ନନ୍ଦିଘୋଷ ବ୍ୟୁରୋ : ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ ନୀତି । ଭିତର କାଠ ନିକଟରେ ରକ୍ତ ପଡିଥିବାରୁ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ମହାସ୍ନାନ ନୀତି ସରିବା ପରେ ସାଧାରଣ ଦର୍ଶନ ନୀତି ସ୍ବାଭାବିକ ହୋଇଛି। ଆଜି ସକାଳେ ମଙ୍ଗଳା ଆଳତୀ ପରେ ଅବକାଶ ନୀତି ହୋଇଥିଲା। ଏହି ସମୟରେ ଭିତର କାଠ ନିକଟରେ ରକ୍ତ ଛିଟା ପଡ଼ିଛିବାର ନଜରକୁ ଆସିିଥିଲା। ଜଣେ OSAP ଯବାନଙ୍କ ଗୋଡ଼ରେ କାଚ ପଶିଯିବା ଯୋଗୁଁ ରକ୍ତ ପଡ଼ିଥିଲା। ତେଣୁ କରାଯାଇଥିଲା ମହାସ୍ନାନ। ଏଥିପାଇଁ ୮ ଟା ୧୦ ରୁ ୯ଟା ୧୦ ଯାଏ” ସାଧାରଣ ଦର୍ଶନ ବନ୍ଦ ଥିଲା। ମହାସ୍ନାନ ପରେ ନୀତି ସ୍ଵାଭାବିକ ଭାବେ ଚାଲିଛି।
ଆମେରିକାରେ ତେଜୁଛି ଟ୍ରମ୍ପଙ୍କ ବିରୋଧରେ ବିକ୍ଷୋଭ
ନନ୍ଦିଘୋଷ ବ୍ୟୁରୋ : ଦିନକୁ ଦିନ ତୀବ୍ର ହେଉଛି ଟ୍ରମ୍ପଙ୍କ ବିରୋଧରେ ବିକ୍ଷୋଭ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରତ୍ୟର୍ପଣ, ଛଟେଇ, ଗାଜା ଓ ୟୁକ୍ରେନ୍ ଯୁଦ୍ଧ ନୀତି ବିରୋଧରେ ଓ୍ବାଶିଂଟନ୍, ନ୍ୟୁୟର୍କ ଓ ଶିକାଗୋ ସମେତ ଦେଶର ବିଭିନ୍ନ ସହରରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ହ୍ବାଇଟ୍ ହାଉସ୍ ବାହାରେ ବିକ୍ଷୋଭକାରୀ ଟ୍ରମ୍ପ୍ ପ୍ରଶାସନ ବିରୋଧୀ ଓ ଆପ୍ରବାସୀ ସପକ୍ଷବାଦୀ ସ୍ଲୋଗାନ୍ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀରେ ଟ୍ରମ୍ପ୍ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରଠୁ ଅଦ୍ୟାବଧି ୨ ଲକ୍ଷ ଲୋକଙ୍କୁ ସରକାରୀ ଚାକିରିରୁ ଛଟେଇ କରିସାରିଲେଣି। ତାଙ୍କ କଠୋର ନୀତି ବିରୋଧରେ ଲୋକେ ଦ୍ୱିତୀୟ ବଡ଼ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏପରିକି ନ୍ୟୁୟର୍କରେ ପ୍ରଦର୍ଶନକରୀମାନେ ସହରର ମୁଖ୍ୟ ପାଠାଗାର ବାହରେ ଏକତ୍ରିତ ହୋଇଥିଲେ ଏବଂ ସେମାନଙ୍କ ହାତରେ ସ୍ଲୋଗାନ ଲେଖାଥିବା ପୋଷ୍ଟର ଥିଲା । ‘ଟ୍ରମ୍ପ ଆମେରିକାର ରାଜା ନୁହନ୍ତି’ , ‘ଏକଛତ୍ରବାଦ ଚଳିବ ନାହିଁ’ ଏହିପରି ଲେଖାଥିବା ପୋଷ୍ଟର ଧରି ବିକ୍ଷୋଭକାରୀ ମାନେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା ।
ଓଡ଼ିଶାର ଆଦିବାସୀ କଳା ଐତିହ୍ୟକୁ ବେଦାନ୍ତ ଆଲୁମିନିୟମର ପ୍ରୋତ୍ସାହନ
ଭବାନୀପାଟଣା: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଭବାନୀପାଟଣାର ଥୁଆମୂଳ ରାମପୁରସ୍ଥିତ ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ଓଡ଼ିଶାର ସମୃଦ୍ଧ କଳାତ୍ମକ ଐତିହ୍ୟକୁ ପାଳନ କରିଛି। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଏବଂ ପାରମ୍ପରିକ କଳାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବେଦାନ୍ତର ସିଜିମାଳି ବକ୍ସାଇଟ୍ ଟିମ୍ ଦ୍ୱାରା ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମର ଏକ ବିଶେଷ ଆକର୍ଷଣ ଥିଲା କାଳାହାଣ୍ଡି କଳା ଓ ଗବେଷଣା ମହାବିଦ୍ୟାଳୟର ଅଧ୍ୟାପକମାନଙ୍କ ଦ୍ୱାରା ପରିଚାଳିତ ଓଡ଼ିଶାର ସର୍ବପୁରାତନ ଆଦିବାସୀ କଳା ମଧ୍ୟରୁ ଅନ୍ୟତମ ସଉରା କଳା ଉପରେ ଏକ କର୍ମଶାଳା। ସଉରା କଳାର ଉତ୍ପତ୍ତି, ପ୍ରତୀକବାଦ ଏବଂ କୌଶଳ ବିଷୟରେ ୧୨୦ ରୁ ଅଧିକ ଅଂଶଗ୍ରହଣକାରୀ ଛାତ୍ର, ଏହି ଅଞ୍ଚଳର ଦେଶୀୟ ସଂସ୍କୃତି ଏବଂ ଆଜିର ବିଶ୍ୱରେ ଏହାର ପ୍ରାସଙ୍ଗିକତା ବିଷୟରେ ସେମାନଙ୍କର ବୁଝାମଣାକୁ ଅଧିକ ଗଭୀର କରିଥିଲେ ।
ଛାତ୍ରଛାତ୍ରୀମାନେ ସେମାନଙ୍କ କଳା ମାଧ୍ୟମରେ ଲୋକକଥା ଏବଂ ଦୈନନ୍ଦିନ ଜୀବନର ଜୀବନ୍ତ ଚିତ୍ରଣକୁ ଦର୍ଶାଇ ଅପାର ଉତ୍ସାହ ଏବଂ ସୃଜନଶୀଳତା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ସ୍ଥାନୀୟ କଳା ବିଷୟରେ ଗର୍ବ ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଏକ ମଞ୍ଚ ଭାବରେ କାର୍ଯ୍ୟ କରିଥିଲା |
ଏହି ପଦକ୍ଷେପ ସମ୍ପର୍କରେ ବେଦାନ୍ତର ବକ୍ସାଇଟ୍ ମାଇନ୍ସ ସିଇଓ ନିତିନ ତିୱାରୀ କହିଛନ୍ତି ଯେ ଆମର ଗୋଷ୍ଠୀ ବିକାଶ ପ୍ରୟାସ ଆମେ କାର୍ଯ୍ୟ କରୁଥିବା ଅଞ୍ଚଳର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନରେ ଗଭୀର ଭାବରେ ରହିଛି । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଯୁବ ପିଢ଼ିକୁ ସେମାନଙ୍କ ସୃଜନଶୀଳ ସାମର୍ଥ୍ୟ ଅନ୍ୱେଷଣ କରିବା ସହିତ ସେମାନଙ୍କ ମୂଳ ସହିତ ପରିଚିତି ପାଇଁ ପ୍ରେରଣା ଦେବାକୁ ଲକ୍ଷ୍ୟ ରଖିଛୁ।
ବେଦାନ୍ତର ଉଦ୍ୟମକୁ ପ୍ରଶଂସା କରି ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟ ପ୍ରକାଶ ସତ୍ୟ କହିଥିଲେ ଯେ ଏପରି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଆମେ ବେଦାନ୍ତ ଆଲୁମିନିୟମ ପ୍ରତି କୃତଜ୍ଞ, ଯାହା ଆମ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସାଂସ୍କୃତିକ ମୂଳ ସହିତ ଯୋଡ଼ିଥାଏ। ସଉରା କଳା କର୍ମଶାଳା କେବଳ ସେମାନଙ୍କର କଳାତ୍ମକ ଦକ୍ଷତାକୁ ସମୃଦ୍ଧ କରିନଥିଲା ବରଂ ଓଡ଼ିଶାର ଆଦିବାସୀ ଐତିହ୍ୟ ପ୍ରତି ସେମାନଙ୍କର ପ୍ରଶଂସା ମଧ୍ୟ ମଜବୁତ କରିଥିଲା। ଏହି ପଦକ୍ଷେପ ସୃଜନଶୀଳତା ଏବଂ ସାଂସ୍କୃତିକ ଗର୍ବକୁ ପୋଷଣ କରିବାରେ ଏକ ଦୀର୍ଘ ପଥରେ ସହାୟକ ହେବ।
ବେଦାନ୍ତ ଆଲୁମିନିୟମ ତୃଣମୂଳ ସ୍ତରର କ୍ରୀଡ଼ା ଏବଂ ସଂସ୍କୃତି, ଶିକ୍ଷା, ଭିତ୍ତିଭୂମି, ସ୍ୱାସ୍ଥ୍ୟ ପଦକ୍ଷେପ ଏବଂ ସାମଗ୍ରିକ ବିକାଶ ପାଇଁ ସୁଯୋଗକୁ ପ୍ରୋତ୍ସାହିତ କରି ସ୍ଥାନୀୟ ଗୋଷ୍ଠିକୁ ସଶକ୍ତ କରିବା ପାଇଁ ଉତ୍ସର୍ଗୀକୃତ । ଏହି ପ୍ରୟାସ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ଷମ କ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବା, ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ପ୍ରଗତି ଦିଗରେ ଗୋଷ୍ଠି ଯୋଗଦାନର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧତାକୁ ରେଖାଙ୍କିତ କରେ । ଯତ୍ନ ଏବଂ ଭାଗିଦାରୀର ନୈତିକତା ଉପରେ ଆଧାରିତ ବେଦାନ୍ତର ସାମାଜିକ ପ୍ରଭାବ ପଦକ୍ଷେପଗୁଡ଼ିକ କଳାହାଣ୍ଡି ଜିଲ୍ଲାର ୬୭ଟି ଗାଁର ଦେଢ଼ ଲକ୍ଷ ଲୋକଙ୍କ ଏବଂ ଓଡ଼ିଶାର ୫ ଲକ୍ଷ ଲୋକଙ୍କ ଜୀବନରେ ଉନ୍ନତି ଆଣିପାରିଛି ।
ସାମ୍ବାଦିକଙ୍କ ଉନ୍ନତି ପାଇଁ ଆଇଏମଏମସ୍ ଓ ଇମକା ମିଳିତ ଭାବେ କାମ କରିବା ଆବଶ୍ୟକ
ଭୁବନେଶ୍ବର: ଭାରତୀୟ ଜନସଂଚାର ସଂସ୍ଥାନ(ଆଇଆଇଏମସି) ଏବଂ ଏହାର ପୁରାତନ ଛାତ୍ର ସଂସଦ(ଇମକା) ସାମ୍ବାଦିକଙ୍କ ଉନ୍ନତି ପାଇଁ ମିଳିତ ଭାବେ କାମ କରିବାର ଆବଶ୍ୟକତା ରହିଛି ବୋଲି ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ କହିଛନ୍ତି। ଶନିବାର ଭୁବନେଶ୍ବରସ୍ଥିତ ହୋଟେଲ ନ୍ୟୁମେରିଆନଠାରେ କନେକସନ୍ ୨୦୨୫ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ପ୍ରଫେସର ପ୍ରଧାନ ସେଣ୍ଟ୍ରାଲ କମିଟି ଓ ଆଞ୍ଚଳିକ ଶାଖାର ମିଳିତ ସହଯୋଗ କିଭଳି ଅନୁଷ୍ଠାନର ଗାରିମା ବୃଦ୍ଧି କରେ ସେ ଉପରେ ଆଲୋଚନା କରିଥିଲେ। ଏଥିସହ ଆଗାମୀ ଦିନରେ ହେବାକୁ ଥିବା ଓଡ଼ିଆ ସାମ୍ବାଦିକତା ବିଭାଗର ରୌପ୍ୟ ଜୟନ୍ତୀରେ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନ ପାଇଁ ଉତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ୧୯୯୩ ମସିହାରୁ ଆରମ୍ଭ କରି ୨୦୨୫ ପର୍ଯ୍ୟନ୍ତ ପ୍ରାୟ ୧୩୦ ରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ସମସ୍ତେ ପୁରୁଣା ଦିନର ସ୍ମୃତି ତାଜା କରିବା ସହ ଏହି ମଞ୍ଚ ପୁଣି ଥରେ ସମସ୍ତଙ୍କୁ ଗୋଟିଏ ସ୍ଥାନରେ ବାନ୍ଧି ରଖିଥିଲା।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଟାର ପୂର୍ବତନ ଅଧ୍ୟକ୍ଷ ଉମାକାନ୍ତ ମିଶ୍ର,ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ପ୍ରଫେସର ବିରାଜ ସ୍ବାଇଁଙ୍କ ସମେତ ଜାତୀୟ କମିଟିର ପ୍ରଭାତ ପାଣ୍ଡେ,ରମେଶ ଚନ୍ଦ୍ର, ଅନିମେଶ ବିଶ୍ବାସ, ପ୍ରଭାତ ଉପାଧ୍ୟାୟ, ରାଜେଶ କୁମାର, ନୀରଜ ବାଜପେୟୀ, ରିତେଶ ବର୍ମା, ଅତୁଲ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଇମକା ଓଡ଼ିଶା କମିଟିର ସଭାପତି ସନ୍ଦୀପ ସେଠୀ, ଉପସଭାପତି ସଙ୍ଗୀତା ଅଗ୍ରୱାଲ ଓ ବ୍ୟୋମକେଶ ବିଶ୍ବାଳ ଏବଂ ପ୍ରୋମିନେଣ୍ଟ ଆଲମୁନି ଯଯାତି କରନ,ଅଶୋକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଆଇଆଇଏମସି ଏକ ଅନୁଷ୍ଠାନ ନୁହେଁ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଭାବାତ୍ମକ ସଂଯୋଗ ଯୋଡ଼ିବା ସହ ସେମାନଙ୍କ ଜୀବନର ଏକ ମୁଖ୍ୟ ଦିଗଦର୍ଶକ। ଏହି ପୁରାତନ ଛାତ୍ର ସଂସଦ ଏକତା, ସହଭାଗିତା ଓ ପରସ୍ପର ସଫଳତା ବାଣ୍ଟିବାରେ ବିଶ୍ବାସ ରଖେ। ଏହି ଛାତ୍ରଛାତ୍ରୀଙ୍କ ସଫଳତା ହିଁ ଆଇଆଇଏମସିକୁ ଆଜି ଏକ ସଫଳ ଅନୁଷ୍ଠାନ ଭାବେ ଦେଶରେ ପରିଚିତ କରାଇପାରିଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ।
ସ୍ବାଗତ ଭାଷଣ ଦେଇ ସଭାପତି ସେଠୀ କହିଥିଲେ, ଓଡ଼ିଶା ଶାଖାର ହେଉଥିବା କାର୍ଯ୍ୟରେ ସେଣ୍ଟ୍ରାଲ କମିଟି ପକ୍ଷରୁ ଅଧିକ ସହଯୋଗ ଦିଆଯାଉ। ଏଥି ସହ ସେ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନର ପରିଚୟ ବୃଦ୍ଧିରେ ମିଳିତ ଭାବେ କାମ କରିବାକୁ ଆହ୍ବାନ ଦେଇଥିଲେ।
ଆଇଆଇେମସି ଢେଙ୍କାନାଳ ତାର ଉଚ୍ଚକୋଟୀର ପରିବେଶ ଓ ଉଚ୍ଚ ଶିକ୍ଷା ଗୁଣବତ୍ତା ପାଇଁ ଦେଶର ବିଭିନ୍ନ ସ୍ଥାନର ଛାତ୍ରଛାତ୍ରୀଙ୍କୁ ଆତ୍କୃଷ୍ଟ କରିଥାଏ। ଏହାର ଗାରିମାକୁ ବଜାୟ ରଖିବାକୁ ସମସ୍ତ ପୁରାତନ ଛାତ୍ରଛାତ୍ରୀ ପ୍ରତିବଦ୍ଧ।
ସଭାକାର୍ଯ୍ୟ ପରେ ନିକଟରେ ରାମନାଥ ଗୋଏଙ୍କା ସମ୍ମାନିରେ ସମ୍ମାନିତ ହୋଇଥିବା ସତ୍ୟସୁନ୍ଦର ବାରିକ ଓ ସିଲଭର ଜୁବଲି ବ୍ୟାଚଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏହା ପରେ ଏକ ଲକି ଡ୍ର କାର୍ଯ୍ୟକ୍ରମ ହୋଇଥିଲା। ଯେଉଁଥିରେ 3ଜଣଙ୍କୁ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଇଥିଲା।

