ନନ୍ଦିଘୋଷ ବ୍ୟୁରୋ: ଆସନ୍ତା କାଲି ବିଧାନଭସା ଘେରିବ କଂଗ୍ରେସ । ଏନେଇ ବିଧାନସଭା ନିକଟରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିଛି ପୋଲିସ । ଅପ୍ରିତିକର ପରିସ୍ଥିତି ଏଡାଇବାକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚାରିପଟେ ଛାଉଣି ହୋଇଛନ୍ତି ପୋଲିସ କର୍ମଚାରୀ । ମହିଳା ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ଯେଉଁ ଆନ୍ଦୋଳନ ଜାରି ରଖିଛି ତାକୁ ପ୍ରତିହତ କରିବାକୁ ବିଜେପି ଯେଉଁ ଉଦ୍ୟମ କରିଛି ଆସନ୍ତାକାଲି ଲୋକେ ଏହାର ଜବାବ ଦେବେ ବୋଲି ପିସିସି ସଭାପତି ଓ ବରିଷ୍ଠ କଂଗ୍ରେସ ନେତାମାନେ କହିଥିଲେ । ଆସନ୍ତାକାଲି ରାଜ୍ୟରୁ ହଜାର ହଜାର ଲୋକେ ବିଧାନସଭା ଘେରାଉ କରିବେ ବୋଲି କହିଛି କଂଗ୍ରେସ । ରାମମନ୍ଦିର ନିକଟରୁ କଂଗ୍ରେସର ଏହି ଶୋଭାଯାତ୍ରା ବାହାରିବା ସହ ବିଧାନସଭା ଆଡ଼କୁ ଆସିବେ । ଆଗରେ ମହିଳାମାନେ ରହିବା ସହ କଂଗ୍ରେସ ନେତା ଓ ବିଧାୟକ ମାନେ ମଝିରେ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ୩୦ ହଜାର ଲୋକେ ଏହି ବିଧାନସଭା ଘେରାଉରେ ସାମିଲ ହେବେ ବୋଲି ଆଶା କରାଯାଉଥିଲେ ମଧ୍ୟ ବିଜେପିର ଆକ୍ରୋଶମୂଳକ ପଦକ୍ଷେପ ପରେ ସଂଖ୍ୟା ୫୦ ହଜାର ଟପିବ ବୋଲି କୁହାଯାଇଛି । ବିଧାନସଭାରେ ଯେଭଳି ଦୃଷ୍ଟାନ୍ତ ସୃଷ୍ଟି ହେଲା ତାହା କେବେ ହୋଇ ନ ଥିଲା ।
କାହା ନିର୍ଦ୍ଦେଶରେ ଗୃହରେ ପଶି ପୋଲିସର ଦମନଲୀଳା ?
ନନ୍ଦିଘୋଷ ବ୍ୟୁରୋ: ଗୃହରେ ପୋଲିସ ପ୍ରବେଶ କରିଥିବାରୁ ନିଜ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ ବିଜେଡି ସଦସ୍ୟ। ବିବୃତି ଦାବି କରି ସେମାନେ କକ୍ଷତ୍ୟାଗ କରିଥିଲେ। ପରେ ବିବୃତି ରଖିବାକୁ ରାଜି ହୋଇଥିଲେ ବାଚସ୍ପତି। ବିଜେଡି ସଦସ୍ୟଙ୍କୁ ଗୃହ ଭିତରକୁ ଫେରାଇ ଆଣିବାକୁ ସେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକଙ୍କୁ ପଠାଇଥିଲେ। ଗତକାଲିର ଘଟଣାରେ ଗୃହରେ ବିବୃତି ରଖି ବାଚସ୍ପତି କହିଥିଲେ, ୭ ମାର୍ଚ୍ଚ ୨୦୨୫ରୁ ୨୫ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ବିରୋଧୀ ଦଳର କିଛି ସଦସ୍ୟ ହଟ୍ଟଗୋଳ କରିବାରୁ ବିଧାନସଭା ଚାଲିପାରୁନାହିଁ। ଜାଣଶୁଣି ଗୃହକୁ ବନ୍ଦ କରୁଥିଲେ ସେମାନେ। ଗୃହ ସମସ୍ତଙ୍କର । ବିଶୃଙ୍ଖଳା ଆଚରଣ ଯୋଗୁଁ ବିଧାୟକଙ୍କୁ ନିଲମ୍ବିତ କରାଯାଇଥିଲା। ନିଲମ୍ବନ ପରେ ମଧ୍ୟ ବିଧାୟକମାନେ ଗୃହ ଛାଡ଼ି ନ ଥିଲେ। ବିଧାୟକଙ୍କ ସୁରକ୍ଷା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି ।
ନିଲମ୍ବିତ ବିଧାୟକମାନେ ମାର୍ଶାଲ ଓ ସୁରକ୍ଷାକର୍ମୀଙ୍କୁ ମାଡ ମାରିଥିଲେ ବୋଲି କହିଥିଲେ ବାଚସ୍ପତି। ବାଚସ୍ପତିଙ୍କ ବିବୃତି ଉପରେ ମତ ରଖି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, କାଲି ଯାହା ହେଲା, ତାହା ଗଣମାଧ୍ୟମରେ ପ୍ରସାରିତ ହୋଇଛି। କଂଗ୍ରେସ ବିଧାୟକମାନେ ଅଭିଯୋଗ କରିଛନ୍ତି, ସେମାନଙ୍କ ପ୍ରତି ଅତି କଦର୍ଯ୍ୟ ବ୍ୟବହାର କରାଯାଇଛି। ଆଜି ବିଜେଡି ବିଧାୟକମାନେ ପ୍ରତିବାଦ କରି ବାହାରକୁ ଯାଇ ସମ୍ବିଧାନର ପ୍ରଣେତାଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିବାକୁ ଯାଉଥିଲେ। ହେଲେ ଗେଟ୍ ରେ ପୋଲିସ ଆମକୁ ଅଟକାଇଥିଲା, ଛାଡ଼ି ନ ଥିଲା । କିପରି ପ୍ରଶାସନ ଚାଲିଛି। ପୋଲିସ କାହିଁକି ବିଜେଡି ବିଧାୟକଙ୍କୁ ଅଟକାଇଲା, ବାଚସ୍ପତି ତାର ଉତ୍ତର ଦେଲେ ନାହିଁ। ବାଚସ୍ପତିଙ୍କ ବିବୃତିରେ ଅସନ୍ତୋଷ ପ୍ରକାଶ କରି ବିଜେଡି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ।
ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି, ଶୃଙ୍ଖଳିତ ଭାବେ ସମ୍ପାଦନ କରିବାକୁ ଯୁବ ଓ ଅଭିଜ୍ଞ ଦଇତାପତିଙ୍କ ମଧ୍ୟରେ ସମନ୍ବୟ
ନନ୍ଦିଘୋଷ ବ୍ୟୁରୋ: ଚଳିତବର୍ଷ ଶୃଙ୍ଖଳିତ ଭାବେ ଶେଷ ହେବ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଯୁବ ଓ ଅଭିଜ୍ଞ ଦଇତାପତିଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ରକ୍ଷା କରାଯାଇ କାର୍ଯ୍ୟ କରାଯିବାକୁ ଲକ୍ଷ୍ୟ ରଖିଥିବା ଦଇତାପତି ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି । ଦଇତାପତି ନିଯୋଗର ନବ ନିର୍ବାଚିତ ସଦସ୍ୟ ଓ ଅଧିକାରୀ ମାନେ ଏହି ସୂଚନା ପ୍ରଦାନ କରିଛନ୍ତି। ଗତବର୍ଷ ଆଡ଼ପ ପହଣ୍ଡି ବେଳେ ପ୍ରଭୁ ବଳଭଦ୍ର ତାଳଧ୍ଵଜ ରଥରୁ ଖସି ପଡିବା ଘଟଣାରୁ ଦଇତାପତି ମାନେ ଅନେକ ଶିକ୍ଷା ଲାଭ କରିଥିବା ବେଳେ ସେହି ତ୍ରୁଟିର ପୁନରାବୃତ୍ତି ଯେପରି ନ ହୁଏ ସେ ଦିଗରେ ନିଯୋଗ ସମସ୍ତ ଯୁବ ଓ ଅଭିଜ୍ଞ ଦଇତାପତିଙ୍କ ସମନ୍ଵୟ ରକ୍ଷା କରି ପହଣ୍ଡି ନୀତି ଶେଷ କରିବାକୁ ଚଳିତ ବର୍ଷ ଗୁରୁତ୍ବ ଦିଆଯିବ। ଦଇତାପତିଙ୍କ ସେବା ଏକ ଗୋଷ୍ଠୀଗତ ସେବା ।
ଏନେଇ ସବୁ ଦଇତାପତିଙ୍କ ମଧ୍ୟରେ ଉଚିତ୍ ବୁଝାମଣା ରଖି ମହାପ୍ରଭୁଙ୍କ ସେବା କରିବା ନେଇ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟନିର୍ବାହୀ କମିଟିକୁ ଆସିଥିବା ଦଇତାପତି ମାନେ କାର୍ଯ୍ୟ କରିବେ । ନିର୍ବାଚିତ ୧୫ ସଦସ୍ୟଙ୍କ ମଧ୍ୟରୁ ରାମକୃଷ୍ଣ ଦାସ ମହାପାତ୍ର ସମ୍ପାଦକ ମନୋନୀତ ହୋଇଥିବା ବେଳେ ଗଣେଶ ଦାସ ମହାପାତ୍ର ସଭାପତି ହୋଇଛନ୍ତି।ତେବେ ଦଇତାପତି ନିଯୋଗର ସମସ୍ୟା,ସୁରୁଖୁରୁରରେ ନୀତି ସଂପାଦନ ନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହ ଆଲଚନା କରାଯିବ ବୋଲି ଦଇତାପତି ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି।ନିଯୋଗର ଉପ ସଭାପତି ଭାବେ ଗଣପତି ଦାସ ମହାପାତ୍ର,ସହ ସମ୍ପାଦକ ଭାବେ ଜଗବନ୍ଧୁ ଦାସ ମହାପାତ୍ର,କୋଷାଧ୍ୟକ୍ଷ ଭାବେ କାର୍ତ୍ତିକ ଦାସ ମହାପାତ୍ର ଆଗାମୀ ତିନି ବର୍ଷ ପାଇଁ କାର୍ଯ୍ୟଭାର ସମ୍ଭାଳିବେ ବୋଲି ଜଣାପଡିଅଛି।

