spot_img
Home Blog Page 918

ରାଜଧାନୀରେ ଜମୁଛି ତୋଷାଳୀ ମେଳା

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ଜମୁଛି ତୋଷାଳୀ ମେଳା । ଵିଭିନ୍ନ ଷ୍ଟଲ୍ ଵୁଲି ଦେଖିଵା ସହ ଭଳିକି ଭଳି ସୁସ୍ଵାଦୁ ଖାଦ୍ଯର ମଜା ନେଉଛନ୍ତି ରାଜଧାନୀ ଵାସି । ମେଳାରେ ପଡିଥିବା ଵିଭିନ୍ନ ରାଜ୍ଯର ସୁସ୍ଵାଦୁ ଖାଦ୍ଯ ଖାଇଵା ପାଇଁ ଖାଇଵା ଷ୍ଟଲରେ ଲୋକଙ୍କ ଭିଡ ଦେଖିଵାକୁ ମିଳୁଛି । ଏହାରି ଭିତରେ ଲୋକଙ୍କ ମନ କିଣିଛି କେନ୍ଦୁଝରର ପତ୍ରପୋଡା ମାଂସ ।

ରାଜଧାନୀରେ ଦେଶୀ ଖାଦ୍ୟର ପସରା । ପତ୍ରପୋଡା ମାଂସ ବାସ୍ନାରେ ମହକୁଛି ପରିବେଶ । ଆଧୁନିକ ଯୁଗରେ ମନ କିଣିନେଇଛି ଗାଉଁଲି ଖାଦ୍ୟ । ହାତ ଚାଟି ଖାଇବା ସହ ପ୍ରଶଂସାରେ ପୋତି ପକାଇଛନ୍ତି ଗ୍ରାହକ । ତୋଷାଳି ମେଳାରେ ପଡିଥିଵା ଫୁଡକୋର୍ଟରେ ନିଆରା ଖାଦ୍ୟର ବେଶ ଚାହିଦା ଦେଖିବାକୁ ମିଳିଛି । ଚଳିତବର୍ଷ ତୋଷାଳି ଫୁଡକୋର୍ଟରେ ପଡିଥିବା ୧୭ଟି ଦୋକାନ ମଧ୍ଯରୁ କେନ୍ଦୁଝରର ପତ୍ରପୋଡା ମାଂସର ସ୍ଵାଦ ଗରାଖଙ୍କୁ ଟାଣି ଆଣୁଛି। ରାଜଧାନୀବାସୀଙ୍କ କହିଵା ଅନୁଯାୟୀ, ଭୁଵନେଶ୍ବରରେ ଅନେକ ସମୟରେ ନାନାଦି ପ୍ରକାରର ଖାଦ୍ଯ ଖାଇଵାକୁ ମିଳିଥାଏ,  କିନ୍ତୁ ତୋଷାଳି ମେଳାରେ ମିଳୁଥିଵା ପତ୍ରପୋଡା ମାଂସ ଖାଇବାକୁ  ତାଙ୍କୁ ବର୍ଷେ ପର୍ଯ୍ଯନ୍ତ ଅପେକ୍ଷା କରିୁବାକୁ ପଡୁଛି । ନିରାମିଷ ଲୋକ ଛତୁପୋଡାର ମଜା ନେଉଥିଵା ବେଳେ ଆମିଷ ଖାଉଥିବା ଲେକଙ୍କ ପାଇଁ ରହିଛି ଭଳିକି ଭଳି ଆମିଷ ପତ୍ରପୋଡାର ସମ୍ଭାର । ମାଛ, ଦେଶୀ ଚିକେନ୍, କଙ୍କଡା, ଚିଙ୍ଗୁଡି, ମଟନ୍ ଆଦି ପତ୍ରପୋଡା ଖାଇ ମେଳା ବୁଲିବାର ମଜା ନିଆରା ବୋଲି କହିଛନ୍ତି ପର୍ଯ୍ୟଟକ ।

ତୋଷାଳି ମେଳାକୁ ଆସିଲେ କିଣାକିଣି ପାଇଁ ଲୋକଙ୍କ ମଧ୍ଯରେ ଯେତିକି ଆଗ୍ରହ ଦେଖିଵା ପାଇଁ ମିଳିଥାଏ ଠିକ ସେତିକି ଖାଇବାକୁ ନେଇ ମଧ୍ଯ ଉତ୍ସାହ ରହିଥାଏ। ଏଣୁ ଦୀର୍ଘ ଵର୍ଷ ହେଲାଣି କେନ୍ଦୁଝରର ଆସି ତୋଷାଳି ମେଳାରେ ନିଜ ଖାଇଵା ଷ୍ଟଲ ପକାଉଛନ୍ତି ଏହି ଵ୍ଯବସାୟୀ ଜଣକ । ସୁସ୍ଵାଦୁ ପତ୍ରପୋଡା ସାଙ୍ଗଙ୍କୁ ବ୍ୟବସାୟୀଙ୍କର ସୁନ୍ଦର ବ୍ୟବହାର ଗ୍ରାହାକଙ୍କୁ ଟାଣି ଆଣୁଛି ଏହି ଷ୍ଟଲ ଆଡକୁ । ଚଳିତ ବର୍ଷ ବେପାର ମଧ୍ଯ ଭଲ ହେଉଥିବା କହିଛନ୍ତି ବ୍ୟବସାୟୀ ।

 

ହାଇଓ୍ବା ଓ ବୋଲେରୋ ଧକ୍କା : ୨ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ସୁବର୍ଣ୍ଣପୁର ଉଲୁଣ୍ଡା ଥାନା ମାଟୁପାଲି ଛକରେ ମର୍ମନ୍ତୁଦ ଦୁର୍ଘଟଣା। ହାଇଓ୍ବା ଓ ବୋଲେରୋ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ୩ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ସୋନପୁର ପଟୁ ଆସୁଥିବା ଏକ ହଇୱା ଗାଡ଼ି ଏବଂ ସିଣ୍ଡୋଲ ପଟରୁ ଆସୁଥିବା ଏକ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବୋଲେରୋରେ ଥିବା ୩ ଜଣ ମଧ୍ୟରୁ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ, ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଗଟଣା ପରେ ହାଇୱାଟି ରାସ୍ତା କଡ଼ରେ ଓଲଟି ପଡିଥିଲା। ଫଳରେ ସେଥିରେ ଥିବା ଦୁଇ ଜଣ ମଧ୍ୟ ଗୁରୁତର ହୋଇଛନ୍ତି। ମୃତକ ମାନେ ଟାଟା ପାୱାରର କର୍ମଚାରୀ ବୋଲି ଜଣା ପଡିଛି।

କାହା ନିର୍ଦ୍ଦେଶରେ ଗୃହରେ ପଶି ପୋଲିସର ଦମନଲୀଳା ?

ନନ୍ଦିଘୋଷ ବ୍ୟୁରୋ: ଗୃହରେ ପୋଲିସ ପ୍ରବେଶ କରିଥିବାରୁ ନିଜ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ ବିଜେଡି ସଦସ୍ୟ। ବିବୃତି ଦାବି କରି ସେମାନେ କକ୍ଷତ୍ୟାଗ କରିଥିଲେ। ପରେ ବିବୃତି ରଖିବାକୁ ରାଜି ହୋଇଥିଲେ ବାଚସ୍ପତି। ବିଜେଡି ସଦସ୍ୟଙ୍କୁ ଗୃହ ଭିତରକୁ ଫେରାଇ ଆଣିବାକୁ ସେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକଙ୍କୁ ପଠାଇଥିଲେ। ଗତକାଲିର ଘଟଣାରେ ଗୃହରେ ବିବୃତି ରଖି ବାଚସ୍ପତି କହିଥିଲେ, ୭ ମାର୍ଚ୍ଚ ୨୦୨୫ରୁ ୨୫ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ବିରୋଧୀ ଦଳର କିଛି ସଦସ୍ୟ ହଟ୍ଟଗୋଳ କରିବାରୁ ବିଧାନସଭା ଚାଲିପାରୁନାହିଁ। ଜାଣଶୁଣି ଗୃହକୁ ବନ୍ଦ କରୁଥିଲେ ସେମାନେ। ଗୃହ ସମସ୍ତଙ୍କର । ବିଶୃଙ୍ଖଳା ଆଚରଣ ଯୋଗୁଁ ବିଧାୟକଙ୍କୁ ନିଲମ୍ବିତ କରାଯାଇଥିଲା। ନିଲମ୍ବନ ପରେ ମଧ୍ୟ ବିଧାୟକମାନେ ଗୃହ ଛାଡ଼ି ନ ଥିଲେ।  ବିଧାୟକଙ୍କ ସୁରକ୍ଷା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି ।

ନିଲମ୍ବିତ ବିଧାୟକମାନେ ମାର୍ଶାଲ ଓ ସୁରକ୍ଷାକର୍ମୀଙ୍କୁ ମାଡ ମାରିଥିଲେ ବୋଲି କହିଥିଲେ ବାଚସ୍ପତି। ବାଚସ୍ପତିଙ୍କ ବିବୃତି ଉପରେ ମତ ରଖି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, କାଲି ଯାହା ହେଲା, ତାହା ଗଣମାଧ୍ୟମରେ ପ୍ରସାରିତ ହୋଇଛି।  କଂଗ୍ରେସ ବିଧାୟକମାନେ ଅଭିଯୋଗ କରିଛନ୍ତି, ସେମାନଙ୍କ ପ୍ରତି ଅତି କଦର୍ଯ୍ୟ ବ୍ୟବହାର କରାଯାଇଛି। ଆଜି ବିଜେଡି ବିଧାୟକମାନେ ପ୍ରତିବାଦ କରି ବାହାରକୁ ଯାଇ ସମ୍ବିଧାନର ପ୍ରଣେତାଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିବାକୁ ଯାଉଥିଲେ। ହେଲେ ଗେଟ୍ ରେ ପୋଲିସ ଆମକୁ ଅଟକାଇଥିଲା, ଛାଡ଼ି ନ ଥିଲା । କିପରି ପ୍ରଶାସନ ଚାଲିଛି। ପୋଲିସ କାହିଁକି ବିଜେଡି ବିଧାୟକଙ୍କୁ ଅଟକାଇଲା, ବାଚସ୍ପତି ତାର ଉତ୍ତର ଦେଲେ ନାହିଁ। ବାଚସ୍ପତିଙ୍କ ବିବୃତିରେ ଅସନ୍ତୋଷ ପ୍ରକାଶ କରି ବିଜେଡି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ।

ପାର୍କିଂ ନଥିଲେ କଟକରେ ବନ୍ଦ ହେବ ଘରୋଇ ହସ୍ପିଟାଲ

ନନ୍ଦିଘୋଷ ବ୍ୟୁରୋ: ପାର୍କିଂ ନଥିଲେ ଆଉ କଟକ ସହରରେ ଚାଲିପାରିବନାହିଁ ଘରୋଇ ହସ୍ପିଟାଲ । କେବଳ ବେପାର ଉଦ୍ଦେଶ୍ୟରେ ନିୟମ କୁ ଖିଲାପକରି ହସ୍ପିଟାଲ ଚଳାଇଥିବା ମାଲିକଙ୍କ ମୁଣ୍ଡରେ ଝୁଲିଲା କଡା ନିୟମର ଖଣ୍ଡା । ସିଏମସି କମିଶନର ଏନେଇ ନିର୍ଦ୍ଦେଶ ଜାରି କରିବା ସହିତ ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧକ୍ଷତାରେ ଗଠନ କରିଛନ୍ତି ଜଏଣ୍ଟ କମିଟି । ଚଢ଼ାଉରେ ପାର୍କିଙ୍ଗ ନଥିବା ଜଣାପଡିଲେ ହସ୍ପିଟାଲ ସିଲ ହେବ ସ୍ପଷ୍ଟ କରିଛନ୍ତି ସିଏମସି କତୃପକ୍ଷ । ସେପଟେ ଏହି ନିୟମକୁ ଘରୋଇ ହସ୍ପିଟାଲ ସଂଘର ବରିଷ୍ଠ ସଦସ୍ୟ ସ୍ବାଗତ କରିଥିବା ବେଳେ ସହରବାସୀ ଏହି ନିୟମର କଡାକଡି କାର୍ଯ୍ୟକାରିତା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ।

ପାର୍କିଂ ନଥିଲେ କଟକରେ ବନ୍ଦ ହେବ ଘରୋଇ ହସ୍ପିଟାଲ । ନିୟମ ଖିଲାପ କରିଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ । ସିଏମସି କମିଶନର ଜାରିକଲେ ନିର୍ଦ୍ଦେଶନାମା । ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧକ୍ଷତାରେ  ଜଏଣ୍ଟ କମିଟି ଗଠିତ ।  ଏଣିକି କଟକରେ ର୍ନିମାଣ ହୋଇଥିବା ହସ୍ପିଟାଲ ଗୁଡିକରେ ପାର୍କିଙ୍ଗ ନଥିଲେ ମିଳିବ ନାହିଁ ପଞ୍ଜିକରଣ ପ୍ରମାଣପତ୍ର । ଯିଏ ଏହି ସୁବିଧା ନଥାଇ ହସ୍ପିଟାଲ ଚଳାଉଥିବେ ପଞ୍ଜିକରଣ ରଦ୍ଦ କରାଯିବ । ତେବେ ଜଏଣ୍ଟ କମିଟିରେ ଅଗ୍ନିଶମ, ସିଡିଏ ଯୋଜନା ବିଭାଗ, ସିଡିଏମଓ, ସିଏମସି, ପ୍ରଦୂଷଣ ବୋର୍ଡର କର୍ତ୍ତୃପକ୍ଷ ସଦସ୍ୟ ରହିବେ । ଘରୋଇ ହସ୍ପିଟାଲ ଚାଲିବା ପାଇଁ ଆବଶ୍ୟକ ସବୁ ନିୟମ ସହିତ ପାର୍କିଙ୍ଗକୁ କମିଟି କଡାକଡି ଦେଖିବେ,  ଯଦି ପାର୍କିଂ ନଥିବ ବା ଅବଶ୍ୟକତା ଠାରୁ ଯଥେଷ୍ଟ କମ ଥିବ ତେବେ ଏହାକୁ ଫାଇନ ସହିତ ସିଲ କରିଦିଆଯିବ ।  କମିଟିର ୩ଟି ପର୍ଯ୍ୟାୟ ବୈଠକ ସରିଛି ।  ଗୁରୁବାର ଠାରୁ ଧାରାବାହିକ ଭାବରେ ସହର ବିଭିନ୍ନ ପ୍ରାନ୍ତରେ ଏହି ତନଖି ପକ୍ରିୟା ଚାଲିବ ବୋଲି ଜଣାଇଛନ୍ତି ସିଏମସି କର୍ତ୍ତୃପକ୍ଷ ।

