spot_img
Home Blog Page 935

ରିଲିଫ୍ କ୍ୟାମ୍ପରୁ ମିଳିଲା ୯ ବର୍ଷର ଝିଅର ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ନନ୍ଦିଘୋଷ ବ୍ୟୁରୋ : ଶୁକ୍ରବାର ଦିନ ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାର ଏକ ରିଲିଫ୍ କ୍ୟାମ୍ପରେ ଜଣେ ନଅ ବର୍ଷର ଝିଅର ମୃତଦେହ ମିଳିଛି। ଅଧିକାରୀମାନେ କହିଛନ୍ତି ଯେ ଝିଅଟି ସନ୍ଧ୍ୟାରୁ ନିଖୋଜ ଥିଲା, ଯାହା ପରେ ତାଙ୍କ ପରିବାର ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ରାତିରେ ରିଲିଫ୍ କ୍ୟାମ୍ପ ପରିସରରେ ଝିଅଟିର ମୃତଦେହ ମିଳିଥିଲା । ଯାହା ପରେ ପ୍ରଶାସନକୁ ଖବର ଦିଆଯାଇଥିଲା। ଅଧିକାରୀମାନଙ୍କ ଅନୁସାରେ, ଶରୀରରେ ଅନେକ ଆଘାତ ଚିହ୍ନ ମିଳିଛି। ପ୍ରାଥମିକ ତଦନ୍ତରେ ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ଏକ ମାମଲା ରୁଜୁ କରିଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗୁରୁବାର ସନ୍ଧ୍ୟା ପ୍ରାୟ ୬:୩୦ ରୁ ଝିଅଟି ନିଖୋଜ ଥିଲା। ପରିବାର ଏବଂ ଆଖପାଖର ଲୋକମାନେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ବିଳମ୍ବିତ ରାତିରେ ତାଙ୍କ ମୃତଦେହ ମିଳିଥିଲା। ବର୍ତ୍ତମାନ, ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ତଦନ୍ତ ଜାରି ରହିଛି। କିନ୍ତୁ ଏହା ମଧ୍ୟରେ ଅନେକ ସଂଗଠନ ଏହାକୁ ଷଡ଼ଯନ୍ତ୍ର ଦ୍ୱାରା ହତ୍ୟା କରାଯାଇଥିବା କହିବର ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଝିଅଟିର ବାପାମାଆ ଏହାକୁ ସ୍ପଷ୍ଟ ଭାବରେ ହତ୍ୟା ବୋଲି କହିଛନ୍ତି। ଜୋମି ମଦର୍ସ ଆସୋସିଏସନ୍ ଏବଂ ୟଙ୍ଗ ଭାଇଫେଇ ଆସୋସିଏସନ୍ ଭଳି ସଂଗଠନ ମଧ୍ୟ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି  । ଏବେ ରିଲିଫ୍ କ୍ୟାମ୍ପରେ ରହୁଥିବା ପିଲାମାନଙ୍କ ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନ ଉଠିଛି।

ଲଦାଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ଯବାନ ସହିଦ

ଲଦାଖ: କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ଲେହ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ସେନା ଯବାନ ସହିଦ ହୋଇଛନ୍ତି। ଶନିବାର ଲଦାଖରେ ଦେଶ ସେବା କରିବା ସମୟରେ ପ୍ରାଣବଳି ଦେଇଥିବା ସୈନିକମାନଙ୍କୁ ହାବଲଦାର କିଶୋର ବାରା ଏବଂ ସିପାହୀ ସୂରଜ କୁମାର ଭାବରେ ଚିହ୍ନଟ କରାଯାଇଛି। ଏହି ସହିଦମାନଙ୍କ ପାର୍ଥିବ ଶରୀରକୁ ସାମରିକ ସମ୍ମାନ ସହିତ ଲେହରୁ ସେମାନଙ୍କ ଘରକୁ ପଠାଯାଉଛି। ଲଦାଖର ସୁରକ୍ଷା ପାଇଁ ଦାୟୀ ସେନାର ଫାୟାର ଆଣ୍ଡ ଫ୍ୟୁରି କୋର୍ପସ ସୈନିକଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛି।

