ନନ୍ଦିଘୋଷ ବ୍ୟୁରୋ: ନେପାଳରେ ବଢୁଛି ରାଜା ଶାସନ ପ୍ରତି ଆଗ୍ରହ । ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ରାଜତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ । ଦେଶରେ ଅର୍ଥନୈତିକ ଅସ୍ଥିରତା ଓ ବର୍ତ୍ତମାନର ନେତାଙ୍କ ଉପରେ ଲୋକଙ୍କ ବିଶ୍ବାସର ଅଭାବକୁ କେନ୍ଦ୍ର କରି ଦେଶରେ ବଢୁଛି ଅସନ୍ତୋଷ । ଗତମାସଠାରୁ ଦେଶର ଅନେକ ସ୍ଥାନରେ ଜାରି ରହିଛି ବିକ୍ଷୋଭ । ସେପଟେ ରାଜତନ୍ତ୍ର ସପକ୍ଷବାଦୀ ଦଳ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ବା ଆରପିପି ଅଧ୍ୟକ୍ଷ ରାଜେନ୍ଦ୍ର ଲିଙ୍ଗଦେନ କହିଛନ୍ତି- ରାଜା ହେଉଛନ୍ତି ଜାତୀୟତାବାଦ ଓ ଗର୍ବର ପ୍ରତୀକ । ୨୦୧୭ରେ ଆରପିପି ଗୋଟିଏ ସାଂସଦ ପଦ ଜିଣିଥିବାବେଳେ ୨୦୨୨ ନିର୍ବାଚନରେ ଦଳ ୧୪ ଆସନ ହାତେଇବାରେ ସଫଳ ହୋଇଥିଲା । ରାଜତନ୍ତ୍ର ସପକ୍ଷରେ ଓ ହିନ୍ଦୁତ୍ବବାଦୀ ଆଭିମୁଖ୍ୟ ନେଇଥିବାରୁ ଦଳର ବିଶେଷ ସଫଳତା ହାସଲ କରିଥିଲା । ରାଜା ବୀରେନ୍ଦ୍ର ବୀର ବିକ୍ରମ ଶାହ ଓ ପରିବାରର ସଦସ୍ୟଙ୍କୁ ହତ୍ୟା କରାଯିବା ପରେ ୨୦୦୧ରେ ଭାଇ ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ରାଜା ହୋଇଥିଲେ । ୨୦୦୫ରେ ଜ୍ଞାନେନ୍ଦ୍ର ସମ୍ବିଧାନକୁ ରଦ୍ଦ କରିଥିଲେ ଏବଂ ପାର୍ଲାମେଣ୍ଟ ଭଙ୍ଗ କରିଥିଲେ । ଏହାକୁ ନେଇ ଦେଶରେ ମାଓବାଦୀମାନେ ଉତ୍ତ୍ୟକ୍ତ ହୋଇଥିଲେ । ଶେଷରେ ୨୦୦୮ରେ ନେପାଳରେ ୨୪୦ ବର୍ଷର ହିନ୍ଦୁ ରାଜତ୍ବର ଅବସାନ ହୋଇ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା ।
କାଲି ଓଡ଼ିଶାରେ ଶୁଭାରମ୍ଭ ହେବ ଆୟୁଷ୍ନାନ ଭାରତ-ଗୋପବନ୍ଧୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ଆସନ୍ତାକାଲି ଶୁଭାରମ୍ଭ ହେବ ଆୟୁଷ୍ନାନ ଭାରତ-ଗୋପବନ୍ଧୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଏଥି ସହିତ ୭୦ ବର୍ଷରୁ ଅଧିକ ବୟସର ନାଗରିକଙ୍କ ପାଇଁ ବୟୋବନ୍ଦନା କାର୍ଡ ମଧ୍ୟ ଲାଗୁ କରାଯିବ । ଏସବୁ ଯୋଜନାର ଶୁଭାରମ୍ଭ ପାଇଁ କଟକ ତଳ ବାଲିଯାତ୍ରା ପଡ଼ିଆରେ ଏକ ବିରାଟ ଜନସଭାର ଆୟୋଜନ କରାଯାଇଛି ।
ଅପରାହ୍ନ ୨ଟାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ । ଏହି ସଭାରେ ୨୦ ହଜାରରୁ ଅଧିକ ହିତାଧିକାରୀ ଯୋଗ ଦେବେ । ଏନେଇ ଆଜି ବାଲିଯାତ୍ରା ପଡିଆରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । କଟକ ଜିଲ୍ଲାପାଳ ଏବଂ ଡିସିପିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।
ଲିଙ୍ଗିପୁର ସ୍ନେହା ବେହେରା ହତ୍ୟାକାଣ୍ଡର ପର୍ଦ୍ଦାଫାସ, ସୈତାନ ସିକ୍ୟୁରିଟି ଗାର୍ଡର ସାଂଘାତିକ କାରନାମା