କଟକରେ ପୂର୍ବଭାରତର ରେଫେରାଲ ଏସସିବି ବଡ଼ ମେଡିକାଲ ରହିଛି ।  ଉତ୍ତମ ଚିକିତ୍ସା ଆଶାରେ ପ୍ରତିଦିନ ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ରୋଗୀ ଆସନ୍ତି ।  ତେବେ ସମସ୍ତେ ଆଶାନୁରୂପକ ଚିକିତ୍ସା ପାଆନ୍ତିନାହିଁ । ଏହି ରୋଗୀ ମାନଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ରାଣୀହାଟ, ମଙ୍ଗଳାବାଗ କାଠଗୋଲା,ଯୋବ୍ରା ବଜ୍ରକବାଟି ମହାନଦୀବିହାର, ସିଡିଏ ତୁଳସିପୁର ଆଦି ଅଞ୍ଚଳରେ ମାଳ ମାଳ ଘରୋଇ ହସ୍ପିଟାଲ ଖୋଲାଯାଇଛି । ଏଥିରୁ ଅଧିକାଂଶ ହସ୍ପିଟାଲଙ୍କ ନାହିଁ ଆବଶ୍ୟକ ପାର୍କିଂ ବ୍ୟବସ୍ଥା । ସ୍ୱାସ୍ଥ୍ୟ ବ୍ୟବସାୟରେ ମାତି ଥିବା ଅନେକ ହସ୍ପିଟାଲ ମାଲିକ ନିୟମର ଖିଲାପକରି ବର୍ଷ ବର୍ଷ ଧରି ଚଳାଇଛନ୍ତି ହସ୍ପିଟାଲ । ଯାହା ବେଆଇନ, ତେବେ କମିଶନରଙ୍କ ଏହି ନିୟମକୁ ଘରୋଇ ହସ୍ପିଟାଲ ସଂଘର ବରିଷ୍ଠ ସଦସ୍ୟ ସମର୍ଥନ କରିବା ସହିତ ସ୍ୱାଗତ କରିଛନ୍ତି ।  ସେପଟେ ସହରବାସୀ ନିୟମର କଡାକଡି ଲାଗୁ ଉପରେ ସନ୍ଦେହ ପ୍ରକାଶ କରି ପକୃତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

 

ଆନ୍ଧ୍ର ଯୁବକଙ୍କୁ ଠକିଥିଲେ, ବନ୍ଧାହେଲେ ମା’ ଝିଅ

ନନ୍ଦିଘୋଷ ବ୍ୟୁରୋ: ବନ୍ଧା ହେଲେ ଅଭିଯୁକ୍ତ ମା’ ଝିଅ । ଉଭୟ ମା’ ଝିଅଙ୍କୁ ନୟାଗଡରୁ କାବୁ କଲା ନୟାପଲ୍ଲୀ ଥାନା ପୋଲିସ । ଗତକାଲି ବିବାହ ଆଳ ଦେଖାଇ ଲକ୍ଷାଧିକ ଟଙ୍କା ଓ ସୁନା ଧରି ଚମ୍ପଟ ମାରିଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା । ଆନ୍ଧ୍ର ପ୍ରଦେଶର ବରଘର ଝିଅକୁ ରେଷ୍ଟୁରାଣ୍ଟରେ ଦେଖି ନିର୍ବନ୍ଧ କରିବା ପରେ ସପିଂ କରିଥିଲେ ପରିବାର ଲୋକ । ଆନ୍ଧ୍ର ପରମ୍ପରା ଅନୁସାରେ ଝିଅକୁ ଲୁଗାପଟା ସାଙ୍ଗକୁ ସୁନା ରୂପା ଅଳଂକାର ଓ ନଗଦ ଟଙ୍କା ମଧ୍ୟ ଦେଲେ । ହେଲେ ବିବାହ କରିବା ଦିନ ଝିଅ ଓ ତାଙ୍କ ପରିବାର ଚଂପଟ ମାରିଥିଲେ । ଠକେଇର ଶିକାର ହୋଇଥିବା ଜାଣି ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ପୁଅ ଘର । ତେବେ ଦୁହିଁଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି । ପୂର୍ବରୁ ଲେବର କାର୍ଡ କରାଇବା ଆଳରେ ଠକେଇ ନେଇ ସେମାନଙ୍କ ନାଁରେ ଅଭିଯୋଗ ରହିଛି ।

ଫଳକରେ ସୀମିତ ହଷ୍ଟେଲ, ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟିଲାଣି ଘଷିପୁରା ବ୍ଲକ ଓଡ଼ପଡା ଜନଜାତି ଛାତ୍ରୀ ନିବାସ

ନନ୍ଦିଘୋଷ ବ୍ୟୁରୋ: ଫଳକରେ ସୀମିତ ଓଡପଡା ଜନଜାତି ଛାତ୍ରୀ ନିବାସ । ରକ୍ଷଣାବେକ୍ଷଣ ଅଭାବରୁ ପାଲଟିଲାଣି ଭୂତକୋଠି । ଜନଜାତି ଶିଶୁମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଲକ୍ଷାଧିକ ଟଙ୍କାରେ ସରକାରଙ୍କ ଦ୍ୱାରା ନିର୍ମିତ ଛାତ୍ରୀବାସ ବ୍ୟବହାର ନହୋଇ ଏବେ ଧ୍ବଂସାଭିମୁଖୀ ।

କେଉଁଠି ତାଲା ଝୁଲୁଛି ତ କେଉଁଠି ଭାଙ୍ଗିରୁଜି ଗଲାଣି ପାଇଖାନା । ଆଉ କେଉଁଠି ଆବର୍ଜନାରେ ଭର୍ତ୍ତି ଘର । ଖାଲି ସେତିକି ନୁହେଁ ଲତା ବୁଦାରେ ଭରିଗଲାଣି ପୂରା ପରିବେଶ । ଏ ହେଉଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଓଡ଼ପଡା ସରକାରୀ ପ୍ରାଥମିକ ବିଦ୍ଯାଳୟ ନିକଟରେ ଥିବା ଛାତ୍ରୀ ନିବାସର ଦୃଶ୍ଯ । ୨୦୧୨ ମସିହାରେ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିଲା ଶହେ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସ । ଘର କାମ ସରିଯାଇଥିଲେ ବି ଛାତ୍ରୀ ନିବାସର ପାଚେରୀ ଏବେ ମଧ୍ଯ ଅଧପନ୍ତରିଆ ରହିଛି । ଦୀର୍ଘ ଦିନ ହେଲା ଘର ଗୁଡିକ ଉପଯୋଗ ନହେବାରୁ ଏବେ ତାହା ଅସାମାଜିକ ବ୍ଯକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଲାଣି । କିଛି ଘରକୁ କେତେକ ବ୍ଯକ୍ତି ତାଲା ମାରି ବ୍ଯବହାର କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି ।

ଜରାଜୀର୍ଣ୍ଣ ଛାତ୍ରୀ ନିବାସ ସମ୍ପର୍କରେ ଗ୍ରାମବାସୀ ମାନେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଗୋଟିଏ ପଟେ ଘଟଣା ସମ୍ପର୍କରେ ଅଧିକାରୀ ଅବଗତ ଥିବା କହୁଥିବା ବେଳେ, କାର୍ଯ୍ୟ ଅସମ୍ପୁର୍ଣ୍ଣକୁ ନେଇ ଉଚ୍ଚ ପଦାଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିବା କହିଛନ୍ତି । ଏଥିସହିତ ସମସ୍ତ କାମ ସରିଲେ ଛାତ୍ରୀ ନିବାସ କାର୍ଯ୍ଯକ୍ଷମ ହେବ ବୋଲି କହିଛନ୍ତି । ହେଲେ ଯଥା ପୂର୍ବଂ ତଥା ପରଂ । ଯାହାକୁ ନେଇ ବୁଦ୍ଧିଜୀବୀ ମାନେ କ୍ଷୋଭ ପ୍ରକାଶ କରିବା ସହିତ ତୁରନ୍ତ ଛାତ୍ରୀ ନିବାସକୁ କାର୍ଯ୍ଯକ୍ଷମ କରିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

 

ସାମିଙ୍କ ଭଉଣୀ-ଭିଣୋଇ ମନରେଗା ଶ୍ରମିକ, ଦିନକୁ ମିଳୁଛି ୨୩୭ ଟଙ୍କାର ମଜୁରୀ

ନନ୍ଦିଘୋଷ ବ୍ୟୁରୋ: ଜଣାଶୁଣା କ୍ରିକେଟରଙ୍କ ଭଉଣୀ-ଭିଣଷାଇ ମନରେଗା ଶ୍ରମିକ । ଆକାଉଣ୍ଟକୁ ଦିନକୁ ଆସୁଛି ୨୩୭ ଟଙ୍କା । ଟିମ ଇଣ୍ଡିଆର ଜଣାଶୁଣା କ୍ରିକେଟର ମହମ୍ମଦ ସାମିଙ୍କ ଉଭଣୀ- ଭିଣୋଇ ମନରେଗାରେ ଶ୍ରମିକ ଭାବେ ପାଉଛନ୍ତି ମଜୁରୀ । ତେବେ ଏକଥା ଶୁଣିଲା ବେଳକୁ ଅଧିକାଂଶ ଲୋକଙ୍କ ବିଶ୍ବାସ ହେଉ ନଥିବ । କିନ୍ତୁ ଏହା ସତ । ତେବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ କି, ଭାରତୀୟ କ୍ରିକେଟରମାନେ ଏତେ ଟଙ୍କା ଲେଖାଏଁ ରୋଜଗାର କରୁଥିବାବେଳେ ସେ କଣ ତାଙ୍କ ଉଭଣୀଙ୍କୁ କିଛି ସାହାର୍ଯ୍ୟ କରୁନାହାନ୍ତି କି ? ତେବେ ଏକ ରିପୋର୍ଟରେ ପ୍ରକାଶ ପାଇଛି କି, ସାମିଙ୍କ ଉଭଣୀ- ଭିଣୋଇ ସାଙ୍ଗକୁ ତାଙ୍କ ଭଉଣୀଙ୍କ ଶାଶୁଘରର ସମସ୍ତେ ଏହି ମନରେଗା ଯୋଜନାରେ ଜବ କାର୍ଡ କରିଛନ୍ତି ।

କହି ରଖୁଛୁ କି, ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାର ମନରେଗା ଯୋଜନାରେ କାମ କରୁଥିବା ଶ୍ରମିକଙ୍କ ତାଲିକାରେ ତାଙ୍କ ପରିବାରର ସମସ୍ତେ ରହିଥିବା ପ୍ରକାଶ ପାଇଛି । ତେବେ ତାଙ୍କ ଶ୍ବଶୁର ଗାଁ ମୁଖିଆ ରହିଥିବାବେଳେ ସେ ଚଞ୍ଚକତା କରି ଏଭଳି କରିଥିବା ଅଭିଯୋଗ ହୋଇଛି । ସେ ମନରେଗାରେ ପରିବାରର ସମସ୍ତ ସଦସ୍ୟଙ୍କ ନାଁରେ ଜବ କାଡ଼ କରି ଟଙ୍କା ହଡ଼ପ କରୁଥିଲେ । ବାସ୍ତବରେ ସେମାନେ ବଡ଼ଘରର ଲୋକ । କିନ୍ତୁ ଏମାନେ ମନରେଗାରେ କାମ ଆଣୁଥିବାବେଳେ ପରିବାରର ସମସ୍ତ ସଦସ୍ୟଙ୍କ ନାମରେ ଜବ କାର୍ଡ କରିଛନ୍ତି ।

