ଭୁବନେଶ୍ବର : ରାଜଧାନୀ ଶିଶୁ ଅପରହଣ ନାଟକର ପର୍ଦ୍ଦାଫାସ୍ । ଅପହୃତ ଶିଶୁକୁ ସୁରକ୍ଷିତ ଉଦ୍ଧାର ସହ ୭ ଜଣ ଅପହରଣକାରୀଙ୍କୁ ଗିରଫ କଲା ପୋଲିସ୍ । ଅପହରଣକାରୀଙ୍କ ମଧ୍ଯରେ ଦୁଇଜଣ ମହିଳା ଅଛନ୍ତି । ପ୍ରେସମିଟ ଜରିଆରେ ସୂଚନା ଦେଲେ ପୋଲିସ କମିଶନର ଏସ ଦେବଦତ୍ତ ସିଂ । ଟଙ୍କା ପାଇଁ ଅପହରଣ କରିଥିଲେ ଅଭିଯୁକ୍ତ । ଗାଁର ଯୁବକ ହିଁ ଥିଲା ଏହି ଅପହରଣ ଘଟଣାରେ ମାଷ୍ଟରମାଇଣ୍ଡ । ୬ ଘଣ୍ଟାର ସିକ୍ରେଟ ଅପରେସନ୍ ପରେ ନିରାକାରପୁର ଅଞ୍ଚଳରୁ ଅପହୃତ ଶିଶୁକୁ ଉଦ୍ଧାର କରିଛି ସ୍ପେଶାଲ ଟିମ୍ । ତେବେ ଘଟଣାରେ ଏବେବି ଜଣେ ଫେରାର ଅଛି । ଜମି ଟଙ୍କା ପାଇଁ କିଡନାପ୍ କରିଥିଲେ ଅଭିଯୁକ୍ତ । ଜମି ଟଙ୍କାନେଇ ଶୁଭ୍ରକାନ୍ତ ମହାନ୍ତିଙ୍କ ନିକଟରେ ଥିଲା ସୂଚନା । ତେବେ ତାଙ୍କୁ ଟ୍ୟୁସନ ସାର ନେଇଯାଇଥିଲେ । ମେଡିକାଲ ନେବାକୁ କହି ଅପହରଣ କରାଯାଇଥିବା ଉଦ୍ଧାର ପରେ ସୂଚନା ଦେଇଛି ଉଦ୍ଧାର ନାବାଳକ । ସହର ଉପକଣ୍ଠ ପାଞ୍ଚଗାଁରୁ ବନ୍ଧୁକ ମୁନରେ ୮ ବର୍ଷର ଛୁଆକୁ ଉଠାଇନେଇଥିଲେ ଦୁର୍ବୃତ୍ତ । ସାମ୍ନାକୁ ଆସିଥିଲା ଅପହରଣ ସମୟର ସିସିଟିଭି ଭିଡିଓ । ସକାଳ ୧୦ଟାରେ ଶିଶୁକୁ ଅପହରଣ କରାଯାଇଥିଲା । ସ୍କୁଲରୁ ଘରକୁ ଫେରିବାବେଳେ ଆରତ ରଞ୍ଜନ କାଳିଆଙ୍କ ୮ ବର୍ଷର ପୁଅକୁ ଏକ କାରରେ ଅପହରଣ କରାଯିବା ନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଥିଲା । ଗାଁରୁ ଗାଡ଼ିଟି ବାହାରିବାବେଳେ କିଛି ଯୁବକ ଗାଡ଼ିଟିକୁ ଅଟକାଇଥିଲେ ମଧ୍ଯ ଦୁର୍ବୃତ୍ତମାନେ ବନ୍ଧୁକ ଓ ଛୁରୀ ଦେଖାଇ ପିଲାଟିକୁ ଅପହରଣ କରି ନେଇଥିଲେ । ଅଭିଯୁକ୍ତଙ୍କୁ ଧରିବା ସହ ପିଲାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଗଠନ ହୋଇଥିଲା ସ୍ପେଶାଲ ଟିମ୍ । ଆଖପାଖରେ ଛାନବିନ କରିବା ସହ ସିସିଟିଭି ଯାଞ୍ଚ କରାଯାଇଥିଲା । ଠିକ୍ ଏହି ସମୟରେ ଅପହରଣକାରୀଙ୍କ ପାଖରୁ ଆସିଥିଲା ଏକ ଫୋନକଲ୍ । ପିଲାଟିର ମୁଣ୍ଡ ଜାମିନ ରଖି ୧୦ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ । ଟେଲିଫୋନ ନମ୍ବରକୁ ଟ୍ରେସ କରି ଅପହରଣକାରୀଙ୍କ ଲୋକେସନ ମିଳିବା ପରେ ପିଲାଟିକୁ ଉଦ୍ଧାର କରାଯାଇଛି ।
ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ : ୨୬ ମୃତ, ଅନେକ ଆହତ
ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ ଓ କାଶ୍ମୀରରେ ବର୍ବର ଆତଙ୍କବାଦୀ ହମଲା। ଆଖିବୁଜା ଗୁଳିମାଡରେ ପ୍ରାଣ ହରାଇଛନ୍ତି ୨୬ରୁ ଅଧିକ ପର୍ଯ୍ୟଟକ। ଅନେକ ଆହତ ହୋଇଛନ୍ତି । ପହଲଗାଓଁସ୍ଥିତ ବୈସରନ ଅଞ୍ଚଳରେ ଗୁଳିମାଡ଼ ହୋଇଛି । ଟ୍ରେକିଂ ଟ୍ରିପରେ ଯାଇଥିବା ପର୍ଯ୍ୟଟକଙ୍କୁ ଗୁଳିମାଡ଼ କରାଯାଇଛି। ମୃତାହତଙ୍କ ସଂଖ୍ୟା ଅଧିକ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ମୃତକଙ୍କ ମଧ୍ୟରେ କିଛି ବିଦେଶୀ ନାଗରିକ ଥିବା ସୂଚନା। ଲସ୍କର ସଂଗଠନର ରେଜିଷ୍ଟାନ୍ସ ଫ୍ରଣ୍ଟ ପକ୍ଷରୁ ହମଲା ହୋଇଛି। ହମଲା ବେଳେ ସାମରିକ ବାହିନୀର ପୋଷାକ ପିନ୍ଧିଥିଲେ ଆତଙ୍କବାଦୀ। ଘଟଣାସ୍ଥଳରେ ନିରାପତ୍ତା ରକ୍ଷୀ ମୁତୟନ କରାଯାଇଛି। ଏନେଇ ହେଲପଲାଇନ ନମ୍ବର ଜାରି ହୋଇଛି। ତାହା ହେଲା 959-677-766-9 ଓ 019-322-25-870। ହ୍ବାଟସଆପ ନମ୍ବର- 94-1905-1940। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ସ୍ଥିତି ସମୀକ୍ଷା କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ପର୍ଯ୍ଯଟକମାନେ ବୈସରନ ଅଞ୍ଚଳରେ ଥିବାବେଳେ ସେମାନଙ୍କ ଉପରେ ଗୁଳିମାଡ କରିଥିଲେ ଆତଙ୍କୀ। ଏହି ଘଟଣା ପରେ ସାରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ହମଲା ଲାଗି ନିଜକୁ ଦାୟୀ କରିଛି ଲସ୍କର ସଂଗଠନରେ ଟିଆରଏଫ ବାହିନୀ। ପହଲଗାଓଁ ହିଲ୍ ଷ୍ଟେସନରୁ ୫ କିଲୋମିଟର ଦୂର ବୈସରାମ ମିଡୋରେ ଏହି ହମଲା ହୋଇଛି। ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶ୍ରୀନଗରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଏହି ଘଟଣା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରାଯାଇଛି । ଗୁଳିକାଣ୍ଡକୁ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନିନ୍ଦା କରିଛନ୍ତି।
ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି
ଭୁବନେଶ୍ବର : ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଆସନ୍ତାକାଲିଠୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ଅଙ୍ଗନବାଡି କେନ୍ଦ୍ର, ଶିଶୁବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ବନ୍ଦ ରହିବ। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଦିନ ତାପମାତ୍ରାରେ ଅତ୍ୟଧିକ ବୃଦ୍ଧି ଯୋଗୁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହେଉଛି। ତେଣୁ ପିଲାମାନଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ସମୟ ମଧ୍ୟରେ ଅଙ୍ଗନବାଡି ପିଲା ମାନଙ୍କୁ ସେମାନଙ୍କ ଘରେ ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ସରକାରୀ ଓ ବେସରକାରୀ କଲେଜ ପିଲାମାନଙ୍କ ପାଇଁ ରାଜ୍ୟ ସରକାର ଆସନ୍ତାକାଲିଠୁ ଛୁଟି ଘୋଷଣା କରିଛନ୍ତି । ଏହି ସମୟରେ ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷା ଗୁଡିକ ନିର୍ଦ୍ଦିଷ୍ଟ ତାରିଖରେ ହେବ ଏବଂ ସଂପୃକ୍ତ ଅଧିକାରୀମାନେ ଏଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
୧ ଲକ୍ଷ ଟଙ୍କା ପାର କଲା ସୁନାଦର, ଗହଣା ଦୋକାନରେ ବେପାର ମାନ୍ଦା
