spot_img
Home Blog Page 901

ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପାଇଁ ବଢିଲା ଅଡୁଆ

ଭୁବନେଶ୍ବର: ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପାଇଁ ବଢିଲା ଅଡୁଆ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି କଂଗ୍ରେସ । ତାଙ୍କୁ ତୁରନ୍ତ ବିଧାୟକ ତଥା ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରିଛି ଦଳ । ଜାଲ ଜାତିଗତ ପ୍ରମାଣ ପତ୍ର ଓ ମିଥ୍ୟା ସତ୍ୟପାଠ ପାଇଁ ତାଙ୍କୁ ଏହି ଦୁଇ ପଦବୀରୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛନ୍ତି ଏଆଇସିସି ସଦସ୍ୟ ଅଭିଷେକ ମହାନନ୍ଦ । ୨୦୦୨ ପରେ ତାଙ୍କ ଜାତି ଅନୁସୂଚିତ ଜାତି ତାଲିକାଭୁକ୍ତ ହୋଇଛି । କିନ୍ତୁ ତା ପୂର୍ବରୁ ତାଙ୍କୁ ସାର୍ଟିଫିକେଟ କେମିତି ମିଳିଲା ? ମୁକେଶ ମହାଲିଙ୍ଗଙ୍କ ମାମଲାରେ ଚୁପ କାହିଁକି ପ୍ରଶାସନ ? ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହ ଭିତରେ ଶପଥ ପାଠ କରିଥିଲେ । ଏବେ କିଭଳି ସେ ମନ୍ତ୍ରୀ ଅଛନ୍ତି ? ମହିଳାଙ୍କ ପାଇଁ ଲଢ଼ିବାରୁ ୧୪ କଂଗ୍ରେସ ବିଧାୟକଙ୍କୁ ସସପେଣ୍ଡ କରାଗଲା ।

କିନ୍ତୁ ଅସଭ୍ୟ ଭାଷାରେ ମୁକେଶ ଗାଳି କଲେ। ବାଚସ୍ପତି କାହିଁକି ଆକ୍ସନ ନେଲେନି ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଫେକ ସାର୍ଟିଫିକେଟ ମାଧ୍ୟମରେ ଚାକିରି କରି ମୁକେଶ ବିଧାୟକ ହୋଇଛନ୍ତି ଓ ଏବେ ମନ୍ତ୍ରୀ ପଦ ବି ସମ୍ଭାଳିଛନ୍ତି । ନହେଲେ ଏହା ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି । ସ୍କୁଲିଂ, ଚାକିରି ଆଦି ସବୁ ଏସସି ହିସାବରେ କରିଛନ୍ତି ମହାଲିଙ୍ଗ। ତଦନ୍ତ ରିପୋର୍ଟ ଆସିଛି ଏବେ ପେଣ୍ଡିଙ୍ଗ ଅଛି । ଏହି ସମାନ ପ୍ରସଙ୍ଗରେ ଡିଏସପିଙ୍କ ଚାକିରି ଯାଇଛି କିନ୍ତୁ ମୁକେଶଙ୍କ ପ୍ରସଙ୍ଗରେ ଆରଡିସି ଏହାକୁ ପେଣ୍ଡିଙ୍ଗ କାହିଁକି ରଖିଛନ୍ତି ? ଏହି ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କଂଗ୍ରେସ ଆରଡିସିଙ୍କୁ ଅନୁରୋଧ କରିଛି । .. ..