ନନ୍ଦିଘୋଷ ବ୍ୟୁରୋ: ପ୍ରେମର କରୁଣ ପରିଣତି । ପ୍ରେମିକ ସାଜିଲା ଖୁନି ଆସାମୀ । ମାରିଲା ପରେ ମୃତଦେହକୁ ଲିଙ୍ଗିପୁର ଦୟା ନଦୀ କୂଳରେ ଫିଙ୍ଗିଲା । ଦୁଇ ମାସରୁ ଅଧିକ ସମୟର ତନାଘନା ପରେ ଧରାହେଲା ଜହ୍ଲାଦ । ଅଭିଯୁକ୍ତକୁ ନେଇ ସିନ ରିକ୍ରିଏସନ କଲା ଖଣ୍ଡଗିରି ଥାନା ପୋଲିସ ।
ସୈତାନ ସିକ୍ୟୁରିଟି ଗାର୍ଡର ସାଙ୍ଘାତିକ କାରନାମା । ସ୍ନେହାର ସ୍ନେହ ଟିକିଏ ମିଳିଲାନି ବୋଲି ଚିପି ଦେଲା ତଣ୍ଟି । ଅଡୁଆ ସୂତାରୁ ଖିଅ କାଢ଼ିଲେ ଖଣ୍ଡଗିରି ଆଇଆଇସି । କାହାଣୀଟି ଯେତିକି ସଙ୍ଗୀନ, ପୋଲିସ ପାଇଁ ମଧ୍ୟ ଥିଲା ସେତିକି ଚ୍ୟାଲେଞ୍ଜିଙ୍ଗ । ପ୍ରଥମେ ଅପମୃତ୍ୟୁ ମାମଲା, ତଦନ୍ତ ପରେ ଜଣାପଡ଼ିଲା ଯୋଜନା ବଦ୍ଧ ହତ୍ୟାକାଣ୍ଡ । ଜାନୁଆରୀ ୨୮ ତାରିଖରେ ଧଉଳି ଥାନା ଲିଙ୍ଗିପୁର ମେଳନ ପଡିଆ ନିକଟରୁ ମିଳିଥିଲା ଗଳିତ ମୃତଦେହ । ସାଇଣ୍ଟିଫିକ ଟିମ ଯାଇ ସରଜମିନ ତଦନ୍ତ କରିଥିଲା । ପରେ ଗଳିତ ମୃତଦେହର ପରିଚୟ ଜାଣିବା ପାଇଁ ତନାଘନା ଚାଲିଥିଲା । ସବୁ ଥାନାକୁ ପରିଚୟ ଖୋଜିବାକୁ କୁହାଯାଇଥିଲା । ଜାନୁଆରୀ ୧୦ରେ ଖଣ୍ଡଗିରି ଥାନାରେ ଏକ ମିସିଙ୍ଗ ରିପୋର୍ଟ ହୋଇଥିଲା । ପରିବାର ଲୋକଙ୍କୁ ଯୋଗାଯୋଗ ପରେ ବି ଚିହ୍ନଟ କରିବା ମୁସ୍କିଲ ଥିଲା । ସ୍ନେହା ବେହେରା ନିଖୋଜ ନେଇ, ରିପୋର୍ଟ କରିଥିଲେ ତାଙ୍କ ଭଉଣୀ । ସ୍ନେହାଙ୍କ ଘର କନ୍ଧମାଳ । ସେ ବରମୁଣ୍ଡା ରୁଚିକା ମାର୍କେଟ ନିକଟରେ ରହୁଥିଲେ । ମୋବାଇଲ ନମ୍ବରରୁ ଖୋଳତାଡ଼ ପରେ ଜଣାପଡିଲା ଯେ, ସେ ଜଣେ ସିକ୍ୟୁରିଟି ଗାର୍ଡ ସହ ପ୍ରେମ ସମ୍ପର୍କରେ ଥିଲେ । ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ଚନ୍ଦନ ପରିଡା ସହ ସେହିଦିନ ଧଉଳି ବୁଲିବାକୁ ଯାଇଥିଲେ ମୃତ ଯୁବତୀ ସ୍ନେହା ବେହେରା ।
ତଥ୍ୟ ପ୍ରମାଣ ଏକାଠି କରିବା ପରେ, ପ୍ରେମ ସମ୍ପର୍କ ପଦାକୁ ଆସିଥିଲା । ଆଉ ପ୍ରେମ ଯେ ପାପରେ ପରିଣତ ହୋଇଥିଲା, ସେ ନେଇ ପର୍ଦ୍ଦାଫାସ ମଧ୍ୟ କରିଥିଲା ଖଣ୍ଡଗିରି ଥାନା ପୋଲିସ । ଅଭିଯୁକ୍ତ ତଣ୍ଟି ଚିପି ହତ୍ୟା କରିବା ପରେ, ସେହି ସ୍ଥାନ ଛାଡି ପଳେଇବା ସହ ଚାକିରି ଛାଡି ଫେରାର ଥିଲା । ଠିକ ଏହି ସମୟରେ ତଦନ୍ତକୁ ବାଟବଣା କରିବା ପାଇଁ ମୃତଦେହ ପାଖରେ ଚନ୍ଦନପୁର ଥାନା ଅଞ୍ଚଳର ମିଟୁ ପରିଡ଼ା ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ପରିଶୋଧ ନେବାକୁ ଯାଇ ରମେଶ ନାମକ ଜଣେ ବ୍ୟକ୍ତିର ଆଧାର କାର୍ଡ ଓ ଏକ ମିଛ ସୁଇସାଇଟ ନୋଟ କ୍ରାଇମସିନରେ ଫୋପାଡ଼ି ଦେଇଥିଲା । ମିଟୁ ବିବାହ କରିବାକୁ ଚାଁହୁଥିବା ଯୁବତୀଙ୍କୁ ରମେଶ ବିବାହ କରିବାରୁ ଏହି ରାଗ ସୁଝାଇବାକୁ ଷଡ଼ଯନ୍ତ୍ର କରିଥିବା ପୁଲିସ ଜାଣିବାକୁ ପାଇଥିଲା ।
ଲିଙ୍ଗିପୁର ନଦୀପଠାର ସେହି ପରିତ୍ୟକ୍ତ ସ୍ଥାନ ପାଖକୁ ଅଭିଯୁକ୍ତ ଚନ୍ଦନ ପରିଡା ଓରଫ ମଙ୍ଗୁକୁ ନେଇ ସିନ ରିକ୍ରିଏସନ କରାଯାଇଛି । ଅଭିଯୁକ୍ତକୁ ଜେଲ ପଠାଇବା ପୂର୍ବରୁ ଜଗତସିଂହପୁର କୁଜଙ୍ଗ ଥାନାରେ ତା ନାଁରେ ଆହୁରି ୨ଟି ସଙ୍ଗୀନ ମାମଲା ଥିବା ଜାଣିବାକୁ ପାଇଛି ପୋଲିସ ।
ଚୈତ୍ର ପର୍ବ: ମାଆ ତାରିଣୀ ଓ ମାଆ ମଝି ଘରିଆଣିଙ୍କ ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼
ରାୟଗଡ଼ା: କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀ ଏବଂ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ପାଖରେ ଆରମ୍ଭ ହୋଇ ସାରିଛି ଚୈତ୍ର ପର୍ବ । ଦୁଇ ପୀଠରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ । ମାଆଙ୍କ ସୁନା ବେଶ ଦେଖିବା ପାଇଁ ମନ୍ଦିରରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଯାତ୍ରା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥଇବା ବେଳେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଆଜି ମାଆ ତାରିଙ୍କ ଚୈତ୍ର ପର୍ବର ଦ୍ବିତୀୟ ଦିନ । ମାଆଙ୍କ ମାଜଣା, ମହାସ୍ନାନ, ବଡ଼ ସିଂହାର ବେଶ ପରେ ରୀତିକାନ୍ତିରେ ଷୋଡ଼ଶ ଉପଚାର ପୂଜା ହୋଇଥିଲା । ଏହାପରେ ସୁନା ବେଶରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମାଆ ତାରିଣୀ । ୧୯୩୬ ମସିହାରୁ ମାଆଙ୍କ ଏହି ଚଇତି ପର୍ବ ମହା ଆଡ଼ମ୍ବରରେ ପାଳିତ ହୋଇଆସୁଛି । ସାତଦିନ ଦିନ ବ୍ୟାପୀ ପାଳିତ ଏହି ପର୍ବରେ ଧାଡ଼ିରେ ଆସି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମାଆଙ୍କ ସୁନାବେଶ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସେପଟେ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ଚୈତ୍ର ପର୍ବ ଆରମ୍ଭ ହୋଇଛି । ୫ ଦିନ ହେବ ମାଆ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମାଆଙ୍କ ଦର୍ଶନ ପାଇଁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଓ ଛତିଶଗଡ଼ ରାଜ୍ୟରୁ ଭକ୍ତଙ୍କ ଭିଡ଼ ଜମୁଛି । ମାଆଙ୍କ ନିକଟରେ ଶ୍ରଦ୍ଧାଳୁ ଛେଳି, କୁକୁଡ଼ା ବଳି ଦେଉଥିବା ବେଳେ ମାନସିକଧାରୀ ମୁଣ୍ଡନ କରାଉଛନ୍ତି । ମାଆଙ୍କ ଏହି ପର୍ବ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଶେଷ ଦିନରେ ପୂଜକ କଣ୍ଟା ଦୋଳିରେ ଝୁଲିବା ସହ ନିଆଁରେ ଚାଲିବେ । ଏହାସହ ଚରୁ ବିତରଣ କରାଯିବ । ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ରହଣି ନିମନ୍ତେ ଅସ୍ଥାୟୀ ଶିବିର, ମାଗଣା ଅନ୍ନପ୍ରସାଦର ବ୍ୟବସ୍ଥା ହୋଇଛି । ରେଳ ଷ୍ଟେସନରୁ ବସ ଷ୍ଟାଣ୍ଡରୁ ନେବା ଆଣିବା ପାଇଁ ମାଗଣା ବସ୍ ସେବା ବ୍ୟବସ୍ଥା ହୋଇଛି ।