ନନ୍ଦିଘୋଷ ବ୍ୟୁରୋ : ରେକର୍ଡ କଲା ସୁନାଦର । ଦୁଇ ସପ୍ତାହ ତଳେ ୨୪ କ୍ୟାରେଟ୍ ୧୦ ଗ୍ରାମକୁ ଥିଲା ୯୫ ହଜାର ୪୦୦ ଟଙ୍କା । ଆଜି ପାର୍ କଲା ୧ ଲକ୍ଷ ଟଙ୍କା । ହୁ ହୁ ହୋଇ ବଢୁଛି ସୁନାଦର । ଦୋକାନୀ ଓ ପୁଞ୍ଜି ନିବେଶକାରୀଙ୍କ ଚାନ୍ଦି ହିଁ ଚାନ୍ଦି । ଗ୍ରାହକ କପାଳରେ ଚଡ଼କ । ଆଗକୁ ଆହୁରି ବଢିବ ଦର । ମେ ମାସ ବେଳକୁ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଛୁଇଁପାରେ ୧ ଲକ୍ଷ ୧୦ ହଜାର ଟଙ୍କା । ମଙ୍ଗଳବାର ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୨ ହଜାର ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ୯୨ ହଜାର ୯୦୦ ଟଙ୍କା ରହିଛି । ବ୍ରହ୍ମପୁରରେ ୨୪ କ୍ୟାରେଟ୍ ୧ ଲକ୍ଷ ୧ ହଜାର ୧୩୫ ଟଙ୍କା । ୨୨ କ୍ୟାରେଟ୍ ୯୨ ହଜାର ୯୦ । ବାଲେଶ୍ବରରେ ଦରରେ ଟିକିଏ କମବେଶୀ ରହିଛି । ସୁନା କମିଲେ ପୁଅଝିଅ ବାହାଘର ପାଇଁ ଗହଣା କିଣିବେ ଗ୍ରାହକ । କିନ୍ତୁ କମିବ କଣ ଦର ରକେଟ୍ ଭଳି ବଢିବା ପରେ ଏବେ ମୁଣ୍ଡରେ ହାତଦେଲେଣି । ଏବେ ବାହାଘର ଓ ବ୍ରତଘର ପାଇଁ କିଣିବାକୁ ବାଧ୍ୟ ହେଉଛନ୍ତି ଲୋକେ । ସେପଟେ ଦର ଅଧିକ ବଢୁଥିବାରୁ ଗହଣା ଦୋକାନୀଙ୍କ ବେପାର ବି ମାନ୍ଦା ।
ବ୍ୟବସାୟୀ ଓ ଆର୍ଥିକ ବିଶେଷଜ୍ଞଙ୍କ ମତ ଅନ୍ତରାଷ୍ଟ୍ରୀୟ ସ୍ତରରେ ବାଣିଜ୍ୟ ଯୁଦ୍ଧ ଚାଲିଥିବାରୁ ସୁନାଦରରେ ଅହେତୁକ ବୃଦ୍ଧି ଘଟିଛି । ଏହାସହିତ ନିବେଶକାରୀମାନେ ବଢୁଥିବା ସୁନାଦରକୁ ଦେଖି ଆଗୁଆ ସୁନା ବୁକିଂ କରୁଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଲଗାଣର ପ୍ରଭାବ ସିଧା ସୁନା ଉପରେ ପଡ଼ିଛି । ଚାହିଦା ତୁଳନାରେ ଯୋଗାଣ କମ୍ ରହୁଥିବାରୁ ସୁନାଦର ହୁ ହୁ ବୋଇ ବଢିଚାଲିଛି । ଏହାସହିତ ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ, ଚୀନ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ଟନ୍ ଟନ୍ ସୁନା କିଣି ଗଚ୍ଛିତ ରଖୁଛନ୍ତି । ଡଲାର ଅସ୍ଥିରତା ଓ ସେୟାର ବଜାରର ସ୍ଥିତି ମାନ୍ଦା ଚାଲୁଥିବାରୁ ସୁନା କିଣିବାକୁ ଲୋକଙ୍କ ଆଗ୍ରହ ବଢୁଛି । ନିବେଶକାରୀମାନେ ଏବେ ସୁରକ୍ଷିତ ଭାବେ ଗୋଲ୍ଡ ଇଟିଏଫ୍ରେ ପୁଞ୍ଜି ନିବେଶ କରିବା ସହିତ ବାସ୍ତବ ସୁନାରେ ବେଶୀ ଟଙ୍କା ବିନିଯୋଗ କରୁଛନ୍ତି । ଯାହାକି ସେମାନଙ୍କୁ ସ୍ବଳ୍ପ ଅବଧିରେ ଅଧିକ ରିଟର୍ଣ୍ଣ ଦେଉଛି । ଭାରତରେ ସୁନାର ଚାହିଦା କମିବନି । କେନ୍ଦ୍ର ସରକାର ସୁନା ଉପରେ ୩ ପ୍ରତିଶତ ଜିଏସ୍ଟି ନେଉଛନ୍ତି । ହିସାବ କଲେ ଜଣେ ଗ୍ରାହକ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଗହଣା କିଣିଲେ ଜିଏସ୍ଟି ଓ ଗଢା ମଜୁରି ମିଶିଲେ ଦେବାକୁ ପଡ଼ିବ ପ୍ରାୟ ୧ ଲକ୍ଷ ୧୯ ହଜାର ଟଙ୍କା ।
ଜଣକ ପରେ ଜଣେ ନେତା ଖୋଲିଲେଣି ତୁଣ୍ଡ, ମୋହନଙ୍କ ଟିମରେ କୁହୁଳିଲାଣି ନିଆଁ
ଭୁବନେଶ୍ବର : ବର୍ଷ ପୂର୍ତ୍ତି ପୂର୍ବରୁ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ! ୬ଟି ମନ୍ତ୍ରିପଦ ପାଇଁ ଆଶାୟୀଙ୍କ ଲମ୍ବା ତାଲିକା । ଜଣକ ପରେ ଜଣେ ନେତା ଖୋଲିଲେଣି ତୁଣ୍ଡ । ମୋହନଙ୍କ ଟିମରେ କୁହୁଳିଲାଣି ନିଆଁ । ବିଜେପି ସରକାର ଗଠନର ୧୦ମାସ ପରେ ବି ଅଧାଗଢା ମନ୍ତ୍ରିମଣ୍ଡଳ । ମନ୍ତ୍ରିମଣ୍ଡଳରେ ୬ଟି ଆସନ ଖାଲିଥିବାରୁ ଏହି ସ୍ଥାନ ମୁଖ୍ୟମନ୍ତ୍ରୀ ପୂରଣ କରିବେ କି ନାହିଁ ତାହାକୁ ନେଇ କିଛି ଦିନର ନିରବତା ପରେ ବିଜେପି ବିଧାୟକମାନେ ପୁଣି ମୁହଁ ଖୋଲିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରିମଣ୍ଡଳରେ ସାମିଲ ଥିବା ଅନେକ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ଥିବାରୁ ମନ୍ତ୍ରୀମାନେ ଭାରାକାନ୍ତ । ଦଳର ବରିଷ୍ଠ ବିଧାୟକ ପ୍ରକାଶ ସୋରେନଙ୍କ ଯୁକ୍ତି ହେଉଛି ୬ ମନ୍ତ୍ରିପଦ ପୂରଣ ହେବାର ଆବଶ୍ୟକ ରହିଛି । ସେହିପରି ବହୁ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ଥିବାରୁ ଆବଶ୍ୟକ ଅନୁସାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମାସକ ମଧ୍ୟରେ ହେବା ଚର୍ଚ୍ଚା ହେଉଥିବା ବିଜେପି ବିଧାୟକ କହିଛନ୍ତି । ବରିଷ୍ଠ ବିଧାୟକଙ୍କ ସ୍ବର ସହ ସ୍ବର ମିଳାଇଛନ୍ତି ଦଳର ଅନ୍ୟକିଛି ବିଧାୟକମାନେ । ଜଣକ ପରେ ଜଣେ ବିଜେପି ବିଧାୟକ ମନ୍ତ୍ରୀ ପଦ ପୂରଣ ନେଇ ମୁହଁ ଖୋଲିବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ପାଓ୍ବାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ସେପଟେ ମନ୍ତ୍ରିମଣ୍ଡଳରେ ଖାଲିପଡିଥିବା ୬ଟି ଆସନ ପାଇଁ କିଛି ଦିନର ନିରବତା ପରେ ବିଜେପିର ବିଧାୟକମାନେ ମୁହଁ ଖୋଲିଛନ୍ତି । ବିଜେପି ଅନ୍ଦର ମହଲର ଚର୍ଚ୍ଚା ଅନୁସାରେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ୨ଜଣ ମନ୍ତ୍ରୀଙ୍କୁ ବାଦ ଦେଇ କିଛି ନୂଆ ମୁହଁକୁ ମନ୍ତ୍ରିମଣ୍ଡଳରେ ସାମିଲ କରିପାରିନ୍ତି । ଏହି ତାଲିକାରେ ଅଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଅମର ନାୟକ, ବାବୁ ସିଂହ, ରଘୁରାମ ମାଛ, ମାନସ ଦତ୍ତ, ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ନାଁ ନେଇ ଚାଲିଛି ବିଚାର ବିମର୍ଶ। ରାଜନୈତିକ ସମୀକ୍ଷକଙ୍କ ଆକଳନ ହେଉଛି ମନ୍ତ୍ରିପଦ ପାଇଁ ଅଧିକ ଆଶାୟୀ ଥିବାରୁ ଅଙ୍କ ଛିଣ୍ଡୁନାହିଁ । ତେବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ କି ନହେବ ତାହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର ବୋଲି ବିଜେପି ବିଧାୟକ ଅମର ନାୟକ କହିଛନ୍ତି । ମୋହନଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବିଜେପି ଅନ୍ଦର ମହଲରେ ସାନି କସରତ ଆରମ୍ଭ ହୋଇଥିବା ବେଳେ କାହାକୁ କେମିତି ଦଳ ଥଇଥାନ କରାଯିବ ସେ ଚିନ୍ତାରେ ବିଜେପିର ଶୀର୍ଷ ନେତୃତ୍ବ ।
ବିଦ୍ୟୁତ କାଟ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ
ଭୁବନେଶ୍ବର : ଅସହ୍ୟ ତାତିରେ ଜଳୁଛି ଓଡିଶା। ତା ସହ ଗୁଳୁଗୁଳି । ସେପଟେ ରାଜଧାନୀ ଠାରୁ ଆରମ୍ଭ କରି ରାଜ୍ୟସାରା ଅଘୋଷିତ ବିଦ୍ୟୁତ କାଟ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ଅଭିଯୋଗ କରିଛନ୍ତି- ସରକାର ୩୦୦ ୟୁନିଟ ମାଗଣା ବିଜୁଳି ପ୍ରତିଶୃତି ଦେଇ ଭୁଲିଗଲେ। ଏବେ ଖୋଦ ରାଜଧାନୀରେ ପାଓ୍ବାର କଟ କରାଯାଉଛି । ସରକାରଙ୍କ ଘୋଷଣା ଗୋଟିଏ ପଟେ ବିଜୁଳି ସମସ୍ୟା ଆଉ ଗୋଟିଏ ପଟେ ବୋଲି ସେ ଅଭିଯୋଗ କରିଛନ୍ତି । ସମାନ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ରାଜଧାନୀରେ ଅଘୋଷିତ ବିଦ୍ୟୁତ କାଟ ହେଉଥିବା ବେଳେ ଗାଁ ଗଣ୍ଡାରେ ବିଦ୍ୟୁତ କାଟ କେତେ ସମୟ ହେଉଛି ତାହାର ହିସାବ ନାହିଁ ବୋଲି କଂଗ୍ରେସ କହିଛି। ଅନ୍ୟପଟେ ବିଜେପି ବିଧାୟକ ପ୍ରକାଶ ସୋରେନ କହିଛନ୍ତି କାଳବୈଶାଖୀ କାରଣ ଯୋଗୁଁ କିଛି ସମୟ ବିଦ୍ୟୁତ କାଟ ହେଉଛି ।
ଅଘୋଷିତ ବିଦ୍ୟୁତ କାଟକୁ ନେଇ ପ୍ରଶ୍ନ ଉଠାଇଛି ଉପଭୋକ୍ତା ମହାସଂଘ । ପରିଚାଳନା ତ୍ରୁଟି ଓ ମରାମତି ସଠିକ ଭାବେ କରାଯାଉ ନଥିବାରୁ ବିଦ୍ୟୁତ କାଟ ପରି ସମସ୍ୟା ଦେଖାଦେଉଛି । ସରକାର ଏଥିପ୍ରତି ଗୁରୁତ୍ବ ଦେବା ଆବଶ୍ୟକ ବୋଲି ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ କହିଛନ୍ତି । ତେଣେ ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ କାଟ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶକ୍ତିମନ୍ତ୍ରୀ କେଭି ସିଂଦେଓ । ଏହାସହ କାଳ ବୈଶାଖୀ କାରଣରୁ କିଛି ସ୍ଥାନରେ ବିଦ୍ୟୁତ୍ ବ୍ୟାହତ ହେଉଥିଲେ ବି ତୁରନ୍ତ ସମାଧାନ କରାଯାଉଛି। ବକେୟା ବିଦ୍ୟୁତ୍ ବିଲ ପ୍ରଦାନ କରି ନଥିଲେ ବି ଏବେ ବିଦ୍ୟୁତ୍ ସଂଯୋଗ କଟାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ନିକଟରେ ରାଜ୍ୟପାଳଙ୍କ ପୁରୀ ଗସ୍ତ ସମୟରେ ବିଦ୍ୟୁତ କାଟ ହୋଇଥିଲା । ଯାହା ଶକ୍ତିବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଥିଲା । ଯଦି ରାଜ୍ୟପାଳଙ୍କ ଗସ୍ତବେଳେ ଓ ରାଜଧାନୀରେ ବିଦ୍ୟୁତ କାଟ ହେଉଛି ତେବେ ଉପାନ୍ତି ଓ ଗାଁ ଗଣ୍ଡାରେ ସ୍ଥିତି କଣ ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ।
ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶା ପାଇଁ ପାଲଟିବ କି ଅଭିଶାପ ?
ଭୁବନେଶ୍ବର : ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶା ପାଇଁ ପାଲଟିବ କି ଅଭିଶାପ ? ସରକାର ନେଉଛନ୍ତି ବାହାବା, ହନ୍ତସନ୍ତ ହେଉଛନ୍ତି ସାଧାରଣ ରୋଗୀ। ଯୋଜନାର କାର୍ଯ୍ୟକାରିତାରେ ସମସ୍ୟା ଥିବାରୁ ଘରୋଇ ହସ୍ପିଟାଲ ସଂଘର ଅସନ୍ତୋଷ। ବିଜେପି ଶାସିତ ରାଜ୍ୟରେ ବି ଫେଲ ମାରିଛି ଆୟୁଷ୍ମାନ ଯୋଜନା। ଗୁଜରାଟରେ ଯୋଜନାରେ ଚାଲିଥିବା ସ୍କାମକୁ ନେଇ ରିପୋର୍ଟ କରିଛି ସିଏଜି। ତରବରିଆ ଭାବେ ଓଡ଼ିଶାରେ ଲାଗୁ କରି ପ୍ରଶଂସା ସାଉଣ୍ଟିବାକୁ ଉଦ୍ୟମ, ହେଲେ ବାସ୍ତବତା ସଂପୂର୍ଣ୍ଣ ଭିନ୍ନ। ତେବେ କାହିଁକି ଆୟୁଷ୍ମାନ ଯୋଜନାକୁ ନେଇ ବଢୁଛି ଅସନ୍ତୋଷ ? ମୁଖ୍ୟତଃ ତିନୋଟି ସମସ୍ୟାକୁ ନେଇ ଘରୋଇ ହସ୍ପିଟାଲ ସରକାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛି। ସଫ୍ଟଓ୍ବେର ଓ ପରିଚାଳନାଗତ ସମସ୍ୟା ଏବଂ ପ୍ୟାକେଜ ଦରକୁ ନେଇ ଉଠିଛି ପ୍ରଶ୍ନ। ଘରୋଇ ହସ୍ପିଟାଲ ସଂଘ ପରେ ଯୋଜନାର ବ୍ୟବସ୍ଥାକୁ ନେଇ ମୁହଁ ଖୋଲିଛି ଭାରତୀୟ ଚିକିତ୍ସକ ସଂଘ। ଚିକିତ୍ସା ପରେ ରୋଗୀ ଡିସଚାର୍ଜ ବେଳେ ଡାକ୍ତରଙ୍କ ଫଟୋ ଓ ଫିଙ୍ଗର ପ୍ରିଣ୍ଟକୁ ନେଇ ପ୍ରଶ୍ନ ଉଠାଇଛି ଆଇଏମ୍ଏ।
ଖାଲି ସେତିକି ନୁହେଁ, ରୋଗୀ ପଞ୍ଜିକରଣ ବେଳେ ଜଟିଳ ଓଟିପି ବ୍ୟବସ୍ଥାକୁ ନାପସନ୍ଦ କରୁଛନ୍ତି ଘରୋଇ ହସ୍ପିଟାଲ। ରୋଗୀର ଚିକିତ୍ସା ସମୟରେ ଯଦି ଏକାଧିକ ରୋଗ ବାହାରେ, ତାହାଲେ ରୋଗ ଯୋଡ଼ିବାର ବ୍ୟବସ୍ଥା ସଫ୍ଟଓ୍ବେରରେ ନଥିବାରୁ ଚିକିତ୍ସା ସମ୍ଭବ ହୋଇପାରିବ ନାହିଁ। ସଫ୍ଟଓ୍ବେର ଓ ପରିଚାଳନା ଗତ ସମସ୍ୟା ସହିତ ରୋଗର ପ୍ୟାକେଜ ଦରକୁ ନେଇ ବି ଘୋର ଅସନ୍ତୋଷ ଦେଖାଦେଇଛି। ୧୦ ବର୍ଷ ତଳେ ଯାହା ରେଟ୍ ଥିଲା, ସେହି ଦର ଆୟୁଷ୍ମାନ ଯୋଜନାରେ ଥିବାରୁ ଏତେ କମ୍ ଦାମରେ ଚିକିତ୍ସା ସମ୍ଭବ ନୁହେଁ। ତରବରିଆ ଭାବେ ଡବଲ ଇଞ୍ଜିନ ସରକାର ନିଜର ପାରିବାପଣିଆ ଦେଖାଇ କେନ୍ଦ୍ର ସରକାରଙ୍କୁ ସନ୍ତୁଷ୍ଟ କରିବାକୁ ଆୟୁଷ୍ମାନ ଯୋଜନା ଲାଗୁ କଲେ। ହେଲେ ଏହା ପୂର୍ବରୁ ଯୋଜନାର କାର୍ଯ୍ୟକାରିତାକୁ ନେଇ ହସ୍ପିଟାଲ ସଂଘ, ଡାକ୍ତର ସଂଘ ଏବଂ ଅନ୍ୟ ଷ୍ଟେକ ହୋଲଡରଙ୍କ ସହ ଆଲୋଚନା କରିଥିଲେ ସମସ୍ୟା ଦୂର ହୋଇଥାନ୍ତା ବୋଲି ମତ ରଖିଛି ଆଇଏମ୍ଏ। ବିଏସକେଓ୍ବାଇରେ ମାଗଣା ଚିକିତ୍ସା ପାଇଁ କୌଣସି ସର୍ତ୍ତ ନଥିଲା। କିନ୍ତୁ ଆୟୁଷ୍ମାନରେ ରହିଛି ଅନେକ ସର୍ତ୍ତ। ବିଏସକେଓ୍ବାଇରେ ନା ଥିଲା ପ୍ୟାକେଜରେ କ୍ୟାପିଙ୍ଗ, ନା ଥିଲା ପ୍ରଶାସନିକ କଟକଣା। ହେଲେ ଆୟୁଷ୍ମାନରେ ସବୁ ସ୍ତରରେ ରହିଛି ସର୍ତ୍ତମୂଳକ ଆପ୍ରୁଭାଲ ବ୍ୟବସ୍ଥା।
ଏବେ ଓଡ଼ିଶାରେ ନୁହଁ ଆନ୍ଧ୍ରରେ ମିଶିବାକୁ ଇଛା କଲେଣି କୋଟିଆବାସୀ
ଭୁବନେଶ୍ୱର : ରାଜ୍ୟରେ ଚାଲିଛି ଜଙ୍ଗଲୀ ଶାସନ । ଅତିଷ୍ଠ ଆଦିବାସୀ । ଏବେ ଓଡ଼ିଶାରେ ନୁହଁ ଆନ୍ଧ୍ରରେ ମିଶିବାକୁ ଇଛା କଲେଣି କୋଟିଆବାସୀ । ଆନ୍ଧ୍ର ପଶିଲେଣି ଶରଣ । ନିଜଘରେ ହତାଦର ଯୋଗୁ ପରଘରକୁ ମାଗିଲେ ଆଶ୍ରୟ । ବିଜେପି ସରକାରର ଅପାରଗତା ଯୋଗୁ ନିଜ ମାଟି ପ୍ରତି ମୋହ ତୁଟାଇ ଦେଲେଣି ଲୋକେ । ଯାହାକୁ ନେଇ ରାଜ୍ୟ ଉଠୁଛି ପଡୁଛି। କୋଟିଆ ଅଞ୍ଚଳର ଧୂଳିପଦର, ନେରିଡିବାଲସା ଓ ତାଡିବାଲସା ପ୍ରମୁଖ ତିନି ଗ୍ରାମର ଶତାଧିକ ଗ୍ରାମବାସୀ ଆନ୍ଧ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରାଜନ ଦୋରାଙ୍କୁ ଭେଟି ସେମାନଙ୍କୁ ଆନ୍ଧ୍ର ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରି ପରିଚୟ ଦେଉ ବୋଲି ଦାବି କରିଛନ୍ତି । ଏହାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଓଡ଼ିଆ ଅସ୍ମିତା ପରିଷଦ। କୋଟିଆ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମଧ୍ୟ ଟ୍ୱିଟ କରି ହସ୍ତକ୍ଷେପ କରିବାକୁ ଦାବି ରଖିଛି ପରିଷଦ । ପୂର୍ବ ସରକାର ସମୟରେ କୋଟିଆକୁ ପ୍ରାଧାନ୍ୟ ଦିଆଯାଇଥିଲା । ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ହେଲେ ଏବେ ଅବହେଳିତ ଏହି ଅଞ୍ଚଳ । ଯାହାକୁ ନେଇ ବର୍ଷିଛି ଓଡ଼ିଆ ଅସ୍ମିତା ପରିଷଦ । ସେପଟେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ସବୁଠୁ ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ଏଯାଏଁ କାହିଁକି ଉଦାସୀନ ବୋଲି ପ୍ରଶ୍ନ କରିଛି ଉତ୍କଳ ସମ୍ମିଳନୀ।
