spot_img
Home Blog Page 924

ଏମଜିଏନଆରଇଜିଏରେ କାମ ନମିଳିବା ପ୍ରତିବାଦରେ କେରଳ କଂଗ୍ରେସ ସାଂସଦଙ୍କ ଧାରଣା

ନନ୍ଦିଘୋଷ ବ୍ୟୁରୋ: କେରଳରେ ଏମଜିଏନଆରଇଜିଏ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । ଶ୍ରମିକଙ୍କୁ ମିଳୁନି ଉପଯୁକ୍ତ ପ୍ରାପ୍ୟ । ବାରମ୍ବାର ଦାବି ପରେ ବି ମିଳୁନି ସୁଫଳ । ପ୍ରତିବାଦରେ ସଂସଦ ଭବନ ବାହାରେ କେରଳର କଂଗ୍ରେସ ସାଂସଦଙ୍କ ପ୍ରତିବାଦ ।

ଏଥିରେ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଥିରୁବନନ୍ତପୁରମ ସାଂସଦ ଶଶୀ ଥରୁର, ଆଲ୍ଲାପୁଝା ସାଂସଦ କେ.ସି. ବେଣୁଗୋପାଳ ଓ ଅନ୍ୟ ସାଂସଦମାନେ ସାମିଲ ହୋଇଥିଲେ । ଏହାସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ।

ଦୀର୍ଘଦିନ ଧରି ଶ୍ରମିକଙ୍କୁ କାହିଁକି ପାଉଣା ମିଳୁନାହିଁ ବୋଲି କଂଗ୍ରେସ ସାଂସଦ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ଏମଜିଏନଆରଇଜିଏର ନିୟମାବଳୀକୁ ଉଲ୍ଲଂଘନ କରାଯାଉଛି । ଦୀର୍ଘ ୪ ମାସ ଧରି ଏମଜିଏନଆରଇଜିଏରେ ଶ୍ରମିକଙ୍କୁ ମଜୁରୀ ମିଳିନି । ସେମାନେ କିପରି ବଞ୍ଚିବେ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ବେଣୁଗୋପାଳ ।

ସିଗ୍ନାଲ ଆପରେ ଚାଟିଂ କରି ହୁତି ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଯୋଜନାକୁ ଭୁଲରେ ସାମ୍ବାଦିକଙ୍କୁ ଦେଲେ ଆମେରିକା ପ୍ରତିରକ୍ଷା ସଚିବ

ନନ୍ଦିଘୋଷ ବ୍ୟୁରୋ: ସୁରକ୍ଷାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ମସ୍ତବଡ଼ ଭୁଲ । ଟ୍ରମ୍ପଙ୍କ ପ୍ରଶାସନର ଶୀର୍ଷ ନେତୃତ୍ବ ହୁତିଙ୍କ ଉପରେ ହେବାକୁ ଥିବା ପ୍ଲାନକୁ ଲିକ୍ କରିଦେଲେ । ଆମେରିକାର ଆକ୍ରମଣ ପୂର୍ବରୁ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ ଜଣେ ସାମ୍ବାଦିକଙ୍କୁ ଯୁଦ୍ଧର ପୂରା ପ୍ଲାନ କହି ଦେଇଥିଲେ । ଆଟଲାଣ୍ଟିକର ମୁଖ୍ୟ ସମ୍ପାଦକ ଜେଫରୀ ଗୋଲ୍ଡବର୍ଗ ଏମିତି ଦାବି କରିଛନ୍ତି । ନିଜ ଆଉଟଲେଟରେ ଗୋଲ୍ଡବର୍ଗ ଉଲ୍ଲେଖ କରିଛନ୍ତି ଦୁଇ ଘଣ୍ଟା ପୂର୍ବରୁ ଆକ୍ରମଣ ହେବାକୁ ଯାଉଥିବା ସେ ଜାଣି ସାରିଥିଲେ । ତେବେ ଟ୍ରମ୍ପ ପ୍ରଶାସନର ଅଧିକାରୀ ଏକ ଚାଟ୍ ଗ୍ରୁପରେ ହୁତିଙ୍କ ଉପରେ ଆକ୍ରମଣ ଯୋଜନା ଉପରେ ଆଲୋଚନା କରୁଥିଲେ । ଏହି ଚାଟ୍ ଗ୍ରୁପରେ ଆଟଲାଣ୍ଟିକ ସମ୍ପାଦକ ବି ଥିଲେ ।

