spot_img
Home Blog Page 897

କାଲି ଆମେରିକାର ମୁକ୍ତି ଦିବସ: ଆରମ୍ଭ ହେବ ଟ୍ରମ୍ପଙ୍କ ଟାରିଫ ୱାର

ନନ୍ଦିଘୋଷ ବ୍ୟୁରୋ: ଏପ୍ରିଲ ୨ରେ ଆମେରିକା ପାଳିବ ମୁକ୍ତି ଦିବସ । ଏପରି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।  ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଟ୍ରମ୍ପଙ୍କ ଟାରିଫ୍ ରାଜ । ଏପଟେ ଟ୍ରମ୍ପଙ୍କ ଟାରିଫ ଧମକର ପ୍ରଭାବ ଆଜିଠୁ ଭାରତୀୟ ସେୟାର ବଜାର ଉପରେ ପଡ଼ିଛି । ନିବେଶକମାନେ ଅଂଶଧନ ବିକ୍ରି କରିଦେଉଥିବାରୁ ସେନ୍ସେକ୍ସ, ନିଫଟି, ବ୍ୟାଙ୍କ ନିଫଟି ୧ ହଜାର ପଏଣ୍ଟରୁ ଅଧିକ କ୍ରାସ୍ କରିଛି । ସେହିପରି ଭାରତ ମଧ୍ୟ ଆମେରିକୀୟ ବାଇକ, କାର, ଡାଏରୀ, ମଦ ଉପରେ ଶତ ପ୍ରତିଶତ ଟାରିଫ ବସାଇ ଜବାବ ଦେବାକୁ ଘୋଷଣା କରିଛି । ବିଶେଷଜ୍ଞଙ୍କ ଆକଳନ ଟ୍ରମ୍ପଙ୍କ ଟାରିଫ୍ ବ୍ୟବସ୍ଥା ଜାରି ରହିଲେ ଭାରତର ଘରୋଇ ଉତ୍ପାଦ ଦଶମିକ ୧ ପ୍ରତିଶତରୁ ଦଶମିକ ୨ ପ୍ରତିଶତ ପ୍ରଭାବିତ ହେବା ଆଶଙ୍କା ଉପୁଜିଛି ।

୨୦୨୫ ଏପ୍ରିଲ ୨ ତାରିଖ । ଆରମ୍ଭ ହେବାକୁ ଯାଉଛି ଯୁଦ୍ଧ । ଅସ୍ତ୍ରଶସ୍ତ୍ର ଗୋଳାବାରୁଦରେ ନୁହେଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସବୁ ରାଷ୍ଟ୍ରକୁ ଟାରିଫ୍ ଚେତାବନୀର ଯୁଦ୍ଧ । ୨ ତାରିଖ ଆମେରିକା ପାଇଁ ମୁକ୍ତି ଦିବସ । ଆମେରିକାକୁ ଜିନିଷ ରପ୍ତାନୀ ପଡ଼ିବ ମହଙ୍ଗା । ଟ୍ରମ୍ପଙ୍କ ଧମକ ଆଗରେ ନଇଁନି ଭାରତ । ଆମେରିକା ଲହୁଣି, ଛେନା, ମଦ, ଟେସଲା ଇଭି କାର, ହାର୍ଲେ ଡେଭିଡ୍ସନ୍ ବାଇକ ଉପରେ ଟାରିଫ ବସାଇବାକୁ ଘୋଷଣା କରିଛି । ଟ୍ରମ୍ପଙ୍କ ଟାରିଫ ଯୁଦ୍ଧ ଏବେ ବିଶ୍ବର ସବୁ ରାଷ୍ଟ୍ରକୁ ଆର୍ଥିକ କ୍ଷେତ୍ରରେ ପ୍ରଭାବିତ କରିବା ଆଶଙ୍କା ଦେଖାଦେଇଛି ।

ଟ୍ରମ୍ପଙ୍କ ଟାରିଫ ରାଜ ଆରମ୍ଭ ହେବାର ପ୍ରଭାବ ଆଜି ଭାରତୀୟ ସେୟାର ବଜାର ଉପରେ ପଡ଼ିଛି । ସେନ୍ସେକ୍ସ ୧୪୦୦ ପଏଣ୍ଟ ତଳକୁ ଖସିଥିବାବେଳେ, ନିଫଟି ୩୫୩ ପଏଣ୍ଟ ହ୍ରାସ ଘଟିଛି । ବଜାର କ୍ରାସ କରିବା ଭୟରେ ଅଂଶଧନ ବିକ୍ରି କରି ବାହାରି ଯାଇଛନ୍ତି ନିବେଶକ । ସବୁଠୁ ବେଶୀ ପ୍ରଭାବିତ ହୋଇଛି ବ୍ୟାଙ୍କ ନିଫଟି । ନିବେଶକମାନେ ଏବେ ସୁନାରେ ବେଶୀ ପୁଞ୍ଜି ଲଗାଇବା ପାଇଁ ସେୟାର ବଜାରରୁ ବାହାରି ଆସୁଛନ୍ତି । ସେପଟେ ଆମେରିକାର ଡାଏରୀ ଉତ୍ପାଦ ଆମଦାନୀ ଉପରେ ଭାରତ ୧୦୦ ପ୍ରତିଶତ, ମଦ ଉପରେ ୧୫୦ ପ୍ରତିଶତ ଟାରିଫ ବସାଇବାକୁ ଘୋଷଣା କରିଛି । ଅର୍ଥନୀତି ବିଶେଷଜ୍ଞଙ୍କ ଆଶଙ୍କା ଟ୍ରମ୍ପଙ୍କ ଟାରିଫ ବ୍ୟବସ୍ଥା ଜାରି ରହିଲେ ଭାରତର ଘରୋଇ ଉତ୍ପାଦ ଅଭିବୃଦ୍ଧି ପ୍ରଭାବିତ ହେବ ।

ରାଷ୍ଟ୍ରପତି ଟ୍ରମ୍ପ୍ ବିଶ୍ବ ବାଣିଜ୍ୟ ସଂଗଠନକୁ ଏକ ପ୍ରକାର ପଙ୍ଗୁ କରିଦେବାକୁ ବସିଛନ୍ତି । ଟ୍ରମ୍ପ ଟାରିଫ ବସାଇ ୬୦୦ ବିଲିୟନ୍ ଡଲାର ରୋଜଗାର କରିବାକୁ ଯୋଜନା ରଖିଛନ୍ତି । ଟାରିଫ ବ୍ୟବସ୍ଥା ଆମେରିକୀୟଙ୍କ ଉପରେ ମହଙ୍ଗା ସାବ୍ୟସ୍ତ ହେବ ।  ଭାରତ ଆମେରିକାକୁ ବୈଦୁତିକ ସାମଗ୍ରୀ, ଚାଉଳ, ଫାର୍ମାସ୍ୟୁଉଟିକାଲ୍ସ ଉତ୍ପାଦ, ହୀରା ରପ୍ତାନୀ କରୁଛି । ଏସବୁ ଉତ୍ପାଦ ଉପରେ ଆମେରିକା ଟାରିଫ ବସାଇଲେ ସେଠାକାର ଲୋକମାନେ ଅତ୍ୟାବଶ୍ୟକ ଜିନିଷ ପାଇଁ ଅଧିକ ଅର୍ଥ ଗଣିବେ । ସେପଟେ ଡଲାର ତୁଳନାରେ ଟଙ୍କା ମୂଲ୍ୟ କମି ଚାଲିଛି । ଯାହାର ପ୍ରଭାବରେ ଭାରତକୁ ଡଲାରରେ କିଣିବା ପାଇଁ ଅଧିକ ଅର୍ଥ ଗଣିବାକୁ ପଡ଼ୁଛି ।  କମ୍ପ୍ୟୁଟର ସଫ୍ଟଓ୍ବେର ଦର ବଢି ସାରିଲାଣି । ଆଗାମୀ ଦିନରେ ସେମି କଣ୍ଡକଟ, ଏସ୍ଏସଡି, ପେନ୍ ଡ୍ରାଇଭ, ଚିପ୍ସ ମହଙ୍ଗା ହେବ । ଡଲାର ତୁଳନାରେ ଟଙ୍କା ମୂଲ୍ୟ କମୁଥିବାରୁ ସମସ୍ତ ପ୍ରକାର ବୈଦୁତିକ ସାମଗ୍ରୀ ମହଙ୍ଗା ହେବ । ଯାହାର ପ୍ରଭାବ ସିଧା ଗ୍ରାହକ ଭୋଗିବେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି କମ୍ପ୍ୟୁଟର ବିକ୍ରେତା ।

ବୁଦ୍ଧିଜୀବୀଙ୍କ ଆଶଙ୍କା ଆଗାମୀ ଦିନରେ ତୃତୀୟ ବିଶ୍ବଯୁଦ୍ଧ ଯଦି ହୁଏ ତା’ହେଲେ ଅସ୍ତ୍ରଶସ୍ତ୍ରରେ ନ ହୋଇ ଏପରି ବାଣିଜ୍ୟ କାରବାରରେ ହେବ । ଆମେରିକାର ବଡ଼ଭାଇ ପଣିଆ ଆଗରେ ଭାରତ ବି ମୁଣ୍ଡ ନୁଆଁଇବା ସ୍ଥିତିରେ ନାହିଁ ।

ଫେଲ ମାରିଲା ଆୟୁଷ୍ମନ ଭାରତ: ବିଜେପି ସରକାରର ଆଉ ଏକ ପ୍ରତିଶ୍ରୁତି ପାଣିର ଗାର

ଭୁବନେଶ୍ବର: ଏପ୍ରିଲ ପହିଲାରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର । କିନ୍ତୁ ପ୍ରତିଶ୍ରୁତି ପାଲଟିଲା ପାଣିର ଗାର । ରାଜ୍ୟ ବାହାରେ ଉନ୍ନତ ଚିକିତ୍ସା ପାଇଁ ଆୟୁଷ୍ମାନ ଯୋଜନା ଫଳପ୍ରଦ ହୋଇଥାନ୍ତା ବୋଲି କହିଥିଲେ ସରକାର । କ୍ଷମତାକୁ ଆସିବା ପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ବାଇ)ର ନାମ ବଦଳାଇ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କଲେ । ଆଉ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ସମ୍ମିଶ୍ରଣରେ ନୂଆ କାର୍ଡ଼ ହିତାଧିକାରୀଙ୍କୁ ଦିଆଯିବା କଥା । ହେଲେ ଗୋଟିଏ ଆସ୍ୟୁଡ ସ୍କିମ ଓ ଅନ୍ୟଟି ଇନସ୍ୟୁଡ ସ୍କିମ ହୋଇଥିବାରୁ କନଭର୍ଜେନ୍ସରେ ବୈଷୟିକ ସମସ୍ୟା ଦେଖାଦେଇଛି । ୧୫ ଦିନ ମଧ୍ୟରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କାହିଁକି ଫେଲ ମାରିଲା ଡେଡଲାଇନ ? କେଉଁଠି ରହିଲା ଅସୁବିଧା ? ନବୀନ ସରକାର ଅମଳରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମାଇଲ ଖୁଣ୍ଟ ଭାବେ ପରିଚିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଏବଂ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ବ୍ୟବସ୍ଥା ଥିଲା । ବିଜେପି ସରକାରରେ ଏହାର ନାମ ପରିବର୍ତ୍ତନ କରି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କରାଗଲା ପରେ ବି ବ୍ୟବସ୍ଥା ସମାନ ଥିଲା । ଏହାସହ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ସମ୍ମିଶ୍ରଣ କରି ରାଜ୍ୟରେ ଲାଗୁ କରିବା ପାଇଁ ନିଷ୍ପତ୍ତି ହେଲା । ଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ମାର୍ଚ୍ଚ ୧୨ ତାରିଖରେ ଘୋଷଣା କରିଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ହେଲେ ତାହା ହୋଇପାରିଲା ନାହିଁ । ଉଭୟ ଯୋଜନାରୁ ଗୋଟିଏ ଇନସ୍ୟୁଡ ହୋଇଥିବା ବେଳେ, ଆଉ ଗୋଟିଏ ଆସ୍ୟୁଡ । ଉଭୟ ଯୋଜନାର ହିତାଧିକାରୀଙ୍କ ପାଇଁ ଅଲଗା ଅଲଗା ଗାଇଡଲାଇନ ଥିବାରୁ, ଏହାକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ପାଇଁ ବୈଷୟିକ ସମସ୍ୟା ଥିବାରୁ ବିଳମ୍ବ ହେଉଥିବା ଜଣାପଡ଼ିଛି ।

ଆୟୁଷ୍ମାନ ଭାରତ ଯୋଜନାର ଡେଡଲାଇନ ଫେଲ୍ ମାରିଥିବା ବେଳେ, ରାଜ୍ୟରେ ନୂଆ ମଦ ନୀତି ପାଇଁ ବି ଏପ୍ରିଲ ପହିଲାକୁ ଦିନ ଧାର୍ଯ୍ୟ ହୋଇଥିଲା, ତାହା ବି ଫେଲ୍ ମାରିଛି । ଏପଟେ ଓଡ଼ିଶା ଦିବସକୁ କଳାଦିବସ ଭାବେ ପାଳନ କରିଛନ୍ତି ନୂତନ ପେନସନଭୁକ୍ତ ସରକାରୀ କର୍ମଚାରୀ । ପୁରୁଣା ପେନସନ ଦାବିରେ ଲକ୍ଷ ଲକ୍ଷ କର୍ମଚାରୀ ସୋସିଆଲ ମିଡିଆରେ ଓଡ଼ିଶା ଦିବସକୁ କଳା ଦିବସ ଭାବେ ଅଭିହିତ କରିଛନ୍ତି । ନ୍ୟାସନାଲ ପେନସନ ସିଷ୍ଟମ ନୁହେଁ କି କେନ୍ଦ୍ର ଦ୍ବାରା ଲଦି ଦିଆଯାଇଥିବା ୟୁନିଭର୍ସାଲ ପେନସନ ସିଷ୍ଟମ ନୁହେଁ, କେବଳ ପୁରୁଣା ପେନସନ୍ ସିଷ୍ଟମ ଦରକାର ବୋଲି ଦାବି କରିଛନ୍ତି ସରକାରୀ କର୍ମଚାରୀ ।

ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ହୋଇଛନ୍ତି ରାଜ୍ୟର ୧ କୋଟି ପରିବାର । ଏଥିପାଇଁ ୬ ହଜାର ୨୪୯ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ସରକାର । ହେଲେ ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ ହେଲେ, ଦେଶର ୨୯ ହଜାର ଘରୋଇ ହସ୍ପିଟାଲରେ ରୋଗୀ ଚିକିତ୍ସା ସୁବିଧା ପାଇବେ ବୋଲି ଆକଳନ କରାଯାଇଛି ।

କଂଗ୍ରେସର ସ୍ବରକୁ ଚପାଇବା ସହ ଦମନ କରିବାକୁ ବିଜେପି କରୁଛି ହୀନ ଚକ୍ରାନ୍ତ: ପିସିସି ସଭାପତି

ଭୁବନେଶ୍ବର: ଅସାଧୁ ଉପାୟରେ କଂଗ୍ରେସର ସ୍ବରକୁ ଚପାଇ ଦେବାକୁ ହେଉଛି ଉଦ୍ୟମ । ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ତୀବ୍ର କରୁଛି ଦଳ। ହେଲେ ଦମନ ପାଇଁ ଶାସକ ଦଳ କରୁଛି ହୀନ ପ୍ରୟାସ । ଶାସକ ବିଜେପି ବିରୋଧରେ ଏପରି ସାଂଘାତିକ ଖୁଲାସା କରିଛନ୍ତି ଖୋଦ ପିସିସି ସଭାପତି । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।

ମ୍ୟାନେଜ ହେବେ କି ଭକ୍ତ । ଚାଲିଛି ଅହରହ ଉଦ୍ୟମ । ସରକାରୀ ଦଳ ପକ୍ଷରୁ ଅସାଧୁ ଉପାୟରେ ନାରୀ ନିର୍ଯାତନା ପ୍ରସଙ୍ଗକୁ ଚପାଇ ଦେବାକୁ ଚାଲିଛି ଉଦ୍ୟମ । ବିଭିନ୍ନ ଉପାୟରେ କଂଗ୍ରେସର ସ୍ବରକୁ ଚପାଇ ଦେବାକୁ ଯୋଜନା ଚାଲିଥିବା ନେଇ ଅଭିଯୋଗ କରିଛନ୍ତି ଖୋଦ ପିସିସି ସଭାପତି ଭକ୍ତଚରଣ ଦାସ । ହେଲେ ରାଜ୍ୟ ସରକାର ଯେତେ ଚେଷ୍ଟା କଲେ ବି ନାରୀ ନିର୍ଯାତନା ବିରୋଧରେ ଆନ୍ଦୋଳନକୁ ଜାରି ରଖିବ କଂଗ୍ରେସ । ୬୦ ହଜାର ମହିଳା ଓ ଶିଶୁ ନିଖୋଜ ଥିବା ବେଳେ, ଖୋଜୁ ନାହାନ୍ତି ସରକାର । ୧୬୦୧ ଜଣ ନିର୍ଯାତନାର ଶିକାର ହୋଇଥିବା ବେଳେ, ୬୦ ଜଣ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯାଇଛି । କଂଗ୍ରେସ ହାଉସ କମିଟି ଗଠନ କରିବାକୁ ଦାବି କରୁଛି । କିନ୍ତୁ କୁମ୍ଭକର୍ଣ୍ଣ ନିନ୍ଦ୍ରାରେ ଶୋଇଛନ୍ତି ସରକାର । ଏହା ବିରୋଧରେ କଂଗ୍ରେସ ଆରମ୍ଭ କରିଛି କ୍ୟାଣ୍ଡେଲ ଶୋଭାଯାତ୍ରା । ବିଜେପି ସରକାରରେ ମହିଳା ଅସୁରକ୍ଷିତ ଥିବାରୁ ଗାଁ ଗାଁରେ ଜନ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଦଳ ।

କେବଳ ସେତିକି ନୁହେଁ, ଅନ୍ଦୋଳନକୁ ଭଣ୍ଡୁର କରିବାକୁ ରାଜ୍ୟ ସରକାର ପ୍ରାୟୋଜିତ ଗଣ୍ଡଗୋଳ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି । ମିଥ୍ୟା ମାମଲା ରୁଜୁ କରି ଦଳୀୟ ନେତା ଓ କର୍ମୀଙ୍କ ସ୍ବରକୁ ଚପାଇ ଦେବାକୁ ଚାଲିଛି ପ୍ରୟାସ । ଅନ୍ୟପଟେ କଂଗ୍ରେସର ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛି ବିଜେପି ।

ନାରୀ ନିର୍ଯାତନା ଓ ମହିଳା ଅସୁରକ୍ଷତି ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରି ରାଜ୍ୟ ସରକାରଙ୍କ ବିରୋଧରେ ଋଣହୁଙ୍କାର ଦେଇଛି କଂଗ୍ରେସ । ପ୍ରଥମଥର ଲାଗି ବିଧାନସଭାରୁ କଂଗ୍ରେସର ୧୪ ଜଣ ବିଧାୟକ ନିଲମ୍ବିତ ହୋଇ ଏ ପ୍ରସଙ୍ଗରେ ଜାରି ରଖିଛନ୍ତି ପ୍ରତିବାଦ ।

ସୀମା ମୁକୁଳା, ମାଡ଼ି ଆସିଲେଣି ପଡୋଶୀ: ଭାଷଣ ବାଜିରେ ଓଡ଼ିଶା ଦିବସ ସାରିଦେଲେ ସରକାର

ଭୁବନେଶ୍ବର: ଓଡିଶା ଦିବସରେ ଭାଷା, ସୀମା ସହ ନଦୀର ସୁରକ୍ଷା ସଙ୍କଟକୁ ନେଇ ବିଜେଡିର ଚିନ୍ତା । ବିଜେପି ସରକାରର ଅସ୍ମିତାର ପ୍ରତିଶ୍ରୁତି କିପରି ପ୍ରତାରଣାରେ ପରିଣତ ହୋଇଛି ତାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଦଳ । ପଡ଼ୋଶୀଙ୍କୁ ଖୁସ କରିବାକୁ ଯାଇ ଓଡିଶାକୁ ଡବଲ ଇଞ୍ଜିନ ସରକାର ଧୋକା ଦେଉଛି ବୋଲି ଅଭିଯୋଗ କରିଛି କଂଗ୍ରେସ ।

କୋଟିଆରେ ଆନ୍ଧ୍ରର ମାତ୍ରାଧିକ ପ୍ରବେଶ । ଗୋଟିଏ ପରେ ଗୋଟିଏ ସ୍ଥାନକୁ ନିଜ ଦଖଲରେ  ନେବାକୁ ଜାରି ରହିଛି ପ୍ରୟାସ । କେଉଁଠି ସରକାରୀ ସହାୟତା ତ ଆଉ କେଉଁଠି ଜୋର ଜବରଦସ୍ତ ପ୍ରବେଶ । ପୋଲାଭରମ ପ୍ରକଳ୍ପ କାମ ବି ଚାଲିଛି ଦ୍ରୁତ ବେଗରେ । ପ୍ରକଳ୍ପ ଯୋଗୁଁ ଓଡିଶାର ମାଲକାନାଗିରି ମୋଟୁ ଅଞ୍ଚଳ ସହ ବହୁ ଗାଁ ବୁଡ଼ିଯିବ । ମହାନଦୀ ଉପରେ ଛତିଶଗଡ ବେଆଇନ ବ୍ୟାରେଜ ନିର୍ମାଣ କରି ପାଣି ଅଟକାଇବା ସହ ଓଡିଶାର ହକରେ ସାଜିଛି ବାଧକ । ବାଲେଶ୍ବର ସୀମାବର୍ତ୍ତିୀ ଅଞ୍ଚଳରେ ପଶ୍ଚିମବଙ୍ଗର ମନମାନି । ସୀମାବର୍ତ୍ତିୀ ଜିଲ୍ଲାଗୁଡ଼ିକରେ ଓଡିଆ ଭାଷା ସଙ୍କଟ ଦେଖାଦେବା ସହ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । ଏତେ ସବୁ ପରେ  ଓଡିଆ ଅସ୍ମିତାର ନାରା ଦେଇ ଓଡିଶାକୁ ଶାସନ କରୁଥିବା ବିଜେପି ସରକାର ଚୁପ୍ ।  ଚୁଲି କି ଯାଇଛି ଅସ୍ମିତାର ପ୍ରତିଶ୍ରୁତି । କେବଳ ଭାଷଣ, ସଭା ସମିତି ଓ ନାମ ପରିବର୍ତ୍ତନରେ ସୀମିତ ରହିଛି ଓଡିଆ ଅସ୍ମିତା । ଯାହାକୁ ନେଇ ଓଡିଶା ଦିବସରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ମୁଖ୍ୟ ବିରୋଧୀ ବିଜେଡି । ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, ଏବେ ସମୟ ଆସିଛି ଓଡିଆ ଭାଷା, ଜାତି, ସୀମା ଓ ରାଜ୍ୟ ପାଇଁ ପୁଣି ଥରେ ଏକ ଆନ୍ଦୋଳନ ମୁଣ୍ଡ  ଟେକିବା ।  ବିଜେପିର ଓଡିଆ ଅସ୍ମିତା ପ୍ରତାରଣାରେ ପରିଣତ ହୋଇଛି । ସବୁ କ୍ଷେତ୍ରରେ ଓଡିଆ ଅସ୍ମିତା ସଙ୍କଟକୁ ଚାଲିଯାଇଛି ।

ଓଡିଶା ଦିବସରେ ରାଜ୍ୟ ସରକାରଙ୍କୁ ନିଶାନା କରିଛି କଂଗ୍ରେସ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି, ଅଖଣ୍ଡ ଓଡିଶା ଆଜି ଖଣ୍ଡ ଖଣ୍ଡ ହେବାରେ ଲାଗିଛି l ରାଜ୍ୟ ସରକାର ଚୁପ୍ ହୋଇ ବସିଛନ୍ତି l ବିଜେପି ଶାସନକୁ ଆସିବା ଦିନଠାରୁ ଓଡ଼ିଶା ଅସୁରକ୍ଷିତ ହୋଇପଡ଼ିଛି l କେଉଁଠି ଟ୍ରିପଲ ଇଞ୍ଜିନ ସରକାର ତ ଆଉ କେଉଁଠି ଡବଲ ଇଞ୍ଜିନ, ହେଲେ ଓଡ଼ିଶାର ଦାବିକୁ କରାଯାଉଛି ଅଣଦେଖା । ରାଜ୍ୟ ସ୍ବାର୍ଥକୁ ବଳି ଦେଇ ରାଜନୈତିକ ସ୍ବାର୍ଥ ପାଇଁ ପଡ଼ୋଶୀ ରାଜ୍ୟ ପାଖରେ ଓଡ଼ିଶାକୁ ବିଜେପି ସରକାର ବଳି ପକାଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ସେପଟେ କଂଗ୍ରେସ ଅଭିଯୋଗର ପାଲଟା ଜବାବ ଦେଇଛି ବିଜେପି । ୯ ମାସ ଭିତରେ କେମିତି ଓଡ଼ିଆ ଅସ୍ମିତାର ସଙ୍କଟକୁ ଚାଲିଗଲା ବୋଲି ପାଲଟା ପ୍ରଶ୍ନ କରିଛି ଦଳ ।

ଓଡିଶା ଦିବସ ପାଳନ ଭିତରେ ଓଡିଆ ଅସ୍ମିତା ସଙ୍କଟ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ରାଜନୀତିରେ ବୁଢିଆଣୀ ଜାଲରେ ଛନ୍ଦି ହୋଇ ପଡିଛି ଓଡିଆ ଅସ୍ମିତା ।

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ ଅବହେଳିତ; ନା ପାଠ୍ୟ ପୁସ୍ତକରେ ସ୍ଥାନ ମିଳିଛି, ନା ସରକାରୀ ଯୋଜନାରେ

ଭୁବନେଶ୍ବର: ପାରଳା ମହାରାଜା କୃଷ୍ଣଚନ୍ଦ୍ର ମହାରାଜା । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ । ୧୯୧୪ରୁ ଓଡିଆ ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଧରିଥିଲେ ମଙ୍ଗ । ହେଲେ ଆଜି ଅବହେଳିତ । ନା କୌଣସି ପାଠ୍ୟପୁସ୍ତକ, ନା ସରକାରୀ ଯୋଜନାରେ ମିଳିଛି ସ୍ଥାନ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ଅଞ୍ଚଳର ଲୋକେ । ଉତ୍କଳ ଦିବସରେ ପାରଳା ମହାରାଜାଙ୍କୁ ନେଇ ବିଶେଷ ରିପୋର୍ଟ ।

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡିଆ ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଥିଲେ ମୁଖ୍ୟ ବିନ୍ଧାଣୀ । ବହୁ ଘାତ ପ୍ରତିଘାତ ସତ୍ତ୍ଵେ ସେ ଲଣ୍ଡନ ଗସ୍ତ କରି ଗୋଲଟେବୁଲ ବୈଠକରେ ଯୋଗଦେଇଥିଲେ । ଆଉ ସେହି ବୈଠକରେ ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନେଇ ଦାବି ରଖିଥିଲେ । ତାଙ୍କର ବଳିଷ୍ଠ ଉପସ୍ଥାପନ ଆଗରେ ହାର ମାନି ଉତ୍କଳ ପ୍ରଦେଶ ଗଠନ ପାଇଁ ବାଧ୍ୟ ହୋଇଥିଲେ ଇଂରେଜ ସରକାର । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ । ହେଲେ ଆଜି ଏହି ମହାନ ଜନନାୟକ ଅବହେଳିତ ଅବସ୍ଥାରେ । ଆଜି ଯାଏଁ କୌଣସି ପାଠ୍ୟପୁସ୍ତକରେ ତାଙ୍କୁ ସ୍ଥାନ ମିଳିନି । ଏପରିକି ଗଣ୍ଡା ଗଣ୍ଡା ସରକାରୀ ଯୋଜନା ଥିଲେ ବି ତାଙ୍କ ନାଁରେ କୌଣସି ଗୋଟିଏ ହୋଇନି ।

୧୯୦୩ ମସିହାରେ ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସଂଘର୍ଷ ଆରମ୍ଭ ହୋଇ ୧୯୩୬ ମସିହାରେ ସମାପ୍ତ ହୋଇଥିଲା ତାହା ନୁହେଁ । ଏ ସଂଘର୍ଷ ଦୀର୍ଘ ୬୬ ବର୍ଷର । ଆଉ ଏହାର ମୂଳଦୁଆ ପକାଇଥିଲେ ୧୮୭୦ ମସିହାରେ ତତ୍କାଳୀନ କାଟିଙ୍ଗା ବା ବର୍ତ୍ତମାନର କନ୍ଧମାଳର ମହାରାଜା ଭେଙ୍କଟେଶ ଦେଓ । ମାନ୍ଦ୍ରାଜ ପ୍ରଦେଶରେ ଥିବା ସମସ୍ତ ଓଡିଆଙ୍କୁ ଏକତ୍ରିତ କରିବା ପାଇଁ ସେ ଉଦ୍ୟମ ଆରମ୍ଭ କରିଥିଲେ । ୧୯୧୩ ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଓଡ଼ିଆଙ୍କୁ ଏକତ୍ରିତ କରିବାକୁ ଆନ୍ଦୋଳନ ଆରମ୍ଭ ହୋଇଥିଲା । ୧୯୧୪ରୁ ଓଡିଆ ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମଙ୍ଗ ଧରିଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ।

ଚଳିତବର୍ଷ ରାଜ୍ୟରେ ଏକ ପକ୍ଷ ଧରି ଓଡିଆ ପକ୍ଷ ପାଳନ କରୁଛନ୍ତି ସରକାର । କିନ୍ତୁ ସ୍ବତନ୍ତ୍ର ଓଡ଼ିଶା ଗଠନର ମୁଖ୍ୟ ବିନ୍ଧାଣୀଙ୍କ ଅବଦାନକୁ ସମ୍ମାନ ନମିଳିବା ଦୁର୍ଭାଗ୍ୟଜନକ ।

ବିଜେପି ସରକାର ଆସିବା ପରେ ମାତିଛନ୍ତି ଖଣି ଲୁଟେରା, ଖୋଳ କରି ଦେବେ ମାଟି ତଳ

ଆସିକା: ରାଜ୍ୟରେ ସରକାର ବଦଳିବା ପରେ ଖଣି ଲୁଟ୍ ବ୍ୟାପକ ହେବାରେ ଲାଗିଛି । ବିଭିନ୍ନ ଅଞ୍ଚଳରେ ମାତିଛନ୍ତି ଖଣି ମାଫିଆ । ରୋକ ଲଗାଇବାକୁ କେହି ନାହାନ୍ତି । ଆସିକା ଓ ଧରାକୋଟ ବ୍ଲକର ବିଭିନ୍ନ ସ୍ଥାନରେ ବେଧଡ଼କ ଚାଲିଛି ପଥର ଲୁଟ୍ । ଏମିତି ଆଉ କିଛିଦିନ ଲାଗି ରହିଲେ, ଏହି ଦୁଇ ଅଞ୍ଚଳରେ ମାଟି ତଳ ଫାଙ୍କା ହୋଇଯିବ ବୋଲି ଅଭିଯୋଗ ହେଉଛି । ପରିବେଷ ପ୍ରଦୂଷଣକୁ ଆଖିଠାର ମାରି, ସମସ୍ତ ପ୍ରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି । ବିସ୍ଫୋରକ ବ୍ୟବହାର କରି ପାହାଡ଼ ଫୁଟା ଯାଉଛି । ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି । ହେଲେ ସବୁ ଦେଖି, ସବୁ ଜାଣି ଚୁପ ବସିଛି ମାଇନିଂ ବିଭାଗ ।

ଖଣି ମନ୍ତ୍ରୀଙ୍କ ଅଞ୍ଚଳରେ ବେଆଇନ ଭାବେ କୋଟି କୋଟି ଟଙ୍କାର ଲଘୁ ଖଣିଜ ପଦାର୍ଥ ଲୁଟ ହେଉଛି । ପଥର ଓ ମୋରମ ଚୋରି କରି ମାଫିଆ ମାଲାମାଲ ହେଉଥିବା ବେଳେ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର । ହେଲେ ସବୁ ଦେଖି ମାଇନିଂ ବିଭାଗ ହାତ ବାନ୍ଧି ବସିଥିବା ଅଭିଯୋଗ ହେଉଛି ।

ବିଶେଷ କରି ଆସିକା ବ୍ଲକ ପାଣ୍ଡିଆ ପଥର ପଞ୍ଚାୟତର ସୁନାପଲ୍ଲୀ ନିକଟରେ ଥିବା ପାହାଡ଼ରୁ ଦୀର୍ଘ ଦିନ ଧରି ପଥର ଲୁଟ ହେଉଛି । ସ୍ଥାନୀୟ ଲୋକଙ୍କୁ ଭୟ ଦେଖାଇ ମାଫିଆ ରାଜ କରୁଛନ୍ତି । କୁଆଁରୀ ଲିଜର ସବୁ ନିୟମକୁ ଉଲ୍ଲଂଘନ କରି ପଥର ବ୍ଲାଷ୍ଟିଂ କରି ରାଜ୍ୟ ବାହାରକୁ ଖଣିଜ ସମ୍ପଦ ପଠାଉଛନ୍ତି । ଏପରିକି ଏଠାରେ କାମ କରୁଥିବା ଶ୍ରମିକ ଅନେକ ସମୟରେ ପ୍ରାଣ ହରାଉଥିବା ବି ଅଭିଯୋଗ ହେଉଛି । ଏସବୁ ପରେ ବି ସ୍ଥାନୀୟ ପ୍ରଶାସନ ଓ ମାଇନିଂ ବିଭାଗର ନୀରବତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

କେବଳ ସୁନାପଲ୍ଲୀ ନୁହେଁ ଆସିକା ଓ ଧରାକୋଟ ଅଞ୍ଚଳରେ ବହୁ ସ୍ଥାନରେ ଏପରିକି ଥାନା ଓ ତହସିଲ ନିକଟରେ ମଧ୍ୟ ଦିନ ଦ୍ଵିପ୍ରହରେ କୁଆଁରୀ ଲିଜ ନିୟମକୁ ଉଲ୍ଲଂଘନ କରି ପଥର ବାଷ୍ଟିଂ କରାଯାଉଛି । ହେଲେ ନିଦାବିଷ୍ଣୁ ସାଜିଛି ମାଇନିଂ ବିଭାଗ । ପଥର ଚୋରା ଚାଲାଣ ଉପରେ ରୋକ ଲଗାଇବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

ମେଡିକାଲ ଭିତରକୁ ଅନୁମତି ମିଳିଲାନି, ବାହାରେ ଶିଶୁକନ୍ୟା ଜନ୍ମ ଦେଲେ ୧୪ ବର୍ଷର ନାବାଳିକା

କନ୍ଧମାଳ: ବ୍ରାହ୍ମଣୀଗାଁରୁ ଆସିଛି ଲଜ୍ୟା ଜନକ ଖବର । ଯାହା ରାଜ୍ୟର ଆଇନ ଶୃଙ୍ଖଳା ସହ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପଦାରେ ପକାଇଛି । ଜଣେ ୧୪ ବର୍ଷର ନାବାଳିକାଙ୍କୁ ମେଡିକାଲରେ ପ୍ରସବ କରିବାକୁ ମିଳିନି ଅନୁମତି । ଫଳରେ ମେଡିକାଲ ପରିସର ବାହାରେ ନାବାଳିକା ଜଣଙ୍କ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଏମିତି ଅଭିଯୋଗ ବ୍ରାହ୍ମଣୀଗାଁ ମେଡିକାଲ ବିରୋଧରେ ହୋଇଛି । ଯାହା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟସେବାର ନଗ୍ନଚିତ୍ରକୁ ପଦାରେ ପକାଉଛି ।

ସୂଚନାଯୋଗ୍ୟ, ଆଜି ନାବାଳିକାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ମେଡିକାଲ ଭିତରେ ପ୍ରସବ କରାଇ ନଥିଲେ କି ପ୍ରସବ ପାଇଁ ଅନୁମତି ଦେଇ ନଥିଲେ । ଏମିତି ସ୍ଥିତିରେ ମେଡିକାଲ ପରିସର ବାହାରେ ନାବାଳିକା ଜଣଙ୍କ ବିପଦଜ୍ଜନକ ଭାବେ ଶିଶୁକୁ ଜନ୍ମ ଦେଇଥିବା ଅଭିଯୋଗ ହୋଇଛି । ଡାକ୍ତରଙ୍କ ଏଭଳି ଅମାନବୀୟ କାର୍ଯ୍ୟକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ପୂର୍ବରୁ ନାବାଳିକା ଜଣକ ଗର୍ଭବତୀ ଥିବା ଜାଣିବା ପରେ ଅଙ୍ଗନବାଡି ଓ ଆଶା ଦିଦି ସିଡିପିଓଙ୍କୁ ଜଣାଇଥିଲେ । ଏହାପରେ ସିଡିପିଓ ବ୍ରାହ୍ମଣୀଗାଁ ଥାନା ପୋଲିସକୁ ଜଣାଇଥିଲେ । ବ୍ରାହ୍ମଣୀଗାଁ ପୋଲିସ ନାବାଳିକାଙ୍କ ସହ ଶାରିରୀକ ସମ୍ପର୍କ ଅଭିଯୋଗରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଯୁବକଙ୍କୁ କୋର୍ଟ ଚାଲାଣ ପରେ ଗର୍ଭବତୀ ନାବାଳିକାଙ୍କୁ ବାଲିଗୁଡା ବନବାସୀ ଆଶ୍ରମରେ ରଖାଯାଇଥିଲା । କିଛିଦିନ ହେବ ପରିବାର ଲୋକେ ନାବାଳିକାଙ୍କୁ ଘରକୁ ଆଣିଥିଲେ ।

୨୦୦ କୋଟି ଟର୍ଣ୍ଣ ଓଭର ହେବା ପରେ ୧୨ କର୍ମଚାରୀଙ୍କୁ SUV କାର ଗିଫ୍ଟ କଲେ ଜୁଏଲରୀ ବ୍ୟବସାୟୀ

ଅହମ୍ମଦାବାଦ: କମ୍ପାନୀର ଟର୍ଣ୍ଣ ଓଭର ୨୦୦ କୋଟି ହେବାରୁ ୧୨ କର୍ମଚାରୀଙ୍କୁ SUV କାର ଗିଫ୍ଟ କଲେ ମାଲିକ । ଗୁଜରାଟର ଖେଡ଼ା ଜିଲ୍ଲାରୁ ଆସିଛି ଏପରି ଖବର । କାବରା ଜୁଏଲ୍ସ କମ୍ପାନୀର ମାଲିକ ୧୨ ପୁରାତନ କର୍ମଚାରୀଙ୍କୁ SUV କାର ଗିଫ୍ଟ କରିଛନ୍ତି । ଏହାବାଦ କର୍ମଚାରୀଙ୍କୁ ବାଇକ, ମୋବାଇଲ, ଫ୍ୟାମିଲି ହଲିଡେ ପ୍ୟାକେଜ, ଓ ସୁନା-ରୁପା କଏନ ବି ଗିଫ୍ଟରେ ଦିଆଯାଇଛି । ଏହି ଅବସରରେ କମ୍ପାନୀ ତରଫରୁ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ କର୍ମଚାରୀଙ୍କୁ SUV କାର ଦିଆଯାଇଥିଲା । କାବରା ଜୁଏଲ୍ସ ଆଇପିପି ଲିଷ୍ଟେଡ କମ୍ପାନୀ । ଗତ ଆର୍ଥିକ ବର୍ଷ କମ୍ପାନୀ ୧୭୦ କୋଟି ଟଙ୍କା ରୋଜଗାର କରିଥିଲା ।

୨ରୁ ୨୦୦ କୋଟିର ବ୍ୟବସାୟ

ସୂଚନାଯୋଗ୍ୟ, ଖେଡ଼ା ଅଞ୍ଚଳର ଦୁଇ ଭାଇ କାବରା ଜୁଏଲ୍ସ ଲିମିଟେଡେ ନାଁରେ ୨୦୦୬ରେ କେ.କେ. ଜୁଏଲ୍ସ ବ୍ରାଣ୍ଡ ଆରମ୍ଭ କରିଥିଲେ । ସେହି ବର୍ଷ କମ୍ପାନୀର ପ୍ରଥମ ଶୋ’ରୁମ ଖୋଲିଥିଲା । ଉକ୍ତ ବର୍ଷ କମ୍ପାନୀ ୨ କୋଟି ଟଙ୍କାର ବେପାର କରିଥିଲା । ଆଉ ୨୦୨୪ରେ କମ୍ପାନୀ ୨୦୦ କୋଟି ଟଙ୍କାର ବେପାର କରିଛି । କମ୍ପାନୀର ପ୍ରତିଷ୍ଠାତା ଏମଡି କୈଳାଶ କାବରା ବ୍ୟବସାୟକୁ ନେଇ ଖୁସି ପ୍ରକାଶ କରିବା ସହ କହିଛନ୍ତି, ୨୦୦୬ରେ ୧୨ ଜଣ କର୍ମଚାରୀଙ୍କୁ ନେଇ କମ୍ପାନୀ ଆରମ୍ଭ କରିଥିଲି । ମୁଁ ନିଜ ପାଇଁ ବହୁତ ଦାମୀ ଗାଡ଼ି କିଣିଛି । ହେଲେ, କମ୍ପାନୀ ସହ ଆରମ୍ଭରୁ ଥିବା ଉକ୍ତ ୧୨ ଜଣ କମର୍ଚାରୀଙ୍କୁ ଆଜି କାର ଗିଫ୍ଟ କରି ଖୁସି ଲାଗୁଛି ।

କାହା ପାଖରୁ ପାଇଥିଲେ ପ୍ରେରଣା ?

କୈଳାଶ କାବରା କହିଛନ୍ତି, ତାଙ୍କୁ ଏହି ପ୍ରେରଣା ହୀରା ବ୍ୟବସାୟୀ ସାବଜୀ ଢୋଲକିୟାଙ୍କଠାରୁ ମିଳିଛି । ତାଙ୍କୁ ହୀରା ଇଣ୍ଡଷ୍ଟ୍ରୀର କିଙ୍ଗ କୁହାଯାଏ । ସେ ଏମିତି (ଗିଫ୍ଟ) କରିବା ମୁଁ ଦେଖିଛି । ସେତେବେଳେ ମୁଁ ଓ ମୋ ଭାଇ ସ୍ଥିର କରିଥିଲୁ ଯେ, ଅଡି, ବିଏମଡବ୍ଲ୍ୟୁ ଓ ମର୍ସଡିଜ ନନେଇ ଯେତେବେଳେ କମ୍ପାନୀ ୨୦୦ କୋଟି ଟଙ୍କାର ଟର୍ଣ୍ଣ ଓଭର ହାସଲ କରିବ ସେତେବେଳେ ଆମେ ବି ଏମିତି ଗିପ୍ଟ ଦେବା । ଆଜି ଏହା କରି ପାରିଥିବାରୁ ଆମେ ବହୁତ ଖୁସି । କମ୍ପାନୀ ତରଫରୁ ସବୁଠୁ ପୁରାଣା ୧୨ କର୍ମୀଚାରୀଙ୍କୁ ଧନ୍ୟବାଦ । ସେମାନଙ୍କ ବିନା ଆମେ ଆଜି ଏହି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରି ନଥାନ୍ତୁ ।

ଆଜୀବନ କାରାଦଣ୍ଡାଦେଶ ପରେ ଜଜଙ୍କ ଆଗରେ ହାତ ଯୋଡ଼ି କ୍ଷମା କରିବାକୁ ଭିକ ମାଗିଲା ଦୁଷ୍କର୍ମ ଅପରାଧୀ ବଜିନ୍ଦର ସିଂହ

ମୋହାଲି: ମୋର ଛୋଟ ଛୋଟ ପିଲା । ମୋ ସ୍ତ୍ରୀ ରୋଗାଗ୍ରସ୍ତ । ମୋ ଗୋଡରେ ରଡ଼ ଲାଗିଛି । ମୋ ପରିବାର ସାମାଜିକ ଜୀବନ ବିତାଉଛନ୍ତି । ମୋ ଉପରେ ଦୟା କରନ୍ତୁ । ମୋତେ କ୍ଷମା କରି ଦିଅନ୍ତୁ । ଏମିତି କହିବା ବେଳେ ହାତ ଯୋଡ଼ି ଜଜଙ୍କ ଆଗରେ କାନ୍ଦୁଥିଲେ ଦୁଷ୍କର୍ମ ଅଭିଯୁକ୍ତ ପାଦ୍ରୀ ବଜିନ୍ଦର ସିଂହ । ପଞ୍ଜାମର ମୋହାଲି ଜିଲ୍ଲା କୋର୍ଟ ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ହାତ ଯୋଡ଼ି କାନ୍ଦି କାନ୍ଦି ଏମିତି ନେହୁରା ହୋଇଥିଲେ ବଜିନ୍ଦର । ହେଲେ ଦୁଷ୍କର୍ମ ଅପରାଧୀର ଏମିତି କାନ୍ଦ ଜଜଙ୍କୁ ପ୍ରଭାବିତ କରି ନଥିଲା । ଜଜଙ୍କ ରାୟ ପରେ ପୋଲିସ ବଜିନ୍ଦରକୁ ପୁଣି ଜେଲକୁ ନେଇ ଯାଇଛି । ପୀଡ଼ିତଙ୍କ ଓକିଲ କହିଛନ୍ତି, କୋର୍ଟ ରାୟ ଶୁଣାଇବା ସହ ମୃତ୍ୟୁ ପର୍ଯ୍ୟନ୍ତ ବଜିନ୍ଦରଙ୍କୁ ଜେଲରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୨୮ ମାର୍ଚ୍ଚରେ ଜିଲ୍ଲା କୋର୍ଟ ବଜିନ୍ଦରଙ୍କୁ ମାମଲାରେ ଦୋଷୀ ବୋଲି ରାୟ ଦେଇଥିଲେ । ଏହାପରେ ତାଙ୍କୁ ପଟିଆଲା ଜେଲକୁ ପଠାଇ ଦିଆଯାଇଥିଲା । ପାଦ୍ରୀ ବଜିନ୍ଦର ସିଂହ ଚମତ୍କାରୀ ଚିକିତ୍ସା ଓ ପ୍ରାର୍ଥନା ସଭା ପାଇଁ ଲୋକପ୍ରିୟ ଥିଲେ । ଅତିରିକ୍ତ ଜିଲ୍ଲା ଓ ସେସନ ଜଜ୍ ବିକ୍ରାନ୍ତ ଗୁପ୍ତା ମାମଲାର ରାୟ ଶୁଣାଇବା ସହ କହିଥିଲେ, ନିଜକୁ ଜଣେ ଧାର୍ମିକ ନେତା ଭାବେ ଉପସ୍ଥାପିତ କରୁଥିବା ବ୍ୟକ୍ତି ଏମିତି ଜଘନ୍ୟ କାମ କରିପାରିବେ ନାହିଁ । ବିଶେଷ କରି, ସେମାନଙ୍କ ବିରୋଧ ଯେଉଁମାନଙ୍କର ତାଙ୍କ ଉପରେ ଆଶା ଓ ଭରସା ରହିଛି । କୋର୍ଟଙ୍କ ଏହି ରାୟ ନା କେବଳ ପୀଡ଼ିତାଙ୍କୁ ନ୍ୟାୟ ଦେଇଛି, ବରଂ ସେ ସମସ୍ତଙ୍କୁ ବି ନ୍ୟାୟ ଦେଇଛି ଯେଉଁମାନେ ବଜିନ୍ଦରଙ୍କ ବିରୋଧରେ ସ୍ବର ଉଠାଇଥିଲେ ।

କ’ଣ ଥିଲା ମାମଲା ?

ମାମଲା ୨୦୧୮ର । ଜିରକପୁରର ଜଣେ ମହିଳା ବଜିନ୍ଦର ସିଂହଙ୍କ ବିରୋଧରେ ଏତଲା ଦେଇଥିଲେ । ମହିଳା ଅଭିଯୋଗ କରିଥିଲେ ଯେ, ବଜିନ୍ଦର ତାଙ୍କୁ ବିଦେଶ ପଠାଇବାର ଲୋଭ ଦେଖାଇ ମୋହାଲି ସେକ୍ଟର ୬୩ରେ ଥିବା ତାଙ୍କ ବାସଭବନକୁ ଡକାଇଥିଲେ । ସେଠାରେ ସେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଆଉ ଏହାର ଭିଡିଓ ରେକର୍ଡ କରି କାହାକୁ କିଛି କହିଲେ ସୋସିଆଲ ମିଡିଆରେ ଭାଇରାଲ କରି ଦେବାକୁ ଧମକ ଦେଇଥିଲେ । ଡରରେ କିଛି ଦିନି ମହିଳା ଜଣଙ୍କ ଚୁପ ରହିଥିଲେ । ଏହାପରେ ସାହସ କରି ୨୦୧୮ ଏପ୍ରିଲରେ ଜିରକପୁର ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ପୋଲିସ ବଜିନ୍ଦରଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ୩୭୬ (ଦୁଷ୍କର୍ମ), ୩୨୩ (ଜାଣତରେ ଆଘାତ ଦେବା) ଓ ୫୦୬ (ଅପରାଧିକ ଧମକ) ଆଧାରରେ ମାମଲା ରୁଜୁ କରିଥିଲା ।

ବାଣ କାରଖାନାରେ ବିସ୍ଫୋରଣ: ୧୮ ମୃତ

ଗୁଜରାଟର ବନାସକାଣ୍ଠାରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୧୮ ଜଣଙ୍କ ମୃତ୍ୟୁ ଘଟିଛି । ଆଗକୁ ମୃତକଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି । ଫ୍ୟାକ୍ଟ୍ରିରେ ବଏଲର ଫାଟି ଯିବା ଫଳରେ ଏପରି ସ୍ଥିତି ସୃଷ୍ଟି ହୋଇଥିଲା । କାରଖାନା ଭିତରେ ୩୦ ଜଣ ଶ୍ରମିକ କାମ କରୁଥିଲେ । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରେ ରେସକ୍ୟୁ ଟିମ୍ ପହଞ୍ଚିବା ସହ ନିଆଁକୁ ଆୟତ୍ତ ପାଇଁ ଫାୟା ବ୍ରିଗେଡର ଟିମ୍ ମଧ୍ୟ ଉପସ୍ଥିତ ରହିଛି ।

ଆଜି ସକାଳୁ ବନାସକାଣ୍ଠାରେ ଥିବା ଏକ ବାଣ କାରଖାନାରେ ବଡ଼ ଶବ୍ଦ ଶୁଣିବାକୁ ମିଳିଥିଲା । ଏହାପରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ । ଏହାପରେ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମକୁ ସୂଚନା ଦିଆଯାଇଥିଲା । ଏହି ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି । ବିସ୍ଫୋରଣରେ କାରଖାନାର ଏକ ଅଂଶ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏବେ ବି ମାଟି ଭିତରେ କିଛି ଲୋକ ଦବି ରହିଛନ୍ତି ।