spot_img
Home Blog Page 837

ଷଷ୍ଠ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ

ରାୟଗଡ଼ା: ରାଜ୍ୟରେ ପୁଣି ଜଣେ ଛାତ୍ରୀ ଗର୍ଭବତୀ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ପୁଣି ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ୬ ମାସର ଗର୍ଭବତୀ । ଘଟଣା ଜଣାପଡିବା ପରେ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସହଯୋଗରେ ରାୟଗଡ଼ା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନାବାଳିକାକୁ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରିଛି । ପୀଡ଼ିତା ନାବାଳିକାଙ୍କୁ ସମସ୍ତ ବିଷୟରେ ପଚାରି ବୁଝିଛି ଜିଲ୍ଲା ଶିଶୁ କଲ୍ଯାଣ କମିଟି ।

ମିଳିଥିବା ସୂଚନା ଅନୁସାରେ. ନାବାଳିକାଙ୍କ ସହିତ ରାୟଗଡ଼ା ସଦର ବ୍ଲକର ଜଣେ ୧୭ ବର୍ଷୀୟ ନାବାଳକଙ୍କ ପ୍ରେମ ସମ୍ପର୍କ ଥିଲା । ଶାରୀରିକ ସମ୍ପର୍କରୁ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିବା ଜାଣିବା ପରେ ପୀଡ଼ିତାଙ୍କୁ ତାଙ୍କ ପରିବାର ଲୋକେ ନାବାଳକଙ୍କ ଘରେ ଛାଡ଼ି ଦେଇଥିଲେ । ଘଟଣାରେ ଖବର ପ୍ରଚାରିତ ହେବା ପରେ ରାୟଗଡା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନାବାଳିକାକୁ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରିଛି । ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି ସିଡବ୍ଲୁସି ଅଧ୍ୟକ୍ଷ୍ୟ ।

ଗର୍ଭବତୀ ନାବାଳିକା ଝିଅକୁ ପୋଡ଼ି ହତ୍ୟା ଘଟଣା, ବାପାମାଆଙ୍କୁ ଆଜୀବନ ଜେଲ୍ ଦଣ୍ଡ

ଯାଜପୁର: ଗର୍ଭବତୀ ନାବାଳିକା ଝିଅଙ୍କୁ ପୋଡ଼ି ହତ୍ୟା ଘଟଣା । ବାପାମାଆଙ୍କୁ ଆଜୀବନ କାରା ଦଣ୍ଡାଦେଶ । ୩୦ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଗ୍ରହଣ କରି ରାୟ ଶୁଣାଇଲେ ଯାଜପୁର ଜିଲ୍ଲା ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ । ଆଜୀବନ କାରା ଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି କୋର୍ଟ । ଜରିମାନା ଅନାଦେୟରେ ୬ ମାସ ଅଧିକ କାରା ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆଡହକ ପୋକ୍ସୋ ବିଚାରପତି ବିଜୟ କୁମାର ଜେନା ।

୨୦୧୬ ମସିହାରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳର ୧୫ ବର୍ଷୀୟ ଗର୍ଭବତୀ ନାବାଳିକା ଝିଅକୁ ନିଜ ଘର ପଛ ପଟେ ପୋଡ଼ି ଦେଇଥିଲେ ନିଜର ଜନ୍ମ କଲା ବାପାମାଆ । ଏଥିସହ ପ୍ରମାଣ ନଷ୍ଟ କରିବାକୁ ପାଉଁଶକୁ ନିକଟସ୍ଥ ଖରସ୍ରୋତା ନଦୀରେ ଭସାଇ ଦେଇଥିଲେ । ନାବାଳିକା ଝିଅକୁ ବାଡ଼ାଉଥିବା ସମୟରେ ସେହି ରାସ୍ତାରେ ଯାଉଥିବା ମାତାଜି ଜେନା ନାମକ ଜଣେ ମହିଳା ଝିଅର ଚିତ୍କାରକୁ ଶୁଣିଥିଲା । ମାତାଜି ପର ଦିନ ଘରେ ଝିଅକୁ ନ ପାଇବାରୁ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଖରସ୍ରୋତା ନଦୀରୁ ଏକ ଅଖା ଭିତରକୁ କିଛି ପୋଡ଼ା ହାଡ଼ ଓ ପାଉଁଶ ଜବତ କରି ବାପା ନକୁଳ ଜେନା ଓ ମାଆ ସଞ୍ଜୁ ଜେନାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏହି ମାମଲାକୁ ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ନାୟକ ପରିଚାଳନା କରିଛନ୍ତି । ହତ୍ୟାକାଣ୍ଡ ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ମାନ୍ୟବର କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ଲାଞ୍ଚ ନେବା ପରେ ବି ବାଦାମ ଗାଡ଼ି ଛାଡ଼ିଲେଣି ପୂର୍ବତନ ଆଇଆଇସି ପ୍ରକାଶ ରଥ !

ଭୁବନେଶ୍ବର: ବାଦାମ ଗାଡ଼ି ଛାଡ଼ଇବାକୁ ଲାଞ୍ଚ ନେଲେ । ଗାଡି ବି ଛାଡିଲେ । ହେଲା ବାଦାମ ବାହାର କରି ରଖି ଦେଲେ । ଏମିତି ଅଭିଯୋଗ ଆସିଛି କପ୍ତିପଦା ଥାନାର ପୂର୍ବତନ ଆଇଆଇସି ପ୍ରକାଶ ରଥଙ୍କ ବିରୋଧରେ । ଜଣେ କର୍କଟ ରୋଗରେ ଆକ୍ରାନ୍ତ ବ୍ୟବସାୟୀଙ୍କ ବାଦାମ ଗାଡିକୁ ଅଟକାଇ ଲାଞ୍ଚ ମାଗିଲେ, ଲାଞ୍ଚ ନେଇ ଗାଡି ଝାଡି ଦେଲେ ମଧ୍ୟ ଗୋଦାମରେ ବାଦାମକୁ ପକାଇ ନଷ୍ଟ କଲେ ।

ଅଭିଯୋଗ ଅନୁସାରେ, ବହୁବନ୍ଧ ଗ୍ରାମର ବ୍ୟବସାୟୀ ବିଶେଶ୍ୱର ବିଶ୍ୱାଳ ଗତ ଜାନୁଆରୀ ମାସରେ ବାଲେଶ୍ୱରରୁ ବାଦାମ ନେଇ ଠାକୁରମୁଣ୍ଡା ଯାଉଥିଲେ । ଏହି ସମୟରେ ନୁଦଡିହା ଫାଣ୍ଡି ପୋଲିସ ବାଦାମ ଗାଡି ଅଟକାଇବା ପରେ କପ୍ତିପଦା ଥାନାର ପୂର୍ବତନ ଅଧିକାରୀ ପ୍ରକାଶ ରଥ ଉକ୍ତ ବାଦାମ ଗାଡିକୁ କପ୍ତିପଦା ଥାନାକୁ ନେଇଥିଲେ । କପ୍ତିପଦା ଥାନାରେ ଗାଡି ଅଟକ ରଖିବା ପରେ ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ । କାଗଜପତ୍ର ଠିକ ଥିବା ଯାଞ୍ଚ କରିବା ପରେ ମଧ୍ୟ ବାଦାମ ବୋଝେଇ ଗାଡିକୁ ଛାଡି ନ ଥିଲେ । ବରଂ କ୍ୟାନ୍ସର ପୀଡିତ ବିଶେଶ୍ୱରଙ୍କୁ ବାରମ୍ବାର ଥାନା ଦଉଡ଼ାଇ ଥିଲେ । ଶେଷରେ ଗାଡି ଛାଡ଼ିବା ପାଇଁ ୧୫ ହଜାର ଲାଞ୍ଚ ମାଗିଥିଲେ । ଜଣେ ମଧ୍ୟସ୍ଥି ମାଧ୍ୟମରେ ୧୫ ହଜାର ଟଙ୍କା ନେବା ପରେ ବାଦାମ ବୋଝେଇ ଗାଡିକୁ ଛାଡି ଦେଇଥିଲେ । ହେଲେ ବାଦାମ ବସ୍ତା ଗୁଡିକୁ ଜଣେ ବେପାରୀଙ୍କ ଗୋଦାମରେ ଷ୍ଟକ ରଖିଥିଲେ ପୂର୍ବତନ ଆଇଆଇସି ପ୍ରକାଶ ରଥ । ଯାହାକି ସେଠାରେ ପଡି ରହି ୨ ମାସ ଭିତରେ ନଷ୍ଟ ହୋଇଗଲାଣି । ଏହି ବାଦାମର ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡ଼ିଛି ।

ସେପଟେ ବାରମ୍ବାର ଥାନା ଦୌଡ଼ି ନୟାନ୍ତ ହେବା ପରେ ଏ ନେଇ ଫୋନ ଯୋଗେ ଏସପିଙ୍କୁ ମଧ୍ୟ ଅଭିଯୋଗ କରିବା ସହ ଏସଡିପିଓଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ତଦନ୍ତ ହୋଇ ନଥିବା ବିଶେଶ୍ବର କହିଛନ୍ତି । କେବଳ ସେତିକି ନୁହେଁ, ଜବତ ବାଦାମ ବସ୍ତା ଛାଡ଼ିବା ପାଇଁ ଆହୁରି ୫୦ ହଜାର ଟଙ୍କା ପୂର୍ବତନ ଆଇଆଇସି ପ୍ରକାଶ ରଥ ମାଗିଥିବା କହିଛନ୍ତି କ୍ୟାନ୍ସର ପୀଡିତ ବ୍ୟବସାୟୀ ବିଶେଶ୍ୱର । ସେପଟେ ଘଟଣା ବାବଦରେ ଏସଡିପିଓଙ୍କୁ ପଚାରିବାରୁ ଏସପିଙ୍କ ସହିତ କ’ଣ ଆଲୋଚନା ହୋଇଛି ତାହା କହିବେ ନାହିଁ ବୋଲି କହିଛନ୍ତି ।

ଚୋରି ସନ୍ଦେହରେ ଦୁଇ ଶ୍ରମିକଙ୍କୁ ଭୟଙ୍କର ନିର୍ଯାତନା; ଉଲଗ୍ନ କରି ଇଲେକ୍ଟ୍ରି ସକ୍ ଦେବାସହ ନଖ ଉପାଡ଼ି ଦେଲେ

ନନ୍ଦିଘୋଷ ବ୍ୟୁରୋ: ଚୋରି ସନ୍ଦେହ । ରାକ୍ଷସ ପାଲଟି ଗଲା ମାଲିକ । ସହଯୋଗୀଙ୍କ ସହ ମିଶି ଦୁଇ ଶ୍ରମିକଙ୍କୁ ଏମିତି ନିର୍ଯାତନା ଦେଲା ଯେ, ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ତେବେ କୌଣସି ପ୍ରକାରେ ଶ୍ରମିକ ଦ୍ବୟ ସେମାନଙ୍କ କବଳରୁ ଖସି ଆସି ଥାନାରେ ପହଞ୍ଚିବା ପରେ ଘଟଣା ପଦାକୁ ଆସିଛି ।

ଘଟଣା ଘଟିଛି ଛତିଶଗଡ଼ କୋର୍ବା ଜିଲ୍ଲାରେ । ସ୍ଥାନୀୟ ଏକ ଆଇସକ୍ରିମ କାରଖାନାର ୨ ଶ୍ରମିକଙ୍କୁ ଦିଆଯାଇଛି ଭୟଙ୍କର ନିର୍ଯାତନା । କାରଖାନାର ମାଲିକ ଓ କିଛି ସହଯୋଗୀ ଚୋରି ସନ୍ଦେହରେ ୨ ଜଣ ଶ୍ରମିକଙ୍କୁ ଦେଇଛନ୍ତି ନିର୍ଯାତନା । ଶ୍ରମିକଙ୍କୁ ଇଲେକ୍ଟ୍ରି ସକ୍ ଦେବା ସହ ସେମାନଙ୍କ ନଖ ଉପାଡି ଦେଇଛନ୍ତି । ଏପରିକି ସେମାନଙ୍କୁ ଉଲଗ୍ନ କରି ଦେଇ ନିର୍ଧୁମ ମାଡ଼ ମରାଯାଇଛି । ଯାହାକୁ ନେଇ ସାରା ରାଜ୍ୟରେ ଏବେ ଏହି ଘଟଣା ଖବରର ସିରୋନାମା ପାଲଟିଛି ।

ଦୁଇ ପୀଡ଼ିତ ହେଲେ ଅଭିଷେକ ଭାମ୍ବି ଏବଂ ବିନୋଦ ଭାମ୍ବି । ସେମାନେ ରାଜସ୍ଥାନ ଭିଲବାରା ଜିଲ୍ଲାର । ଛତିଶଗଡ଼ ଖପ୍ରଭଟ୍ଟି ଅଞ୍ଚଳର ଏକ ଆଇସକ୍ରିମ କାରଖାନାରେ କାମ କରୁଥିଲେ । କାରଖାନାର ମାଲିକ ଛୁଟୁ ଗୁର୍ଜର ବୋଲି ଜଣାପଡ଼ିଛି । ଗତ ଏପ୍ରିଲ ୧୪ ତାରିଖରେ ଏହି ଘଟଣା ଘଟିଥିବା ବେଳେ କଥା ଏବେ ପଦାକୁ ଆସିଛି ।

ଦୁଇ ଶ୍ରମିକ ସେମାନଙ୍କ କବଳରୁ ଖସି ଆସି ଗୁଲାବପୁର ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ନ୍ୟାସନାଲ ହେରାଲ୍ଡ ମାମଲା: ଭୁବନେଶ୍ବର ଇଡି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ଇଡି ଅଫିସ ଆଗରେ ଯୁବ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ । ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାର୍ଜସିଟ୍ ଫାଇଲ ପରେ ଇଡି ଅଫିସ ଘେରାଉ କରିଚି ରାଜ୍ୟ ଯୁବ କଂଗ୍ରେସ ।

ବିରାଟ ଶୋଭାଯାତ୍ରାରେ ଇଡି ଅଫିସରେ ପହଞ୍ଚି ଥିଲେ ଶତାଧିକ ଯୁବ କଂଗ୍ରେସ ନେତା ଓ କର୍ମୀ । ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ଵରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ବିରୋଧରେ ଇଡିରେ ହୋଇଥିବା ମାମଲା ପ୍ରତିବାଦରେ ରାଜ୍ୟ ଇଡି ଅଫିସ ସମ୍ମୁଖରେ ଜୋରଦାର୍ ବିକ୍ଷୋଭ ପ୍ରଦର୍ଶନ ବେଳେ ଉତ୍ତେଜନା ପରିସ୍ଥିତି ବି କିଛି ସମୟ ପାଇଁ ଉପୁଜିଥିଲା ।

କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଷଡଯନ୍ତ୍ରକୁ ସହ୍ୟ କରାଯିବ ନାହିଁ । ଆନ୍ଦୋଳନ ଆଗକୁ ଆଉରି ଜୋରଦାର କରାଯିବ ବୋଲି ଯୁବ କଂଗ୍ରେସ ନେତା ଚେତାବନୀ ଦେଇଛନ୍ତି । ସେପଟେ ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ବିକ୍ଷୋଭ ସ୍ଥଳରେ ପହଞ୍ଚି କଂଗ୍ରେସ ପ୍ରତି ଇଡିର ପଦକ୍ଷେପକୁ ବିରୋଧ କରିଛନ୍ତି ।

ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । କିଡନୀ ଜନିତ ସମସ୍ୟା ଯୋଗୁଁ ସେ ଗତ କିଛି ବର୍ଷ ହେବ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ ।

ରତିକାନ୍ତ ମହାନ୍ତି ଦି ଏସିଆନ୍ ଏଜ୍, ଦିନଲିପି, ସ୍ୱରାଜ୍ୟ ଏବଂ ପର୍ଯ୍ୟବେକ୍ଷକ ଭଳି ଅନେକ ସମ୍ବାଦପତ୍ରରେ କାମ କରିଛନ୍ତି । ସେ ପ୍ରାୟ ଚାରି ଦଶନ୍ଧି ଧରି ଶାସନ ଓ ରାଜନୀତିର ଖବର ପରିବେଷଣ କରୁଥିଲେ । ସେ ସମ୍ବାଦ ସରବରାହ ସଂସ୍ଥା ହିନ୍ଦୁସ୍ଥାନ ସମାଚାର ସହିତ ମଧ୍ୟ ଜଡିତ ଥିଲେ । ସେ ଓଡ଼ିଶାର ସାମାଜିକ ଓ ରାଜନୈତିକ ଚେତନାର ଏକ ନିଷ୍ଠାବାନ୍ କଣ୍ଠସ୍ୱର ଥିଲେ । ଖାସ କରି ବିଧାନସଭାରେ ସମ୍ବାଦ ସଂଗ୍ରହ କରିବାରେ ଦକ୍ଷ ଥିଲେ । ଅନେକ ଯୁବ ସାମ୍ବାଦିକଙ୍କ ପାଇଁ ସେ ଆଦର୍ଶ ଥିଲେ । ଯୁବପିଢୀର ସାମ୍ବାଦିକଙ୍କୁ ସବୁ ସମୟରେ ଦିଗଦର୍ଶନ ଦେଉଥିଲେ । ନିଜର ସାଲିସ ବିହୀନ ସାମ୍ବାଦିକତା ପାଇଁ ସବୁ ସ୍ତରରେ ପରିଚିତ ଥିଲେ । ରାଜ୍ୟର ଯୁବ ସାମ୍ବାଦିକଙ୍କ ମଧ୍ୟରେ ସେ ରତି ଭାଇ ନାଁରେ ସୁପରିଚିତ ଥିଲେ ।

ସେହିଭଳି ଆଜି ଆଉ ଜଣେ ବରିଷ୍ଠ ସାମ୍ବାଦିକ ଶେଖ ଅବଦୁଲ କଲିମଙ୍କ ମଧ୍ୟ ପରଲୋକ ଘଟିଛି । ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ଭୁବନେଶ୍ବର ସ୍ଥିତ ତାଙ୍କ ବାସଭବନରେ ଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରତିକାନ୍ତ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଭିନ୍ନ ରାଜନୈତିକ ଦଳର ନେତା ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି ।

କାଜୁ ଜଙ୍ଗଲକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୨୫ରୁ ଅଧିକ ଆହତ

ଭୁବନେଶ୍ବର: କାଜୁ ଜଙ୍ଗଲକୁ ନେଇ ପୁରୀ ଓ ଜଗତସିଂହପୁର ଜିଲ୍ଲାର ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଘଟଣାରେ ୨୫ରୁ ଅଧିକ ଲୋକ ଆହତ । ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ଦେବୀ ନଦୀ ଅପର ପାର୍ଶ୍ଵ ସୁନେଇଡିଆକୁ ବାଲିଡିଆ ଗାଁର ଲୋକେ କାଜୁ ତେଳିବାକୁ ଯାଇଥିଲେ । ଏହି ସମୟରେ ଜଗତସିଂହପୁର ଜିଲ୍ଲା ତରାସାହି ଗ୍ରାମର ଲୋକଙ୍କ ସହ ସେମାନଙ୍କର ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ମାଡପିଟ ହେବାରୁ ଉଭୟ ପକ୍ଷର ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଆକ୍ରମଣରେ ବାଲିଡିଆ ଗାଁର ୧୭ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କ ମୁଣ୍ଡ, ଗୋଡ଼ ଓ ମୁହଁରେ ଶକ୍ତ ଆଘାତ ଲାଗିଛି । ଗୁରୁତରଙ୍କୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେପଟେ ତରାସାହିର ଜଣେ ଗୁରୁତର ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତମାନେ ବାଲିକୁଦା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି ।

ଖବର ପାଇ ବାଲିକୁଦା ପୋଲିସ, ବାଲିକୁଦା ତହସିଲଦାର ଏବଂ ଅସ୍ତରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଅନଲାଇନ୍ ଗେମରେ ୫ ଲକ୍ଷ ହରାଇବା ପରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଜଳେଶ୍ବର: ଘାରିଛି ଅନଲାଇନ୍ ଗେମ୍ ନିଶା । ରାତା ରାତି କୋଟିପତି ହେବାକୁ ଇଚ୍ଛା କରି ଦେଉଛି ସର୍ବସ୍ବାନ୍ତ । ବିଶେଷ କରି ଯୁବପୀଢ଼ି ଅନଲାଇନ୍ ଗେମରେ ଏମିତି ମାତିଛନ୍ତି ଯେ, ଲକ୍ଷ ଲକ୍ଷ ଟଙ୍କା ବରବାଦ କରି ଦେଉଛନ୍ତି । ଆଉ ତଳି ତଳାନ୍ତ ହେବା ପରେ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି । ଏମିତି ଏକ ଖବର ଆସିଛି ବାଲେଶ୍ବର ଜିଲ୍ଲାରୁ । ଜଳେଶ୍ବର ଅଞ୍ଚଳର ଜଣେ ଯୁବକ ଅନଲାଇନ୍ ଗେମରେ ୫ ଲକ୍ଷ ଟଙ୍କା ହରାଇବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ଘଟଣା ଘଟିଛି ଜଳେଶ୍ବର ତେଘରି ଗାଁରେ । ଗାଁର ସୌରଜିତ ରାୟ ଅନଲାଇନ୍ ଗେମ ଖେଳି ବରବାଦ ହୋଇଛନ୍ତି । ସେ ଜୁପି ଲୁଡୁ ଖେଳି ୫ ଲକ୍ଷରୁ ଅଧିକ ଟଙ୍କା ହରାଇଥିବା ଜଣାପଡିଛି । ଏତେ ଟଙ୍କା ହାରିବା ପରେ ସେ ଚିନ୍ତାଗ୍ରସ୍ତ ହୋଇ ପଡିଥିଲେ । ଆଜି ସକାଳେ ଛୁରୀରେ ହାତ ଓ ବେକକୁ କାଟି ଦେଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି ।

ଜଣେ ମାଲିକଙ୍କ ଅହଂକାର ଯାତ୍ରା ବିବାଦକୁ ଚରମ ସ୍ତରରେ ପହଞ୍ଚାଇଛି, ଚଳିବନି ହିଟଲର ଶାସନ: ବାପି ପଣ୍ଡା

ଭୁବନେଶ୍ବର: ଯାତ୍ରା ଜଗତରେ ଚାଲିଛି ଯାତ୍ରା । ନା ଅଛି ମୁହଁରେ ମେକଅପ୍ ନା ଅଛି ପେଣ୍ଡାଲ । ମଞ୍ଚ ଛାଡି ନାଚୁଛନ୍ତି କଳାକାର । ଆଉ ଏଥର କେବଳ କଳାକାର ନାଚୁ ନାହାନ୍ତି, ଯାତ୍ରା ପାର୍ଟିର ମାଲିକ ବି ଏହି ନାଟରେ ସାମିଲ ହୋଇଛନ୍ତି । କଳାକାରଙ୍କ ଉପରୁ ବ୍ୟାନ ହଟିବ ନାହିଁ ବୋଲି ମାଲିକ ସଂଘ ସ୍ପଷ୍ଟ କରିବା ସହ ଦରକାର ପଡ଼ିଲେ ଯାତ୍ରା ବନ୍ଦ କରିଦେବାକୁ ଚେତାବନୀ ଦେଇଛି । ଏପରିକି ଯାତ୍ରା ମାଲିକଙ୍କୁ ବାପି ପଣ୍ଡା କ୍ଷମା ମାଗନ୍ତୁ ବୋଲି ରାଜଧାନୀ ଅପେରା ପରିଚାଳକ ଜଗତ ଜୀବନ କହିଛନ୍ତି । ସେପଟେ, ଯାତ୍ରା ମାଲିକଙ୍କ ଆଚରଣ ଓ ଉଚ୍ଚାରଣକୁ ବାପି ପଣ୍ଡା ହିଟଲର ଶାସନ କହିଛନ୍ତି ।

ସେ କହିଛନ୍ତି, ଯାତ୍ରାରେ ହିଟଲର ଶାସନ ଚାଲିବନି । ଜଣେ ମାଲିକଙ୍କ ଅହଂକାର ପାଇଁ ବର୍ତ୍ତମାନ ଏ ବିବାଦ ଚରମ ସ୍ତରରେ ପହଁଚିଛି । ବର୍ତ୍ତମାନ କଳାକାରମାନେ ମଞ୍ଚ ଛାଡି ଟିଭି ଓ ମୋବାଇଲରେ ଯାତ୍ରା କରୁଛନ୍ତି । ଏହାଦ୍ବାରା ଯାତ୍ରାଜଗତ ବଦନାମ ହେଉଛି । ଏ ସମସ୍ୟାର ସମାଧାନ ହୋଇପାରିବ । କଳାକାର ସଂଘ ନମ୍ରତାର ସହ ଆଲୋଚନା ପାଇଁ ନିବେଦନ କରୁଛି ଓ ମାଲିକ-କଳାକାର-କମିଟି-ପରିଚାଳକଙ୍କ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଆହ୍ବାନ ଦେଉଛି ବୋଲି କହିଛନ୍ତି କଳାକାର ମହାସଂଘର ମୁଖ୍ୟ ଉପଦେଷ୍ଟା ବାପି ପଣ୍ଡା ।

ସେ ଆଗକୁ କହିଛନ୍ତି, ଜଣେ ଦୁଇ ଜଣ ମାଲିକ ଯାହାଙ୍କ ପାଇଁ ଏ ବିବାଦ ପଦାକୁ ଆସିଛି ସେ ଅହଂଭାବ ଛାଡି ନମ୍ରତାର ସହ ଆଲୋଚନା ଟେବୁଲକୁ ଆସିଲେ ବିବାଦର ସମାଧାନ ହୋଇପାରିବ । କଳାକାର ମହାସଂଘ କଳାକାରଙ୍କ ବକେୟା ପାଉଣା ଓ କର୍ମଚାରୀଙ୍କ ଦରମା ନେଇ ସ୍ବର ଉଠାଉଛି । ତେଣୁ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ହେଲେ ତା’ର ପ୍ରତିବାଦ କରାଯିବ । ନରୀ ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ବ୍ୟାନ ହଟାଇବାକୁ ମଧ୍ୟ ଦାବି କରାଯାଉଛି । କାରଣ ଏହାଦ୍ବାରା କଳାକାରଙ୍କ ସମ୍ମାନହାନୀ ହେଉଛି । ଜଲିଉଡରେ ଚାଲିଥିବା ଏହି ବିବାଦ ପାଇଁ ଦର୍ଶକ ଓ ଆୟୋଜକମାନେ ମଧ୍ୟ ଆତଙ୍କରେ ଅଛନ୍ତି । ଏହାର ସମାଧାନ କେବଳ ମାଲିକ, କଳାକାର, ପରିଚାଳକ ଓ ଆୟୋଜକଙ୍କ ମଧ୍ୟରେ ଏକାଠି ବସି ଆଲୋଚନା ଦ୍ବାରା ହିଁ ହୋଇପାରିବ ବୋଲି ସେ କହିଛନ୍ତି ।

ବଦ୍ରିନାଥ ଧାମ ନିକଟରେ ତାଙ୍କ ନାମରେ ମନ୍ଦିର ଥିବା ଦାବି କରି ଟାହିଟାପରାର ହେଲେ ଶିକାର ଅଭିନେତ୍ରୀ ଉର୍ବଶୀ

ନନ୍ଦିଘୋଷ ବ୍ୟୁରୋ: ଉର୍ବଶୀଙ୍କ ନାଁରେ ମନ୍ଦିର । ଏହି କଥାଟି ଯେତେ ଆଶ୍ଚର୍ଯ୍ୟଜନକ ସେତିକି ବିବାଦୀୟ । ଭାରତୀୟ ସିନେମାରେ ଦିନକୁ ଦିନ ଖାସ୍‌ ପରିଚୟ ହାସଲ କରୁଥିବା ଅଭିନେତ୍ରୀ ଉର୍ବଶୀ ରୌତେଲା ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ବେଳେ ପୁଣି ଆଉ ଏକ ମନ୍ତବ୍ୟ ନେଇ ଚର୍ଚ୍ଚାରେ ରହିଛନ୍ତି । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଉର୍ବଶୀ କହିଛନ୍ତି, ତାଙ୍କ ସମ୍ମାନରେ  ଉତ୍ତର ଭାରତରେ ଏକ ମନ୍ଦିର ନିର୍ମିତ ହୋଇଛି । ଲୋକେ ମନ୍ଦିରରେ ତାଙ୍କୁ ପୂଜା କରୁଛନ୍ତି  । ‘ଉର୍ବଶୀ ମନ୍ଦିର’ ନାମରେ ସେହି ମନ୍ଦିର ପରିଚିତ । ତାଙ୍କ କହିବାନୁସାରେ ଯଦି ଆପଣ ବଦ୍ରୀନାଥ ମନ୍ଦିର ଦର୍ଶନ କରିବାକୁ ଯାଉଛନ୍ତି ତାହେଲେ ସେହି ନିକଟରେ ଏହି ମନ୍ଦିର ଅବସ୍ଥିତ । ତେବେ ଆସନ୍ତୁ ଜାଣିବା ଉତ୍ତରାଖଣ୍ଡର ଏହି ମନ୍ଦିର କାହିଁକି ଏତେ ପ୍ରସିଦ୍ଧ ଏବଂ ପୌରାଣିକ କାହାଣୀ କ’ଣ ..

ଉତ୍ତରାଖଣ୍ଡରେ ‘ଉର୍ବଶୀ ମନ୍ଦିର’

ଉର୍ବଶୀ ମନ୍ଦିର ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଳାର ବଦ୍ରୀନାଥ ଧାମ ନିକଟସ୍ଥ ବାମଣୀ ଗାଁରେ ଅବସ୍ଥିତ । ଏହି ମନ୍ଦିରଟି ଅପସରୀ ଉର୍ବଶୀଙ୍କ ନାଁରେ ସମର୍ପିତ । ଏହି ମନ୍ଦିରରେ ଅପସରୀ ଉର୍ବଶୀଙ୍କ ମୂର୍ତ୍ତିକୁ ସ୍ଥାପିତ କରାଯାଇଛି । ମାତାଙ୍କ ଏହି ମନ୍ଦିର ନୀଳକଣ୍ଠ ପର୍ବତ ଏବଂ ନାରୟଣ ପର୍ବତ ପାଦଦେଶରେ ନିର୍ମିତ । ଏହାସହିତ ଏହି ମନ୍ଦିର ନିକଟରେ ବହିଯାଉଥିବା ଋଷି ଗଙ୍ଗା ଝରଣା ଏହି ସ୍ଥାନକୁ ଆହୁରି ଆକର୍ଷିତ କରିଥାଏ । ପୌରାଣିକ କଥା ଅନୁସାରେ ଦେବୀ ଉର୍ବଶୀ ବଦ୍ରିକାଶ୍ରମରେ ଭଗବାନ ବିଷ୍ଣୁଙ୍କ ବାମ ଜଙ୍ଘରୁ ସୃଷ୍ଟି ହୋଇଥିଲେ । ଯିଏକି ନାରାୟଣଙ୍କ ଭକ୍ତିରେ ଲୀନ ଥିଲେ ।

ମନ୍ଦିର ସହିତ ପୌରାଣିକ ସମ୍ପର୍କ

ଏହି ମନ୍ଦିରର ସମ୍ପର୍କ ବୈଦିକ କାଳରୁ ଯୋଡି ହୋଇ ଆସିଛି । ପଦ୍ମପୁରାଣର ଏକ କଥା ଅନୁସାରେ ନର ତଥା ନାରାୟଣ ସଂସାରର କଲ୍ୟାଣ ପାଇଁ ହିମାଳୟ ପର୍ବତ ଉପରେ ବଦ୍ରିକାଶ୍ରମ ତୀର୍ଥରେ ଗଙ୍ଗାର ନିର୍ମଳ ତଟ କୂଳରେ ତପସ୍ୟା କରୁଥିଲେ । ତେବେ ଏନେଇ ଦେବରାଜ ଇନ୍ଦ୍ର ଚିନ୍ତିତ ହୋଇଗଲେ । ତାଙ୍କୁ ଭୟ ଥିଲା କି ନାରାୟଣ ତାଙ୍କ ସିଂହାସନକୁ ଯେମିତି ଅକ୍ତିୟାର ନକରିନିଅନ୍ତୁ । ସେଥିପାଇଁ ତାଙ୍କ ତପସ୍ୟା ଭଙ୍ଗ କରିବାକୁ ଇନ୍ଦ୍ରଦେବ ତାଙ୍କୁ ମୋହିତ କରିବା ପାଇଁ ରମ୍ଭା ଆଦି ଅପସରାଙ୍କୁ ସେଠାକୁ ପଠାଇଥିଲେ । ଏହାକୁ ଦେଖି ନାରାୟଣ ହସିକି ନିଜ ଜଙ୍ଘରେ ଏକ ସୁନ୍ଦର ତରୁଣୀ ଚିତ୍ର ଆଙ୍କିଲେ ଯାହାକୁ ଜୀବନଦାନ ଦେଇ ସୁନ୍ଦର ତରୁଣୀରେ ପରିଣତ କରିଦେଲେ । ସେହି ସୁନ୍ଦରୀଙ୍କୁ ଦେଖି ସ୍ବର୍ଗର ଅପସରୀ ମଧ୍ୟ ଲଜ୍ଜିତ ହୋଇଯାଇଥିଲେ ।

ଏହାପରେ ନାରାୟଣ ଅପସରୀ ମାନଙ୍କୁ କହିଲେ ଯେ ଏ ଅପସରୀ ମୋ ଜଙ୍ଘରୁ ଉତ୍ପନ୍ନ ହୋଇଛନ୍ତି ଏବଂ ଏହାକୁ ନେଇ ଇନ୍ଦ୍ରଦେବଙ୍କୁ ଦେଇଦିଅ ।ଏହା କହିବା ପରେ ସମସ୍ତେ ଭୟରେ ତାଙ୍କୁ ନେଇ ସ୍ବର୍ଗକୁ ପଳେଇଲେ ଏବଂ ଇନ୍ଦ୍ରଙ୍କୁ ପ୍ରଦାନ କଲେ । ଏହା ପରେ ନାରାୟଣ ଇନ୍ଦ୍ରଙ୍କୁ ସ୍ପଷ୍ଟ କଲେ ଯେ, ମୁଁ କେବଳ ଆଧ୍ୟାତ୍ମିକତା ଉଦ୍ଦେଶ୍ୟ ପାଇଁ ସାଧନା ଏବଂ ତପସ୍ୟା କରୁଛି । ତେଣୁ ଭଗବାନ ନାରାୟଣଙ୍କ ନାଁରେ ସେହି ତରୁଣୀଙ୍କ ନାଁ ଉର୍ବଶୀ ରଖାଯାଇଥିଲା ।