ସାମିଙ୍କ ଉଭଣୀ ଏବଂ ଭିଣୋଇ ଏବେ ଯେଉଁ ଫ୍ଲାଟରେ ରହିଛନ୍ତି ଏହାର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ । ମାତ୍ର ଏମାନଙ୍କ ନାମରେ ରହିଛି ଜବ୍ କାର୍ଡ । ତେବେ ଉଭୟ ପତି ପତ୍ନୀଙ୍କ ନାମରେ ୨୦୨୧ରୁ ୨୦୨୪ ମଧ୍ୟରେ ୬୬ ହଜାରରୁ ଅଧିକ ଟଙ୍କା ଉଠା ହୋଇଛି । ଏପରିକି ସାମିଙ୍କ ଉଭଣୀଙ୍କ ନଣନ୍ଦଙ୍କ ନାମରେ ମଧ୍ୟ ଜବ କାର୍ଡ ରହିଛି । ଗାଁ ଲୋକେ ଅଭିଯୋଗ କରିଛନ୍ତି କି, ପୁରା ପରିବାର ନାଁରେ ଜବ କାର୍ଡ କରାଯାଇଛି । ଏପରି ଭାବେ ଦୀର୍ଘଦିନ ଧରି ସେମାନେ ମନରେଗା ଯୋଜନାରେ ଟଙ୍କା ଉଠାଉଥିଲେ ।

 

ଚାଲିଛି ଦଣ୍ଡଯାତ୍ରା, ଉତ୍ସବ ମୁଖର ଗଞ୍ଜାମ ଜିଲ୍ଲା

ନନ୍ଦିଘୋଷ ବ୍ୟୁରୋ: କଳା ସାହିତ୍ୟ ସଂସ୍କୃତିର ଗନ୍ତାଘର ଭାବେ ବେଶ ପରିଚିତ ଗଂଜାମ ଜିଲ୍ଲା । ତେବେ ଏହି ଜିଲ୍ଲାର ଅନ୍ୟତମ ଲୋକକଳା ହେଉଛି ଦଣ୍ଡଯାତ୍ରା । ବିଶେଷ କରି ଏହ ଦଣ୍ଡଯାତ୍ରାକୁ ଚୈତ୍ର ମାସରେ ଦେଖିବାକୁ ମିଳିଥାଏ । କାହିଁ କେଉଁ ଆବାହମାନ କାଳରୁ ପ୍ରଚଳିତ ହୋଇ ଆସୁଥିବା ଦଣ୍ଡଯାତ୍ରା ଏବେ ଅ।ରମ୍ଭ ହୋଇଯାଇଛି । ଯାତ୍ରା ଦୀର୍ଘ ୨୧ ଦିନ ଧରି ଚାଲିବ ।

ଦୁଲୁକୁଛି ଗାଁ ଦାଣ୍ଡ । ଉତ୍ସବମୁଖର ପୁରା ପରିବେଶ । ଆରମ୍ଭ ହୋଇଯାଇଛି ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ଦଣ୍ଡଯାତ୍ରା । କବିସୂର୍ଯ୍ୟନଗର, ଗୁଡିଆଳି ଭଳି ଅନେକ ଗାଁରେ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଥିବା ବେଳେ ଗାଁ ପୋଖରୀରେ ପୂଜାର୍ଚ୍ଚନା ସହ ଗାଁ ବୁଲିବା ଆରମ୍ଭ କରିଦେଇଛନ୍ତି ମା କାଳିଶି । ଚୈତ୍ର ମାସ ଆସିଗଲେ ମାନସିକଧାରୀ ମାନେ ନିଜ ନିଜର ମାନସିକ ପୂରଣ ନିମନ୍ତେ ଏହି ଦଣ୍ଡଯାତ୍ରାରେ ସାମିଲ ହୋଇଥାନ୍ତି । ଦେହରେ ଗେରୁଆ ବସ୍ତ୍ର ପରିଧାନ କରିବା ସାଙ୍ଗକୁ ହାତରେ ମାଆଙ୍କ ବାନା ଓ ମୟୂର ପିଂଛ ଧରି ମାନସିକଧାରୀ ମାନେ ଗାଁକୁ ଗାଁ ବୁଲି ଦଣ୍ଡ ଗ୍ରହଣ କରିବା ସହ ଦଣ୍ଡ ଖେଳିଥାନ୍ତି । ଏହି ଦଣ୍ଡଯାତ୍ରା ଚୈତ୍ର ମାସ ମେରୁ ସଂକ୍ରାନ୍ତିରୁ ଠିକ ୨୧ ଦିନ ପୂର୍ବରୁ ଆରମ୍ଭ ହୋଇଥାଏ ।

ଦଣ୍ଡନାଚରେ ପ୍ରଥମେ ଧୂଳି ଦଣ୍ଡ, ପାଣି ଦଣ୍ଡ ଓ ରାତ୍ରିରେ ଅଗ୍ନି ଦଣ୍ଡ କରାଯାଇଥାଏ । ବାଦ୍ୟ ଓ ତୁରିର ତାଳେ ତାଳେ ଦଣ୍ଡୁଆ ମାନସିକଧାରି ମାନେ ଚାଲିଥାନ୍ତି ମାଇଲ ମାଇଲ ବାଟ ।  ମାନସିକଧାରୀ ମାନେ ଦିନକୁ ଓଳିଏ ଖାଇବା ସହ ବହୁ ନିଷ୍ଠାର ସହ ନିଜ ବ୍ରତକୁ ପାଳନ କରିଥାନ୍ତି । ଦଣ୍ଡଯାତ୍ରାରେ ସାମିଲ ହେଲେ ଅନେକ ଅସାଧ୍ଯ କାର୍ଯ୍ଯ ସାଧ୍ଯ ହୋଇଥାଏ ବୋଲି ଲୋକଙ୍କ ବିଶ୍ଵାସ ରହିଛି । ଏହିଭଳି ପରମ୍ପରା ଗଂଜାମ ଜିଲ୍ଲାରେ ବହୁ ବର୍ଷ ଧରି ଲାଗିରହିଥିବା ବେଳେ ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ଆରମ୍ଭ ହୋଇ ପଣା ସଂକ୍ରାନ୍ତିରେ ଏହି ଯାତ୍ରା ସରିଥାଏ ।

 

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି, ଶୃଙ୍ଖଳିତ ଭାବେ ସମ୍ପାଦନ କରିବାକୁ ଯୁବ ଓ ଅଭିଜ୍ଞ ଦଇତାପତିଙ୍କ ମଧ୍ୟରେ ସମନ୍ବୟ

ନନ୍ଦିଘୋଷ ବ୍ୟୁରୋ: ଚଳିତବର୍ଷ ଶୃଙ୍ଖଳିତ ଭାବେ ଶେଷ ହେବ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଯୁବ ଓ ଅଭିଜ୍ଞ ଦଇତାପତିଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ରକ୍ଷା କରାଯାଇ କାର୍ଯ୍ୟ କରାଯିବାକୁ ଲକ୍ଷ୍ୟ ରଖିଥିବା ଦଇତାପତି ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି । ଦଇତାପତି ନିଯୋଗର ନବ ନିର୍ବାଚିତ ସଦସ୍ୟ ଓ ଅଧିକାରୀ ମାନେ ଏହି ସୂଚନା ପ୍ରଦାନ କରିଛନ୍ତି। ଗତବର୍ଷ ଆଡ଼ପ ପହଣ୍ଡି ବେଳେ ପ୍ରଭୁ ବଳଭଦ୍ର ତାଳଧ୍ଵଜ ରଥରୁ ଖସି ପଡିବା ଘଟଣାରୁ ଦଇତାପତି ମାନେ ଅନେକ ଶିକ୍ଷା ଲାଭ କରିଥିବା ବେଳେ ସେହି ତ୍ରୁଟିର ପୁନରାବୃତ୍ତି ଯେପରି ନ ହୁଏ ସେ ଦିଗରେ ନିଯୋଗ ସମସ୍ତ ଯୁବ ଓ ଅଭିଜ୍ଞ ଦଇତାପତିଙ୍କ ସମନ୍ଵୟ ରକ୍ଷା କରି ପହଣ୍ଡି ନୀତି ଶେଷ କରିବାକୁ ଚଳିତ ବର୍ଷ ଗୁରୁତ୍ବ ଦିଆଯିବ। ଦଇତାପତିଙ୍କ ସେବା ଏକ ଗୋଷ୍ଠୀଗତ ସେବା ।

ଏନେଇ ସବୁ ଦଇତାପତିଙ୍କ ମଧ୍ୟରେ ଉଚିତ୍ ବୁଝାମଣା ରଖି ମହାପ୍ରଭୁଙ୍କ ସେବା କରିବା ନେଇ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟନିର୍ବାହୀ କମିଟିକୁ ଆସିଥିବା ଦଇତାପତି ମାନେ କାର୍ଯ୍ୟ କରିବେ ।  ନିର୍ବାଚିତ ୧୫ ସଦସ୍ୟଙ୍କ ମଧ୍ୟରୁ ରାମକୃଷ୍ଣ ଦାସ ମହାପାତ୍ର ସମ୍ପାଦକ ମନୋନୀତ ହୋଇଥିବା ବେଳେ ଗଣେଶ ଦାସ ମହାପାତ୍ର ସଭାପତି ହୋଇଛନ୍ତି।ତେବେ ଦଇତାପତି ନିଯୋଗର ସମସ୍ୟା,ସୁରୁଖୁରୁରରେ ନୀତି ସଂପାଦନ ନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହ ଆଲଚନା କରାଯିବ ବୋଲି ଦଇତାପତି ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି।ନିଯୋଗର ଉପ ସଭାପତି ଭାବେ ଗଣପତି ଦାସ ମହାପାତ୍ର,ସହ ସମ୍ପାଦକ ଭାବେ ଜଗବନ୍ଧୁ ଦାସ ମହାପାତ୍ର,କୋଷାଧ୍ୟକ୍ଷ ଭାବେ କାର୍ତ୍ତିକ ଦାସ ମହାପାତ୍ର ଆଗାମୀ ତିନି ବର୍ଷ ପାଇଁ  କାର୍ଯ୍ୟଭାର ସମ୍ଭାଳିବେ ବୋଲି ଜଣାପଡିଅଛି।

କେଉଁଠି ବର୍ଷାରେ ଭିଜୁଛି ତ କେଉଁଠି ପାଲ ଘୋଡାଇ ଜଗି ରହୁଛନ୍ତି ଚାଷୀ: ମଣ୍ଡିରେ ପଡ଼ି ରହିଛି ଧାନ

ନନ୍ଦିଘୋଷ ବ୍ୟୁରୋ: ପ୍ରତିଶୃତି ପାଲଟିଛି ପାଣିରଗାର । ସରୁନି ଚାଷୀଙ୍କ ଦୁର୍ଦ୍ଦଶା । ଯାଜପୁର ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏବେ ବି ଗଦା ହୋଇ ରହିଛି ଧାନ ବସ୍ତା । ଚଳିତ ମାସ ଶେଷ ସୁଦ୍ଧା ମଣ୍ଡିରୁ ଧାନ ସଂଗ୍ରହ ଶେଷ କରିବାକୁ ଘୋଷଣା କରିଥିଲେ ସରକାର । କିନ୍ତୁ କୃଷି ସମବାୟ ବିଭାଗର ଦାୟିତ୍ବହୀନତା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଦିନିଆ ବର୍ଷା ଓ କୂଆପଥର ମାଡ ଚାଷୀଙ୍କ ପାଇଁ ଦାଉ ସାଜିଛି ।

ରବି ଋତୁରେ ଚାଷ ଆରମ୍ଭ ହୋଇଯାଇଥିବା ବେଳେ ଏବେବି ଖରିଫ ଋତୁର ଧାନ କିଣା ସରୁନି । ଯାଜପୁର ଜିଲ୍ଲାରେ ଧାନ କିଣାରେ ବ୍ଯାପକ ଅବ୍ଯବସ୍ଥା । ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏବେ ବି ଗଦା ହୋଇ ରହିଛି ଧାନ ବସ୍ତା । କେଉଁଠି ଅଦିନିଆ ବର୍ଷା ଓ କୁଆପଥର ମାଡରେ ଧାନ ଗଜା ହେଲାଣି ତ କେଉଁଠି ଓଦା ଧାନରୁ ପାଣି ଛାଣୁଛନ୍ତି ଚାଷୀ । ଅନ୍ଯ କେଉଁଠି ଜରିପାଲ ଘୋଡାଇ ଧାନ ବିକ୍ରି କରିବାକୁ ଚାଷୀ ଚାତକ ଭଳି ଅନେଇ ବସିଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ମଣ୍ଡିରୁ ଧାନ ସଂଗ୍ରହ ଶେଷ କରିବାକୁ ଦିଆଯାଇଥିଲା ପରାମର୍ଶ । ମାତ୍ର କୃଷି ସମବାୟ ବିଭାଗର ଦାୟିତ୍ବ ହୀନତା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ । ଏପଟେ ଧାନ ବିକ୍ରି ହେଇ ପାରୁନଥିବାରୁ ଅନେକ ଚାଷୀ ଜିଲ୍ଲା ବାହାରୁ ଆସୁଥିବା ବ୍ରୋକର ମାନଙ୍କ ଜରିଆରେ ଶାଗମାଛ ଦରରେ ଧାନ ବିକି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।

ଧାନ କିଣା ଅବ୍ଯବସ୍ଥା ନେଇ ଦୁଇଦିନ ତଳେ ରାତିରେ ଦଶରଥପୁର ଠାରେ ଚାଷୀଙ୍କ ହୋହଲ୍ଲା ଦେଖିବାକୁ ମିଳିଥିଲା । ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଚାଷୀ । ଏବେ ବ୍ଲକ ଆଗରେ ଧାରଣା ଦେବାକୁ ପ୍ରସ୍ତୁତି ଚାଲିଛି । ଜିଲ୍ଲାର କେତେକ କୃଷକ ସଂଗଠନ ବା ଚାଷୀ ନେତା ଏହାକୁ ପ୍ରତିବାଦ କରି ବଡ ଧରଣର ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଲେଣି । ଅନ୍ଯପଟେ କୃଷି ସମବାୟ ଏବଂ ଯୋଗାଣ ବିଭାଗର ଅଧିକାରୀ କହିଛନ୍ତି , ସମସ୍ଯାର ସମାଧାନ ପାଇଁ ଉଦ୍ଯମ ଜାରି ରହିଛି ।

ଧାର୍ଯ୍ୟ ଦରରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଭେଳା ବୁଡିବାକୁ ବସିଲାଣି । ଏବେ ସରକାର ଏବଂ ପ୍ରଶାସନ ପକ୍ଷରୁ ଏହାକୁ ପ୍ରତିହତ କରିବାକୁ କେଉଁ ପ୍ରକାର ପଦକ୍ଷେପ ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।