ଶୁକ୍ରବାର ଦିନ ଖ୍ରୀଷ୍ଟମାସ ଦିବସରେ ସୈନିକମାନଙ୍କ ବଳିଦାନ ଏବଂ ଦେଶ ପ୍ରତି ସେମାନଙ୍କ ଅବଦାନକୁ ସଲାମ କରିଛନ୍ତି କୋର୍ପସ କମାଣ୍ଡର। ସେ କୋରସର ଅଧିକାରୀ ଏବଂ ଜବାନମାନଙ୍କ ପକ୍ଷରୁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସେହି ସମୟରେ, ସେନାର ଉତ୍ତର କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ ଇନ୍ ଚିଫ୍, ଲେଫ୍ଟନାଣ୍ଟ ଜେନେରାଲ ଏମଭି ସୁଚିନ୍ଦ୍ର କୁମାର ମଧ୍ୟ ନିଜ ଜୀବନ ବଳିଦାନ ଦେଇଥିବା ସୈନିକଙ୍କ ସାହସିକତାର ପ୍ରଶଂସା କରିଥିଲେ।

ଆଜି କର୍ଣ୍ଣାଟକ ବନ୍ଦ, କ’ଣ ଖୋଲା ରହିବ ଓ କେଉଁଠି ଝୁଲିବ ତାଲା?

ବେଙ୍ଗାଲୁରୁ : ଆଜି କର୍ଣ୍ଣାଟକରେ ବନ୍ଦ ଘୋଷଣା କରାଯାଇଛି। ବେଲାଗାଭିରେ ଜଣେ ବସ୍ କଣ୍ଡକ୍ଟରଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦରେ ଅନେକ କନ୍ନଡ ସମର୍ଥକ ଗୋଷ୍ଠୀ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଣ୍ଣାଟକରେ ବନ୍ଦ ଡାକରା ଦେଇଛନ୍ତି। କର୍ଣ୍ଣାଟକ ରାଜ୍ୟ ସଡ଼କ ପରିବହନ ନିଗମର କଣ୍ଡକ୍ଟରଙ୍କୁ ମରାଠୀ ନ କହିବାରୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଭାଷାଗତ ସମ୍ପ୍ରଦାୟ ମଧ୍ୟରେ ଭେଦଭାବକୁ ନେଇ ରାଜ୍ୟରେ ବ୍ୟାପକ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ସମୟରେ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର କହିଛନ୍ତି ଯେ ସିଦ୍ଧରମୈୟାଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ବନ୍ଦକୁ ସମର୍ଥନ କରିବ ନାହିଁ। ସେ କହିଛନ୍ତି ଯେ ଆମେ ସେମାନଙ୍କୁ ବୁଝାଇବୁ ଯେ ଏହା ସଠିକ୍ ପଦକ୍ଷେପ ନୁହେଁ, କାରଣ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କୁ ଏହା ପ୍ରଭାବିତ କରିବ ।

ବେଲାଗାଭି ଏବଂ ରାଜ୍ୟର ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ପ୍ରତିଦିନ ଯାତାୟତ କରୁଥିବା ଲୋକ ଓ ଛାତ୍ରଛାତ୍ରୀମାନଙ୍କୁ ସତର୍କ କରାଯାଇଛି ଯେ ବନ୍ଦ ସେମାନଙ୍କ ସାଧାରଣ ଦିନଚର୍ଯ୍ୟାକୁ ପ୍ରଭାବିତ କରିପାରେ। ବିଶେଷକରି ଏଠାରେ ଘରୋଇ ଯାନବାହାନ ଚଳାଚଳ, ଅଟୋ-ବସ୍ ଚଳାଚଳ ବନ୍ଦ ରହିବ। ମଲ୍ ଏବଂ ମଲ୍ଟିପ୍ଲେକ୍ସ ବନ୍ଦ ରହିବ। କିଛି ଘରୋଇ କାର୍ଯ୍ୟାଳୟ ମଧ୍ୟ ତାଲା ପଡ଼ିବ। ଏହା ସହ ସିନେମା ହଲଗୁଡ଼ିକ ବନ୍ଦ ରହିବ। ପରୀକ୍ଷା ଯୋଗୁଁ କିଛି ଛାତ୍ରଛାତ୍ରୀ ସ୍କୁଲ ଯିବେ । ରାଜ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିବ।

କର୍ଣ୍ଣାଟକ ବନ୍ଦର କାରଣ କ’ଣ ଥିଲା?

ଗତ ମାସରେ, ବେଲାଗାଭିରୁ ବାଲେକୁଣ୍ଡ୍ରି ଯାଉଥିବା ଏକ ବସ୍‌ର ଜଣେ କେଏସଆରଟିସି କଣ୍ଡକ୍ଟରଙ୍କୁ ମରାଠୀ ସମର୍ଥକ ସଂଗଠନଗୁଡ଼ିକ ସହିତ ଜଡିତ ଲୋକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା  । କାରଣ ସେ ସେମାନଙ୍କ ଭାଷା କହୁନଥିଲେ। ଏହି ଘଟଣା ପରେ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ମଧ୍ୟରେ ଆନ୍ତଃରାଜ୍ୟ ବସ୍ ସେବା ବନ୍ଦ କରିଦିଆଯାଇଥିଲା। କଣ୍ଡକ୍ଟରଙ୍କ ଉପରେ ଆକ୍ରମଣ ଦୁଇ ରାଜ୍ୟ ମଧ୍ୟରେ ଭାଷା ବିବାଦର ଦୀର୍ଘ ଇତିହାସ ଉପରେ ପୁଣି ଥରେ ବିତର୍କ ଆରମ୍ଭ କରିଛି। କନ୍ନଡ ଓକ୍କୁଟା ନାମକ ଅନେକ କନ୍ନଡ ସମର୍ଥକ ସଂଗଠନର ଏକ ମେଣ୍ଟ ଦ୍ୱାରା ଏହି ବନ୍ଦ ଆୟୋଜନ କରାଯାଇଛି। ସେହି ଅଞ୍ଚଳରେ ହିଂସାକୁ ଉସକାଇବା ଏବଂ ସାମ୍ପ୍ରଦାୟିକ ସଦ୍ଭାବନାକୁ ବିପର୍ଯ୍ୟସ୍ତ କରିବା ପାଇଁ ମରାଠୀ ସମର୍ଥକ କର୍ମୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ସେ ମରାଠୀ ସମର୍ଥକ ସଂଗଠନଗୁଡ଼ିକୁ ନିଷିଦ୍ଧ କରିବା ବିଷୟରେ ମଧ୍ୟ କହିଛନ୍ତି।

ଆଜିଠୁ ଆରମ୍ଭ ହେଉଛି ଆଇପିଏଲର ଅଷ୍ଟାଦଶ ସଂସ୍କରଣ

ଭୁବନେଶ୍ବର : ଆଜିଠୁ ଆରମ୍ଭ ହେଉଛି ଆଇପିଏଲ୍‌। ଏହା ହେଉଛି ଅଷ୍ଟାଦଶ ସଂସ୍କରଣ। ଏହାକୁ ନେଇ କ୍ରିକେଟ୍‌ ଜଗତରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଛି।  ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ୍ ଖେଳାଯିବ କୋଲକାତାରେ। କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ଏହି ମ୍ୟାଚ। ଆଇପିଏଲର ଚଳିତ ସିଜିନରେ ୧୦ଟି ଟିମ୍ ଭାଗ ନେବା ସହ ମୋଟ ୭୫ଟି ମ୍ୟାଚ ଖେଳାଯିବ। ୬୫ ଦିନ ଧରି ଚାଲିବ ଟୁର୍ଣ୍ଣାମେଣ୍ଟ। ସମସ୍ତ ମ୍ୟାଚ୍ ଭାରତର ୧୩ଟି ଭେନ୍ୟୁରେ ଖେଳାଯିବ। ୬୨ଟି ମ୍ୟାଚ୍ ସନ୍ଧ୍ୟା ସମୟରେ ଏବଂ ୧୨ଟି ମ୍ୟାଚ୍ ଅପରାହ୍ଣରେ ଖେଳାଯିବା ନେଇ ଧାର୍ୟ୍ୟ ହୋଇଛି । ଅପରାହ୍ଣରେ ଖେଳାଯିବାକୁ ଥିବା ମ୍ୟାଚ୍ ୩.୩୦ରୁ ଆରମ୍ଭ ହେବ । ସେହିପରି ସନ୍ଧ୍ୟାରେ ଖେଳାଯିବାକୁ ଥିବା ମ୍ୟାଚ୍ ସାଢେ ୭ଟାରୁ ଆରମ୍ଭ ହେବ।

କଂଗ୍ରେସର ବରିଷ୍ଠ ନେତା ଦେବେନ୍ଦ୍ର ଶର୍ମାଙ୍କ ପରଲୋକ, ପୈତୃକ ଗାଁରେ ହେବ ଅନ୍ତିମ ସଂସ୍କାର

ଭୁବନେଶ୍ବର : କଂଗ୍ରେସର ବରିଷ୍ଠ ନେତା ଦେବେନ୍ଦ୍ର ଶର୍ମାଙ୍କ ପରଲୋକ। ୬୬ ବର୍ଷ ବୟସରେ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତ ଘଟିଛି। ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଛି ପରଲୋକ। ୨୦୧୪ରୁ ୨୦୧୯ ବିଧାନସଭାର ସଦସ୍ୟ ଥିଲେ ଦେବେନ୍ଦ୍ର। ୧୫ତମ ବିଧାନସଭାରେ ଆଳି ନିର୍ବାଚନ ମଣ୍ଡଳୀରୁ କରିଥିଲେ ପ୍ରତିନିଧିତ୍ବ। ଅସୁସ୍ଥତା ଯୋଗୁ ୨୦୨୪ ନିର୍ବାଚନରେ କରିନଥିଲେ ପ୍ରତିଦ୍ବନ୍ଦିତା। ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ବହୁ ନେତା ଓ ବିଶିଷ୍ଟ ବ୍ୟକ୍ତି ହସପିଟାଲରେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆଜି ଦେବେନ୍ଦ୍ର ଶର୍ମାଙ୍କ ପାର୍ଥିବ ଶରୀରକୁ କଂଗ୍ରେସ ଭବନକୁ ନିଆଯିବ, ବିଧାନସଭାକୁ ବି ନିଆଯିବ। ପରେ ପୈତୃକ ଗାଁ ଆଳି ନିଆଯାଇ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି।

ଚେନ୍ନାଇରେ ଆଜି ଡିଲିମିଟେସନ ବୈଠକ

ଭୁବନେଶ୍ବର : ଆଜି ଚେନ୍ନାଇରେ ହେବ ଲୋକସଭା ଆସନ ସୀମା ପୁନଃନିର୍ଦ୍ଧାରଣ ବୈଠକ। ଏହି ବୈଠକ ଡାକିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ। ବୈଠକରେ ଯୋଗ ଦେବାକୁ ବିଜେଡିରୁ ଯାଇଛନ୍ତି ପୂର୍ବତନ ସାଂସଦ ଅମର ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସେମାନେ ଯାଇଛନ୍ତି। ସେହିପରି ବୈଠକରେ ଯୋଗଦେବା ଲାଗି ପିସିସି ସଭାପତି ଭକ୍ତ ଦାସ ମଧ୍ଯ ଚେନ୍ନାଇରେ ପହଞ୍ଚିଛନ୍ତି। ଏହି ବୈଠକରେ କ୍ଷତିଗ୍ରସ୍ତ ହେବାକୁ ଥିବା ୮ ରାଜ୍ଯର ପ୍ରତିନିଧି ମଧ୍ଯ ଯୋଗଦେବେ। କ୍ଷତିଗ୍ରସ୍ତ ରାଜ୍ଯଗୁଡିକ ହେଲେ ତାମିଲନାଡୁ, କର୍ଣ୍ଣାଟକ ,ପଶ୍ଚିମବଙ୍ଗ, ପଞ୍ଜାବ, କେରଳ, ତେଲଙ୍ଗାନ, ଆନ୍ଧ୍ରପ୍ରଦେଶ ଓ ଓଡିଶା। ତାମିଲନାଡ଼ୁ ମୁଖ୍ଯମନ୍ତ୍ରୀ ଏମ କେ ଷ୍ଟାଲିନ ଏହି ବୈଠକ ଡକାଇଛନ୍ତି। କିଛି ଦିନ ତଳେ ତାମିଲନାଡୁ ମୁଖ୍ଯମନ୍ତ୍ରୀଙ୍କ ଦୁଇ ଜଣିଆ ପ୍ରତିନିଧି ନବୀନ ନିବାସ ଆସି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବୈଠକରେ ଯୋଗଦେବା ଲାଗି ଆମନ୍ତ୍ରଣ କରିଥିଲେ। ଚେନ୍ନାଇ ଯିବା ପୂର୍ବରୁ ବିଜେଡି ପ୍ରତିନିଧି କହିଥିଲେ ବୈଠକ ସରିଲା ପରେ ଡିଲିମିଟେସନର ରୂପରେଖ ଆସିବ। ଓଡି଼ଶା ସ୍ବାର୍ଥରେ ବିଜେଡି କେବେ ସାଲିସ କରିବ ନାହିଁ ବୋଲି କହିଛନ୍ତି ଅମର ଓ ସଂଜୟ।

ଆହୁରି ୩ ଦିନ ଭିଜିବ ଓଡ଼ିଶା, ୧୨ ଜିଲ୍ଲାକୁ ଅରେଞ୍ଜ ଓ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ଆହୁରି ୩ ଦିନ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା । କିଛି ସ୍ଥାନରେ କୁଆ ପଥର ବର୍ଷା ହୋଇଥିବା ବେଳେ ଆସନ୍ତା ୨୪ ଯାଏଁ କାଳ ବୈଶାଖୀ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।  ଆଜି ପାଇଁ ୧୨ ଜିଲ୍ଲା  କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର,  ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ ଓ ଦେଓଗଡ ରେ ବିଜୁଳି ଘଡଘଡି ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କାଁଭାଁ ସ୍ଥାନରେ କୁଆ ପଥର ବର୍ଷା ହୋଇପାରେ । ସେହିପରି ୧୮ ଜିଲ୍ଲା ନୂଆପଡା, ବଲାଙ୍ଗିର,ବରଗଡ, ଝାରସୁଗୁଡା, ସମ୍ବଲପୁର ସୋନପୁର, ବୌଦ୍ଧ, ନୟାଗଡ, କନ୍ଧମାଳ, ଖୋର୍ଦ୍ଧା ପୁରୀ ,ଗଂଜାମ ,ମାଲକାନଗିରି,କୋରାପୁଟ, ରାୟଗଡା,ଗଜପତି, କଳାହାଣ୍ଡି ଓ ନବରଙ୍ଗପୁର ରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୩ ଓ ୨୪ ତାରିଖରେ ୫ ଜିଲ୍ଲାକୁ ୟେଲୋ ଓ୍ବାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ବାୟୁମଣ୍ଡଳ ଉପରିଭାଗରେ ରହିଛି ଲଘୁଚାପ ପ୍ରଭାବ। ଏଥିସହ ଉତ୍ତର ପଶ୍ଚିମ ଭାରତରେ ରହିଛି ଏକ ଟ୍ରାପ ଲାଇନ୍ । ଏହା ଫଳରେ ରାଜ୍ୟରେ କାଳ ବୈଶାଖୀ ବର୍ଷା ହେଉଛି ବୋଲି ବିଭାଗ କହିଛି । ତେବେ କାଳବୈଶାଖୀ ବର୍ଷା ପ୍ରବାହରେ ୩ ଦିନ ମଧ୍ୟରେ ୩ରୁ ୫  ତାପମାତ୍ରା ହ୍ରାସ ପାଇବ। ପରେ ୨୫ ତାରିଖ ପରଠାରୁ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇବା ବୋଲି କହିଛି ପାଣିପାଗ ବିଭାଗ।

ତହସିଲ କାର୍ଯ୍ୟାଳୟ ସାମ୍ନାରେ ବିଦ୍ୟୁତ ଉପଭୋକ୍ତା ସଂଘର ଗଣଧାରଣା

ଏମ ରାମପୁର : ତହସିଲ କାର୍ଯ୍ୟାଳୟ ସାମ୍ନାରେ ବିଦ୍ୟୁତ ଉପଭୋକ୍ତା ସଂଘର ଗଣଧାରଣା । କଳାହାଣ୍ଡି ଜିଲ୍ଲା ଏମ ରାମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଉପଭୋକ୍ତା ସଂଘ ବିଭିନ୍ନ ଦାବିକୁ ନେଇ ଗଣଧାରଣାରେ ବସିଛନ୍ତି । ପ୍ରଥମେ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପ୍ରସ୍ତାବିତ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରସ୍ତାବ ପ୍ରତ୍ୟାହାର କରିବା, ବାରମ୍ବାର ବିଦ୍ୟୁତ୍ କାଟ ବନ୍ଦ କରିବା, ଜନବିରୋଧୀ ପ୍ରିପେଡ ସ୍ମାର୍ଟ ମିଟର ସଂଯୋଗ ବନ୍ଦ କରିବା, ନିର୍ବାଚନ ପ୍ରତିଶୃତି ଅନୁଯାୟୀ ପ୍ରତ୍ୟେକ ଉପଭୋକ୍ତାଙ୍କୁ ମାସରେ ୩୦୦ୟୁନିଟ ବିଦ୍ୟୁତ୍ ମାଗଣାରେ ଯୋଗାଇବା,ଓ ଇଆରସି ଏବଂ ଟାଟା ପାୱାର କଂପାନୀର ଶୋଷଣ ଓ ଜୁଲୁମ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି । ଏହାସହ ବିଦ୍ୟୁତ୍ ଘରୋଇକରଣ ବନ୍ଦ କରିବା, ବିଦ୍ୟୁତ୍ ବିଲ୍ ପୈଠ କରିଥିବା ବିଦ୍ୟୁତ୍ ଉପଭୋକ୍ତାଙ୍କ ବେଆଇନ ବିଦ୍ୟୁତ୍ କାଟକୁ କରିବା ଭଳି ୭ ଦଫା ଦାବି ରଖି ଧାରଣାରେ ବସିରହିଛନ୍ତି । ଏହାସହ ତହସିଲଦାରଙ୍କ ଜରିଆରେ ମାନ୍ୟବର ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

କର୍ଣ୍ଣାଟକ ବିଧାନସଭାରେ ଅଭାବନୀୟ ଦୃଶ୍ୟ, ବିଧାୟକଙ୍କୁ ବୋହି ବୋହି ବାହାର କଲେ ମାର୍ଶାଲ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭାରେ ଅଭାବନୀୟ ଦୃଶ୍ୟ । ଗୃହ ଭିତରେ ହଙ୍ଗାମା କରିବାରୁ ୧୮ ବିଧାୟକଙ୍କୁ ସସପେଣ୍ଡ କଲେ ବାଚସ୍ପତି। ଗୃହର ମର୍ଯ୍ୟାଦା ଉଲ୍ଲଂଘନ କରିଥିବାର ଅଭିଯୋଗରେ ସେମାନଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି। ଏହା ପରେ ମାର୍ଶାଲମାନେ ସେହି ବିଧାୟକଙ୍କୁ ଟେକି ଟେକି ଗୃହରୁ ବାହାର କରିଥିଲେ। କର୍ଣ୍ଣାଟକ ବିଧାନସଭାରେ ହନି ଟ୍ରାପ୍ ଦୁର୍ନୀତି ବିବାଦ ମଧ୍ୟରେ, ରାଜ୍ୟ ସରକାର ମୁସଲମାନମାନଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ପ୍ରଦାନ କରୁଥିବା ବିଲ୍ ପାସ୍ କରିଛନ୍ତି। ବିଜେପି ନେତାମାନେ ଗୃହର ମଧ୍ୟ ଭାଗକୁ ଆସି ଶାସକ ସିଦ୍ଧରମୈୟା ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ସେମାନେ ବାଚସ୍ପତିଙ୍କ ଆସନ ଉପରକୁ ଚଢ଼ି ସେମାନଙ୍କର ପ୍ରତିବାଦକୁ ବୃଦ୍ଧି କରୁଥିବା ଦେଖାଯାଇଥିଲା। ତା’ପରେ ବିଜେପି ନେତାମାନେ ୪ ପ୍ରତିଶତ କୋଟା ବିଲ୍ ଚିରି ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗି ଦେଇଥିଲେ। ଏହା ପରେ ବିଜେପି ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ବାଚସ୍ପତି।

ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ଘରୁ ମିଳିଛି ବିଡ଼ା ବିଡ଼ା ନୋଟ୍

ନୂଆଦିଲ୍ଲୀ ; ସାରା ଦେଶରେ ହଇଚଇ। ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ଘରୁ ମିଳିଛି ବିଡ଼ା ବିଡ଼ା ଟଙ୍କା । ଲକ୍ଷାଧିକ ଟଙ୍କା ଜବତ ହୋଇଛି।  ଏହା ପରେ ଚର୍ଚ୍ଚା ହେଉଛି ଯେ, ନ୍ୟାୟପାଳିକାରେ ଦୁର୍ନୀତି ଚାଲିଛି। ପ୍ରକୃତରେ ଜଷ୍ଟିସ ବର୍ମାଙ୍କ ଘରେ ନିଆଁ ଲାଗିବାରୁ ଏତେ କଥା ଜଣାପଡ଼ିଛି। ଏହା ପରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱରେ ତିନି ଜଣ ବରିଷ୍ଠ ବିଚାରପତିଙ୍କ କଲେଜିୟମ୍ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କୁ ତାଙ୍କର ମୂଳ ହାଇକୋର୍ଟ ଅର୍ଥାତ୍ ଆହ୍ଲାବାଦ ହାଇକୋର୍ଟକୁ ଫେରାଇବାକୁ ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟ କଲେଜିୟମ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବଦଳି ପାଇଁ ସୁପାରିଶ କରିଛି। କିନ୍ତୁ ଏହାକୁ ଆହ୍ଲାବାଦ ହାଇକୋର୍ଟର ଓକିଲ ସଂଘ ବିରୋଧ କରିଛି। ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ସରକାରୀ ବଙ୍ଗଳାରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବାକୁ ଯାଇଥିବା ଦମକଳ ବାହିନୀ ସେଠାରେ ବିପୁଳ ପରିମାଣର ଟଙ୍କା ପାଇଥିଲେ। ଅଗ୍ନିକାଣ୍ଡ ସମୟରେ ଜଷ୍ଟିସ୍ ବର୍ମା ଘରେ ନଥିଲେ। ରେକର୍ଡ ବୁକରେ ହିସାବ ବାହାରେ ଟଙ୍କା ମିଳିଥିବା ନେଇ ଏକ ସରକାରୀ ରେକର୍ଡ ପଞ୍ଜିକୃତ ହୋଇଥିଲା। ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କୁ ଅକ୍ଟୋବର ୨୦୨୧ରେ ଆହ୍ଲାବାଦରୁ ଦିଲ୍ଲୀ ହାଇକୋର୍ଟକୁ ପଠାଯାଇଥିଲା। ତାଙ୍କ ବିରୋଧରେ ତଦନ୍ତ ଓ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବା ବିଷୟରେ ଆଲୋଚନା ହେଉଛି।