spot_img
Home Blog Page 85

ମହାନଦୀ ପାଇଁ ମଧ୍ୟସ୍ଥି ସାଜିବ କେନ୍ଦ୍ର ! ଟ୍ରିବ୍ୟୁନାଲର ଅବଧି ୯ମାସ ବୃଦ୍ଧି ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ବର  : ମହାନଦୀ ପାଇଁ ମଧ୍ୟସ୍ଥି ସାଜିବ କେନ୍ଦ୍ର ! ସଂସଦୀୟ ବ୍ୟବସ୍ଥାରେ ହେବ ଜଳ ବିବାଦର ସମାଧାନ । ଟ୍ରିବ୍ୟୁନାଲର ଅବଧି ୯ମାସ ବୃଦ୍ଧି ପାଇଁ କେନ୍ଦ୍ରକୁ ଚିଠି । ବିଜେଡି କହିଲା, ମହାନଦୀ ନେଇ ନାହିଁ ଆନ୍ତରିକତା । ଟ୍ରିବ୍ୟୁନାଲ ନୁହେଁ, କେନ୍ଦ୍ର କରିବ ମହାନଦୀ ଦଳ ବିବାଦର ସମାଧାନ । ଛତିଶଗଡ ଓ ଓଡିଶା ମଧ୍ୟରେ ଦୀର୍ଘଦିନ ଧରି ମହାନଦୀ ଜଳ ବିବାଦ ଲାଗିରହିଥିବାବେଳେ ଏଥିରେ ମଧ୍ୟସ୍ଥି ସାଜିବ କେନ୍ଦ୍ର । ଏନେଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି ରାଜ୍ୟ। ଏହାସହ ଟ୍ରିବ୍ୟୁନାଲର ଅବଧିକୁ ୯ମାସ ବୃଦ୍ଧି କରିବାକୁ ଚିଠି ଲେଖାଯାଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀଙ୍କ ଯୁକ୍ତି ହେଉଛି, ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆନ୍ତଃରାଜ୍ୟ ମନ୍ତ୍ରୀ କମିଟିର ଅଧ୍ୟକ୍ଷ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିସାରିଛନ୍ତି ।

ଅନ୍ୟପଟେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ବିଜେଡି ଅଭିଯୋଗ କରିଛି । ବିଜେଡି ବିଧାୟକ ଧୃବ ସାହୁ କହିଛନ୍ତି, ମହାନଦୀ କମିଟି ଫେବୃଆରୀ ପହିଲାରେ ଗସ୍ତ କରିବାର ଥିଲା । ହେଲେ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ କମିଟି ସେକଥାକୁ ଭୁଲିଗଲା । ଏଥିରୁ ମହାନଦୀ ନେଇ ସରକାରଙ୍କ ଆନ୍ତରିକତା କେତେ ଜଣା ପଡୁଛି ବୋଲି ବିଜେଡି କହିଛି । କଂଗ୍ରେସ ମଧ୍ୟ ଏ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି । ମହାନଦୀ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନାପସନ୍ଦ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ଛତିଶଗଡ଼, ଓଡିଶା ଓ କେନ୍ଦ୍ରରେ ବିଜେପି ସରକାର ଚାଲିଥିବା ବେଳେ ମହାନଦୀ ଜଳ ବିବାଦର ସମାଧାନ ନହେବା ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ବିଜେଡି ଓ କଂଗ୍ରେସ ଅହରହ ଟାର୍ଗେଟ କରିଆସୁଛନ୍ତି ।

ରାଜ୍ୟସଭା ନିର୍ବାଚନ : ଛିଡୁନି ଚତୁର୍ଥ ଆସନ ଅଙ୍କ

ଭୁବନେଶ୍ବର  : ଛିଡୁନି ଚତୁର୍ଥ ଆସନ ଅଙ୍କ । ପୃଥ୍ବୀରାଜ ଓ ଜଗନ୍ନାଥଙ୍କ ବୟାନ ବଢାଇଲା ସସପେନ୍ସ । ବିଜେଡି କହିଲା, ସମୟ ଆସିଲେ ନେବୁ ନିଷ୍ପତ୍ତି । ଶୃଙ୍ଖଳା ଛାଟ ଉଠାଇଲେ ଭକ୍ତ । ୪ ଆସନ । ଆଶା ଅନେକ । ଚତୁର୍ଥ ଆସନ ହେବ କାହାର ? ତାକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଶାସକ ଦଳ କଷୁଛି ଅଙ୍କ। ଏହାଭିତରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦେଇଛନ୍ତି ବଡ ବୟାନ । କିଏ ଚତୁର୍ଥ ଆସନ ଜିତିବ ? କେମିତି କଣ ସମୀକରଣ ହେବ ସେ ନେଇ ସମୟକୁ ଅପେକ୍ଷା କରିବା ହିଁ ଠିକ୍ ହେବ ବୋଲି ସେ କହିଛନ୍ତି । ଗଣିତ କଣ ହେବ, ମିଶାଣ ହେଉଛି କି ଫେଡ଼ାଣ ହେଉଛି ସେ ସମୟ ମଧ୍ୟ ବହୁତ ଶୀଘ୍ର ଆସିଯିବ । ରାଜ୍ୟସଭା ଉପନିର୍ବାଚନରେ ନାମାଙ୍କନ ଦାଖଲ କରି ଚର୍ଚ୍ଚାରେ ରହିଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ଗଣିତ ନେଇ ମତ ରଖିଛନ୍ତି । ଦଳ ଯାହାକୁ ପଠାଇବ କାର୍ଯ୍ୟକର୍ତ୍ତା  ଭାବେ ଆମେ ଗ୍ରହଣ କରିବୁ l ମତେ ନାମାଙ୍କନ ଦାଖଲ ପାଇଁ  ଗତଥର ଦଳର ନିର୍ଦ୍ଦେଶ ଥିଲା । ତେଣୁ ମୁଁ ନାମାଙ୍କନ ଭରିଥିଲି l ମୁଁ ରାଜ୍ୟସଭା ଅପେକ୍ଷାରେ ନାହିଁ l