ଆନ୍ଧ୍ରର ବଡ଼ ଷଡ଼ଯନ୍ତ୍ର, କୋଟିଆରେ ତିଆରି କରୁଥିବା ପାନୀୟ ଜଳ ପ୍ରକଳ୍ପ କାମ ଶେଷ

ନନ୍ଦିଘୋଷ ବ୍ୟୁରୋ: କିଛି ଦିନର ନିରବତା ପରେ ପୁଣି ଦେଖିବାକୁ ମିଳିଛି ଆନ୍ଧ୍ର ଅଧିକାରୀ ମାନଙ୍କ କୋଟିଆ ପଞ୍ଚାୟତରେ ଅନୁପ୍ରବେଶ । କୋଟିଆକୁ ନେଇ ବଡ଼ ଧରଣର ଷଡ଼ଯନ୍ତ୍ର କରୁଛି ଆନ୍ଧ୍ର। କୋଟିଆରେ ଆନ୍ଧ୍ର ପ୍ରଦେଶର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଶେଷ ହୋଇଛି । ଖୁବଶୀଘ୍ର କୋଟିଆ ପଞ୍ଚାୟତର ଧୂଳିପଦର ଗ୍ରାମବାସୀ ପାଇବେ ଆନ୍ଧ୍ର ପାଣି । ଜିଲ୍ଲା ପ୍ରଶାସନର କଡ଼ା କଟକଣା ସତ୍ୱେ କେମିତି ଆନ୍ଧ୍ର ପକ୍ଷରୁ ନିର୍ମାଣ କାର୍ଯ୍ୟ ଶେଷ ହେଲା ତାହାକୁ ନେଇ ଉଠୁଛି ପ୍ରଶ୍ନ । ଦୁଇଦିନ ତଳେ କୋଟିଆ ପଞ୍ଚାୟତ ନେରଡିବାଲସା ଗାଁ ନିକଟ ଜଙ୍ଗଲରେ ଆନ୍ଧ୍ର ଅଧିକାରୀ ସ୍ଥାନୀୟ ଲୋକଙ୍କ ଇ-କେୱାଇସି କରୁଥିବା ବେଳେ ଆଜି ଧୂଳିପଦର ଗାଁରେ ୧୦ ହଜାର ଲିଟର ବିଶିଷ୍ଟ ପାଣିଟାଙ୍କି ନିର୍ମାଣ ଶେଷ ହୋଇଛି । ଖୁବଶୀଘ୍ର ଆନ୍ଧ୍ରର ଜଣେ ଆଗ ଧାଡ଼ିର ନେତା ଏହାକୁ ଶୁଭାରମ୍ଭ କରିବେ ବୋଲି ଖବର ମଳିଛି ।

ତେବେ ନିର୍ମାଣ କାର୍ଯ୍ୟ ଆରମ୍ଭ ବେଳେ ଖବର କରିଥିଲା ନନ୍ଦିଘୋଷ ଟିଭି । କୋଟିଆରେ ଲୋକଙ୍କୁ ଯୋଜନା ମାଧ୍ୟମରେ ଆନ୍ଧ୍ର ସପକ୍ଷରେ ରଖିବାକୁ ଯୋଜନା କରୁଛନ୍ତି ଆନ୍ଧ୍ର ଅଧିକାରୀ । ଲୋକଙ୍କ ନିକଟରେ କିଭଳି ଆନ୍ଧ୍ରର ଯୋଜନା ମିଳିବ ସେନେଇ ଦିନରାତି ଏକ କରିଛନ୍ତି ଅଧିକାରୀ । ପ୍ରଶାସନ ପକ୍ଷରୁ ଦିନରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବାରୁ ରାତି ଅଧିଆ କାମ କରି ନିର୍ମାଣ କାର୍ଯ୍ୟ ଶେଷ କରିଛି ଆନ୍ଧ୍ର । କେବଳ ରଙ୍ଗବୋଳା କାମ ବାକି ରହିଥିବା ବେଳେ ଆନ୍ଧ୍ର ଅଧିକାରୀ ପ୍ରତିଦିନ ନୀରିକ୍ଷଣ କରି ଫେରୁଛନ୍ତି । ପ୍ରଶାସନ ପକ୍ଷରୁ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ତଥାପି ଆନ୍ଧ୍ର କେମିତି ନିର୍ମାଣ କାମ ସାରିଲା ତାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ସରପଞ୍ଚ । ସେପଟେ ପ୍ରଶାସନ ପକ୍ଷରୁ ନିୟୋଜିତ ଅଧିକାରୀ ଲୋକଙ୍କ ପାଖକୁ ପହଞ୍ଚିବା ଆବଶ୍ୟକତା ରହିଛି ନଚେତ ଆଗକୁ ସ୍ଥିତି ଜଟିଳ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ।…

ଆନ୍ଧ୍ର ହାତକୁ କୋଟିଆକୁ ଟେକି ଦେବେ ନାହିଁ ତ ରାଜ୍ୟର ଡବଲ ଇଞ୍ଜିନ ସରକାର ?