ସୂଚନାଯୋଗ୍ୟ, ଟ୍ରମ୍ପ ପ୍ରଶାସନର ଅଧିକାରୀମାନେ ସିଗ୍ନାଲ ଆପରେ ଚାଟ କରୁଥିଲେ । ହେଲେ ଏହି ଆପରେ ସମ୍ବେଦନଶୀଳ ଘଟଣା ଉପରେ ଆଲୋଚନା କରିବାକୁ ଆମେରିକା ସରକାର ଅନୁମତି ଦେଇନାହାନ୍ତି । ସାମ୍ବାଦିକ ଗୋଲ୍ଡବର୍ଗ ଦାବି କରିଛନ୍ତି, ହୁତିଙ୍କ ଉପରେ ଆକ୍ରମଣ ତଥ୍ୟ ସେ ସିଧାସଳଖ ପିଟ ହେଗସେଥଙ୍କ ପାଖରୁ ପାଇଛନ୍ତି । ଏହି ଗ୍ରୁପରେ ଆଲୋଚନା ବେଳେ ଉପରାଷ୍ଟ୍ରପତି ଜେଡି ଭେନ୍ସ, ବୈଦେଶିକ ମନ୍ତ୍ରୀ ମାର୍କ ରୁବିୟୋ, ନ୍ୟାସନାଲ ଇଣ୍ଟେଲିଜେନ୍ସି ନିର୍ଦ୍ଦେଶକ ତୁଲଗି ଗବାର୍ଡ ସାମିଲ ଥିଲେ । ଚାଟରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରମ୍ପଙ୍କ ପରାମର୍ଶଦାତା ଷ୍ଟିଫନ ମିଲର, ଚିଫ୍ ଅଫ୍ ଷ୍ଟାଫ୍ ସୁଶୀ ଓ୍ବେଲ୍ସ ଏବଂ ଷ୍ଟିବ ଓ୍ବେଟକୋଫ୍ ମଧ୍ୟ ଥିଲେ ।

ଗୋଲ୍ଡବର୍ଗ କହିଛନ୍ତି, ହୁତିଙ୍କ ଉପରେ ଆକ୍ରମଣ ସୂଚନା ମୁଁ ସିଗ୍ନାଲ ଆପରୁ ପାଇଥିଲି । ଏହା ଏକ ଓପନ ସୋର୍ସ ଇନକ୍ରିପଟେଡ ମେସେଜିଂ ସେବା । ମୋତେ ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକେଲ ବାଲଟେଜଙ୍କ ପାଖରୁ ଜଏନ କରିବାକୁ ଅନୁରୋଧ ଆସିଥିଲା । ପରେ ତାଙ୍କୁ ହୁତି ପିସି ସ୍ମାଲ ଗ୍ରୁପ୍ ଭାବେ ଜଣାଶୁଣା ମେସେଜ ସେବା ଉପରେ ଏକ ଗ୍ରୁପ ଚାଟରେ ସାମିଲ ହେବାକୁ ନୋଟିସ୍ ମିଳିଥିଲା ।

ଟ୍ରମ୍ପ ପ୍ରଶାସନର ଏପରି ଭୁଲକୁ ନେଇ ଆମେରିକାରେ ରାଜନୀତି ସରଗରମ ହେବାରେ ଲାଗିଛି । ଡେମୋକ୍ରେଟିକ ସାଂସଦ ଏହାକୁ ନିନ୍ଦା କରିବା ସହ ଏହା ଆମେରିକାର ସୁରକ୍ଷା ଓ ଆଇନର ଉଲ୍ଲଂଘନ ବୋଲି କହିବା ସହ ଏହାର ତଦନ୍ତ ପାଇଁ କଂଗ୍ରେସରେ ଦାବି କରିଛନ୍ତି ।

ଗୋଲ୍ଡବର୍ଗ ଉକ୍ତ ଗ୍ରୁପରେ ଥିବାକୁ ନେଇ କେହି ଧ୍ୟାନ ଦେଇ ନଥିଲେ । ସେ କହିଛନ୍ତି, ଚାଟ ଅନୁସାରେ ଅପରାହ୍ନ ଗୋଟାଏ ୪୫ରେ (ଆମେରିକୀୟ ସମୟ) ହୁତିଙ୍କ ଉପରେ ଆକ୍ରମଣ ହେବ । ଏହାକୁ ଯାଞ୍ଚ କରିବାକୁ ୧୦ ମିନିଟ ପରେ ଏକ୍ସକୁ ଯାଇ ଦେଖିଲି ୟମନ ରାଜଧାନୀ ସନାରେ ବିସ୍ଫୋରଣ ଖବର ପାଇଲି । ଏହାପରେ ମୁଁ ଚାଟଗ୍ରୁପକୁରେ ପୁଣି ଜଏନ କରିଥିଲି । ଆଉ ସେଠାରେ ହୁତିଙ୍କ ଉପରେ ଆକ୍ରମଣକୁ ନେଇ ପରସ୍ପରଙ୍କୁ ଅଭିନନ୍ଦନ ଜଣାଯାଉଥିଲା ।