ଏପ୍ରିଲ ମାସରେ ଓଡିଶାର ୪ଟି ଆସନ ଖାଲି ପଡୁଥିବାରୁ ୨ଟି  ଆସନରେ ବିଜେପି ଓ ଗୋଟିଏ ଆସନ ବିଜେଡି ହାତେଇବା ନିଶ୍ଚିତ। ଚତୁର୍ଥ ଆସନ ପାଇଁ  ବିଜେଡ କିଙ୍ଗ ମେକର ସାଜିବ ବୋଲି କୁହାଯାଉଛି । ବିଜେଡି ବିଧାୟକ ଧୃବ ସାହୁ କହିଛନ୍ତି, ସମୟ ଆସିଲେ ଦଳ ନିଷ୍ପତ୍ତି ନେବ  । ଅନ୍ୟପଟେ ପିସିସି ସଭାପତି  କହିଛନ୍ତି,  ସଂଖ୍ୟା ନଥିଲେ ମଧ୍ୟ ଆମେ ପ୍ରାର୍ଥୀ ଦେବୁ । ରାଜ୍ୟସଭା ନିର୍ବାଚନ ନେଇ କଂଗ୍ରେସ ବିଧାୟକଙ୍କୁ ଶୃଙ୍ଖଳା ଛାଟ ଦେଖାଇଛନ୍ତି ଭକ୍ତ । ରାଜ୍ୟସଭାର ଚତୁର୍ଥ ଆସନ ପାଇଁ କାହା ପାଖରେ ସଂଖ୍ୟା ନାହିଁ । ଦୁଇ ଜାତୀୟ ଦଳ ବିଜେପି  ଓ କଂଗ୍ରେସ ସଂଖ୍ୟା ହାତେଇବା ପାଇଁ ବିଜେଡି ଉପରେ ନିର୍ଭର କରିଛନ୍ତି ।

ସୁପ୍ରିମକୋର୍ଟରେ ମମତାଙ୍କ ଗର୍ଜନ, ଓକିଲ ସାଜି SIR ପ୍ରସଙ୍ଗରେ ନିଜେ ରଖିଲେ ନିଜ ପକ୍ଷ

ନନ୍ଦିଘୋଷ ବ୍ୟୁରୋ :  ପଶ୍ଚିମବଙ୍ଗକୁ କାହିଁକି ଟାର୍ଗେଟ କରାଯାଉଛି ? ଆସାମକୁ କାହିଁକି ନୁହେଁ ? ରୁଦ୍ଧ ଦ୍ବାର ପଛପଟେ କାନ୍ଦୁଛି ନ୍ୟାୟ । ପଶ୍ଚିମବଙ୍ଗରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ- SIRରେ ଘୋର ପକ୍ଷପାତିତାକୁ ନେଇ ସୁପ୍ରିମକୋର୍ଟରେ ଏପରି ଗର୍ଜିଛନ୍ତି ବେଙ୍ଗଲ ଟାଇଗର ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଏସଆଇରକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଥିବାବେଳେ ନିଜେ ଓକିଲ ସାଜି ରାଜ୍ୟ ପାଇଁ ଯୁକ୍ତି ଉପସ୍ଥାପନ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ମମତା ଦିଦି । ନିଜେ ନିଜ ପକ୍ଷ ରଖିବାକୁ ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠକୁ ଗୁହାରୀ କରି ସେ ତାଙ୍କ ପକ୍ଷ ରଖିଥିଲେ । ପ୍ରଧାନ ବିଚାରପତି ଆଗରେ ସେ ଠିଆ ହୋଇ ପକ୍ଷ ରଖିବାକୁ ମାତ୍ର ୫ ମିନିଟ ସମୟ ମାଗିବାରୁ ପ୍ରଧାନବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ତାଙ୍କୁ ୧୫ ମିନିଟ ଲାଗି ସମୟ ଦେଇଥିଲେ । ଭାରତୀୟ ନିର୍ବାଚନ କମିଶନଙ୍କୁ ସେ କାଠଗଡାରେ ଠିଆ କରାଇ ଦିଦି ତାଙ୍କ ପକ୍ଷ ରଖିବା ଆରମ୍ଭ କରିଥିଲେ । ନିର୍ବାଚନ କମିଶନ ତାଙ୍କ ଅନୁରୋଧକୁ ଅଣଦେଖା କରିଛନ୍ତି । ୬ ଥର ଚିଠି ଲେଖିବା ପରେ ବି କମିଶନ ତାଙ୍କୁ ଉତ୍ତର ଫେରାଇନଥିଲେ । କଥା ହେଉଛି ଆମେ କୌଣସି ସ୍ଥାନରେ ନ୍ୟାୟ ପାଉନାହୁଁ । ତେବେ ଖଣ୍ଡପୀଠ ସ୍ୱୀକାର କରିଛନ୍ତି ଯେ, ମମତାଙ୍କ ଆବେଦନ ସତ୍ୟ ଏବଂ ପ୍ରତ୍ୟେକ ପ୍ରସଙ୍ଗର ସମାଧାନ ଅଛି ବୋଲି କହି ଆଶ୍ୱସ୍ତ କରିଛନ୍ତି । କୋର୍ଟ ମମତାଙ୍କ ଆବେଦନ ଉପରେ ନିର୍ବାଚନ କମିଶନକୁ ଏକ ନୋଟିସ ମଧ୍ୟ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ସୋମବାର ପାଇଁ ରଖାଯାଇଛି ।

