଶ୍ରୀରାମଙ୍କ ଜନ୍ମବାର୍ଷିକୀରେ ଆନନ୍ଦରେ ଝୁମୁଛି ରାମନଗରୀ। ରାମ ମନ୍ଦିର ସହିତ, ଅଯୋଧ୍ୟାର ସମସ୍ତ ମନ୍ଦିରକୁ ଫୁଲରେ ସୁସଜ୍ଜିତ କରାଯାଇଛି । ରାମ ନବମୀ ଉପଲକ୍ଷେ ଆଜି ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି।  ଭକ୍ତମାନେ ଯେପରି ସୁରୁଖୁରୁରେ ରାମଲାଲାଙ୍କ ଦର୍ଶନ କରିପାରିବେ, ସେଥିପାଇଁ ଲାଇନ୍‌ ବ୍ୟବସ୍ଥା କରାଯାଇଛି। ରାମଲଲ୍ଲାଙ୍କ ଜନ୍ମଦିନ ଉତ୍ସବ ସକାଳ ୯:୩୦ରେ ଆରମ୍ଭ ହୋଇଛି  । ସର୍ବପ୍ରଥମେ ରାମ ଲଲ୍ଲାଙ୍କୁ ଅଭିଷେକ କରାଯାଇଛି  । ଏହା ରାମ ମନ୍ଦିରର ଦ୍ୱିତୀୟ ଜନ୍ମବାର୍ଷିକୀ। ସକାଳ ୧୦.୩୦ ରୁ ଗୋଟିଏ ଘଣ୍ଟା ପାଇଁ ପ୍ରଭୁ ରାମଙ୍କୁ ସଜାଯିବ। ଏହା ପରେ ପ୍ରସାଦ ଅର୍ପଣ କରାଯିବ। ରାମ ଲଲ୍ଲାଙ୍କ ଜନ୍ମ ଦିନ ୧୨ଟାରେ ହେବ। ମନ୍ଦିରରେ ପୂଜା-ଆରତୀ-ପ୍ରାର୍ଥନା ଏବଂ ସୂର୍ଯ୍ୟ ତିଳକ କରାଯିବ। ଶନିବାର ଭଗବାନ୍ ରାମଙ୍କୁ ସୂର୍ଯ୍ୟ ତିଲକ କରାଯିବା ପାଇଁ ଟ୍ରାଏଲ୍ କରାଯାଇଥିଲା । ଜନ୍ମବାର୍ଷିକୀର ସିଧା ପ୍ରସାରଣ ମଧ୍ୟ କରାଯିବ। ଅଯୋଧ୍ୟାର ସମସ୍ତ ପ୍ରବେଶ ଦ୍ୱାର ଏବଂ ରାମ ମନ୍ଦିର ସମେତ ସମଗ୍ର ରାମ ଜନ୍ମଭୂମି ପରିସରର ଦୃଶ୍ୟ ଖୁବ୍  ମନୋରମ ଦିଶୁଛି  । ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ ଆଜି ସକାଳେ ପ୍ରଭୁ ରାମଙ୍କର ଅଭିଷେକ କରାଯିବ । ସକାଳ ୯.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ପ୍ରଭୁଙ୍କୁ ସଜ୍ଜିତ କରାଯିବ। ଏହା ପରେ, ପ୍ରସାଦ ବିତରଣ କରାଯିବ। ସେତେବେଳକୁ ଦିନ 12ଟା ବାଜିଯିବ। ଚୈତ୍ର ଶୁକ୍ଳ ନବମୀରେ ମଧ୍ୟାହ୍ନ ୧୨ଟାରେ ପ୍ରଭୁଙ୍କ ଜନ୍ମ ଜୟନ୍ତୀ ପାଳନ କରାଯିବ।

ଚମ୍ପତ ରାୟ କହିଥିଲେ ଯେ ସୂର୍ଯ୍ୟକିରଣ ପ୍ରାୟ ୪ ମିନିଟ୍ ପାଇଁ ରାମଲଲାଙ୍କ କପାଳରେ ପଡ଼ିବ। ଏହା ଟିଭି ଚ୍ୟାନେଲ ମାଧ୍ୟମରେ ସିଧା ପ୍ରସାରଣ କରାଯିବ। ସାରା ବିଶ୍ୱର ରାମ ଭକ୍ତମାନେ ମଧ୍ୟାହ୍ନ ୧୨ଟାରେ  ସୂର୍ଯ୍ୟ ତିଳକ ଦର୍ଶନ କରିପାରିବେ। ଏହି ସମ୍ପୂର୍ଣ୍ଣ ପରୀକ୍ଷଣ ସମ୍ପୂର୍ଣ୍ଣ ବୈଜ୍ଞାନିକ। ISRO ବୈଜ୍ଞାନିକମାନେ ଏହାକୁ ବିକଶିତ କରିଛନ୍ତି।

ଆଜି ପବିତ୍ର ରାମନବମୀ, ଉତ୍ସବମୁଖର ସାରା ଦେଶ

ନନ୍ଦିଘୋଷ ବ୍ୟୁରୋ: ଆଜି ପବିତ୍ର ରାମନବମୀ । ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର ଆରାଧ୍ୟ ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ । ରାମନବମୀକୁ ଧୁମଧାମରେ ପାଳନ ପାଇଁ ସାରା ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମସ୍ଥଳୀ ଅଯୋଧ୍ୟରେ ଆଜି ବିରାଟ ମହୋତ୍ସବର ଆୟୋଜନ ହେଉଛି । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରରୁ ଶ୍ରଦ୍ଧାଳୁଙ୍କ ସମାଗମ ହେବ ।ଏହା ସହିତ ଦିଲ୍ଲୀ, ହରିଦ୍ବାରା, ନାଗପୁର, ଅହମ୍ମଦାବାଦରେ ଥିବା ବିଭିନ୍ନ ରାମ ମନ୍ଦିରରେ ମଧ୍ୟ ଧୁମଧାମରେ ପାଳନ କରାଯାଉଛି ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ। ସେହିପରି ଓଡ଼ିଶାରେ ରାମନବମୀ ଧୁମଧାମରେ ପାଳନ କରାଯାଉଛି । ବିଶେଷକରି ଭୁବନେଶ୍ବର, ଭଦ୍ରକ, ସମ୍ବଲପୁର ଓ ନୟାଗଡ଼ରେ ରାମନବମୀ ପାଳନ ଉପରେ ରହିଛି ସମସ୍ତଙ୍କ ନଜର। ସମ୍ୱେଦନଶୀଳ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ରାମ ନବମୀ ପାଳନ ପାଇଁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଛି।

ଆଇନରେ ପରିଣତ ହେଲା ୱାକଫ ସଂଶୋଧନ ବିଲ୍

ନନ୍ଦିଘୋଷ ବ୍ୟୁରୋ: ଆଇନରେ ପରିଣତ ହେଲା ୱାକଫ ସଂଶୋଧନ ବିଲ୍ ୨୦୨୫ । ଏହି ବିଲ୍ କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି  । ରାଷ୍ଟ୍ରପତିଙ୍କ ଅନୁମୋଦନ ପୂର୍ବରୁ ୱାକଫ ବିଲ୍ ଉଭୟ ଗୃହରେ ଗୃହୀତ ହୋଇଥିଲା । ସରକାର ଏକ ବିଜ୍ଞପ୍ତିରେ କହିଛନ୍ତି, ‘ସଂସଦ ଦ୍ୱାରା ଗୃହୀତ ୱାକଫ ସଂଶୋଧନ ଆଇନ ୫ ଏପ୍ରିଲ,୨୦୨୫ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଛି ଏବଂ ସାଧାରଣ ସୂଚନା ପାଇଁ ଏହା ପ୍ରକାଶିତ ହେଉଛି  ।

ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ପ୍ରବଳ ହଟ୍ଟଗୋଳ ପରେ ଶୁକ୍ରବାର ସକାଳେ ରାଜ୍ୟସଭାରେ ୱାକଫ୍ (ସଂଶୋଧନ) ବିଲ୍ ଗୃହୀତ ହୋଇଥିଲା। ରାଜ୍ୟସଭାରେ ପ୍ରାୟ ୧୪ ଘଣ୍ଟା ଧରି ବିଲ୍ ଉପରେ ଆଲୋଚନା ହୋଇଥିଲା ଏବଂ ସପକ୍ଷରେ ୧୨୮ ଏବଂ ବିପକ୍ଷରେ 95 ଭୋଟ ପଡ଼ିଥିଲା, ଯାହା ପରେ ଏହା ଗୃହୀତ ହୋଇଥିଲା। ପୂର୍ବରୁ, ଲୋକସଭା ପ୍ରାୟ 12 ଘଣ୍ଟାର ବିତର୍କ ପରେ ଏହାକୁ ଅନୁମୋଦନ କରିଥିଲା, ଯେଉଁଥିରେ 288 ଭୋଟ ସପକ୍ଷରେ ଏବଂ 232 ଭୋଟ ବିପକ୍ଷରେ ପଡ଼ିଥିଲା।

ବିରୋଧୀ ଦଳଗୁଡ଼ିକ ପ୍ରତିବାଦ କରିଥିଲେ

ଉଭୟ ଗୃହରେ ବିଲ୍ ଉପରେ ଆଲୋଚନା ସମୟରେ, ବିରୋଧୀ ଦଳଗୁଡ଼ିକ ଦ୍ୱାରା କଡ଼ା ଆପତ୍ତି ଉଠିଥିଲା, ଯେଉଁମାନେ ବିଲ୍‌ଟିକୁ ମୁସଲିମ ବିରୋଧୀ ଏବଂ ଅସାମ୍ବିଧାନିକ ବୋଲି କହିଥିଲେ, ଯେତେବେଳେ ସରକାର ପ୍ରତିକ୍ରିୟା ଦେଇଥିଲେ ଯେ ଏହି ଐତିହାସିକ ସଂସ୍କାର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଲାଭ ଦେବ। ୱାକଫ ସମ୍ପତ୍ତିର ପରିଚାଳନାରେ ସ୍ୱଚ୍ଛତା ସୁନିଶ୍ଚିତ କରାଯିବ।

ସୁପ୍ରିମକୋର୍ଟରେ ୪ଟି ଆବେଦନ ଦାଖଲ

ଶନିବାର ଦିନ, ଏହି ଆଇନର ବ୍ୟବସ୍ଥା କାର୍ଯ୍ୟକାରୀ କରିବା କିମ୍ବା କାର୍ଯ୍ୟକାରୀ କରିବା ଉପରେ ରୋକ ​​ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଆଉ ଦୁଇଟି ଆବେଦନ ଦାଖଲ କରାଯାଇଥିଲା। ଗୋଟିଏ ଆବେଦନ ଦିଲ୍ଲୀର ଆମ ଆଦମୀ ପାର୍ଟିର ବିଧାୟକ ଏବଂ ୱାକଫରେ ଘୋଟାଲା ଏବଂ ଆତ୍ମସାତ ଅଭିଯୋଗରେ ଅଭିଯୁକ୍ତ ଅମାନତୁଲ୍ଲା ଖାନଙ୍କ ଦ୍ୱାରା ଦାଖଲ କରାଯାଇଛି, ଅନ୍ୟଟି ଆବେଦନ ଆସୋସିଏସନ ଫର୍ ଦି ପ୍ରୋଟେକ୍ସନ ଇନ୍ ଦି ମ୍ୟାଟର୍ସ ଅଫ୍ ସିଭିଲ ରାଇଟ୍ସ ନାମକ ଏକ ସଂଗଠନ ଦ୍ୱାରା ଦାଖଲ କରାଯାଇଛି । ଶୁକ୍ରବାର ପୂର୍ବରୁ କଂଗ୍ରେସ ସାଂସଦ ମହମ୍ମଦ ଜାଭେଦ ଏବଂ ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (AIMIM) ଅଧ୍ୟକ୍ଷ ଅସଦୁଦ୍ଦିନ୍ ଓୱେସି ସୁପ୍ରିମକୋର୍ଟରେ ୱାକଫ୍ (ସଂଶୋଧନ) ବିଲ୍‌ର ବୈଧତାକୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ଏହା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରୁଛି।

ଜାଭେଦଙ୍କ ଆବେଦନରେ ଅଭିଯୋଗ ଥିଲା ଯେ ଏହି ବିଲ୍ ୱାକଫ ସମ୍ପତ୍ତି ଏବଂ ସେଗୁଡ଼ିକର ପରିଚାଳନା ଉପରେ ମନଇଚ୍ଛା କଟକଣା ଲାଗୁ କରିଛି, ଯାହା ଦ୍ୱାରା ମୁସଲିମ ସମ୍ପ୍ରଦାୟର ଧାର୍ମିକ ସ୍ୱାୟତ୍ତତାକୁ କ୍ଷୁର୍ଣ୍ଣ କରୁଛି ।