କ୍ଷମା ମାଗିବାକୁ ମନାକଲେ କୁନାଲ: ସିନ୍ଧେ ସମର୍ଥକ କହିଲେ ଯେଉଁଠି ଲୁଚିଲେ ବି ଦେଖିନେବୁ, ପୋଲିସ ଦେଲା ଅଲ୍ଟିମେଟମ୍

ମୁମ୍ବାଇ: ଷ୍ଟାଣ୍ଡଅପ୍ କମେଡିଆନ କୁନାଲ କାମରାଙ୍କୁ ନେଇ ମହାରାଷ୍ଟ୍ର ରାଜନୀତି ଉଷ୍ଣ ହେବାରେ ଲାଗିଛି । ତାଙ୍କ ଉପରେ ପୋଲିସଠାରୁ ଆରମ୍ଭ କରି ରାଜନୈତିକ ଚାପ ବଢ଼ିବାରେ ଲାଗିଛି । ପୋଲିସ କୁନାଲଙ୍କୁ ଅଲ୍ଟିମେଟମ ଦେଇଥିବା ବେଳେ, ଶିବସେନା ସିନ୍ଧେ ଗୋଷ୍ଠୀ ତାଙ୍କୁ ଖୋଲା ଚେତାବନୀ ଦେଇଛି । ଏପରି ସ୍ଥିତିରେ କୁନାଲ ନିଜ କଥାରେ କାଏମ ରହିଛନ୍ତି । ଷ୍ଟାଣ୍ଡଅପ୍ କମେଡିକୁ ନେଉ ସୃଷ୍ଟି ହୋଇଥିବା ବିବାଦକୁ ନେଇ କୁନାଲ କହିଛନ୍ତି, ମହାରାଷ୍ଟ୍ର ସରକାରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ନେଇ ଦେଇଥିବା ଟିପ୍ପଣୀ ଉପରେ କ୍ଷମା ମାଗିବେ ନାହିଁ ।

ସୂଚନାଯୋଗ୍ୟ, କୁନାଲ ମୁମ୍ବାଇରେ ଏକ ଷ୍ଟାଣ୍ଡଅପ୍ ଶୋ କରିଥିଲେ । ଏଥିରେ ସେ ଏକନାଥ ସିନ୍ଧେଙ୍କୁ ନେଇ ଦେଇଥିବା ଏକ ଟିପ୍ପଣୀକୁ ନେଇ ରାଜନୀତି ତେଜ ହୋଇଯାଇଛି । ଏହାପରେ ଶିବସେନା କର୍ମୀ ଶୋ’ ଚାଲିଥିବା ଷ୍ଟୁଡିଓରେ ଭଙ୍ଗାରୁଜା କରିଥିଲେ । ଏହାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଆରମ୍ଭ କରି ଉପମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ବୟାନ ଦେଇଛନ୍ତି । କୁନାଲ ଏକ ବୟାନ ଜାରି କରି ଭଙ୍ଗାରୁଜା ଘଟଣାକୁ ସମାଲୋଚନା କରିଛି । ଏପରିକି କୁନାଲଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି । ଏହାସହ ପୋଲିସ ଆଜି ହାଜର ହେବାକୁ କୁନାଲଙ୍କୁ ନୋଟଇସ ଦେଇଛି ।

କୁନାଲ କାମରା ବିବାଦକୁ ନେଇ ଏକନାଥ ସିନ୍ଧେ କହିଛନ୍ତି, ସମସ୍ତଙ୍କୁ କହିବାର ସ୍ବାଧୀନତା ଅଛି । ଆମେ ବ୍ୟଙ୍ଗକୁ ବି ବୁଝୁଛି । ହେଲେ, ଏହାର ଏକ ନିର୍ଦ୍ଦିଷ୍ଟ ସୀମା ରହିବା ଦରକାର ।