ପ୍ରଥମଥର ପାଇଁ ରାଜ୍ୟରେ ଏଭଳି ଏକ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛି ବିଜେଡି । ଓଡ଼ିଶା ସରକାର କିଭଳି ଭାବେ କୋଟିଆବାସୀଙ୍କ ସହ ଆଚରଣ କରୁଛନ୍ତି ଏଥିରୁ ସ୍ପଷ୍ଟ ହୋଇଛି। ଯେଉଁଥିପାଇଁ ଗ୍ରାମବାସୀ ଓଡ଼ିଶା ଛାଡିବାକୁ ବସିଲେଣି । ଯଦି ସ୍ୱତଃପ୍ରବୃତ୍ତ ଭାବେ ଅନ୍ୟ ରାଜ୍ୟରେ ଲୋକେ ମିଶିବାକୁ ଚାହିଁବେ ସେମାନଙ୍କୁ ଆଉ ଅଟକାଯାଇପାରିବ ନାହିଁ। ପୂର୍ବ ସରକାର ସମୟରେ ୧୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସରକାର ପରିବର୍ତ୍ତନ ହେବା ପରେ ବିକାଶ ଗୋଟିଏ ଇଞ୍ଚ ବଢିନାହିଁ। ସେପଟେ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ତଥା ସ୍ଥାନୀୟ ବିଧାୟକ ରାମଚନ୍ଦ୍ର କାଡାମ । ଭୁବନେଶ୍ୱରର ଏସି ରୁମରେ ନୁହେଁ ଗ୍ରାଉଣ୍ଡ ଜିରୋ ଯାଇ ସ୍ଥିତି ଅନୁଧ୍ୟାନ କରନ୍ତୁ ବୋଲି ଦାବି ହୋଇଛି । ସେପଟେ ନାଗରିକ ସୁରକ୍ଷା ମଞ୍ଚ ଏ ପ୍ରସଙ୍ଗରେ ସରକାରଙ୍କୁ କଡା ଚେତାବନୀ ଦେଇଛି। ସେପଟେ କୋଟିଆ ଅଂଚଳ ଛାତ୍ରଛାତ୍ରୀଙ୍କର ଅପାର କାର୍ଡ ଆନ୍ଧ୍ରପ୍ରଦେଶ ଶିକ୍ଷା ବିଭାଗ ପକ୍ଷରୁ କରାଯାଉଛି । ଏହା ଆନ୍ଧ୍ର ସରକାରଙ୍କର କୋଟିଆ ହାତେଇବା ପାଇଁ ଆଉ ଏକ ବଡ଼ ଷଡ଼ଯନ୍ତ୍ର ବୋଲି ବଡ଼ ଅଭିଯୋଗ ଆଣିବା ସହ ମୁଖ୍ୟମନ୍ତ୍ରୀ ତୁରନ୍ତ ଏସବୁ ଉପରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି ।
ନୂଆ ରାସନକାର୍ଡ ପାଇଁ ହିତାଧିକାରୀ ଚୟନରେ ହେଉଛି କି ରାଜନୀତି ?
ଖୋର୍ଦ୍ଧା : ନୂଆ ରାସନକାର୍ଡ ପାଇଁ ହିତାଧିକାରୀ ଚୟନରେ ହେଉଛି କି ରାଜନୀତି । ଆସନ୍ତା ୨୪ ତାରିଖରେ ସରକାର ନୂଆ ରାସନକାର୍ଡ ବାଣ୍ଟିବାକୁ ଘୋଷଣା କରିଥିବା ବେଳେ ଏବେ ଏଭଳି ପ୍ରଶ୍ନ ଉଠିଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକରେ ୩ହଜାର ଆବେଦନକାରୀଙ୍କ ମଧ୍ୟରୁ ୨୪ ତାରିଖରେ ମାତ୍ର ୬ଜଣଙ୍କୁ କାର୍ଡଧାରୀଙ୍କୁ ତାଲିକାଭୁକ୍ତ କରାଯାଇଛି । ଏହାକୁ ନେଇ ବୋଲଗଡ ବ୍ଲକରେ ଅସନ୍ତୋଷ ଦେଖାଦେଇଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ୧୯ଟି ପଞ୍ଚାୟତରେ ୩୦୦୦ରୁ ଅଧିକ ଆବେଦନ ପତ୍ର ପଡ଼ିଛି । ସେଥିମଧ୍ୟରୁ ୧୪୦୦ ଦରଖାସ୍ତ ଯାଞ୍ଚ ପ୍ରକ୍ରିୟା ଚାଲିଛି। ଆସନ୍ତା ୨୪ ତାରିଖରେ ମାତ୍ର ୬ଜଣଙ୍କୁ ରାସନ କାର୍ଡ ବଣ୍ଟନ କରାଯିବ ବୋଲି ନିଷ୍ପତି ହୋଇଛି। ଏହାକୁ ନେଇ ସାରା ବ୍ଲକରେ ଅସନ୍ତୋଷ ଦେଖାଦେଇଛି। ସବୁ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଏକାଠି ହୋଇ ଏହା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ସେମାନେ ବ୍ଲକ ସମ୍ମିଳନୀ କକ୍ଷରେ ସରକାରଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ କରିଛନ୍ତି ।
ବୋଲଗଡ଼ରେ ପଞ୍ଚାୟତ ଲୋକ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବିଡିଓଙ୍କ ଜରିଆରେ ପ୍ରଦାନ କରିବା ସହ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଫେରାଦ ହୋଇଛନ୍ତି । ଯାଞ୍ଚ ହୋଇନଥିବା ଦରଖାସ୍ତକୁ ତୁରନ୍ତ ଯାଞ୍ଚ କରାଯାଉ । ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କ୍ଷେତ୍ରରେ ପାତର ଅନ୍ତର ନୀତି ପାଳନ କଲେ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ ହେବ ବୋଲି ବିଜେଡ଼ି ବିଧାୟକ ପ୍ରଦୀପ କୁମାର ସାହୁ ଚେତାବନୀ ଦେଇଛନ୍ତି। ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀ ଚୟନରେ କେତେ ନିରପେକ୍ଷତା ଅବଲମ୍ବନ କରୁଛନ୍ତି ତାଉପରେ ବୋଲଗଡ଼ ବ୍ଲକ ସମେତ ସମଗ୍ର ଜିଲ୍ଲାବାସୀ ଅପେକ୍ଷା କରିଛନ୍ତି।
ଆଶୀର୍ବାଦ ସାହୁ ହତ୍ୟା ଘଟଣା, ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୋଲିସର ଅପେକ୍ଷା
ପୁରୀ ଡେଲାଙ୍ଗ ରତନପୁରର ୧୧ ବର୍ଷର ନାବାଳକ ଆଶୀର୍ବାଦ ସାହୁ ହତ୍ୟା ଘଟଣା । ଆଶୀର୍ବାଦ ନିଖୋଜ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ହତ୍ୟା ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ଜଣଙ୍କ ମୃତ ନାବାଳକର ସମ୍ପର୍କୀୟ ଦାଦା ହୋଇଥିବା ବେଳେ ସେ ଯୌନ ଲାଳସା ସମ୍ପର୍କରେ ପ୍ରଘଟକୁ ନେଇ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ତଦନ୍ତରୁ ପ୍ରକାଶ କରିଛି । ଅଭିଯୁକ୍ତ ପ୍ରଭାକର ସାହୁ ଓରଫ ବାପି ନାବାଳକକୁ ଏକ ପରିତ୍ୟକ୍ତ ଗୃହକୁ ନେବା ସହ ସେଠାରେ ଟେନିସ ବଲ କିଣିବା ପାଇଁ ଲାଳସା ଦେଖାଇଥିଲା । ବଲ କିଣିବାକୁ ନାବାଳକକୁ ୧୦୦ ଟଙ୍କା ଦେବା ସହ ତାର ପ୍ରାଇଭେଟ ପାର୍ଟରେ ହାତ ମାରି ଯୌନ ଲାଳସା ମେଣ୍ଟାଇଥିଲା । ଏହି ଘଟଣା ବେଶ କିଛି ସମୟ ଚାଲିବା ପରେ ନାବାଳକ ଅଭିଯୁକ୍ତକୁ ଅଧିକ ଟଙ୍କା ମାଗିଥିଲା । ଟଙ୍କା ନଦେଲେ ସେ ସମସ୍ତଙ୍କୁ ଘଟଣା ସମ୍ପର୍କରେ ଜଣାଇ ଦେବ ବୋଲି କହିଥିଲା । ଘଟଣା ପ୍ରଘଟ ହୋଇଯିବା ଭୟରେ ନିଜ ଗଞ୍ଜିରେ ନାବାଳକର ମୁହଁ ଘୋଡାଇବା ସହ ଚାପି ଧରିଥିଲା । ପରବର୍ତୀ ସମୟରେ ସେ ନାବାଳକକୁ ନେଇ ପାଇଖାନା ଟାଙ୍କି ଭିତରେ ପକାଇ ଦେଇଥିଲା । ପୋଷ୍ଟ ମର୍ଟମ ରିପୋର୍ଟକୁ ପୋଲିସ ଅପେକ୍ଷା କରି ରହିଛି । ତେବେ ନାବାଳକ ସହ ସେପରି କୌଣସି ଅପାକୃତିକ ଯୌନ ସମ୍ପର୍କ ହୋଇ ନଥିବା ପୋଲିସ ସ୍ପଷ୍ଟ କରିଥିବା ବେଳେ ମୋବାଇଲ ଫୋନ, ସାଇକେଲ ଚାବି ଓ ପିନ୍ଧିଥିବା ଗଞ୍ଜି ଆଦିକୁ ପୋଲିସ ଜବତ କରିଛି । ଆଜି ଅଭିଯୁକ୍ତକୁ ପୋକସୋ ମାମଲାରେ କୋର୍ଟ ଚାଲାଣ କରାଯାଇଅଛି । ଏହି ଘଟଣାରେ ଅନ୍ୟ କେହି ସହଯୋଗୀ ଅଛି କି ନାହିଁ ସେ ନେଇ ପୋଲିସ ଅଧିକ ତଦନ୍ତ କରୁଛି । ଏହି ମାମଲାର ଶୀଘ୍ର ନ୍ୟାୟିକ ଯାଞ୍ଚ ପାଇଁ ପୋଲିସ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପୁରୀ ଏସପି ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି।