ଭୁବନେଶ୍ବର: ଆନ୍ଧ୍ର ହାତକୁ କୋଟିଆକୁ ଟେକି ଦେବେ ନାହିଁ ତ ରାଜ୍ୟର ଡବଲ ଇଞ୍ଜିନ ସରକାର ? ଏପରି ଆଶଂକା ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । କେନ୍ଦ୍ରରେ ସରକାର ବଞ୍ଚାଇବା ପାଇଁ ରାଜ୍ୟ ସରକାର କୋଟିଆର ୨୧ ଅଞ୍ଚଳକୁ ଆନ୍ଧ୍ର ହାତକୁ ଯୌତୁକ ଭାବେ ଟେକିଦେବେ ବୋଲି ଆଶଂକା ପ୍ରକାଶ କରିଛନ୍ତି କାଡ଼ାମ । କୋଟିଆରେ ଆନ୍ଧ୍ର ପ୍ରତିଦିନ ଅନୁପ୍ରବେଶ କରୁଛି କିନ୍ତୁ ଓଡ଼ିଶା ସରକାର ନିରବ ।

ଏହି ନିରବତା କୋଟିଆ ପାଇଁ ବଡ଼ ବିପଦ ସୃଷ୍ଟି କରିଛି । ଏବେ ଆନ୍ଧ୍ର ସରକାର କୋଟିଆରେ ପାଣି ଟାଙ୍କି କରି ଲୋକଙ୍କୁ ପାଣି ଦେଲେଣି। ରାଜ୍ୟର ସୀମା ସୁରକ୍ଷିତ ନାହିଁ। ଓଡ଼ିଶାବାସୀ ବିଜେପିକୁ ୨୦ ସାଂସଦ ଦେଇଛନ୍ତି। ବିଜେପି ଇସ୍ତାହାରରେ କହିଥିଲା ଡବଲ ଇଞ୍ଜିନ ସରକାର ହେଲେ ଓଡ଼ିଶାର ସ୍ୱତନ୍ତ୍ର ବିକାଶ କରିବ । କିନ୍ତୁ ଓଡ଼ିଶାର ଯିଏ କ୍ଷତି କରୁଛନ୍ତି ତାଙ୍କୁ ରାଜ୍ୟ ସରକାର ପୁରସ୍କାର ଦେଉଛନ୍ତି । କିନ୍ତୁ ଜୀବନ ଥିବା ଯାଏ ଏହା କରାଇ ଦିଆଯିବ ନାହିଁ ବୋଲି ଚେତାଇ ଦେଇଛନ୍ତି ସ୍ଥାନୀୟ ବିଧାୟକ ରାମଚନ୍ଦ୍ର କାଡାମ ।

କୋଟିଆର ସବୁ ଗାଁରେ ଉତ୍କଳ ଦିବସ ପାଳନ କରିବେ ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। କୋଟିଆ ଅଞ୍ଚଳର ୨୦ ହଜାରରୁ ଅଧିକ ଲୋକଙ୍କୁ ଏଥିରେ ସାମିଲ କରାଯିବ। ରାଜ୍ୟର ସୀମା ଓ ମାଆ ମାନେ ଅସୁରକ୍ଷିତ । ତେଣୁ ଓଡ଼ିଆ ପକ୍ଷ ପାଳନ କଣ ପାଇଁ ବୋଲି ପ୍ରଶ୍ନ ଉଠାଇଛନ୍ତି କାଡାମ।

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ବିଜେଡିର ସମାଲୋଚନା

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ବିଜେଡିର ସମାଲୋଚନା। ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। କହିଛନ୍ତି, ସ୍ଥିତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ। ସରକାର ଏଥିରେ ବିଫଳ ହୋଇଛନ୍ତି। ରାଜଧାନୀ ସମେତ ସାରା ରାଜ୍ୟରେ  ଆଇନଶୃଙ୍ଖଳା ଭୁଶୁଡିପଡିଛି।ବିଧାନସଭା ଭିତରେ ଆଉ ବାହାରେ ଶକ୍ତି ଦେଖାଉଛନ୍ତି ପୋଲିସ।