ସେପଟେ କୁନାଲ କ୍ଷମା ମାଗିବାକୁ ମନା କରିବା ପରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଗୁଲାବ ରଧୁନାଥ କହିଛନ୍ତି, ‘ଯଦି ସେ କ୍ଷମା ମାଗିବେ ନାହିଁ, ତେବେ ଆମେ ଆମ ଷ୍ଟାଇଲେ ତାଙ୍କ ସହ କଥା ହେବୁ । ଶିବସେନା ତାଙ୍କୁ ଛାଡ଼ିବ ନାହିଁ । ଆମେ ଏମିତି ଅପମାନକୁ ବରଦାସ୍ତ କରିବୁ ନାହିଁ । ଯଦି ସେ କ୍ଷମା ନମାଗିବେ ତେବେ ବାହାରକୁ ଆସନ୍ତୁ, ଲୁଚୁଛନ୍ତି କାହିଁକି । ବାହାରକୁ ଆସିବା ପରେ ଶିବସେନା ତାଙ୍କ ନିଜ ଦମ ଦେଖାଇବ ।

ଜଟଣୀ ପୌର ଅଧିକାରୀଙ୍କ ଘରେ ଭିଜିଲାନ୍ସ, ୧୦ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଜଟଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ । ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ । ଅଧିକାରୀଙ୍କ ଭୁବନେଶ୍ୱର ସ୍ଥିତ ବାସଭାବନ ଓ ଜଟଣୀ ପୌର ପରିଷଦ ଅଫିସ ପରିସରରେ ଚଢାଉ ଜାରି ରହିଛି ।

ଆଜି ସକାଳୁ ଭିଜିଲାନ୍ସର ୨ଟି ଟିମ୍ ଜଟଣୀ ପୌର ପରିଷଦ କାର୍ଯ୍ୟାଳୟରେ ପହଞ୍ଚି ଚଢାଉ ଜାରି ରଖିଛନ୍ତି । ପୂର୍ବରୁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା I ୨ ଜଣ ଡିଏସପିଙ୍କ ନେତୃତ୍ଵରେ ପହଞ୍ଚିଥିଲେ ଭିଜିଲାନ୍ସ ଟିମ୍ I ଭୁବନେଶ୍ବର, ବ୍ରହ୍ମପୁର ସମେତ ପ୍ରାୟ ୧୦ଟି ସ୍ଥାନରେ ଚଢାଉ ଜାରି ରହିଛି ।

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଚନ୍ଦ୍ରମଣି ସାହି ସ୍ଥିତ ତାଙ୍କ ତିନୋଟି ପୈତୃକ ଘରେ ଚଢ଼ାଉ ଚାଲିଛି । କଟକରୁ ଆସିଥିବା ଭିଜିଲାନ୍ସ ଟିମ ତିନୋଟି ଘରର ମାପ କରିବା ସହିତ ଯାଞ୍ଚ କରିଛନ୍ତି । ଏହାସହ ଧରାକୋଟ ବ୍ଲକ ସିଙ୍ଗିପୁର ଗ୍ରାମରେ ଥିବା ତାଙ୍କ ଭଉଣୀ ଘରେ ମଧ୍ୟ ଚଢ଼ାଉ ଚାଲିଛି ।

ଚଢ଼ାଉ ବେଳେ ସୂର୍ଯ୍ୟମଣିଙ୍କ ଘରୁ ଲକ୍ଷାଧିକ ଟଙ୍କା, ଏକ ଲକ୍ଷରୁ ଅଧିକ ଟଙ୍କାର ମୋବାଇଲ ଜବତ ।

ଋଣ ନାଁରେ ଚୂନ ଲଗାଉଥିବା ମହିଳା ଗିରଫ, ୨୦ କେଜିରୁ ଅଧିକ ସୁନା ଜବତ

ପୁରୀ: ଋଣ ଦେବା ନାଁରେ ଚୂନ ଲଗାଉଥିବା ମହିଳାକୁ ଗିରଫ । ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳରେ ମୋଟା ଅଙ୍କର ଲୋନ୍ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ତିଲୋତ୍ତମା ପ୍ରଧାନ ନାମକ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୁରୁତ୍ବପୂର୍ଣ୍ଣ କଥା ହେଲା, ମହିଳାଙ୍କ ପାଖରୁ ୨୦ କେଜିରୁ ଅଧିକ ସୁନା ଜବତ କରିଛି ପୋଲିସ ।

ପୋଲିସ ମହିଳାଙ୍କଠାରୁ ୬ଟି ଚେକ ଜବତ କରିବା ସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସିଲ୍ କରିଛି । ତିଳୋତ୍ତମା ସୁନା ଓ ଟଙ୍କା ଭର୍ତ୍ତି ବ୍ୟାଗ ଦେଖାଇ ଲୋକଙ୍କ ବିଶ୍ଵାସ ଜିଣୁଥିଲେ । ତାଙ୍କ ଘରୁ ୨୦ କିଲୋରୁ ଅଧିକ ସୁନା ସହ ଲକ୍ଷାଧିକ ଟଙ୍କା ଜବତ ହୋଇଛି l ଚନ୍ଦନପୁର ଅଞ୍ଚଳରେ ଋଣ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହେଉ ଆସୁଥିଲା । ଅଭିଯୋଗକୁ ଭିତ୍ତି କରି ଚନ୍ଦନପୁର ପୋଲିସ ଅନୁସନ୍ଧାନ ଜାରି ରଖିବା ସହ ଚଢ଼ାଉ କରିଏତେ ପରିମାଣର ସୁନା ଓ ଟଙ୍କା ଜବତ କରିଛି । ମହିଳା ଜଣକ ଏତେ ମାତ୍ରାରେ ସୁନା କେଉଁଠୁ ଆଣିଲେ ସେ ନେଇ ଚନ୍ଦନପୁର ପୋଲିସ ତଦନ୍ତ ଜାରି ରଖିଛି ।

ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ବର: ମଙ୍ଗଳବାର ବିଧାନସଭା ଅଧିବେଶନ ଆରମ୍ଭ ହେବା କ୍ଷଣି ବିଭିନ୍ନ ଦାବି ନେଇ ବିରୋଧୀଙ୍କ ହଟ୍ଟଗୋଳ । ଗୃହକୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ କଲେ ବାଚସ୍ପତି ।

ଗତକାଲି ପରି ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ କରିଛନ୍ତି ପ୍ରତିବାଦ । ଘଣ୍ଟ ଓ ବଇଁଶୀ ବଜାଇ ଗୃହର ମଧ୍ୟଭାଗରେ କଂଗ୍ରେସ ବିଧାୟକ ପ୍ରତିବାଦ କରିଥିଲେ । ସେହିପରି ନାରୀ ସୁରକ୍ଷାକୁ ନେଇ ଗୃହ କମିଟି ଦାବି ବି ଉଠିଥିଲା । ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ବିଜେଡି ପ୍ରତିବାଦ କରିଛି । ହଟ୍ଟଗୋଳ ଯୋଗୁଁ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି ।

ମୁଲତବୀ ପରେ ଉଭୟ କଂଗ୍ରେସ ଓ ବିଜେଡି ଗୃହ ବାହାରେ ପ୍ରତିବାଦ କରୁଛନ୍ତି । ବିଧାନସଭା ପ୍ରବେଶ ପଥରେ ବିଜେଡି ବିଧାୟକମାନେ ପ୍ରତିବାଦ କରିବା ସହ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ଧାରଣା ଦେଇଛନ୍ତି ।

ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନାହିଁ: ବିଜେଡି

ସେପଟେ ବିଜେଡି ସମାଲୋଚନା କରି କହିଛି, ବିଜେପି ପାଖରେ କୌଣସି ପ୍ରଶ୍ନର ଉତ୍ତର ନାହିଁ । ଯେତେବେଳେ ବିରୋଧୀ ଦଳ ଲୋକଙ୍କ ସ୍ୱରକୁ ଶାଣିତ କରୁଛି, ସେମାନେ କହୁଛନ୍ତି ବିରୋଧୀ ଗୃହ ଚଳାଇ ଦେଉନାହାନ୍ତି । ହେଲେ ଗୃହ ଚଳାଇବା ଦାୟିତ୍ୱ ସରକାରଙ୍କର । ସରକାର କିଛି ନ ଶୁଣିବାରୁ ଆମେ ଆନ୍ଦୋଳନ କରି ଗେଟ ଆଗରେ ବସିଲୁ । ସରକାର ନ ଶୁଣିଲେ ବିରୋଧୀ କାହିଁକି ଗୃହକୁ ଯିବେ ? ଏସସି,  ଏସଟି, ଓ ଓବିସିଙ୍କ ୯୪ ପ୍ରତିଶତ ଜନସଂଖ୍ୟା । ବୈଷୟିକ ଶିକ୍ଷାରେ ମାତ୍ର ୨୦ ପ୍ରତିଶତ ସଂରକ୍ଷଣ । ହେଲେ ଓବିସି ପାଇଁ ଶୂନ୍ୟ ସଂରକ୍ଷଣ କ’ଣ ସ୍ୱାଗତଯୋଗ୍ୟ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

ଯେବେ ଜାମ୍ମୁ କାଶ୍ମୀର ଏସସି, ଏସଟି ଓ ଓବିସି ସଂରକ୍ଷଣକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କଲେ ଓଡ଼ିଶାରେ କିଛି କରିବେନି କେମିତି ? ସରକାର କ’ଣ ସବୁବେଳେ ଶିଶୁ ସରକାର ହୋଇ ରହିବ ? ଶୁଖୁଆରୁ ଶିଖିବା ସରକାର ହୁଅ । ସଂଖ୍ୟା ଓ ସମ୍ଭବ ଅନୁସାରେ ସଂରକ୍ଷଣ ଦିଅ । ସରକାର କହୁଛନ୍ତି ଆଲୋଚନା ପାଇଁ ପ୍ରସ୍ତୁତ, ହେଲେ କରୁନାହାଁନ୍ତି । ଜାତିଭିତ୍ତିକ ଜନଗଣନା କାହିଁକି କରୁ ନାହାନ୍ତି ? ଏହା ହେଲେ ସାମାଜିକ ସମାନତା ଆସିବ । ମୋମୋ ସରକାର-ମୋହନ ଓ ମୋଦି ସରକାର ଏହା ଲାଗୁ କର । କେବିକେ ଗ୍ରାଣ୍ଟ କାଟିଲ । ନବୀନ ପଟ୍ଟନାୟକ ବିଜୁ କେବିକେ କଲେ । ତର୍କ ପାଇଁ ଆସିଲେ ହାରିଯିବ ବୋଲି କହିଛନ୍ତି ଅରୁଣ । ତୁରନ୍ତ ଓବିସି ସଂରକ୍ଷଣ ଲାଗି ପ୍ରକ୍ରିୟା ଆରମ୍ଭ କରିବାକୁ ଅରୁଣ ଆହ୍ବାନ ଦେଇଛନ୍ତି ।

ବିଦା ହେବେ ଅପାରଗ ସରକାରୀ ଅଧିକାରୀ ଓ କର୍ମଚାରୀ

ଭୁବନେଶ୍ବର: କାମରେ ଠକୁ ଥିବା ସରକାରୀ ଅଧିକାରୀ ଓ କର୍ମଚାରୀ ହେବେ ବିଦା । କାର୍ଯ୍ୟରେ ଅବହେଳା ସହ  ସଚ୍ଚୋଟତାର ଅଭାବ ଥିବା ଅପାରଗ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ପ୍ରକୃତ ଅବସର ତାରିଖ ପୂର୍ବରୁ ଚାକିରିରୁ ହେବେ ବହିଷ୍କୃତ । ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସର୍କୁଲାରକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।

ଏ ସମ୍ପର୍କିତ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ସର୍କୁଲାରରେ ଦର୍ଶାଯାଇଥିବା ନିୟମଗୁଡ଼ିକୁ ଅନେକ ବିଭାଗ ସମ୍ପୂର୍ଣ୍ଣ ଭାବେ ପାଳନ କରୁ ନଥିବା ନଜରକୁ ଆସିଛି । ଫଳରେ ଯେଉଁ ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି, ତାହା ଫଳପ୍ରଦ ହେଉନାହିଁ । ସଚ୍ଚୋଟତା ଓ ଦକ୍ଷତାର ମାନରେ ସ୍ପଷ୍ଟ ଅଭାବ ଥିବା ଅଧିକାରୀ ଓ କର୍ମଚାରୀମାନେ ସରକାରୀ ଚାକିରିରେ ରହିଛନ୍ତି । ଏହା କେବଳ ବ୍ୟବସ୍ଥାରେ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁ ନାହିଁ ବରଂ ଜନସ୍ୱାର୍ଥ ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହେଉଛି । ତେଣୁ କାର୍ଯ୍ୟରେ ସନ୍ଦେହଜନକ ସଚ୍ଚୋଟତା ଓ ଅପାରଗତା ଥିବା ବ୍ୟକ୍ତିମାନଙ୍କୁ ସରକାରୀ ସେବାରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସରକାରୀ କାର୍ଯ୍ୟାଳୟଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ଲାଗି ଜିଏ ଓ ପିଜି ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ନିୟମିତ ସମୀକ୍ଷା ବୈଠକ ଆୟୋଜନ ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିଜ ନିଜ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ଏ ସମ୍ପର୍କରେ ନିର୍ଦ୍ଧାରିତ ସମୟରେ ସମୀକ୍ଷା ବୈଠକ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଅପାରଗ କିଏ ସ୍ପଷ୍ଟ କର: ବିଜେଡି

ସେପଟେ ସରକାରଙ୍କ ଏହି ନିର୍ଦ୍ଦେଶାବଳୀକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ । ସରକାର ଆଗ ବାଛନ୍ତୁ ଅପାରଗ ଅଫିସର କିଏ ବୋଲି କହିଛନ୍ତି ବିଜେଡି ବିଧାୟକ ଶାରଦା ଜେନା । ସେ କହିଛନ୍ତି, ସେହି ଆଳରେ ଭଲ ଅଫିସରଙ୍କୁ କାଢ଼ିବାକୁ ଚେଷ୍ଟା କରାଯାଉଛି । ଭିଜିଲାନ୍ସ ରେଡ କରିବାକୁ ଯାଉଛି । ବହୁତ ସଂଖ୍ୟାରେ ଟଙ୍କା ମିଳୁଛି । ଏ କାହା ପଇସା ? ଏହି ସରକାର ସମୟର ଟଙ୍କା । କ’ଣ ଆକ୍ସନ ନିଆଯାଇଛି ବୋଲି ପଚାରିଛନ୍ତି ସାରଦା ।

ଦୁର୍ନୀତି କଲେ ବରଖାସ୍ତ କରାଯାଉ: କଂଗ୍ରେସ

ସରକାରୀ ଅଫିସରେ ଏତେ ଦୁର୍ନୀତି ହେଲାଣି ଯେ ୯ ମାସରେ ଏହାକୁ ବନ୍ଦ କରି ପାରିନାହାନ୍ତି ସରକାର । ସମସ୍ତେ ଦୁର୍ନୀତିରେ ଲିପ୍ତ ଥିବାରୁ ଲୋକଙ୍କ କାମ ହୋଇପାରୁନି । ଏଥିଲାଗି ଗାଇଡଲାଇନ ତିଆରି ହେଉ । ଭିଜିଲାନ୍ସକୁ ଅଧିକ ଅଧିକାରୀ ଦିଆଯାଉ । ଦୁର୍ନୀତି କଲେ ବରଖାସ୍ତ କରାଯାଉ । ତା’ହେଲେ ଭୟ ରହିବ ବୋଲି କହିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସେପଟେ ବିଜେପି ସରକାରକୁ ଆସି ଦୁର୍ନୀତି ବିରୋଧରେ କାମ କରୁଛି ବୋଲି କହିଛନ୍ତି ବିଜେପି ବିଧାୟକ ।

ଜଙ୍ଗଲରୁ ଖପୁରୀ, ପଞ୍ଜରା ହାଡ ଜବତ ଘଟଣାକୁ ନେଇ ୧୨ ଘଣ୍ଟିଆ ଟିକାବାଲି ବନ୍ଦ

କନ୍ଧମାଳ: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କୋଟାମଣି ପାହାଡ ତଳ ଜଙ୍ଗଲରୁ ଖପୁରୀ, ପିଞ୍ଜରା ହାଡ ଜବତ ଘଟଣାକୁ ନେଇ ୧୨ ଘଣ୍ଟିଆ କନ୍ଧମାଳ ଜିଲ୍ଲା ଟିକାବାଲି ବନ୍ଦ । ବନ୍ଦ ପାଳନ କରୁଛି ଟିକାବାଲି ବଣିକ ସଂଘ । ବଣିକ ସଂଘ ସମ୍ପାଦକ ପ୍ରଦୀପ କୁମାର ପଣ୍ଡା, ମିତୁ ଭୋଇ, ପ୍ରଶାନ୍ତ ପଣ୍ଡା, ବ୍ଲକ ଅଧ୍ୟକ୍ଷ ଦିଲୀପ କହଁର ଓ ସରପଞ୍ଚ କୁନ୍ଦର ମାଲିକଙ୍କ ନେତୃତ୍ଵରେ ବୈଠକ କରି ଟିକାବାଲି ବନ୍ଦ ଡାକରା ଦିଆଯାଇଛି । ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରଖିବାକୁ ନିବେଦନ କରିଛି ସଂଘ ।

ମୃତ ନାବାଳିକାଙ୍କୁ ନ୍ଯାୟ ପ୍ରଦାନ ସହ ଅଭିଯୁକ୍ତଙ୍କୁ ଫାଶୀ ଦାବିରେ ଟିକାବାଲି ବନ୍ଦ ପାଳନ କରାଯାଉଛି । ନାବାଳିକା ହତ୍ଯା ଘଟଣାରେ ସୋରଡ଼ା ପୋଲିସ ଦ୍ବାରା ଶଙ୍କରଖୋଲ ପଞ୍ଚାୟତ ଅନ୍ତର୍ଗତ ଗୁଡରି ଗାଁ ଅଞ୍ଚଳରୁ ଚାରି ଜଣଙ୍କୁ ଗିରଫ କରାଯାଇଛି । ଏହାସହ ଏକ ଗାଡ଼ିକୁ ମଧ୍ୟ ଜବତ କରିଛି ପୋଲିସ l ଗିରଫ ଯୁବକମାନେ ହେଲେ ଗୁଡରି ଗାଁର ମୁଖ୍ୟ ଅଭିଯୁକ୍ତ ବିଜୟ କୁମାର ନାୟକ ଓ ତାଙ୍କ ସହଯୋଗୀ ଦୀପକ ସାହୁ, ସଞ୍ଜୀବ ସାହୁ ଏବଂ ଚନ୍ଦନ ସେଠୀ l ଚନ୍ଦନ ତିନି ଅଭିଯୁକ୍ତଙ୍କୁ ଶରଣ ଦେଇଥିଲା । ବିଜୟ ଓ ନାବାଳିକା ମଧ୍ୟରେ ପ୍ରେମ ସମ୍ପର୍କ ଥିଲା l

ଡମ୍ଫର ଧକ୍କାରେ ତିନି ଶ୍ରମିକ ମୃତ, ଜଣେ ଗୁରୁତର

ଢେଙ୍କାନାଳ: ରାସ୍ତା କାମ କରୁଥିବା ଡମ୍ଫର ନେଲା ତିନି ଶ୍ରମିକଙ୍କ ଜୀବନ । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେକୁଳା ସତସଙ୍ଗ କେନ୍ଦ୍ର ସମ୍ମୁଖରେ । ରାସ୍ତା କାମରେ ନିୟୋଜିତ ତିନି ଶ୍ରମିକଙ୍କୁ ଧକ୍କା ଦେଇଥିଲା ଡମ୍ଫର । ଡମ୍ଫର ଧକ୍କା ଦେବା ପରେ ରୋଲର ମେସିନରେ ଚାପି ହୋଇଯାଇଥିଲେ ଶ୍ରମିକ ।

ଗତକାଲି ବିଳମ୍ବିତ ରାତିରେ ରେକୁଳା ସତସଙ୍ଗ କେନ୍ଦ୍ର ସମ୍ମୁଖରେ ରାସ୍ତାରେ ପିଚୁ କାମ ଚାଲିଥିଲା । ଏହି ସମୟରେ ଶ୍ରମିକମାନେ ଡମ୍ଫର ସହ ଧକ୍କା ହେବା ପରେ ପିଚୁକୁ ରୋଲିଙ୍ଗ କରୁଥିବା ରୋଲର ମେସିନ ଓ ଏକ ବିଦ୍ୟୁତ ଖୁଣ୍ଟ ମଝିରେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ କଟରରେ କାଟି ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ଜଣେ ମୃତକଙ୍କ ପରିଚୟ ମିଳିଛି । ସେ ହେଲେ ରେକୁଳା ଗ୍ରାମର କ୍ଷୀରୋଦ ସାହୁ ଓ ଅନ୍ୟ ମୃତକଙ୍କର ପରିଚୟ ମିଳିପାରି ନାହିଁ ।

ନିମ୍ନମାନର କାମ ଓ ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । କାମାକ୍ଷାନଗରରୁ ଢେଙ୍କାନାଳ ରାସ୍ତା ଯାତାୟତ ଠପ ହୋଇଯାଇଛି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକିତ୍ସକଙ୍କୁ ମରଣାନ୍ତକ ଆକ୍ରମଣ

ଜଳେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକିତ୍ସକଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣର ଶିକାର ବ୍ୟକ୍ତିଙ୍କ ନାଁ ଗଙ୍ଗାଧର ବୋଲି ଜଣାପଡିଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ସ୍ଥିତ ଚନ୍ଦନେଶ୍ଵର ମନ୍ଦିର ନିକଟରେ ଗଙ୍ଗାଧରଙ୍କ କ୍ଲିନକ ରହିଛି । ଗଙ୍ଗାଧର କ୍ଲିନିକ ବନ୍ଦ କରି ଯାଇଥିବା ବେଳେ ବରବରିଆ ଗାଁର ଶିବଶଙ୍କର ପଣ୍ଡା ତାଙ୍କୁ ଏକ କଟୁରିରେ ପଛପଟୁ ଆକ୍ରମଣ କରିଥିଲେ ।

ଗଙ୍ଗାଧର ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତକୁ ସ୍ଥାନୀୟ ଲୋକେ କାବୁ କରି ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଅଭିଯୁକ୍ତଙ୍କୁ ହେପାଜତକୁ ନେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।