spot_img
Home Blog Page 83

ବୋହୂକୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ

ବୋହୂକୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ । ଗୁରୁତର ଅବସ୍ଥାରେ ମହିଳା ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଦ୍ମପୁର ଗ୍ରାମରେ । ଘସିପୁରା ଥାନା ବେଲବାହାଳି ଗ୍ରାମର ଅଯୋଧ୍ୟା ସାହୁଙ୍କ ଝିଅ ଗୋଲାପମଞ୍ଜରୀ ସାହୁ ସାତ ବର୍ଷ ତଳେ ଆନନ୍ଦପୁର ଥାନା ପଦ୍ମପୁର ଗ୍ରାମର ରାଜେଶ କୁମାର ସାହୁଙ୍କୁ ବିବାହ କରିଥିଲେ । । ଅଚାନକ ଗୋଲାପ ଘର ଭିତରେ ଥିବା ବେଳେ ସମ୍ପୂର୍ଣ୍ଣ ଭାବେ ପୋଡି ହୋଇଯାଇଥିଲେ । ଗୋଲାପ ପୋଡି ହୋଇଯିବାର ଖବର ପାଇଥିଲେ ବାପଘର ଲୋକେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ଓ ସେଠାରୁ ଆସି ସେ ବାପଘର ବେଲବାହାଳିରେ ରହୁଥିଲେ । ଗୋଲାପଙ୍କ ସ୍ୱାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସିବାରୁ ଶାଶୁ ଘର ଲୋକେ କିପରି ତାଙ୍କୁ ଦିଆସିଲି ମାରି ପୋଡି ମାରିବା ପାଇଁ ଯୋଜନା କରିଥିଲେ ସେ ସବୁର ସମ୍ପୂର୍ଣ ଘଟଣା ନିଜ ପରିବାର ଆଗରେ ବଖାଣିଥିଲେ । ଏବେ ପୁନର୍ବାର ଗୋଲାପଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବାପଘର ଲୋକେ ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରିଛନ୍ତି । ଏନେଇ ଗୋଲାପଙ୍କ ବାପା ଅଯୋଧ୍ୟା ସାହୁ ଆନନ୍ଦପୁର ଥାନାର ଦ୍ୱାରସ୍ଥ ହୋଇ ସ୍ୱାମୀ ରାଜେଶ, ଶଶୁର ହାଡିବନ୍ଧୁ ସାହୁ ଓ ଶାଶୁ ଶକୁନ୍ତଳା ସାହୁଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି। ଏତଲା ଆଧାରରେ ଆନନ୍ଦପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୋର ପୋଲିସକୁ ବଡ଼ ସଫଳତା: ୬ ଚୋରା ବାଇକ ଜବତ ସହ ଜଣେ ଗିରଫ

ବାଲେଶ୍ବର ସୋର ପୋଲିସକୁ ବଡ଼ ସଫଳତା । ୬ ଚୋରା ବାଇକ ଜବତ ସହ ଜଣେ ଗିରଫ ହୋଇଛି l ସୋର ପୁଲିସ ପକ୍ଷରୁ ବାରିକପୁର ହାଟ ନିକଟରେ ଚଢ଼ାଉ କରି ୬ ଟି ଚୋରା ବାଇକକୁ ଜବତ କରିଥିବା ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତକାଲି ରାତିରେ ସୋର ପୋଲିସ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ହାଟ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ କୌଣସି ସୁତ୍ରରୁ ଖବର ପାଇ ସୋର ପୁଲିସ ହଠାତ ହାଟ ନିକଟରେ ଚଢ଼ାଉ କରିଥିଲେ । ଫଳରେ ପୁଲିସ ଗାଡିକୁ ଦେଖି ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ପୁଲିସ ପୁରୁଣା ବାଲେଶ୍ୱର ଗ୍ରାମର ବିଶ୍ୱନାଥ ସାହୁକୁ ଧରିବାକୁ ସକ୍ଷମ ହୋଇଥିଲା । ପରେ ତାକୁ ଥାନାକୁ ଆଣି ପଚରା ଉଚରା କରିବା ପରେ ପୁଲିସ ତାନିକଟରୁ ୬ଟି ଚୋରି ବାଇକକୁ ଜବତ କରିଥିଲେ । ଏବାବଦରେ ପୁଲିସ ଥାନରେ ଏକ ମାମଲା ରୁଜୁ କରି ତାକୁ ଗିରଫ କରିଥିଲେ । ପୁଲିସ ତାକୁ କୋର୍ଟ ଚାଲାଣ କରିଛି । ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ସୋର ଥାନାଧିକାରୀ ମୁକୁନ୍ଦ ମୁରାରୀ ପାତ୍ର ସୂଚନା ଦେଇଛନ୍ତି ।

ସିବିଆଇ କଲା ସିବିଆଇ ଏଏସଆଇଙ୍କ ବିରୋଧରେ ମାମଲା ରୁଜୁ

ସିବିଆଇ କଲା ସିବିଆଇ ଏଏସଆଇଙ୍କ ବିରୋଧରେ ମାମଲା ରୁଜୁ। ଏମସିଏଲରୁ ଲାଞ୍ଚ ନେଉଥିବା ଜଣା ପଡିବା ପରେ ହୋଇଛି ମାମଲା ରୁଜୁ । ଦିଲ୍ଲୀ CBI ଭୁବନେଶ୍ବର ସିବିଆଇ ଏଏସଆଇଙ୍କ ନାଁରେ ମାମଲା ରୁଜୁ କରିଛି। ସୁନ୍ଦରଗଡ଼ ଏମ୍‌ସିଏଲ୍‌ରେ ଦିଲ୍ଲୀ ସିବିଆଇ ପକ୍ଷରୁ ଚଢ଼ାଉ ପରେ, ନୂଆ ତଥ୍ୟ ସାମ୍ନାକୁ ଆସିଛି। ସିବିଆଇ ଭୁବନେଶ୍ବର ଶାଖାରେ ଏଏସ୍‌ଆଇ ଭାବେ କାର୍ଯ୍ୟ କରୁଥିବା ପ୍ରଶାନ୍ତ କୁମାର ପଲେଇ ସନ୍ଦେହ ଘେରକୁ ଆସିଛନ୍ତି। ବସୁନ୍ଧରା ଅଞ୍ଚଳରେ ଏମ୍‌ସିଏଲ୍‌ ଗର୍ଜନବାହାଲ ଓପନ କା­­­ଷ୍ଟ ପ୍ରୋଜେକ୍ଟର ‌ଡେସ୍‌ପାଚ୍‌ ଅଧିକାରୀ ସାରଦା ପ୍ରସାଦ ସେଠୀଙ୍କ ଠାରୁ ଏଏସଆଇ ପ୍ରଶାନ୍ତ ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି। ସାରଦା ତାଙ୍କ ପଦବୀର ଅପ ବ୍ୟବହାର କରି ବିଭିନ୍ନ ପରିବହନକାରୀ ବା କୋଇଲା ଉତ୍ତୋଳନକାରୀଙ୍କ ଠାରୁ ବେଆଇନ ଆର୍ଥିକ ଲାଭ ସଂଗ୍ରହ କରିଥିବା ଜଣାପଡ଼ିଛି। ସାରଦାଙ୍କୁ ସିବିଆଇ ସମେତ ଅନ୍ୟ ତଦନ୍ତକାରୀ ସଂସ୍ଥା ଠାରୁ ରକ୍ଷା କରିବା ଲାଗି ପ୍ରଶାନ୍ତ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ସେହି ଆଧାର‌ରେ ସିବିଆଇର ଏଏସ୍‌ଆଇ ପ୍ରଶାନ୍ତ, ସାରଦା ଓ ଏକାଧିକ ସହଯୋଗୀଙ୍କ ନାଁରେ ମାମଲା ରୁଜୁ ପରେ ତଦନ୍ତ ଜାରି ରହିଛି। ଏହି ଲିଙ୍କ୍‌ରେ ଦିଲ୍ଲୀ ସିବିଆଇର ୩ଜଣିଆ ଟିମ୍ ସୁନ୍ଦରଗଡ଼ର ଏମ୍‌ସିଏଲ୍‌ରେ ଚଢ଼ଉ କରୁଥିବା ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡିର ପ୍ରକୋପ

ପୁଣି କଡ଼ ଲେଉଟାଇଲା କୁହୁଡି l ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡିର ପ୍ରକୋପ ଦେଖିବାକୁ ମଳିଛି । ଆସିକା, ଶେରଗଡ଼ ଓ ଧରାକୋଟ ଅଞ୍ଚଳରେ କୁହୁଡର ମାତ୍ରା ବେଶି ଦେଖିବାକୁ ମିଳୁଛି । ଘନ କୁହୁଡି ଯୋଗୁଁ ଦୃଶ୍ୟମାନ କ୍ଷମତା କମି ଯାଇଛି । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । କୁହୁଡି ଏତେ ମାତ୍ରାରେ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହୋଇଛି ।

କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଲା ଶୀତ: ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଥଣ୍ଡା ଜାରି ରହିବ

କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଲା ଶୀତ । ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଥଣ୍ଡା ଜାରି ରହିବ । ଫେବ୍ରୁଆରୀ ୫ ତାରିଖ ଯାଏ ସର୍ବନିମ୍ନ ତାପମାତ୍ରା ଆଭ୍ୟନ୍ତରୀଣ ଓଡ଼ିଶାରେ ୧୦ରୁ ୧୪ ଡିଗ୍ରୀ ରହିବ । ଉପକୂଳ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାମାନଙ୍କରେ ୧୪ରୁ ୧୮ ଡିଗ୍ରୀ ରହିବ । ସେହିପରି ଆସନ୍ତା ଫେବ୍ରୁଆରୀ ୬ରୁ ୧୨ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ୬ରୁ ୧୦ ଡିଗ୍ରୀ ରହିବ । ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ୧୦ରୁ ୧୪ ଡିଗ୍ରୀ ରହିବ । ଉତ୍ତର ଉପକୂଳ ଅଞ୍ଚଳରେ ୧୪ରୁ ୧୬ ଡିଗ୍ରୀ ତାପମାତ୍ରା ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଜଗତ୍ସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିବ ।

ଆଜିଠୁ ଆରମ୍ଭ ବିଶ୍ବ ପ୍ରସିନ୍ଧ ଯୋରନ୍ଦା ମେଳା: ଚଳଚଞ୍ଚଳ ଢେଙ୍କାନାଳ ଯୋରନ୍ଦା ପୀଠ

ଆଜିଠୁ ଆରମ୍ଭ ବିଶ୍ବ ପ୍ରସିନ୍ଧ ଯୋରନ୍ଦା ମେଳା । ଚଳଚଞ୍ଚଳ ଢେଙ୍କାନାଳ ଯୋରନ୍ଦା ପୀଠ । ଶୁଭିବ ବ୍ରହ୍ମ ମହାମହିମା ଧ୍ବନି । ୪ ଦିନ ବ୍ୟାପୀ ଚାଲିବ ମେଳା । ବିଶ୍ବ କଲ୍ଯାଣ ପାଇଁ ପ୍ରଜ୍ଜ୍ବଳନ ହେବ ଝାଡ଼ଦୀପ । ମାଘ ଚତୁର୍ଦ୍ଦଶୀରେ ଏକତ୍ରିତ ହେବେ ମହିମା ସାଧୁସନ୍ଥ ଓ ସନ୍ନ୍ୟାସୀ। ସେମାନଙ୍କ ଅନୁଗାମୀ ଭକ୍ତ ଶିଷ୍ୟ ଲକ୍ଷାଧିକ ସଂଖ୍ୟାରେ ଯୋରନ୍ଦା ମେଳାରେ ଗୁରୁଙ୍କ ସାନ୍ନିଧ୍ୟ ଓ ଆଶୀର୍ବାଦ ଲାଭ କରିବେ l ପୂର୍ବରୁ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ବତି ମନ୍ଦିର, ଧୁନି ମନ୍ଦିର ସବୁ ପରିଷ୍କାର ପରିଚ୍ଛନ୍ନ କରାଯାଇଛି । ପାନୀୟ ଜଳ, ସ୍ୱାସ୍ଥ୍ୟ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ବିଦ୍ୟୁତିକରଣ ବ୍ୟବସ୍ଥାକୁ ଗୁରୁତ୍ଵ ଦିଆଯାଇଛି । ଆସନ୍ତା ୧ରେ ଯୋରନ୍ଦା ଆସିବେ ମୁଖ୍ୟମନ୍ତ୍ରୀ। l ପ୍ରଥମ ଥର ପାଇଁ ମହିମା ସାଧୁ ଓ ଭକ୍ତଙ୍କ ସମ୍ମୁଖରେ ଭୀମ ଭୋଇ ଗୀତିନାଟ୍ୟ ପରିବେଷଣ ହେବ। ଚଳିବର୍ଷ ମଧ୍ୟ ଅନେକ ବ୍ୟବସାୟୀ ନିଜ ବ୍ୟବସାୟର ପସରା ମେଲାଇଛନ୍ତି । ଭଲ ବ୍ୟବସାୟ ହେବା ନେଇ ସମସ୍ତେ ଆଶା ରଖିଛନ୍ତି ।

ଆଜି ନୂଆଦିଲ୍ଲୀରେ ବସିବ ଦ୍ୱିତୀୟ ଭାରତ-ଆରବ ବୈଦେଶିକ ମନ୍ତ୍ରୀ ବୈଠକ

ସୁଦୃଢ ହେବ ଭାରତ-ଆରବ ସମ୍ପର୍କ । ଆଜି ନୂଆଦିଲ୍ଲୀରେ ବସିବ ଦ୍ୱିତୀୟ ଭାରତ-ଆରବ ବୈଦେଶିକ ମନ୍ତ୍ରୀ ବୈଠକ । ଏଥିରେ ବାଣିଜ୍ୟ ଓ ଅର୍ଥନୀତିକୁ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବା ନେଇ ସୂଚନା ରହିଛି । ଏହି ଶିଖର ସମ୍ମିଳନୀ ପାଇଁ ଅନେକ ଆରବ ଦେଶର ବୈଦେଶିକ ମନ୍ତ୍ରୀ ପହଞ୍ଚି ସାରିଛନ୍ତି । ସୁଦାନ ବୈଦେଶିକ ମନ୍ତ୍ରୀ ମୋହିଲଦିନ ସଲିମ ଅହମ୍ମଦ ଇବ୍ରାହିମ, ପାଲେଷ୍ଟାଇନର ବୈଦେଶିକ ମନ୍ତ୍ରୀ ଭାର୍ସେନ ଆଗାବେକିୟାନ ଏବଂ କୋମୋରୋସର ବୈଦେଶିକ ମନ୍ତ୍ରୀ ମହମ୍ମଦ ଚାନଫିଓ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଭାରତରେ ପହଞ୍ଚିଛନ୍ତି। ଏହି ବୈଠକ ଭାରତ ଏବଂ ୟୁଏଇ ଦ୍ୱାରା ମିଳିତ ଭାବରେ ଅଧ୍ୟକ୍ଷତା କରାଯିବ । ଅନ୍ୟ ଆରବ ଲିଗ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ଏବଂ ସଚିବ ଜେନେରାଲ ଅଂଶଗ୍ରହଣ କରିବେ। ଏହି ଗୁରୁତ୍ୱପୂର୍ଣ୍ଣ ଫୋରମର ଏହି ବୈଠକ ୧୦ ବର୍ଷ ପରେ ଅନୁଷ୍ଠିତ ହେଉଛି । ୨୦୧୬ରେ ବାହାରିନରେ ଅନୁଷ୍ଠିତ ହୋଇଥିଲା ଏହାର ପ୍ରଥମ ଶିଖର ସମ୍ମିଳନୀ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଏକ ସୋସିଆଲ ମିଡିଆ ପୋଷ୍ଟରେ ନେତାମାନଙ୍କୁ ସ୍ୱାଗତ କରି କହିଛନ୍ତି ଯେ ସେମାନଙ୍କ ଗସ୍ତ ଭାରତ ଏବଂ ଆରବ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ।

ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁନେତ୍ରା ପାୱାର

ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁନେତ୍ରା ପାୱାର। ପରଲୋକଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁନେତ୍ରା ସମ୍ଭାଳିବେ ଗୁରୁ ଦାୟିତ୍ବ । ଅପରାହ୍ଣ ୫ଟାରେ ଏହି ଶପଥଗ୍ରହଣ କାର୍ଯ୍ୟକ୍ରମ ରଖାଯାଇଛି । ସୁନେତ୍ରାଙ୍କୁ ଅବକାରୀ ଓ କ୍ରୀଡ଼ା ବିଭାଗ ମିଳିବ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଅର୍ଥ ବିଭାଗ ଦାୟିତ୍ବରେ ରହିବେ । ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ଲାଗି ଫଡନବିସଙ୍କୁ ଏନସିପିର ନେତାମାନେ ଅନୁରୋଧ କରିଥିଲେ। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ ଏନସିପିର ଜଣଙ୍କୁ ସ୍ଥାନ ଦେବା ଲାଗି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ନିକଟରେ ଦାବି କରିଥିଲେ ଏନସିପି ନେତୃମଣ୍ଡଳୀ।

ଏନସିପିର ଏକ ପ୍ରତିନିଧି ମଣ୍ଡଳୀ ଯାଇ ଫଡନବିସଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କ ମଧ୍ୟରେ ରହିଥିଲେ ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ, ସୁନୀତ ତତକାରେ ଓ ଛଗନ ଭୁଜବଳ। ଅଜିତଙ୍କ ଅଧୀନରେ ଥିବା ଅର୍ଥ, ଅବକାରୀ, କ୍ରୀଡ଼ା ବିଭାଗକୁ ଏନସିପି ହାତରେ ଦେବା ଲାଗି ସେମାନେ ଦାବି କରିଥିଲେ। ସେପଟେ ଶରଦ ପାୱାରଙ୍କ ନେତୃତ୍ବରେ ରହିଥିବା ଏନସିପି(ଏସପି) ସହ ଏନସିପି(ଏପି)ର ମିଶ୍ରଣ ସମ୍ଭାବନା ନେଇ ଚର୍ଚ୍ଚା ଚାଲିଛି। ଆସନ୍ତା କାଲି ଏନସିପି ପକ୍ଷରୁ ବିଧାୟକ ଦଳ ବୈଠକ ଡକାଯାଇଛି। ଏହି ବୈଠକରେ ରାଜ୍ୟସଭା ସାଂସଦ ତଥା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯିବା ସମ୍ଭାବନା ରହିଛି ।

ନୟାଗଡ଼ ଜଙ୍ଗଲରେ ବଢ଼ିଲା କଳା କଲରାପତରିଆ ବାଘଙ୍କ ସଂଖ୍ୟା

ନୟାଗଡ଼ ଜଙ୍ଗଲରେ ବଢ଼ିଲା କଳା କଲରାପତରିଆ ବାଘଙ୍କ ସଂଖ୍ୟା

ନନ୍ଦିଘୋଷ ବ୍ୟୁରୋ: କଳା କଲରାପତରିଆ ବାଘଙ୍କ ପାଇଁ ସ୍ବର୍ଗ ପାଲଟିଛି ନୟାଗଡ଼ ଜଙ୍ଗଲ । ବଢ଼ିବାରେ ଲାଗିଛି କଳା ବାଘଙ୍କ ସଂଖ୍ୟା । ଯାହାକୁ ନେଇ ବନ୍ୟଯନ୍ତୁ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପୂର୍ବରୁ ନୟାଗଡ଼ ଜଙ୍ଗଲରେ ୨ଟି କଳା କଲରାପତରିଆ ବାଘ ଥିବା ବେଳେ ଏବେ ଏମାନଙ୍କ ସଂଖ୍ୟା ବଢ଼ି ୬ରେ ପହଞ୍ଚିଛି ।

ନୟାଗଡ ବନଖଣ୍ଡ ଦଶପଲ୍ଲା ରେଞ୍ଜ ଓ ଗଣିଆ ରେଞ୍ଜ ଅଞ୍ଚଳରେ କଳା କଲରାପତରିଆ ବାଘ ରହିଛନ୍ତି ବୋଲି ଖବର ମିଳିଥିଲା । ବାଘଙ୍କ ଗତିବିଧି ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ଟ୍ରାପ କ୍ୟାମେରା ଲଗାଯିବା ସହିତ ବନ କର୍ମଚାରୀମାନେ ନଜର ରଖିଥିଲେ । ଗତ ଦୁଇ ଦିନ ମଧ୍ୟରେ ଜଙ୍ଗଲ ମଧ୍ୟରେ ବାଘ ବୁଲୁଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଥିଲା । ବାଘ ଛୁଆ ଜନ୍ମ କରି ଧରି ବୁଲୁଥିବା କ୍ୟାମେରାରେ କଏଦ ହୋଇଥିଲା । ବନ ବିଭାଗ ବାଘ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରୁଥିବା ନୟାଗଡ ଡିଏଫଓ କହିଛନ୍ତି ।

କମିବ ବିଧାୟକଙ୍କ ଦରମା ! ବଜେଟ ଅଧିବେଶନରେ ଆସିବ ସଂଶୋଧିତ ବିଲ୍

କମିବ ବିଧାୟକଙ୍କ ଦରମା ! ବଜେଟ ଅଧିବେଶନରେ ଆସିବ ସଂଶୋଧିତ ବିଲ୍

ନନ୍ଦିଘୋଷ ବ୍ୟୁରୋ: କମିବ ବିଧାୟକଙ୍କ ଦରମା । ଏ ନେଇ ବିଧାୟକ ଦରମା କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ ଦେଇଛନ୍ତି ସୂଚନା । ଆସନ୍ତା ବଜେଟ ଅଧିବେଶନରେ ଏ ନେଇ ଏକ ସଂଶୋଧନ ବିଲ୍ ଆସିବ । ଦରମା କମିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି ।

ଗତବର୍ଷ ଡିସେମ୍ଵର ୯ ତାରିଖରେ ଦରମା ବୃଦ୍ଧି ବିଲ୍ ବିଧାନସଭାରେ ପାସ୍ ହୋଇଥିଲା । ବିଧାୟକଙ୍କ ସର୍ବନିମ୍ନ ଦରମା ୩ ଲକ୍ଷ ୪୫ ହଜାର ହେବାର ଥିଲା । ଏକାଥରେ ୩ ଗୁଣା ଦରମା ବଢ଼ିଥିଲା । ଯାହାକୁ ନେଇ ସାରା ରାଜ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା । ତେଣୁ ଏହାର ପୁନର୍ବିଚାର ପାଇଁ ସରକାରଙ୍କୁ ନିବେଦନ କରିଥିଲେ ବିଧାୟକ ।

ବଜେଡି କହିଛି, ଦରମା କଥା ସରକାର ନିଷ୍ପତ୍ତି ନେବେ । ଦରମା ବିଲ ପାସ ହେଇଥିଲା କିନ୍ତୁ ପରେ ବନ୍ଦ ହେଲା । ଆଗକୁ ଜଣାପଡ଼ିବ ସରକାର କ’ଣ କରିବେ ? ସରକାର ଆଲୋଚନା କରିବେ ବୋଲି କହିଛନ୍ତି ବିଜେଡି ବିଧାୟକ ମନୋହର ରନ୍ଧାରୀ । ଦରମା ବୃଦ୍ଧି ସମ୍ପର୍କରେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ କହିଛନ୍ତି, ଥରେ ବିଲ ପାସ ହେବା ପରେ ପୁନର୍ବିଚାର କରିବା କଥା ନୁହେଁ । ବିଧାୟକଙ୍କ ଦରମା ୩୫ ହଜାର ଟଙ୍କା ଥିଲା । ତାକୁ ବଢ଼ାଇ ୧ ଲକ୍ଷ ୫ ହଜାର ଟଙ୍କା କରିବାକୁ ବିଧାୟକମାନେ ଦାବି କରିଛୁ । ଦରମା ବୃଦ୍ଧି ନିଷ୍ପତ୍ତି ଠିକ ଥିଲା, ଏଥେର କୌଣସି ଭୁଲ ହୋଇ ନଥିଲା । ଏବେ ଦରମା ମାତ୍ର ୧ ଲକ୍ଷ ଟଙ୍କା ହୋଇଛି । ଲୋକଙ୍କୁ ଭୁଲ ସୂଚନା ଦିଆଯାଇଛି । ସରକାର କାହିଁକି ପୁଣି ବିଧାନସଭାକୁ ବିଲ ଆଣିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।