ଓଡ଼ିଶା ଜନଜାତିଙ୍କ ବିକାଶ ନେଇ ସଂସଦରେ ମାନସଙ୍କ ପ୍ରଶ୍ନ…

ନନ୍ଦିଘୋଷ ବ୍ୟୁରୋ :  ଓଡ଼ିଶାରେ କେତେ ଜନଜାତି ଅଛନ୍ତି? ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା, ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଗତ ୩ ବର୍ଷରେ କେତେ ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଛି? ଆଜି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ରାଜ୍ୟସଭାରେ ପ୍ରଶ୍ନ ପଚାରିଥିଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଉତ୍ତରରେ ମନ୍ତ୍ରୀ କହିଛନ୍ତି, ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାରେ ମୋଟ ୯୫ ଲକ୍ଷ ୯୦ ହଜାର ୭୫୬ଜଣ ଆଦିବାସୀ ଅଛନ୍ତି। ସେମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ସରକାର ୧୧ଟି ଯୋଜନା ଅନ୍ତର୍ଗତ ରାଜ୍ୟକୁ ପାଣ୍ଠି ପ୍ରଦାନ କରୁଛନ୍ତି। ଧରତି ଆବା ଗ୍ରାମ ଉତ୍କର୍ଷ ଅଭିଯାନ, ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ, ପ୍ରଧାନମନ୍ତ୍ରୀ ଜନଜାତୀୟ ବିକାଶ ମିଶନ, ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲ, ସମ୍ବିଧାନର ୨୭୫ଧାରା ଅନୁଯାୟୀ ଗ୍ରାଣ୍ଟ, ଏସସିଏ ଟୁ ଟିଏସଏସ, ଜନଜାତିଙ୍କ କଲ୍ୟାଣ ପାଇଁ କାମ କରୁଥିବା ସ୍ବଚ୍ଛାସେବୀ ଅନୁଷ୍ଠାନ, ପ୍ରି-ମ୍ୟାଟ୍ରିକ ସ୍କଲାରସିପ ଟୁ ଏସଟି ଷ୍ଟୁଡେଣ୍ଟସ, ପୋଷ୍ଟ ମ୍ୟାଟ୍ରିକ ସ୍କଲାରସିପ ଟୁ ଏସଟି ଷ୍ଟୁଡେଣ୍ଟସ, ଜନଜାତି ବିକାଶ ଯୋଜନା, ଏନଏସଟିଏଫଡିସି, ସପୋର୍ଟ ଟୁ ଟିଆରଆଇ ଭଳି ଯୋଜନାରେ ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ଅନୁଦାନ ଦେଇଆସୁଛନ୍ତି। ଏସବୁ ଯୋଜନାରେ ଗତ ୩ ବର୍ଷରେ ଓଡ଼ିଶାକୁ ମିଳିଛି ୨ ହଜାର ୭୮୭ କୋଟି ୩ ଲକ୍ଷ ଟଙ୍କା।

ଦେବାଶ୍ରିତା ତିଆରି କରିଛନ୍ତି ହାର୍ଟ ଗାର୍ଡ, ଉଦଭାବନ କଲେ ସ୍ବତନ୍ତ୍ର ଡିଭାଇସ୍

କଟକ : ହୃଦରୋଗୀଙ୍କ ପାଇଁ ଦେବଦୂତ ସାଜିବେ ଦେବଶ୍ରିତା । କଟକର ଝିଅ ତିଆରି କରିଛନ୍ତି ହାର୍ଟ ଗାର୍ଡ । ନିଜର ଅନ୍ତର୍ନିହିତ ଜ୍ଞାନ କୌଶଳରୁ ବ୍ୟବହାର କରି ଉଦଭାବନ କରିଛନ୍ତି ସ୍ବତନ୍ତ୍ର ଡିଭାଇସ୍ । ରେଭେନ୍ସା ବିଶ୍ଵ ବିଦ୍ୟାଳୟ ବିଏସସି, ଆଇଟିଏମ୍ ବିଭାଗର ତୃତୀୟ ବର୍ଷ ଛାତ୍ରୀ ଦେବଶ୍ରିତା ଦାସ । ସେ ନିର୍ମାଣ କରିଥିବା ହାର୍ଟ ଗାର୍ଡକୁ ମାସ୍କ୍ ଭଳି ପିନ୍ଧିବାକୁ ପଡ଼ିଥାଏ । ବିଶେଷ କରି ଯେଉଁ ମାନେ ହୃଦରୋଗରେ ପୀଡ଼ିତ ଅଛନ୍ତି କିମ୍ବା ତାଙ୍କ ଠାରେ କୌଣସି ଲକ୍ଷଣ ଦେଖା ଦେଇଛି ତେବେ ସେମାନେ ଏହି ହାର୍ଟ ଗାର୍ଡ କୁ ପରିଧାନ କରିପାରିବେ । ଯେତେବେଳେ ହୃଦଘାତର ସମ୍ଭାବନା ଆସିବ ସେତେବେଳେ ଏହି ଡିଭାଇସ ଟିକୁ ଖାଲି ସ୍ପର୍ଶ କରିଦେଲ ତୁରନ୍ତ ଏହା ଆକ୍ଟିଭ ହୋଇଯିବ । ଏହାପରେ ପ୍ରାଥମିକ ସପୋର୍ଟ ଦେବାସହ, ଅକ୍ସିଜେନ୍ ଓ ଉକ୍ତ ବ୍ୟକ୍ତିଙ୍କ ଘର ଲୋକଙ୍କୁ ମେସେଜ ଯୋଗେ ଆଲର୍ଟ କରେଇଦେବ । ସଂପୂର୍ଣ୍ଣ ଭାବେ ଏ ଆଇ ଦ୍ଵାରା ଓ ଦୀର୍ଘ ସ୍ଥାୟୀ ଭାବେ ଏହି ଡିଭାଇସଟି ପରିଚାଳିତ ହେବ । ଖାଲି ସେତିକି ନୁହେଁ ହୃଦଘାତର ଶିକାର ବ୍ୟକ୍ତିଙ୍କ ସଠିକ୍ ଲୋକେଶନ ମଧ୍ୟ ଜଣାଇଦେବ । ଆଇଆଇଟି ବମ୍ବେର ଟେକ୍ନିକାଲ ସପୋର୍ଟ ନେଇ ଏହି ଡିଭାଇଜ୍ ତିଆରି କରିଛନ୍ତି ଦେବଶ୍ରିତା । ବର୍ତ୍ତମାନ ଏହାର ସଫଳ ପରୀକ୍ଷଣ ହୋଇଥିଲେ ସୁଦ୍ଧା ଅର୍ଥାଭାବ ପ୍ରୋଜେକ୍ଟକୁ ଆଗକୁ ବଢ଼ିବାରେ ଅଙ୍କୁଶ ଲଗାଇଛି । କେବଳ ପ୍ରୋଜେକ୍ଟ ଟି ପାଇଁ ପ୍ରାଇଜ୍ ପାଇଥିବା ଏକ ଲକ୍ଷ ଟଙ୍କା ଓ ଘରୁ ୨୦ ହଜାର ଏମିତିକି ମୋଟ ୧ ଲକ୍ଷ କୋଡିଏ ହଜାର ଟଙ୍କା ବର୍ତ୍ତମାନ ସୁଦ୍ଧା ଖର୍ଚ୍ଚ କରି ସାରିଲାଣି ଦେବଶ୍ରିତା । କିନ୍ତୁ ଏହାକୁ ସମୂର୍ଣ୍ଣ କରିବା ପାଇଁ ପାଖାପାଖି ୬ ରୁ ୭ଲକ୍ଷ ଟଙ୍କା ଆବଶ୍ୟକ । ଯାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ଯଦି ସରକାରୀ ସହାୟତା ଦିଆଯାଏ ତେବେ ଏହା ସଫଳ ଭାବେ ପ୍ରୋଜେକ୍ଟ ସଂପୂର୍ଣ୍ଣ ହେବ ।
ପିଲାଟି ବେଳୁ ମେଧାବୀ ଛାତ୍ରୀ ଥିବା ଦେବଶ୍ରିତା ଅନେକ ବାଧାବିଘ୍ନ ଓ ଆର୍ଥିକ ଦୂରାବସ୍ଥା ମଧ୍ୟରେ ଗତି କରି ପାଖାପାଖି ୨ ବର୍ଷ ସମୟ ଖର୍ଚ୍ଚ କରି ଏହି ହାର୍ଟ ଗାର୍ଡ ଡିଭାଇସ୍ ତିଆରି କରିଛନ୍ତି । ଆଗକୁ ବଢିବା ସହ ଏହି ପ୍ରୋଜେକ୍ଟ ପୁରା କରିବା ପାଇଁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ମାଆ ଅର୍ପିତା । ସେହିଭଳି ପଡୋଶୀ ମାନେ ମଧ୍ୟ ଦେବଶ୍ରିତାଙ୍କ ଏହି ପ୍ରୋଜେକ୍ଟ ପାଇଁ ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି । ସ୍ୱଦେଶୀ ଜ୍ଞାନ କୌଶଳରେ ଏହିଭଳି ଡିଭାଇସ୍ ତିଆରି କରିଥିବା ଦେବଶ୍ରିତାଙ୍କୁ ସରକାରୀ ସ୍ତରରେ ଅଧିକ ପ୍ରୋତ୍ସାହନ ମିଳିଲେ ହୁଏତ ଅନେକ ଜୀବନ ବଞ୍ଚିପରିବ ।

ବନ୍ଧୁକ ଦେଖାଇ ନୟାପଲ୍ଲୀରୁ ଝାମ୍ପିଲେ ସୁନା ଅଳଙ୍କାର

ଭୁବନେଶ୍ବର : ଗନପଏଣ୍ଟରେ ଗଡ଼ସାହିରୁ ଲୁଟ । ବନ୍ଧୁକ ଦେଖାଇ ନୟାପଲ୍ଲୀରୁ ଝାମ୍ପିଲେ ସୁନା ଅଳଙ୍କାର । କ୍ରାଇମ ସ୍ପଟରେ ସିସିଟିଭି ଆଧାରରେ ଛାନଭିନ। ଲୁଟ ପରେ ପିଠି ଆଉଁସି ଚମ୍ପଟ ମାରିଲା ଚୋର ।…….ସମୟ ୫ ଟା ୩୦ । ସ୍ଥାନ ନୟାପଲ୍ଲୀ ଗଡ଼ସାହି ର ପ୍ଲଟ ନମ୍ବର ୧୨ ଶହ ୫୦ । ୬୨ ବର୍ଷୀୟା ଇନ୍ଦୁମତି ବଳବନ୍ତରାୟ ଫୁଲ ତୋଳିବା ବେଳେ ହଠାଥ ମୁଣ୍ଡରେ ଲାଗିଲା ବନ୍ଧୁକ । କିଛି ବୁଝିବା ପୂର୍ବରୁ ଲୁଟେରା ଦେଇଥିଲା ଜୀବନ ନେଇଯିବାର ଧମକ । ସୁନା କାନର, ଚୁଡ଼ି ତୁରନ୍ତ ନଦେଲେ ଫୁଟାଇ ଦେବ ବୋଲି କହିଥିଲା ଚୋର । ଆଉ ଭୟରେ ଥରହର ହୋଇ ସବୁ ଖୋଲି ଦେଇଥିଲେ ବରିଷ୍ଠ ନାଗରିକ ଜଣଙ୍କ। କିନ୍ତୁ ବଡ଼ କଥା ହେଉଛି ଚୋର ସର୍ବସ୍ବନ୍ତ କରିଦେବା ପରେ ମହିଳାଙ୍କ ପିଠି ଆଉଁସି ଚାଲିଯିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏ ନେଇ ଖବର ପାଇବା ପରେ ପୋଲିସ କ୍ରାଇମ ସ୍ପଟରେ ସର୍ଜମିନ ଯାଞ୍ଚ କରିଛି। ଘର ଚାରିପଟେ ଥିବା ଗଳି କନ୍ଦି କୁ ଯାଇ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି। ସିସିଟିଭିକୁ ଛାନଭିନ କରିଛି । ଏପରିକି ସିସିଟିଭି ହାର୍ଡଡିସ୍କ ଜବତ କରି କିଛି ସନ୍ଦିଗ୍ଧଙ୍କୁ ସ୍କାନରକୁ ନେଇଛି ପୋଲିସ। ନୟାପଲ୍ଲୀ ଭଳି ଏକ ଭିଭିଆଇପି ଏରିଆରେ ଏଭଳି ଲୁଟକୁ କେହି ସହଜରେ ହଜମ କରିପାରିନାହାନ୍ତି। ସେପଟେ କିଛି ନିଶାଡୀ ସ୍ଥାନୀୟ ଅଞ୍ଚଳରେ ନୀତିଦିନ ନିଶା ଖାଇ ଏଭଳି କାଣ୍ଡ ଭିଆଉଥିବାରୁ ପାଟ୍ରୋଲିଂ କୁ ବ୍ୟାପକ କରିବାକୁ ଦାବି କରିଛନ୍ତି ପରିବାର ଲୋକେ । ଜନଗହଳିପୂର୍ଣ୍ଣ ଅଞ୍ଚଳ, ସିସିଟିଭି ସର୍ଭେଲାନ୍ସ। ତଥାପି ଲୁଟେରାଙ୍କ ଖାତିର ନାହିଁ। ସେପଟେ ଅପରାଧୀଙ୍କ ହଲ୍ଲାବୋଲ ଏବେ ପୋଲିସ ପାଇଁ ସୃଷ୍ଟି କରିଛି ବଡ଼ ଚ୍ୟଲେଞ୍ଜ ।

ପୁରୀ ଶ୍ୱେତଗଙ୍ଗାରେ ପିଣ୍ଡ ଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମହାପ୍ରଭୁଙ୍କ ଦର୍ଶନ କରି ହେଲେ ଆତ୍ମବିଭୋର

ପୁରୀ : ଶ୍ୱେତଗଙ୍ଗାରେ ପିଣ୍ଡ ଦାନ କଲେ ରାଷ୍ଟ୍ରପତି ପ୍ରୌପଦୀ ମୁର୍ମୁ । ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆତ୍ମବିଭୋର ହେଲେ । ଜଗତର ମଙ୍ଗଳ କାମନା କରିବା ସହ ସାନିଧ୍ୟଲାଭ କଲେ ମହାମହିମ । ବୁଧବାର ସକାଳେ ରାଷ୍ଟ୍ରପତି ଲୋକ ଭବନରୁ କାରଗେଡ ଯୋଗେ ସୁରକ୍ଷା ବଳୟରେ ବଡ଼ ଦାଣ୍ଡ ହୋଇ ପ୍ରଥମେ ଶ୍ୱେତ ଗଙ୍ଗାକୁ ଯାଇଥିବାବେଳେ ସେଠାରେ ପିଣ୍ଡ ଦାନ କରିଥିଲେ । ପରେ ୭ଟା ୪୦ସୁଦ୍ଧା ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଥିବାବେଳେ ଗଜପତି ମହାରାଜା ତାଙ୍କୁ ସ୍ୱାଗତ କରିଥିଲେ l ରାଷ୍ଟ୍ରପତି ସାଧାରଣ ଲୋକଙ୍କ ଭଳି ହାତ ଗୋଡ଼ ଧୋଇ ଅରୁଣ ସ୍ତମ୍ବ ସ୍ପର୍ଶ କରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ l ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ଗର୍ଭଗୃହରେ ଦର୍ଶନ କରି ଭାବପ୍ରବଣ ହୋଇପଡିଥିଲେ ମହାମହିମ । ମହାଲକ୍ଷ୍ମୀଙ୍କ ସହ ବିମଳାଙ୍କ ଦର୍ଶନ କରିଥିବାବେଳେ ଶ୍ରୀମନ୍ଦିର ଭିତରେ ୪୫ ମିନିଟ୍ରୁ ଅଧିକ ସମୟ ଅତିବାହିତ କରିଥିଲେ l ଆଜି ମହାମହିମଙ୍କ ଉଦ୍ଦେଶ୍ୟରେ ବାନା ଲଗାଯାଇଥିବାବେଳେ ପ୍ରତ୍ୟାବର୍ତ୍ତନ ସମୟରେ ସେବାୟତ ମାନେ ରାଷ୍ଟ୍ରପତୀଙ୍କୁ ମହାପ୍ରଭୁଙ୍କ କରପଲ୍ଳଭ ଉପହାର କରିଥିଲେ l ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ରାଷ୍ଟ୍ରପତିଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ସମେତ ସୁନା ବେଶର ପଟ୍ଟଚିତ୍ର ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା l
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀକୁ ଏହା ଚତୁର୍ଥ ଗସ୍ତ l ଶ୍ରୀମନ୍ଦିରରୁ ଦର୍ଶନ ସାରି ରାଷ୍ଟ୍ରପତି ବେସ କିଛି ବାଟ ବଡ଼ଦାଣ୍ଡରେ ଚାଲିଚାଲି ଫେରିବା ସମୟରେ ସାଧାରଣ ଲୋକମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ l ପରେ ପୁରୀ ଲୋକ ଭବନକୁ ଯାଇ କିଛି ସମୟ ବିରତି ପରେ ପୁରୀ ହେଲିପ୍ୟାଡ଼କୁ ସୁରକ୍ଷା ମଧ୍ୟରେ ଆସି ପହଞ୍ଚିଥିଲେ l ପୁରୀ ହେଲିପ୍ୟାଡ଼ ଠାରେ ରାଷ୍ଟ୍ରପତିଙ୍କୁ ବିଦାୟ ପ୍ରଦାନ କରାଯାଇଥିବାବେଳେ ସେଠାରୁ ସିଧାସଳଖ ରାଇରଙ୍ଗପୁର ଯାଇଥିଲେ l ପୁରୀ ବାସୀଙ୍କ ସହଯୋଗରେ ରାଷ୍ଟ୍ରପତିଙ୍କ ଗସ୍ତ ଶୃଙ୍ଖଳିତ ଭାବେ ହୋଇଥିବା ନେଇ ପ୍ରଶାସନ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା l ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଆଜି ଶ୍ରୀମନ୍ଦିର ଭିତରକୁ ଜଣେ କ୍ୟାମେରା ଧରି ପଶିଯାଇଥିବା ପରିଲକ୍ଷିତ ହୋଇଥିବାବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି l

ଅନଲାଇନ୍ ଗେମ୍ ନେଲା ଜୀବନ : ଘରୁ ମିଳିଲା ପୁଅର ମୃତଦେହ…

ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଅନଲାଇନ୍ ଗେମ୍ ଯୋଗୁଁ ଜଣେ ପିଲାର ଜୀବନ ଯାଇଛି । ପିଲାଟି ଛାତ୍ରଟି ଅନଲାଇନ୍ ଗେମ୍ସରେ ନିଶାଗ୍ରସ୍ତ ଥିଲା । ତା’ର ମାଆ ମୋବାଇଲ ଧରିବାକୁ ମନା କରିବାରୁ ଜୀବନ ହାରିଦେଲେ ଛାତ୍ର । ପିପଲାନି ଥାନା ଅଞ୍ଚଳ ଅନ୍ତର୍ଗତ ଛତ୍ରସାଲ ନଗରର ଶ୍ରୀରାମ କଲୋନିର ୧୪ ବର୍ଷୀୟ ଛାତ୍ର ଅଂଶ ସାହୁଙ୍କ ମୃତ ଦେହ ତାଙ୍କ ଘରୁ ମିଳିଥିଲା । ଅଂଶ ଅଷ୍ଟମ ଶ୍ରେଣୀର ଛାତ୍ର ଏବଂ ବାପାମାଆଙ୍କର ଏକମାତ୍ର ପୁଅ ଥିଲା। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ପଡ଼ୋଶୀଙ୍କ ଅନୁଯାୟୀ, ସୋମବାର ତାଙ୍କର ତ୍ରୟୋଦଶ ଦିବସର ସମାରୋହ ଅନୁଷ୍ଠିତ ହୋଇଥିଲା, ଏବଂ ପରିବାର ସଦସ୍ୟମାନେ ଯୋଗଦେବା ପାଇଁ ତାଙ୍କ ଜେଜେମାଆଙ୍କ ଘରକୁ ଯାଇଥିଲେ। ଅଂଶ ଘରେ ରହିଥିଲେ। ଅପରାହ୍ନରେ ତାଙ୍କ ପରିବାର ତାଙ୍କୁ ନେବାକୁ ଫେରିବା ପରେ ଘରର ମୁଖ୍ୟ ଦ୍ୱାର ଭିତରୁ ବନ୍ଦ ଥିଲା। ବହୁତ ସମୟ ଧରି ଡାକିବା ପରେ ମଧ୍ୟ କୌଣସି ଉତ୍ତର ନ ମିଳିବାରୁ, ପଡ଼ୋଶୀଙ୍କ ସହାୟତାରେ ଦ୍ୱାର ଖୋଲାଯାଇଥିଲା। ଅଂଶ ଭିତରେ ଅଚେତ ଅବସ୍ଥାରେ ପଡ଼ିଥିଲେ। ପରିବାର ଲୋକ ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କୁହାଯାଉଛି ଯେ ଅଂଶ ଅନଲାଇନ୍ ଗେମ୍ସ ପ୍ରତି ନିଶାଗ୍ରସ୍ତ ହୋଇଯାଇଥିଲା। ସେ “ବ୍ଲୁ ହ୍ୱେଲ୍” ଭଳି ବିପଦପୂର୍ଣ୍ଣ ଅନଲାଇନ୍ ଗେମ୍ ଖେଳିଥିଲେ ଏବଂ ଚ୍ୟାଲେଞ୍ଜ-ଭିତ୍ତିକ ଗେମ୍ସରେ ମଧ୍ୟ ବହୁତ ସମୟ ବିତାଇଥିଲେ। ଏହି ସମୟ ମଧ୍ୟରେ ସେ ତାଙ୍କ ମାଆଙ୍କ ଆକାଉଣ୍ଟରୁ ପ୍ରାୟ ୨୮୦୦୦ ଟଙ୍କା ଏକ ଅନଲାଇନ୍ ଗେମିଂ ପ୍ଲାଟଫର୍ମକୁ ଟ୍ରାନ୍ସଫର କରିଥିଲେ। ପ୍ରାୟ ଦେଢ଼ ମାସ ପୂର୍ବରୁ, ତାଙ୍କ ପାଠପଢ଼ାରେ ଅସୁବିଧା ହେବା ଏବଂ ତାଙ୍କ ଆଚରଣରେ ପରିବର୍ତ୍ତନ ଆସିବା ପରେ ତାଙ୍କ ପରିବାର ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ।

ରିପୋର୍ଟ ଅନୁଯାୟୀ, ଘଟଣା ଦିନ, ଅଂଶ ତାଙ୍କ ପର୍ସରୁ ତାଙ୍କ ମାଆଙ୍କ ମୋବାଇଲ୍ ଫୋନ୍ କାଢ଼ି ପୁଣି ଥରେ ଖେଳ ଖେଳିବାକୁ ଚେଷ୍ଟା କରିଥିଲେ। ତାଙ୍କ ମାଆ ତାଙ୍କୁ ଗାଳି ଦେଇଥିଲେ। ପରେ, ସେ ଚିନ୍ତିତ ଦେଖାଯାଉଥିଲେ। ତାଙ୍କ ବାପାମାଆ କୌଣସି କାମରେ ବାହାରକୁ ଯାଇଥିବା ସମୟରେ, ଛାତ୍ର ଜଣକ ଜୀବନ ହାରିଥିଲେ ।

ଘଟଣା ସମ୍ପର୍କରେ ସୂଚନା ପାଇ ପିପଲାନି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହମିଦିଆ ହସ୍ପିଟାଲକୁ ପଠାଯାଇଥିଲା। ପୋଲିସ ମୃତ ଛାତ୍ରଙ୍କ ମୋବାଇଲ ଫୋନ ଜବତ କରିଛି। ଅତିରିକ୍ତ ଡିସିପି ଗୌତମ ସୋଲାଙ୍କି କହିଛନ୍ତି ଯେ ଛାତ୍ର ଜଣକ ମୋବାଇଲ ଫୋନରେ ନିଶାଗ୍ରସ୍ତ ଥିଲେ ଏବଂ ତାଙ୍କର ଡିଜିଟାଲ କାର୍ଯ୍ୟକଳାପର ତଦନ୍ତ କରାଯାଉଛି। ପୋଲିସ ପ୍ରତ୍ୟେକ ଦୃଷ୍ଟିକୋଣରୁ ମାମଲାର ତଦନ୍ତ କରୁଛି।

ଦିଲ୍ଲୀ ସରକାରଙ୍କୁ କେଜ୍ରିଓ୍ବାଲଙ୍କ ଟାର୍ଗେଟ : ୧୫ ଦିନରେ କୁଆଡେ ଗଲେ ୮୦୭ ଜଣ ଲୋକ?

ନନ୍ଦିଘୋଷ ବ୍ୟୁରୋ : ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ପାଇଁ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରିଛନ୍ତି। କେଜ୍ରିଓ୍ବାଲ କହିଛନ୍ତି ଯେ ଦିଲ୍ଲୀରେ ଚାରି ଇଞ୍ଜିନ ସରକାର ଥିଲେ ମଧ୍ୟ ସାଧାରଣ ନାଗରିକଙ୍କ ସୁରକ୍ଷା ଭଗବାନଙ୍କ ଦୟା ଉପରେ ଛାଡ଼ି ଦିଆଯାଇଛି। ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ଦିଲ୍ଲୀରେ ମାତ୍ର ୧୫ ଦିନ ମଧ୍ୟରେ ୮୦୭ ଜଣ ଲୋକ ନିଖୋଜ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ। ଏହା ଏକ ଅତ୍ୟନ୍ତ ଭୟଙ୍କର ପରିସ୍ଥିତି। ଦିଲ୍ଲୀରେ କେବଳ ଅପରାଧିକ ଘଟଣା ବୃଦ୍ଧି ପାଉନାହିଁ, ବରଂ ବହୁ ସଂଖ୍ୟକ ଲୋକ ନିଖୋଜ ମଧ୍ୟ ହେଉଛନ୍ତି।

ସେ କହିଥିଲେ ଯେ ଦିଲ୍ଲୀରେ ପ୍ରତିଦିନ ପ୍ରାୟ ୫୪ ଜଣ ଲୋକ ନିଖୋଜ ହେଉଛନ୍ତି । ଏହି ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଆମ ଆଦମୀ ପାର୍ଟି ମଧ୍ୟ ଦିଲ୍ଲୀର ଲୋକମାନଙ୍କୁ ସତର୍କ ରହିବାକୁ ନିବେଦନ କରିଛି। ସେ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଦିଲ୍ଲୀରେ ପ୍ରତ୍ୟେକ ସ୍ତରରେ ବିଜେପି ସରକାରର ସମ୍ପୂର୍ଣ୍ଣ କ୍ଷମତା ଅଛି, ତଥାପି ଦିଲ୍ଲୀ ଏତେ ଅସୁରକ୍ଷିତ କାହିଁକି?

ଆମ ଆଦମୀ ପାର୍ଟି ଦିଲ୍ଲୀବାସୀଙ୍କୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ ନିବେଦନ କରିଛି। ଦଳ କହିଛି ଯେ ଗତ ୧୫ ଦିନରେ ଜାତୀୟ ରାଜଧାନୀରେ ୮୦୦ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଝିଅ। ସରକାରଙ୍କ ଚାରୋଟି ଇଞ୍ଜିନ ଆପଣଙ୍କ ପିଲାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ତେଣୁ, ନିଜର ଏବଂ ଆପଣଙ୍କ ପିଲାମାନଙ୍କର ଯତ୍ନ ନିଅନ୍ତୁ।

ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ଆଇସିୟୁରେ ଅଛି: କେଜ୍ରିଓ୍ବାଲ

ଆମ ଆଦମୀ ପାର୍ଟି (ଆପ) ତାଚ୍ଛଲ୍ୟ କରି କହିଛି ଯେ ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ସଘନ ଅବସ୍ଥାରେ ଅଛି। ଜାନୁଆରୀ ୧ ରୁ ୧୫ ମଧ୍ୟରେ ୮୦୭ ଜଣ ଲୋକ ନିଖୋଜ ହୋଇଗଲେ। ପ୍ରତିଦିନ ୫୪ଜଣ ଲୋକ ନିଖୋଜ ହେଉଛନ୍ତି। ଏତେ ଭୟଙ୍କର ପରିସଂଖ୍ୟାନ ଆଗରେ, ଦିଲ୍ଲୀର ଆଇନ ଶୃଙ୍ଖଳା ବ୍ୟବସ୍ଥା ଅସହାୟ। ଦିଲ୍ଲୀରେ ପ୍ରତିଦିନ ସ୍ପଷ୍ଟ ଦିବାଲୋକରେ ହତ୍ୟା ଘଟୁଛି। ଅପରାଧୀମାନେ ଖୋଲାଖୋଲି ରାସ୍ତାରେ ହତ୍ୟା କରି ଖସି ପଳାନ୍ତି, ଯେତେବେଳେ ଦିଲ୍ଲୀ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହିଁ। ଏହା କେତେ ଦିନ ଚାଲିବ?

୪ ମାସର ଭତ୍ତା ନ ମିଳିଥିବାରୁ ଜିଲ୍ଲାପାଳ ଅଫିସ ଘେରାଉ

ନୟାଗଡ଼ : ୪ ମାସର ଭତ୍ତା ନ ମିଳିଥିବାରୁ ଜିଲ୍ଲାପାଳ ଅଫିସ ଘେରାଉ । ନୟାଗଡ଼ ବ୍ଲକ ବାଲୁଗାଁ ଗ୍ରାମପଞ୍ଚାୟତର ବୃଦ୍ଧବୃଦ୍ଧାମାନେ ଭତ୍ତା ପାଇ ନଥିବାରୁ ପ୍ରତିବାଦରେ ଦେଇଛନ୍ତି ଧାରଣା। ବୃଦ୍ଧବୃଦ୍ଧାଙ୍କ କହିବା ଅନୁଯାୟୀ ବ୍ୟାଙ୍କ ମାଧ୍ୟମରେ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ଭତ୍ତା ୪ ମାସ ଧରି ବ୍ୟାଙ୍କ ଖାତାକୁ ଆସିନାହିଁ। ବାରମ୍ବାର ବ୍ଲକ କାର୍ଯ୍ୟାଳୟରେ ଏବିଷୟରେ ଜଣାଇଲେ ମଧ୍ୟ ଫଳ ଶୂନ। ସେପଟେ ବୃଦ୍ଧାବୃଦ୍ଧାଙ୍କୁ ୧୦ ଦିନ ମଧ୍ୟରେ ବ୍ୟାଙ୍କ ଖାତାକୁ ଟଙ୍କା ଯିବ ବୋଲି ପ୍ରତିଶୃତି ଦେବାରୁ ଆନ୍ଦୋଳନ ହଟି ଥିଲା । ଯଦି ଆଗାମୀ ଦିନରେ ବୃଦ୍ଧବୃଦ୍ଧାମାନେ ଭତ୍ତାରୁ ବଂଚିତ ହୁଅନ୍ତି ତେବେ ରାଜରାସ୍ତାରେ ଆନ୍ଦୋଳନ କରିବେ ଓ ଏଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ।