spot_img
Home Blog Page 894

ଅସୁରକ୍ଷିତ ବ୍ରହ୍ମପୁର: ଦିନ ଦ୍ବିପ୍ରହରରେ ଘଟୁଛି ହତ୍ୟାକାଣ୍ଡ, ଛିନତାଇ, ରାହାଜାନୀ ଆଦି ଘଟଣା

ବ୍ରହ୍ମପୁର: ଘର ବନ୍ଦ କରି ବୁଲିବାକୁ ଯାଉଛନ୍ତି କି ? ସାବଧାନ ! କୌଣସି ସମୟରେ ଘରେ କଳାକନା ବୁଲାଇ ପାରନ୍ତି ଲୁଟେରା । ଘରେ ଥିଲେ ବି ସୁରକ୍ଷିତ ନୁହେଁ ଧନ ସମ୍ପତ୍ତି । ବ୍ରହ୍ମପୁର ସହରରେ ମାତିଛନ୍ତି ଲୁଟେରା । ନିମଖଣ୍ଡି ଥାନା ଗୁରୁଣ୍ଡି ନିକଟସ୍ଥ ଟେକ୍ନୋପାର୍କ ହାଉସିଂ ଅଞ୍ଚଳରେ ଗୋଟିଏ ରାତିରେ ୫ଟି ଘରେ ସିରିଜ୍ ଚୋରି କରିଛନ୍ତି ଲୁଟେରା । ୫ଟି ଘରେ କଳାକନା ବୁଲାଇବା ସହ ୨ଟି ଘରୁ ଚୋରି ଉଦ୍ୟମ କରିଛନ୍ତି । ଅଭିଯୋଗ ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛି । ଏହି ହାଉସିଂ ଅଞ୍ଚଳରେ ଥିବା ଆପାର୍ଟମେଣ୍ଟ ଗୁଡ଼ିକରେ ପାଖାପାଖି ୧୩୦ ପରିବାର ରହୁଛନ୍ତି । ହେଲେ ରାତିରେ ଦୁର୍ବୃତ୍ତ ହିମାଂଶୁ ଶେଖର ସାହୁ, ଲକ୍ଷ୍ମୀ ନାରାୟଣ ନାୟକ, ତୁଣ ବାବୁ, ସୀମାଞ୍ଚଳ ପାଢ଼ୀ ଓ ସନ୍ତୋଷ ମିଶ୍ରଙ୍କ ଘରେ ପଶି ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନାଗହଣା । ତେବେ ଅନ୍ୟ ୨ ଜଣ ବ୍ୟକ୍ତିଙ୍କ ଘରୁ ଚୋରି କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି । ଖାଲି ସେତିକି ନୁହେଁ ଆଙ୍କୁଲି ଅଞ୍ଚଳରେ ମଧ୍ୟ କିଛି ଦୁର୍ବୃତ୍ତ ସାହିରେ ଆତଙ୍କ ଖେଳାଇ ବାଇକ ଗୁଡ଼ିକୁ ଭାଙ୍ଗୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ଗତ କିଛିଦିନ ହେଲା ବ୍ରହ୍ମପୁରରେ ବିଗିଡ଼ିବାରେ ଲାଗିଛି ଆଇନଶୃଙ୍ଖଳା । ଫେବ୍ରୁଆରୀ ୨ ତାରିଖ ରେ ବୈଦ୍ୟନାଥପୁର ଥାନା ଅଧୀନ ଆଙ୍କୁଲି ଶ୍ମଶାନରେ ଜଣେ ଅଟୋ ଚାଳକଙ୍କୁ ଆକ୍ରମଣ କରି ଟଙ୍କା ଲୁଟି ନେଇଥିଲେ । ତାଲା ବନ୍ଦ ଘର ଓ ନିର୍ମାଣ ଘରକୁ ଟାର୍ଗେଟ କରୁଛନ୍ତି ଲୁଟେରା । ବୋମା ମାଡ଼ ଓ ହତ୍ୟା ଘଟଣା ବି ବଢିବାରେ ଲାଗିଛି । କେତେବେଳେ କାହାକୁ ଅପହରଣ କରି ନେଉଛନ୍ତି ଦୁର୍ବୃତ୍ତ । ଠାକୁରାଣୀ ଯାତ୍ରା ଓ ଦଣ୍ଡଯାତ୍ରା ସମୟରେ ଏପରି ଘଟଣା ପୋଲିସର କାର୍ଯ୍ୟଦକ୍ଷତା ନେଇ ଉଠାଇଛି ପ୍ରଶ୍ନ ।

କିଡନାପ କେସର ମାଷ୍ଟରମାଇଣ୍ଡ ଗାର୍ଲଫ୍ରେଣ୍ଡ: ବୟଫ୍ରେଣ୍ଡକୁ ଅପହରଣ କରି ରଖିଥିଲା ୧୦ ଲକ୍ଷ ମୁଣ୍ଡଜାମିନ

ଲିଭଇନ୍ ରିଲେସନରୁ ଲୋଭ । ଚରିତ୍ର ସନ୍ଦେହରୁ ବୟଫ୍ରେଣ୍ଡକୁ ଟାର୍ଗେଟ୍ । ସୁପାରୀ ଦେଇଥିଲା ସୈତାନ ଗାର୍ଲଫ୍ରେଣ୍ଡ । କିଡନାପ୍ କେସରେ କ୍ଳାଇମାକ୍ସ ଆଣିଲା ସ୍ପେଶାଲ ସ୍କ୍ବାଡ । ୩୧ ତାରିଖ ରାତି ପ୍ରାୟ ୧୦ଟା । ଭାଇ ସୋମନାଥ ସ୍ୱାଇଁଙ୍କ ଅପହରଣ ନେଇ ଖାରବେଳନଗର ଥାନାରେ ଅଭିଯୋଗ ଆଣିଥିଲେ ତାଙ୍କ ସମ୍ପର୍କୀୟ ଭଉଣୀ । ଅପହରଣକାରୀ ମୁଣ୍ଡଜାମିନ ରଖି ୧୦ ଲକ୍ଷ ଟଙ୍କା ଦାବି କରୁଥିବା ପୋଲିସ ଆଗରେ ଜଣାଇଥିଲେ । ଭୁବନେଶ୍ୱର ଡିସିପି ଜଗମୋହନ ମିନାଙ୍କ ନିର୍ଦ୍ଦେଶକ୍ରମେ ଗଠନ ହୋଇଥିଲା ୩ ଟି ଟିମ । ସ୍ପେଶାଲ ସ୍କ୍ବାଡ ଏସିପି ହିମାଂଶୁ ସ୍ୱାଇଁ, ଜଟଣୀ IIC ଓ ଖାରବେଳନଗର IIC ଆରମ୍ଭ କରିଥିଲେ ଅପରେସନ । ପୀଡିତଙ୍କ ମୋବାଇଲ ନମ୍ବର ଲୋକେସନ, ହ୍ୟୁମାନ ଇଣ୍ଟେଲିଜେନ୍ସ , କ୍ୟାମେରା ସର୍ଭେଲାନ୍ସ ଓ ଏତଲାକାରୀଙ୍କ ଠାରୁ ମିଳିଥିବା ତଥ୍ୟକୁ ଆଧାର କରି ମାଷ୍ଟରମାଇଣ୍ଡ ପ୍ରେମିକା ପ୍ରାପ୍ତି ଶର୍ମା, ରାକେଶ ଚନ୍ଦ୍ର ବାରିକ, ଶ୍ୟାମସୁନ୍ଦର ସାହୁ, ଶିବରାମ ବେହେରା ଓ ଆକାଶ କୁମାର ପରିଡାଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨ ଟି କାର, ୮ଟି ମୋବାଇଲ ଫୋନ ଜବତ କରାଯାଇଛି ।

ତଦନ୍ତ ବେଳେ ପୂରା ଅପହରଣ କେସରେ ଜାମସେଦପୁର ର ଗାର୍ଲଫ୍ରେଣ୍ଡ ପ୍ରାପ୍ତି ମୁଖ୍ୟ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଛି ପୋଲିସ । ଯୁବକଙ୍କ ସହ ପ୍ରାପ୍ତି ଦୁଇ ବର୍ଷ ହେଲା ଲିଭ ଇନରେ ରହୁଥିଲେ । ଗତ ୩୦ ତାରିଖରେ ପ୍ରାପ୍ତିଙ୍କ ଚରିତ୍ର ସନ୍ଦେହ କରିବାକୁ ନେଇ ଗଣ୍ଡଗୋଳ କରିଥିଲେ ପୀଡିତ ଜଣଙ୍କ । ଏହାପରେ ପ୍ରତିଶୋଧ ପରାୟଣ ହୋଇ ଉତ୍ତ୍ୟକ୍ତ ଅବସ୍ଥାରେ କିଡନାପରଙ୍କୁ ସୁପାରୀ ଦେଇଥିଲା ଯୁବତୀ ଜଣଙ୍କ । ୧୦ ଲକ୍ଷ ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେବା ସହିତ ଗାର୍ଲଫ୍ରେଣ୍ଡ ସାମ୍ନାରେ ମାଡ଼ ମାରିଥିଲେ ଅଭିଯୁକ୍ତ ମାନେ । ଏପରିକି ପୀଡିତଙ୍କୁ ଅତି ନିର୍ମମ ଭାବେ ବସ୍ ଉଠ ମଧ୍ୟ କରିଥିଲେ । ପ୍ରେମରୁ ପ୍ରତାରଣା । ଆଉ ପ୍ରତାରଣା ପରେ ଅପହରଣ । ଅପରାଧୀ ଯେତେ ଚାଲାକ ହେଲେ ମଧ୍ୟ ପୋଲିସର ହାତ ଲମ୍ବା ବୋଲି ଆଜିର ଘଟଣାରେ ପ୍ରମାଣ କରିଛି କମିଶନରେଟ ପୋଲିସ ।

ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ: ହୋମଗାର୍ଡ ଚାକିରି କରାଇ ଦେବାକୁ କହି ଲୁଟୁଥିଲା

କଟକ: ଖାକି ପୋଷାକ ପିନ୍ଧି ଠକାମୀ । ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ହୋମଗାର୍ଡ ଚାକିରି କରାଇ ଦେବାକୁ କହି ଦେଢ଼ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିବା ନକଲି ପୋଲିସ ଇନ୍ସପେକ୍ଟରକୁ ଗିରଫ କଲା ବାଦାମବାଡ଼ି ଥାନା ପୋଲିସ । ଗିରଫ ନକଲି ପୋଲିସ ହେଲେ ଗୁଣ୍ଡିଚା ଦଳେଇ । ନିଜକୁ କଟକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସ ଇନ୍ସପେକ୍ଟରର ପରିଚୟ ଦେଇ ହୋମଗାର୍ଡ ଚାକିରି ପାଇଁ ଆଶାୟୀ ଥିବା ଯୁବକଙ୍କ ଠାରୁ ଲୁଟୁଥିଲେ । ଥାନାରେ ଏତଲା ଦେଇଥିଲେ ଯୁବକ । ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୋଗକାରୀ ଜୀତାନସୁ ଶେଖର ପରିଡା ବାଦାମବାଡ଼ି CNBT ବସ ଷ୍ଟାଣ୍ଡରେ ସୁରକ୍ଷାକର୍ମୀ ଭାବରେ କାର୍ଯ୍ୟ କରନ୍ତି । ବର୍ତ୍ତମାନ ହୋମଗାର୍ଡ ପାଇଁ ପୋଷ୍ଟ ବାହାରି ଥିବାବେଳେ ଚାକିରି କରାଇ ଦେବା ବାହାନାରେ ଲକ୍ଷାଧିକ ଟଙ୍କା ଲୁଟିଥିଲେ ଫେକ ପୋଲିସ ଗୁଣ୍ଡିଚା ଦଳେଇ ।

ଗିରଫ ସମୟରେ ୩ ଟି ଖାକି ପୋଷାକ, ଫେକ ଆଇଡି କାର୍ଡ, ଏକ ଲ୍ୟାପଟପ, ୫ ମୋବାଇଲ ଜବତ କରିଛି ପୋଲିସ । ଏହାସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ୪ ଲକ୍ଷ ଟଙ୍କା ଫ୍ରିଜ କରଯାଇଛି । ତଦନ୍ତ ସମୟରେ ଯେଉଁମାନେ ଠକେଇର ଶିକାର ହୋଇଥିବେ ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି କହିଛନ୍ତି ଡିସିପି ଋଷିକେଶ ଖିଲାରୀ । ଏହି ସିଣ୍ଡିକେଟରେ ପାଖାପାଖି ୪୦ ଜଣ ଠକେଇର ଶିକାର ହୋଇଛନ୍ତି । କେବଳ ପୋଲିସ ଚାକିରି ନୁହେଁ, ଆରଆଇ, ଅମିନ ଚାକିରି କରିବା ନାଁରେ ମଧ୍ୟ ଠକେଇ କରୁଥିଲା ଗୁଣ୍ଡିଚା । ୟୁନିଫର୍ମ ପିନ୍ଧି ଫଟୋ ଉଠାଇ ଚାକିରି କରାଇ ଦେବା ବାହାନାରେ ଲୁଟୁଥିଲା ଲକ୍ଷାଧିକ ଟଙ୍କା । ଗୁଣ୍ଡିଚାକୁ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରେ ବିଭିନ୍ନ ଉତ୍ସରୁ ୨୦୦ କୋଟିର ରାଜସ୍ବ ଆଦାୟ କଲା ବିଏମସି

ଭୁବନେଶ୍ବର: ଭୁବନେଶ୍ବରରେ ବିଭିନ୍ନ ଉତ୍ସରୁ ରାଜସ୍ବ ଆଦାୟ କଲା ବିଏମସି । ୨୫୦ କୋଟିର ଟଙ୍କାର ରାଜସ୍ବ ଆଦାୟ ନେଇ ଟାର୍ଗେଟ ଥିବା ବେଳେ ମାର୍ଚ୍ଚ ୩୧ ଶୁଦ୍ଧା ୨ଶହ କୋଟି ଟଙ୍କା ଆଦାୟ ହୋଇଛି । ଗୃହ ବା ହୋଲ୍ଡିଂ ଟ୍ୟାକ୍ସ କଲେକ୍ସନରେ ରେକର୍ଡ କଲା ବିଏମସି । ଗତବର୍ଷ ୭୦ କୋଟି ଆଦାୟ କରିଥିବା ବେଳେ ଚଳିତ ବର୍ଷ ୧୩୦ କୋଟି ଟଙ୍କା ଆଦାୟ ନେଇ ଲକ୍ଷ୍ୟ ରଖିଛି ବିଏମସି । ଚଳିତବର୍ଷ ଗୃହ ବା ହୋଲ୍ଡିଂ ଟ୍ୟାକ୍ସ ଆଦାୟ ୧୩୦ କୋଟି ଟଙ୍କା ଆଦାୟ ହେବ ବୋଲି ଅନୁମାନ କରିଛି ବିଏମସି । ରାଜସ୍ବ ଟଙ୍କାରେ ବିଏମସିର ସମସ୍ତ ୱାର୍ଡର ଡ୍ରେନେଜ, ସାନିଟେସନ, ଏବିସି କାର୍ଯ୍ୟକ୍ରମ ସହିତ ଏକାଧିକ ବିକାଶ ମୂଳକ କାର୍ଯ୍ୟକ୍ରମରେ ଖର୍ଚ୍ଚ ହୁଏ । କେବଳ ବେସକାରୀ ନୁହେଁ ଅନେକ ସରକାରୀ ସଂସ୍ଥା ମଧ୍ୟ ହୋଲ୍ଡିଂ ଟ୍ୟାକ୍ସ ଦେଇ ନାହାନ୍ତି । ଇଡକୋ ୫୭ କୋଟି ଟଙ୍କାର ଗୃହ ଟ୍ୟାକ୍ସ ଦେଇନି ।

ଏ ନେଇ ଅର୍ଥ ସଚିବ ଓ ବିଏମସି କମିଶନରଙ୍କ ମଧ୍ୟରେ ଆଲୋଚନା ହୋଇଛି । ହୋଲ୍ଡିଂ ଟ୍ୟାକ୍ସ ବାଦ ଟ୍ରେଡ ଲାଇସେନ୍ସ, ବିଜ୍ଞାପନ, ରେଣ୍ଟ, ୟୁଜର ଫି, ପାର୍କିଂ ଫି, ଫିକ୍ସ ଡିପୋଜିଟର ଶୁଧ, ଏଡବ୍ଳୁଏମ ୟୁଜର ଫି ଓ ଅନ୍ୟାନ୍ୟ ବାବଦ ରାଜସ୍ବକୁ ମୋଟ ୨ଶହ କୋଟି ଟଙ୍କା ଆଦାୟ ହୋଇଛି । ଏକାଧିକ ସଂସ୍ଥା କିଛିକାଂଶରେ ବକେୟା ପାଉଣା ପୈଠ କରିଥିବା ବେଳେ ଆଗକୁ ଆଉ ବାକି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ୬୭ଟି ୱାର୍ଡରେ ୩୦ ଜଣ ଟ୍ୟାକ୍ସ କଲେକ୍ଟର ଅଛନ୍ତି । ସମୟ ଭିତରେ ଏହାର ଭରଣା ହୋଇପାରିଲେ ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ ବୋଲି କହିଛି ବିଏମସି । ପୂର୍ବରୁ ହୋଲ୍ଡିଂ ଟ୍ୟାକ୍ସ ଏକାଧିକ ସଂସ୍ଥାକୁ ଖିଲାପ ନେଇ ନୋଟିସ ଜାରି କରାଯାଇଥିଲା ।

ଆଗକୁ ସପ୍ତାହକୁ ଦୁଇଦିନ କାମ କରିବେ କର୍ମଚାରୀ: ବିଲ ଗେଟ୍ସଙ୍କ ବଡ଼ ଭବିଷ୍ୟବାଣୀ

କର୍ମଚାରୀମାନେ ସପ୍ତାହକୁ ଦୁଇଦିନ କାମ କରିବା ସପକ୍ଷରେ ଅନେକ ଉଦ୍ୟାଗପତି ଓ ବ୍ୟବସାୟୀମାନେ କହିଥାନ୍ତି । ତେବେ ଏହା ମଧ୍ୟରେ ବିଶ୍ବର ଅନ୍ୟତମ ଧନୀବ୍ୟକ୍ତି ବିଲ ଗେଟ୍ସକୁ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଆଗାମୀ ୧୦ ବର୍ଷ ମଧ୍ୟରେ କର୍ମଚାରୀମାନେ ସପ୍ତାହକୁ ଦୁଇ ଦିନ କାମ କରିବେ । ସପ୍ତାହକୁ କେବଳ ଦୁଇଦିନର କାମ କରିବାର ଆବଶ୍ୟକତା ପଡ଼ିବ ବୋଲି ଗେଟ୍ସ ଭବିଷ୍ୟବାଣୀ କରିଛନ୍ତି । କୃତ୍ରିମ ବୁଦ୍ଧିମତା (ଏଆଇ) ଆମର ଅଧିକାଂଶ ଚାକିରି ନେଇଯିବ ଓ ଶ୍ରମ ଶକ୍ତିର ଆବଶ୍ୟକତା ବହୁତ କମ୍ ହୋଇଯିବ । ଏଥିସହିତ ଲୋକଙ୍କ କାମ କରିବାର ତରିକା ମଧ୍ୟ ସମ୍ପୂର୍ଣ୍ଣ ଭାବେ ବଦଳିଯିବ ବୋଲି ସେ କହିଛନ୍ତି ।

ଗେଟ୍ସଙ୍କ ଭବିଷ୍ୟବାଣୀ ପାରମ୍ପରିକ ଭାବନାଠାରୁ ବିଲକୁଲ ଅଲଗା । ଏହି ଭବିଷ୍ୟବାଣୀ ଉତ୍ପାଦକତା, ରୋଜଗାର ଓ ଲୋକଙ୍କ ଦୈନନ୍ଦିନ ଜୀବନରେ ଏଆଇର ଭୂମିକାକୁ ନେଇ ଯୁକ୍ତି ଆରମ୍ଭ ହୋଇଯାଇଛି । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି, ଲୋକଙ୍କର ଚାକିରିର ସ୍ଥାନକୁ କ’ଣ ଏଆଇ ରିପ୍ଲେସ କରିବ? ୨୦୨୨ରେ ଓପନଏଆଇ ତରଫରୁ ଚାଟଜିପିଟି ଲଞ୍ଚହେବା ପରେ ଲୋକଙ୍କର ଚିନ୍ତାଧାରା ଓ କାମକୁ ଏଆଇ ବଦଳାଇ ଦେଇଛି । ଆଜି ଏଆଇ ଚାଟବୋଟ୍ସ ଯେପରିକି ଜେମିନି, ଗ୍ରୋକ ଓ ଡିପସିକର ଅଧିକରୁ ଅଧିକ ବ୍ୟବହାର କରାଯାଉଛି । ବିଭିନ୍ନ କ୍ଷେତ୍ରରେ ଚାକିରି ଯାଇପାରେ ବୋଲି ଅନେକ ବୃତ୍ତିଧାରୀ ଚିନ୍ତାରେ ରହିଥିବା ଗେଟ୍ସ କହିଛନ୍ତି ।

ଅଭାବନୀୟ ଘଟଣା: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ

ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତଳା ଗାଁରେ ଅଭାବନୀୟ ଘଟଣା  । ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କଲା ସ୍ଵାମୀ । ମୃତ ମହିଳା ଜଣଙ୍କ ହେଲେ ଅମୂଲ୍ୟା ବିଶ୍ୱାଳ  । ଗତ ରାତିରେ ଅଭିଯୁକ୍ତ ଗୌତମ ନିଶାଶକ୍ତ ଅବସ୍ଥାରେ ଘରକୁ ଆସିଥିଲା  । କୌଣସି କାରଣକୁ ନେଇ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା  । ରାଗି ଯାଇ ଅମୂଲ୍ୟା ଶୋଇବାକୁ ଚାଲି ଯାଇଥିଲେ  । ଦୁଇ ପୁଅଙ୍କ ସହ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଅମୂଲ୍ୟାଙ୍କୁ ଟାଙ୍ଗିଆରେ ବେକକୁ ହାଣି ହତ୍ୟା କରିଥିଲା ସ୍ଵାମୀ  । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ପୁଅ ଭୟରେ ପାଟିକରିଥିଲେ  । ପାଟି ଶୁଣି ପରିବାର ଲୋକେ ଆସିବାରୁ ଅଭିଯୁକ୍ତ ସ୍ଵାମୀ ଗୌତମ ବିଶ୍ୱାଳ ଟାଙ୍ଗିଆ ଧରି ଫେରାର ମାରିଥିଲା  । ଖବର ପାଇ ଦେଓଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ପଠାଇଛି  । ରକ୍ତ ଲଗା ଟାଙ୍ଗିଆକୁ ଲୁଚାଇ ବନ୍ଧପଡ଼ା ଫାଣ୍ଡିରେ ଆତ୍ମସମର୍ପଣ କରିଥିଲା  । ଦେଓଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରି ଅଭିଯୁକ୍ତ ସ୍ଵାମୀ ଗୌତମକୁ ଗିରଫ କରିଛି  ।

ଆଦିବାସୀଙ୍କୁ ଦୁଃଖ ଦେଉଛି ମହୁଲ ଫୁଲର ଅଭାବୀ ବିକ୍ରି: ପ୍ରଶାସନିକ ଅବହେଳା ସାଜୁଛି କାଳ

ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମୁରିବାହାଲ, ତୁରେକେଲା ଓ ବଙ୍ଗୋମୁଣ୍ଡା ହେଉଛି ଆଦିବାସୀ ବହୁଳ ଅଞ୍ଚଳ । ଏଠାକାର ଲୋକମାନେ ଚାଷ ସମୟ ପରେ ମହୁଲ ଫୁଲ ସଂଗ୍ରହ କରିଥାନ୍ତି । ପ୍ରତିଦିନ ସକାଳୁ ଛୋଟ ଛୋଟ ପିଲାମାନଙ୍କୁ ଧରି ମହିଳା ଓ ପୁରୁଷ ମାନେ ଜଙ୍ଗଲକୁ ଫୁଲ ସଂଗ୍ରହ କରିବାକୁ ଯାଇଥାନ୍ତି । ସଂଗ୍ରହ କରିଥିବା ଫୁଲକୁ ୭ ରୁ ୮ ଦିନ ଖରାରେ ଶୁଖାଇଲା ପରେ ଏହାକୁ ବିକ୍ରି କରିଥାନ୍ତି । କିନ୍ତୁ ଏବର୍ଷ ମହୁଲ ଦର ନିର୍ଦ୍ଦାରିତ ହୋଇ ନଥିବାରୁ ଶୋଷର ଶିକାର ହେଉଛନ୍ତି ମହୁଲ ସଂଗ୍ରହକାରୀ ।

ଦୁଇ ହଜାର ମସିହା ପୂର୍ବରୁ ଲଘୁ ବନଜାତ ଦ୍ରବ୍ୟର ବଜାର ମୂଲ୍ୟ ବେସରକାରୀ ସଂସ୍ଥା ଓ ବ୍ୟକ୍ତି ବିଶେଷ ମିଶି ନିର୍ଦ୍ଧାରିତ କରୁଥିଲେ । ଦୁଇ ହଜାର ମସିହା ମାର୍ଚ୍ଚରେ ପୂର୍ବ ସରକାର ନୂଆ ନୀତି ପ୍ରଣୟନ କରି ମହୁଲ ସମେତ ୨୮ଟି ଲଘୁବନଜାତ ଦ୍ରବ୍ୟର ପରିଚାଳନା ଦାୟିତ୍ଵ ପଞ୍ଚାୟତ ହାତରେ ନ୍ୟସ୍ତ କରିଥିଲେ । ନିୟମ ଅନୁସାରେ ପ୍ରତ୍ୟେକ ପଞ୍ଚାୟତ ମହୁଲଫୁଲର ସହାୟକ ମୂଲ୍ୟ ଗ୍ରୀଷ୍ମ ଋତୁ ପୂର୍ବରୁ ଘୋଷଣା କରିବା କଥା । ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ମହୁଲର ସହାୟକ ମୂଲ୍ୟ ଘୋଷଣା ନହେବା ଯୋଗୁଁ ମହୁଲ ସଂଗ୍ରହକାରୀମାନେ ବାଧ୍ୟ ହୋଇ ବେପାରୀ ତଥା ମଦ ଭାଟି ମାନଙ୍କରେ କେଜି ପ୍ରତି ୧୨ ରୁ ୧୫ ଟଙ୍କାରେ ବିକ୍ରି କରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଅନ୍ୟପଟେ ମହୁଲ ବିକ୍ରି ନିମନ୍ତେ ସ୍ଵତନ୍ତ୍ର ମଣ୍ଡି ବ୍ୟବସ୍ଥା କରିବା ଜରୁରୀ ବୋଲି କହିଛନ୍ତି ଅବକାରୀ ଅଧିକାରୀ । ମହୁଲ ସଂଗ୍ରହକାରୀ ମାନେ ଯେପରି ଉଚିତ ମୂଲ୍ୟ ପାଇ ପାରିବେ ସେଥିପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି ଜୋର ଧରିଛି ।

ଭୁବନରେ ବନ୍ଦ ହୋଇପଡିଛି ସୂଚନା କେନ୍ଦ୍ର ଓ ପାଠାଗାର: ରକ୍ଷଣାବେକ୍ଷଣ ଅଭାବରୁ ହରାଇଛି ସତ୍ତା

ଭୁବନ: ବନ୍ଦ ହୋଇପଡିଛି ବହୁ ପୁରାତନ ସୂଚନାକେନ୍ଦ୍ର ଓ ପାଠାଗାର । ପାଠକମାନଙ୍କ ମନରେ କ୍ଷୋଭ । ଟିକେ ଭଲ କରି ନଜର ପକାନ୍ତୁ ଏହି ଘର ଉପରେ । ଘରର କାନ୍ଥ ଫାଟି ଆଁ କରିଥିବା ବେଳେ ଟାଇଲ ଭାଙ୍ଗି ତଳେ ପଡିଲାଣି । ଏ ହେଉଛି ଓଡିଶା ସରକାରଙ୍କର ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ୧୯୯୧ ମସିହାରୁ ଢେଙ୍କାନାଳ ଜିଲ୍ଲା ଭୁବନରେ ଖୋଲିଥିବା ସୂଚନା କେନ୍ଦ୍ର ଓ ପାଠାଗାର । ଏଠାରେ ଦୈନିକ ଖବର କାଗଜ ଠାରୁ ଆରମ୍ଭ କରି ପତ୍ର ପତ୍ରିକା ଓ ବିଭିନ୍ନ ପୁସ୍ତକ ସରକାରଙ୍କ ତରଫରୁ ପାଠକ ପାଠିକାମାନଙ୍କ ପାଇଁ ଯୋଗାଇ ଦିଆଯାଉଥିଲା । ପାଠାଗାର ଉପରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଯୁବକ ମାନେ ନିର୍ଭର କରୁଥିଲେ । ହେଲେ ଏବେ ଦୀର୍ଘ ଦିନ ହେଲା ପାଠାଗାରଟି ବନ୍ଦ ହୋଇପଡିଥିବାରୁ ପାଠାଗାର ମଧ୍ୟରେ ଥିବା ପାଠ୍ୟ ପୁସ୍ତକ ଗୁଡିକ ଉଇ ଖାଇଯାଇଥିବା ନେଇ ଅନୁମାନ କରାଯାଉଛି । ଯାହାକୁ ନେଇ ପାଠକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା କେନ୍ଦ୍ର ଓ ପାଠାଗାରର ମୁଖ୍ୟ ଫାଟକକୁ ଦୁର୍ବୃତ୍ତମାନେ ଚୋରି କରିନେଇଥିବା ବେଳେ ଏହାର ପାଚେରୀ ଭାଙ୍ଗିଯାଇଛି । ଯାହା ଫଳରେ ଏହାର ପରିସର ମଧ୍ୟରେ କିଛି ଲୋକ ବ୍ୟବସାୟ କରୁଥିବା ନେଇ ଦେଖିବାକୁ ମିଳିଛି । ଏଥିସହିତ ମୁଖ୍ୟ ଫାଟକରେ ପରିବା ହାଟ ଚାଲୁଥିବାରୁ ବର୍ତ୍ତମାନ ଏହା ପାର୍କିଂ ସ୍ଥାନ ପାଲଟିଛି । ତେବେ ଏହାର ନବୀକରଣ ସହିତ ଏକ ଉନ୍ନତଧରଣର ସୂଚନା କେନ୍ଦ୍ର ଓ ପାଠାଗାର ନିର୍ମାଣ କରିବାକୁ ଦାବି ଜୋର ଧରିଛି । ଅଞ୍ଚଳରେ ଏକ ଉନ୍ନତମାନର ଡିଜିଟାଲ ସୂଚନା କେନ୍ଦ୍ର ଓ ପାଠାଗାର ନିର୍ମାଣ ପାଇଁ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ସ୍ଥାନୀୟ ଲୋକେ ।

ନିଷ୍ଠୁର ସାଜିଲା ଦଇବ: ଗୋଟିଏ ଦିନରେ ନେଇଗଲା ବାପା ଓ ପୁଅଙ୍କ ଜୀବନ

ଆସିକା: କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ଗୋଟିଏ ଦିନରେ ବାପା ଓ ପୁଅର ମୃତ୍ୟୁ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି । ଗୋଟିଏ ପଟେ ବାପାଙ୍କ ଶବ ସତ୍କାର କରାଯାଇ ପିତା କାର୍ଯ୍ୟ ଘର ଆଗରେ ଚାଲିଥିବା ବେଳେ ଦୁର୍ଘଟଣାରେ ମୃତ ପୁଅର ଶବ ଆଣିବାକୁ ବାହାରିଛନ୍ତି ଗ୍ରାମବାସୀ । ଆଉ ଏପଟେ ଏ ଦୃଶ୍ୟ ଦେଖନ୍ତୁ ଏକା ସାଙ୍ଗରେ ସ୍ଵାମୀ ଓ ପୁଅଙ୍କୁ ହରାଇ ଏକ ଫଟୋ ଧରି ଚିତ୍କାର କରି କାନ୍ଦୁଛନ୍ତି ବୃଦ୍ଧା ସୁଜନ । ଯାହାକୁ ଦେଖିଲେ କେହି ସମ୍ଭାଳିପାରିବେ ନାହିଁ । ସତରେ ଦଇବ ବଡ ନିଷ୍ଠୁର । ସ୍ଥିତି ଏବେ ଏପରି ହୋଇଛି କି ମୃତ ବାପା ପୁଅଙ୍କ ଶୁଦ୍ଧିକ୍ରିୟା କରିବାକୁ କେହି ନାହାଁନ୍ତି । ଏବେ ଅନାଥ ପରିବାକୁ ସହଯୋଗର ହାତ ବଢାଇଛନ୍ତି ସାହି ଭାଇ ଓ ସଂପର୍କୀୟ ।

ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗଙ୍ଗାପୁରଶାସନ ଗାଁରେ ଘଟିଥିବା ଏହି ହୃଦୟବିଦାରକ ଘଟଣା ପୂରା ଗାଁରେ ଶୋକ ଖେଳାଇଦେଇଛି । ଗଙ୍ଗାପୁର ଶାସନର ୭୦ ବର୍ଷୀୟ ଅଭିମନ୍ୟୁ ମୁନୀଙ୍କ ପୁଅ, ଝିଅ ଓ ସ୍ତ୍ରୀଙ୍କୁ ମିଶେଇ ୪ ପ୍ରାଣୀ କୁଟୁମ୍ବ ଥିଲେ । ବହୁ କଷ୍ଟରେ ଝିଅକୁ ବାହା କରିଥିଲେ ଅଭିମନ୍ୟୁ । କିନ୍ତୁ ରୋଗାଗ୍ରସ୍ତ କରାଣରୁ ଅଭିମନ୍ୟୁ ଆଉ ରୋଜଗାର କରିନପାରିବାରୁ ପୁଅ ପ୍ରଶାନ୍ତ ରୋଜଗାର ପାଇଁ ସୁରଟ ଯାଇଥିଲେ । ଏହାରି ଭିତରେ ଅଭିମନ୍ୟୁଙ୍କ ଦେହ ଭୀଷଣ ଖରାପ ହେବାରୁ ସେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିଲେ । ଖବର ପାଇ ପୁଅ ପ୍ରଶାନ୍ତ ବାପାଙ୍କୁ ଦେଖିବା ପାଇଁ ବ୍ରହ୍ମପୁର ଆସୁଥିବା ବେଳେ ବିଶାଖାପାଟଣା ନିକଟରେ ଟ୍ରେନରୁ ଖସିପଡି ଆରପାରିକୁ ଚାଲିଗଲେ । ଏ ଖବର ଶୁଣିବା ପରେ ବାପା ହସ୍ପିଟାଲ ବେଡ଼ରେ ହିଁ ପ୍ରାଣ ହରାଇବସିଲେ । ଗୋଟିଏ ଦିନରେ ଆଗ ପଛ ହୋଇ ବାପା ପୁଅଙ୍କ ମୃତ୍ୟୁ ପରେ ଗାଁ ଏବେ ସ୍ତବ୍ଧ ପାଲଟିଯାଇଛି ।

ଭାରତରେ ହେବ ମିଆଁମାର ପରି ଭୟଙ୍କର ଭୂକମ୍ପ? IIT କାନପୁର ବୈଜ୍ଞାନିକଙ୍କ ଚେତାବନୀ

କାନପୁର: ନିକଟରେ ମିଆଁମାରରେ ହୋଇଥିବା ଭୂକମ୍ପର ଭୟଙ୍କର ପରିଣତି ସାରା ବିଶ୍ବ ଦେଖିଛି । ଏହି ଭୂକମ୍ପରେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବା ସହ ୪ ହଜାରରୁ ଅଧିକ ଆହତ ହୋଇଥିଲେ । ଏଥିସହିତ ଅନେକ ଲୋକ ନିଖୋଜ ହେବା ସହ ଅନେକ ବିଲଡିଂ ମାଟିରେ ମିଶିଯାଇଥିଲା । ସାଗାଇଙ୍ଗ ଫଲ୍ଟ ମିଆଁମାର ଓ ଥାଇଲାଣ୍ଡରେ ଭୂକମ୍ପ ସୃଷ୍ଟିର ମୂଳ କାରଣ ଥିଲା । ଏହି ଫଲ୍ଟକୁ ଇଣ୍ଟରନେଟ ମ୍ୟାପ ମାଧ୍ୟମରେ ସହଜରେ ଦେଖିହେବ । ଏହି ସାଗାଇଙ୍ଗ ଫଲ୍ଟ ବହୁତ ବିପଜ୍ଜନକ ବୋଲି ଆଇଆଇଟି କାନପୁରର ଆର୍ଥ ସାଇନ୍ସେସ ବିଭାଗର ପ୍ରଫେସର ଜାଭେଦ ମଲିକ କହିଛନ୍ତି ।

ପ୍ରଫେସର ମଲିକ କହିଛନ୍ତି, ଆମକୁ ବଡ଼ ଭୂକମ୍ପର ପ୍ରତୀକ୍ଷା କରିବା ଅନୁଚିତ । ହିମାଳୟରେ ଅନେକ ସକ୍ରିୟ ଫଲ୍ଟ ଲାଇନ ରହିଛି । ସବୁ ଫଲ୍ଡ ଫ୍ରଣ୍ଟଲ ପାର୍ଟସ ଉପରେ କାମ କରୁଛନ୍ତି, ମାତ୍ର ଉପରେ ମଧ୍ୟ ଫଲ୍ଟ ରହିଛି । ଆମକୁ କେବଳ ପ୍ଲେଟ ସୀମାର ଆଖପାଖ ଭୂକମ୍ପକୁ ଦେଖିବା ଅନୁଚିତ । ଉତ୍ତର-ପୂର୍ବ ଓ କଶ୍ମୀର ଜୋନ-୫ରେ ରହିଛି । ଏହି କ୍ଷେତ୍ରରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ଆମକୁ ଏ କ୍ଷେତ୍ରରେ ଅଧିକ ସାବଧାନ ରହିବ ଆବଶ୍ୟକ ଓ ଭୂକମ୍ପର ପ୍ରଭାବକୁ କମ୍ କରିବା ପାଇଁ କାମ କରିବା ଦରକାର ।

ସାଗାଇଙ୍ଗ ଓ ଗଙ୍ଗା-ବଙ୍ଗଳା ମଧ୍ୟରେ କିଛି ହେଉନାହିଁ ବୋଲି ଏହା ଆମେ କହିପାରିବା ନାହିଁ । ପୂରା ଅଞ୍ଚଳ ଚାପରେ ରହିଛି ଓ ସେଠାରେ କ୍ରମାଗତ ଭାବେ ଉର୍ଜା ଜମିବାରେ ଲାଗିଛି । ଗୋଟିଏ ଭୂକମ୍ପ ଅନ୍ୟ ଭୂକମ୍ପକୁ ଟ୍ରିଗର କରିବ ନାହିଁ ବୋଲି ଏହାକୁ ଅଗ୍ରାହ୍ୟ କରିହେବ ନାହିଁ । ଏହାକୁ ’ଟ୍ରିଗର ଷ୍ଟ୍ରେସ’ କୁହାଯାଏ । ଉତ୍ତରରୁ ଦକ୍ଷିଣ ଆଡ଼କୁ ଏପରି ଗତିବିଧି ବଢ଼ୁଛି, ଏହା ଦେଖାଯିବା ଦରକାର । ଫଲ୍ଟ ଲାଇନ ବହୁତ ଗଭୀରରେ ହୋଇଥାଏ, ଯାହାକି ୧୦୦-୧୫୦ କିମିର ଗଭୀର ପର୍ଯ୍ୟନ୍ତ ଯାଇପାରେ । ମାତ୍ର ୫, ,୧୦ ଓ ୨୦ କିମିର ଗଭୀରତା ବିଶିଷ୍ଟ  ଭୂକମ୍ପ ଅଧିକ କ୍ଷତି ପହଞ୍ଚାଇପାରେ । କାରଣ ଏହା କମ୍ ଗଭୀରରୁ ଉର୍ଜା ପ୍ରାପ୍ତ କରିଥାଏ ।