ଭୁବନେଶ୍ୱର ଭରତପୁର ଓ ଗଂଜାମ କବିସୂର୍ଯ୍ୟନଗର ଘଟଣା ଏହା ପ୍ରମାଣିତ କରୁଛି। ପ୍ରତି କଥାରେ ରାଜନୈତିକ ହସ୍ତକ୍ଷେପ ରହୁଛି। ସରକାରୀ ଦଳର ସାଧାରଣ କର୍ମୀ ପୋଲିସ କାମରେ ହସ୍ତକ୍ଷେପ କରୁଛନ୍ତି। ପୋଲିସ ସ୍ୱାଧୀନ ଭାବେ କାମ ନ କଲେ ଅପରାଧ ବଢିଚାଲିବ। ସରକାରୀ ଦଳ ନିଜଆଡୁ ଦେଖିବା କଥା ଯେ ପୋଲିସ ଉପରେ ଚାପ ନ ପକାନ୍ତୁ। ପୋଲିସ ବି ଅପରାଧରେ ସମ୍ପୃକ୍ତ ରହୁଥିବା ରିପୋର୍ଟ ଆସୁଛି। ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡୁଛି। ତେଣୁ ଲୋକ ଅପରାଧ କରୁଛନ୍ତି। ବିଜେପି ବହୁ କଷ୍ଟରେ ଶାସନକୁ ଆସିଛି। ସେମାନେ ନିଜ କର୍ମୀଙ୍କୁ ପୋଲିସ ଉପରେ ହସ୍ତକ୍ଷେପ କରିବା ଉପରୁ ନିବୃତ ରଖିବା କଥା। ନହେଲେ ଆଗକୁ ସ୍ଥିତି ଆହୁରି ବିଗିଡିଯିବ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।

ଡହଡହ ଖରାରେ ତାତୁଛି ଭକ୍ତଙ୍କ ପାଦ, ନାହିଁ ବିଶ୍ରାମ ସ୍ଥଳ, ପିଇବା ପାଣି

ପୁରୀ: ଡହଡହ ଖରାରେ ବଡ଼ଦାଣ୍ଡରେ ସିଝୁଛନ୍ତି ଭକ୍ତ। ଅସ୍ଥାୟୀ ବିଶ୍ରାମ ସ୍ଥଳ ଏବଂ ପିଇବା ପାଣି ପାଇଁ ବ୍ୟାକୁଳ ଯାତ୍ରୀ। ଖରା ଯେତିକି ବଢୁଛି ଭକ୍ତଙ୍କ ଦୁର୍ଦଶା ସେତିକି ବଢ଼ି ବଢ଼ି ଚାଲିଛି। ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛି ପ୍ରଶାସନ। ଠାକୁରଙ୍କ ଦର୍ଶନ ବନ୍ଦ ରହୁଥିବା ସମୟରେ ଭକ୍ତମାନେ ବଡ଼ଦାଣ୍ଡ ବ୍ୟାରିକେଡ଼ ଭିତରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ସିଂହଦ୍ବାରଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗୁଛି। ପଶ୍ଚିମ ଦ୍ବାର ସମ୍ମୁଖରେ ମଧ୍ୟ ଭକ୍ତମାନେ ଖୋଲା ଆକାଶ ତଳେ ଅପେକ୍ଷା କରୁଛନ୍ତି। ସିଂହଦ୍ବାର, ଉତ୍ତରଦ୍ବାର, ଦକ୍ଷିଣଦ୍ୱାର ଏବଂ ପଶ୍ଚିମଦ୍ବାର ସମ୍ମୁଖରେ ଏପର୍ଯ୍ୟନ୍ତ ପାନୀୟ ଜଳ କିମ୍ବା ଅସ୍ଥାୟୀ ବିଶ୍ରାମ ସ୍ଥଳ ବ୍ୟବସ୍ଥା କରାଯାଇ ନାହିଁ।

ପିଇବା ପାଣି ପାଇଁ ଭକ୍ତମାନେ ଡହଳ ବିକଳ ହେଉଛନ୍ତି। ପ୍ରବଳ ଖରା ଯୋଗୁଁ ପିଚୁ ରାସ୍ତା ସକାଳ ଆଠଟାରୁ ତାତି ଯାଉଛି। ଭକ୍ତମାନେ ମରିଚିକୋଟ ଛକରୁ ପ୍ରାୟ ଦୁଇ ଶହ ମିଟର ସିଂହଦ୍ବାର ପର୍ଯ୍ୟନ୍ତ ଖାଲି ପାଦରେ ଚାଲି ଚାଲି ଯାଉଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସିଂହଦ୍ବାର ନିକଟରେ ଜୋତା ଷ୍ଟାଣ୍ଡ ଏବଂ ମୋବାଇଲ ଫୋନ୍‌ ଷ୍ଟାଣ୍ଡ ଖୋଲା ଯାଉନାହିଁ। ଭକ୍ତମାନେ ବଡ଼ଦାଣ୍ଡରେ ପ୍ରବଳ ଖରାରେ କଲବଲ ହେଉଥିବାବେଳେ ଦାୟିତ୍ବରେ ଥିବା ପ୍ରଶାସନିକ ଅଧିକାରୀମାନେ ଶୀତତାପ ନିୟନ୍ତ୍ରିତ କୋଠରି ଭିତରୁ ବାହାରୁ ନାହାନ୍ତି। କେବଳ ବଡ଼ଦାଣ୍ଡ ନୁହେଁ, ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରି ମନ୍ଦିର ଭିତରେ ପ୍ରବେଶ କରିବା ପରେ ମହାପ୍ରଭୁଙ୍କ ଦର୍ଶନ ମିଳିବା କଷ୍ଟକର ହୋଇ ପଡ଼ୁଛି।

 

ଏବେ ATMରୁ ଟଙ୍କା ଉଠାଇବା ହେବ ମହଙ୍ଗା, ଲାଗିବ ଚାର୍ଜ

ନନ୍ଦିଘୋଷ ବ୍ୟୁରୋ: ଏବେ ଏଟିଏମରୁ ଟଙ୍କା ଉଠାଇବା ପଡ଼ିବ ମହଙ୍ଗା । ଲାଗିବ ଚାର୍ଜ । ଯଦି ଆପଣ ସବୁବେଳେ ଏଟିଏମରୁ ଟଙ୍କା ଉଠାଉଥାନ୍ତି ତାହାଲେ ଏ ଖବର ଆପଣଙ୍କ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ । ତାହାଲେ ଜାଣିନିୟନ୍ତୁ କେତେ ଟଙ୍କା ପଡ଼ିବ ଚାର୍ଜ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଏଟିଏମ ଶୁଳ୍ପ ବୃଦ୍ଧିକୁ ଅନୁମୋଦନ କରିଛି । ଏହି ଏଟିଏମ ଶୁଳ୍କ ମେ ୧ ତାରିଖରୁ ଲାଗୁ ହେବ । ଯେ କୌଣସି ଏଟିଏମରୁ ଆପଣ ୫ ଥର ଟଙ୍କା ଉଠାଇ ପାରିବେ । ଯଦି ଏହାଠୁ ଅଧିକା ଥର ଟଙ୍କା ଉଠାଉଛନ୍ତି ତାହାଲେ ଆପଣଙ୍କୁ ଦେୟ ଦେବାକୁ ପଡ଼ିବ । ମେଟ୍ରୋ ସହର ଗୁଡ଼ିକରେ ମାତ୍ର ୩ଥର ମାଗଣାରେ ଟଙ୍କା ଉଠାଇପାରିବେ । ଏହାଠୁ ଅଧିକା ଟ୍ରାଞ୍ଜାକ୍ସନ କଲେ ପଇସା ଦେବାକୁ ପଡ଼ିବ ।

ଏବେ ମାଗଣାରେ ମେ ୧ ଯାଏ ଯାଏ ଟଙ୍କା ଉଠାଇ ପାରିବେ ଏହା ପରେ ଟଙ୍କା ଉଠାଇଲେ ୨୩ ଟଙ୍କା ଦେବାକୁ ପଡ଼ିବ । ପୂର୍ବରୁ ଏହି ଶୁଳ୍କ ୨୧ ଟଙ୍କା ଥିଲା । ଏବେ ଏହାକୁ ବଢ଼ାଇ ୨୩ ଟଙ୍କା କରାଯାଇଛି ।

ଏହା ସହ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହି ବର୍ଦ୍ଧିତ ଶୁଳ୍କ କ୍ୟାସ୍ ରିସାଇକ୍ଲର ମେସିନ ଉପରେ ଲାଗୁ ହେବ । କ୍ୟାସ ଜମା କରିବାରେ ଏହି ନିୟମ ଲାଗୁ ହେବ ନାହିଁ । ବ୍ୟାଙ୍କ ଗୁଡ଼ିକର ପରିଚାଳନା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ କରାଯାଇଛି । ଏହା ଗ୍ରାହକ ମାନଙ୍କୁ ଉନ୍ନତ ବ୍ୟାଙ୍କି ସେବା ଯେଗାଇବାରେ ସହାୟକ ହେବା ସହ ନେଟଓ୍ବର୍କକୁ ଆହୁରି ସୁଗମ କରିବ । ଏପରି ପରିସ୍ଥିତିରେ ଆପଣ ଯଦି ଟଙ୍କା କଟିବାରୁ ବଞ୍ଚିବାକୁ ଚାହୁଁଥାନ୍ତି ତାହାଲେ ଆବଶ୍ୟକ ପରିମାଣରେ ଟଙ୍କା ଉଠାନ୍ତୁ । ଅଜଥା ଟ୍ରାଞ୍ଜାକ୍ସନ କରନ୍ତୁନାହିଁ ଏବଂ ଡିଜିଟାଲ ପେମେଣ୍ଟକୁ ପ୍ରାଥମିକତା ଦିଅନ୍ତୁ ।

ଛତିଶଗଡ଼ ଦାନ୍ତେୱାଡ଼ାରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡ଼ା ଓ ବିଜାପୁର ଜିଲ୍ଲାର ସୀମାରେ ଏନକାଉଣ୍ଟର। ନକ୍ସଲଙ୍କୁ ଏନକାଉଣ୍ଟର କରାଯାଇଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଛି କମ୍ଵିଂ। ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି। ଏବେ ବି ସେଠାରେ ଚାଲିଛି ଅପରେସନ।

ନିହତ ନକ୍ସଲ ପାଖରୁ ଏକ ଇନସାସ୍ ରାଇଫଲ୍ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ମିଳିଛି। କିଛି ଦିନ ହେଲାଣି ଛତିଶଗଡ଼ରେ ଜୋରସୋରରେ ଚାଲିଛି ଅପରେସନ। ଏଇ କିଛି ଭିତରେ ପ୍ରାୟ ୪୦ରୁ ଅଧିକ ନକ୍ସଲ ନିହତ ହେଲେଣି।

ଟ୍ରେଡିଂ ଆପରେ ଠକିଥିଲେ ୧. ୪ କୋଟି, ଧରିଲା କ୍ରାଇମବ୍ରାଞ୍ଚ ଟିମ୍

କଟକ: କ୍ରାଇମବ୍ରାଞ୍ଚ ହ୍ୟାଣ୍ଡକପରେ ଅନ୍ତରାଜ୍ୟ ସାଇବର ଠକ । ୧ .୪ କୋଟି ଟଙ୍କାର ସାଇବର ଠକେଇ କରି ଗିରଫ ହେଲେ ୭ ଜଣ ଅଭିଯୁକ୍ତ । ଗିରଫ ଅଭିଯୁକ୍ତମାନେ ହେଲେ ଜ୍ୟୋତି ରାଜୁ , ରାଜୁ ସି , ଇଶ୍ମାଇଲ ରାହାଇଦ, ବାସୀମ ପଟ୍ଟାରାଜା ଏସ , ଜେଗାଥିସ ରାଧାକୃଷ୍ଣନ ଓ ଇ ସକ୍ତିକୁମାରାଭେଲ । ତଦନ୍ତ ସମୟରେ ଅନେକ ସିମ କାର୍ଡ, ଆଧାରକାର୍ଡ ,ହ୍ବାଟସାର୍ପ ସ୍କ୍ରିନସର୍ଟ, ଡେବିଟ କାର୍ଡ ଓ ପାସବୁକ ଇତ୍ୟାଦି ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ । ଏହାସହ ବିଭିନ୍ନ ଆକାଉଣ୍ଟ ଫ୍ରିଜ କରିବା ପରେ ୧୯ଲକ୍ଷ ଟଙ୍କା ଜବତ କରିଛି ଟିମ ।

ଟ୍ରେଡିଂ ଆପରେ କୋଟି କୋଟି ଟଙ୍କା ଠକେଇ ଘଟଣାରେ ଅନ୍ତର୍ଭୁକ୍ତ ସମସ୍ତ ଅଭିଯୁକ୍ତଙ୍କୁ କର୍ଣ୍ଣାଟକ ଓ ତାମିଲନାଡୁରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗତ ଜାନୁଆରୀ ମାସ ୨୩ ତାରିଖରେ ଭୁବନେଶ୍ୱର ସାଇବର ପୋଲିସ ଷ୍ଟେସନରେ ଏକ ମମାଲା ରୁଜୁ ହୋଇଥିଲା । ଟ୍ରେଡିଂ ଆପରେ ଟଙ୍କାର ପ୍ରଲୋଭନ ଦେଖାଇ ଅଭିଯୋଗକାରୀଙ୍କ ଠାରୁ କୋଟି କୋଟି ଟଙ୍କା ସାଇବର ଠକ ଲୁଟିଥିବା ନେଇ ଥାନାରେ ଏତେଲା ହୋଇଥିଲା । ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ପକ୍ଷରରୁ ଏକ ଟିମ ଗଠନ କରାଯାଇ ତଦନ୍ତ କରାଯାଉଥିଲା । ଯଦି କୌଣସି ଏଭଳି ଘଟଣା ପରିପାର୍ଶ୍ୱକରେ ଘଟୁଛି ତେବେ ସଙ୍ଗେସଙ୍ଗେ ସାଇବର ହେଲ୍ପ ଲାଇନ ୧୯୩୦ ନମ୍ବରରେ ଯୋଗାଯୋଗ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଶ୍ରୀଜିଉଙ୍କର ହେବ ଖସାପଡ଼ା ନୀତି, ସନ୍ଧ୍ୟାରେ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଚୈତ୍ରମାସ କୃଷ୍ଣପକ୍ଷ ସପ୍ତମୀ ତିଥି । ଆଜିର ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉ ମାନଙ୍କର ଅନୁଷ୍ଠିତ ହୋଇଥାଏ ଖସାପଡା ନୀତି । ତେଣୁ ଆଜି ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହା ଏକ ଗୁପ୍ତ ସେବା ହେଇଥିବାରୁ ନୀତି ସମୟରେ ଦର୍ଶନରୁ ବଞ୍ଚିତ ରହିବେ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଶ୍ରୀପୟର ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ । ଏହି ନୀତି ପାଇଁ ପୂର୍ବ ଦିନରୁ ଦେଉଳକରଣ ଧଳାକନା ଧୋଇ ଶୁଖାଇ ଗାରଦରେ ଜମା ଦେଇଥାନ୍ତି । ସେହିପରି ଶୁଦ୍ଧସୁଆର ଖଳି, କଇଁଥ ଅଠା ଯୋଗାଇଥାନ୍ତି। ମଧ୍ୟାହ୍ନ ଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଏ । ବେହେରଣ ଦ୍ୱାର ଦେଇ ଦଇତାପତିମାନେ ଗର୍ଭଗୃହକୁ ଯାଇ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କର ଏହି ଗୁପ୍ତ ନୀତି ସମ୍ପନ୍ନ କରିଥାନ୍ତି । ତେବେ ଏହି ନୀତି ଦଇତାପତି ସେବାୟତମାନଙ୍କର ଗୋଷ୍ଠୀଗତ ଏବଂ ଗୁପ୍ତ ସେବା ଅଟେ । ବର୍ଷକୁ ୨ ରୁ ୩ ଥର ଏହି ଗୁପ୍ତ ସେବା ଅନୁଷ୍ଠିତ ହୋଇଥାଏ । ଗୁଣ୍ଡିଚା ଯାତ୍ରା ସରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଶ୍ରୀଅଙ୍ଗ ଶ୍ରୀପୟର ସୁରକ୍ଷା ପାଇଁ ଏହି ଖସାପଡା ନୀତି ଅନୁଷ୍ଠିତ ହୋଇଥାଏ । ସେହିପରି ଦିଅଁମାନେ ଦୋଳ ପୂର୍ଣ୍ଣିମାରେ ହୋଲି ଖେଳିବା ଯୋଗୁଁ ତାଙ୍କ ଶ୍ରୀଅଙ୍ଗର କେତେକ ଅଂଶ କ୍ଷତବିକ୍ଷତ ହୋଇଯାଇ ଥାଏ । ତେଣୁ ଏଥିପାଇଁ ମଧ୍ୟ ଖସାପଡା ନୀତି ହୋଲି ପରେ ଅନୁଷ୍ଠିତ ହୋଇଥାଏ । ଏହି ନୀତି ସମ୍ପୂର୍ଣ୍ଣ ହେବା ପାଇଁ ୪ ରୁ ୫ ଘଣ୍ଟା ସମୟ ଲାଗିଥାଏ । ଖସାପଡା ନୀତି ସମ୍ପୂର୍ଣ୍ଣ ହେବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ। ଖସାପଡା ନୀତି ସରିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଚାଲୁ ରହିବ ।

ଆର୍ଯ୍ୟ ସମାଜର ପ୍ରତିଷ୍ଠା ଦିବସ ପାଳିତ

ଭଦ୍ରକ : ସୃଷ୍ଟି ନିର୍ମାଣର ପ୍ରଥମ ଦିବସ ଓ ଆର୍ଯ୍ୟ ସମାଜର ପ୍ରତିଷ୍ଠା ଦିବସ । ଚୈତ୍ର ଶୁକ୍ଳ ପ୍ରତିପଦାରେ ଆର୍ଯ୍ୟ ସମାଜ ଭଦ୍ରକ ପକ୍ଷରୁ ମହାସମାରୋହରେ ପାଳନ କରାଯାଇଛି । ବେଦ ପ୍ରବକ୍ତା ପଣ୍ଡିତ ବୀରେନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠାନରେ ପଣ୍ଡିତ ପଣ୍ଡା ସୃଷ୍ଟିର ଆଦ୍ୟ ଦିବସ ଓ ଆର୍ଯ୍ୟ ସମାଜର ମହତ୍ତ୍ଵ ବର୍ଣ୍ଣନା କରିଥିଲେ ଏହା ସହ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ । ସଭାପତି ସୁଶ୍ରୀ ବୀଣାପାଣି ପଣ୍ଡା ଓ ସହ ଆଚାର୍ଯ୍ୟ ଲକ୍ଷ୍ମୀଧର ପଣ୍ଡାଙ୍କ ଯଜମାନତ୍ବରେ ଯଜ୍ଞ କାର୍ଯ୍ୟ ସଂପର୍ଣ୍ଣ ପରେ ସମାଜର ସଦସ୍ୟା ସ୍ମିତାରାଣୀ ନାୟକ, ସୁସଂଧ୍ୟା ପଣ୍ଡା, ମଧୁମିତା ସାହୁ, ନର୍ମଦା ନାୟକ ଓ ସଂସ୍କୃତି ପଣ୍ଡା ବେଦମନ୍ତ୍ର ପାଠ ଓ ଭଜନ ପରିବେଷଣ କରିଥିଲେ । ଲକ୍ଷ୍ମୀଧର ପଣ୍ଡା ଆର୍ଯ୍ୟ ସମାଜର ସଂସ୍କାର ଦିଗ ଓ ବୈଚାରିକ ଦିଗ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସଂପାଦକ ସୁଧୀର ମୁଦୁଲି ସୃଷ୍ଟି ଆରମ୍ଭ ଦିବସରେ ମହତ୍ତ୍ଵ ବ୍ୟାଖ୍ୟା କରିଥିଲେ । ରବି ନାରାୟଣ ଲେଙ୍କାଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭଦ୍ରକର ବହୁ ବିଶିଷ୍ଟ ବ୍ୟକ୍ତି ତଥା ବିଦ୍ବାନ ବିଦୂଷୀ ଓ ଆର୍ଯ୍ୟ ସମାଜର ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତେ ସମସ୍ତ ଆତ୍ମୀୟ ତଥା ପ୍ରିୟମାନଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ ।