ସମ୍ୱଲପୁର: ଛତିଶଗଡ ଷଡଯନ୍ତ୍ରରେ ବଳି ପଡିଯିବ ଅଣ ମୌସୁମୀ ଚାଷ। ଶୁଖିଗଲାଣି ରାଜ୍ୟର ବୃହତ୍ତମ ମହାନଦୀ। ଗତବର୍ଷ ତୁଳନାରେ ଦୁଇଫୁଟ ଖସିଆସିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ତେବେ ଗତବର୍ଷ ଏହି ସମୟରେ ହୀରାକୁଦ ଜଳସ୍ତର ୬୧୫ଫୁଟ୍ ଥିବାବେଳେ ଚଳିତ ବର୍ଷ ୬୧୧ ଫୁଟକୁ ଖସିଆସିଛି । ସେପଟେ ସାଙ୍ଘାତିକ ଭାବେ ଜଳ ଭଣ୍ଡାରକୁ ଖସୁଛି ଜଳ ପ୍ରବେଶର ମାତ୍ରା। କଲମା ବ୍ୟାରେଜର ସମସ୍ତ ଗେଟ୍ ଛତିଶଗଡ଼ ବନ୍ଦ କରିଦେଇଥିବାରୁ ମାତ୍ର ୧୫୦୦ ଘନଫୁଟ ଜଳ ଜଳ ଭଣ୍ଡାରକୁ ପ୍ରବେଶ କରୁଛି । ଗୋଟିଏ ପଟେ ଓଡ଼ିଶା ଦେଇ ପ୍ରବାହିତ ହେଉଥିବା ମହାନଦୀ ଶୁଖିଲା ପଡିଥିବା ବେଳେ ଛତିଶଗଡ଼ରେ ଲହଡ଼ି ମାରୁଛି ପାଣି। ଶକ୍ତି ଜିଲ୍ଲାର ଚନ୍ଦ୍ରପୁର ଅଞ୍ଚଳ କିଭଳି ପାଣି ଲହଡ଼ି ମାରୁଥିବା ଓଡ଼ିଶା ଚାଷୀ ହତାସା ଭିତରେ ରହିଛନ୍ତି।
ତେବେ ଗୋଟିଏ ପଟେ ମହାନଦୀର ସମସ୍ତ ଧାର ଶୁଖି ଯାଇଥିବାବେଳେ ଅନ୍ୟପଟେ ଛତିଶ ଗଡ଼ରେ ଲହଡ଼ି ମାରୁଛି ପାଣି। କିଭଳି ଭାବେ ଛତିଶଗଡ଼ ସରକାର ପାଣିକୁ ଅଟକାଇ ରଖିଛନ୍ତି ତା ଦୃଶ୍ୟ ଆପଣଙ୍କ ସାମ୍ନାରେ । ଏବେ ଦେଖିବା ଆମ ରାଜ୍ୟର ଜୀବନ ରେଖା ଚିରସ୍ରୋତା ମହାନଦୀ କିଭଳି ମରୁଭୂମି ପାଳଟି ଯାଇଛି ।
ଏପ୍ରିଲ ମାସରୁ ଶୁଖିଗଲାଣି ଓଡ଼ିଶାର ଜୀବନ ରେଖା ମହାନଦୀ। ଏନେଇ ଚିନ୍ତାରେ ପଡିଲେଣି ମହାନଦୀକୁ ଭରସା କରୁଥିବା ଲୋକ। ଚାଷ କିଭଳି ହେବ, ପାଣି କେଉଁଠୁ ପାଇବେ ସେ ଚିନ୍ତାରେ ସମସ୍ତେ।
ଅଣ ମୌସୁମୀ ସମୟରେ ଛତିଶଗଡ଼ ସରକାରଙ୍କ ଦାଦାଗିରି
ଜେଲରେ ବଢୁଛି କ୍ୟାନ୍ସର, କିଡନୀ ଓ ଉଚ୍ଚ ରକ୍ତଚାପ, ସୁଧାର ଗୃହରେ ସୁଧୁରୁନି ରୋଗ ସମସ୍ୟା
ଭୁବନେଶ୍ୱର: ୨୧ ଶହ ରୋଗୀଙ୍କ ପାଇଁ ଜଣେ ମାତ୍ର ମାନସିକ ରୋଗୀ ଚିକିତ୍ସକ । ଜେଲରେ ବଢୁଛି କ୍ୟାନ୍ସର, କିଡନୀ ଓ ଉଚ୍ଚ ରକ୍ତଚାପ । ସୁଧାର ଗୃହରେ ସୁଧୁରୁନି ରୋଗ ସମସ୍ୟା । ଏ ତଥ୍ୟ ଯେତିକି ଗମ୍ଭୀର, ସେତିକି ଚିନ୍ତାଜନକ ମଧ୍ୟ। ରାଜ୍ୟରେ ଥିବା ୮୭ ଜେଲରେ ରହିଛନ୍ତି ୨୦୫୪ ମାନସିକ ରୋଗୀ । କାଲକୋଠରୀ ଭିତରେ ରହି ଅବସାଦଗ୍ରସ୍ତ ହୋଇଯାଉଛନ୍ତି। କେତବେଳେ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ତ ଆଉ କେତବେଳେ ପାଣି ଫୋଟକା ଭଳି ଚାଲିଯାଉଛି ଅନ୍ତେବାସୀଙ୍କ ଜୀବନ । ବିଗତ ୫ ବର୍ଷରେ ଜେଲ ଭିତରେ ୩୭୦ ରୁ ଅଧିକ ବନ୍ଦୀଙ୍କ ମୃତ୍ୟୁ ହୋଇଛି । କିନ୍ତୁ ପରିତାପର ବିଷୟ ହେଉଛି ପାଖାପାଖି ୨୧ ଶହ ରୋଗୀଙ୍କ ପାଇଁ ରହିଛନ୍ତି ଜଣେ ମାତ୍ର ମାନସିକ ରୋଗ ବିଶେଷଜ୍ଞ। ଯାହାକୁ ନେଇ ବିଭିନ୍ନ ମହଲରୁ ଉଦବେଗ ପ୍ରକାଶ ପାଇଛି । ଜେଲ ବିଭାଗ ତୁରନ୍ତ ଏଭଳି ଗୁରୁତର ସମସ୍ୟା ସମ୍ପର୍କରେ ଅବଗତ ହେବା ସହ, ଜିଲ୍ଲା ପିଛା ଜଣେ ମାନସିକ ରୋଗୀ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି।
୨୫ଟି ଜେଲରେ ୭୦ ଜଣ ଏଚଆଇଭି ଆକ୍ରାନ୍ତ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏଡ୍ସ ରୋଗୀଙ୍କ ନିୟମିତ ଚିକିତ୍ସା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ଜେଲ ଡିଜି । ୨୪୯ ଜଣ ହୃଦଘାତ ରୋଗୀ , ୧୮୪୫ ଜଣ ଉଚ୍ଚ ରକ୍ତଚାପ ରୋଗୀ ସାରା ଓଡ଼ିଶାର ଜେଲରେ ରହିଛନ୍ତି । ସେପରି ୧୦ ଜଣ କ୍ୟାନ୍ସର ରୋଗୀ ଓ ୧୪୦ କିଡନୀ ରୋଗୀ ଚିକିତ୍ସିତ ହେଉଛନ୍ତି। ସେପଟେ ମାନସିକ ରୋଗ ଚିକିତ୍ସକଙ୍କ ନିଯୁକ୍ତି ବିଳମ୍ଭ ହେଉଥିବା ବେଳେ ଜେଲରେ ମନସ୍ତତ୍ୱବିତଙ୍କୁ ନିୟୋଜିତ କରାଯିବାର ଆବଶ୍ୟକତା ଥିବା କହିଛନ୍ତି ବିଶେଷଜ୍ଞ ।
ଜେଲକୁ ସୁଧାରଗୃହ କରିବା ପାଇଁ ପୂର୍ବରୁ ଅନେକ ପ୍ରୟାସ ହୋଇଥିଲା । ବ୍ୟାୟାମ, ଯୋଗ ଶିକ୍ଷା, ପ୍ରଣାୟମ, ସିନେମା, କ୍ରୀଡା , ପ୍ରବଚନ, ଆଧ୍ୟାତ୍ମକ ଶିକ୍ଷାର ବ୍ୟବସ୍ଥା ହୋଇଥିଲା। କିନ୍ତୁ ଏବେ ଏସବୁ ହେଉନଥିବାରୁ ଅନ୍ତେବାସୀ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ।
ଅଧୁରା ରହିଗଲା ଶିବ ମନ୍ଦିରରେ ଲିଙ୍ଗ ସ୍ଥାପନ ସ୍ବପ୍ନ, ଆରପାରିରେ ଗାଁର ଗେହ୍ଲା ପୁଅ
ବାଲେଶ୍ୱର: ଜାମ୍ମୁ ଓ କାଶ୍ମୀରରେ ହୋଇଥିବା ଆତଙ୍କୀ ହମଲାରେ ପ୍ରାଣ ହରାଇଛନ୍ତି ବାଲେଶ୍ବରର ପ୍ରଶାନ୍ତ ଶତପଥୀ।। ଅଧୁରା ରହିଗଲା ଶିବ ମନ୍ଦିରରେ ଲିଙ୍ଗ ସ୍ଥାପନ ସ୍ବପ୍ନ। ପରପାରିରେ ଗାଁର ଗେହ୍ଲା ପୁଅ ପ୍ରଶାନ୍ତ। ତାଙ୍କୁ ହରାଇ ଆଜି ନିସ୍ତବ୍ଧ ପାଲଟି ଯାଇଛି ପାଣି ପବନ, ତାଙ୍କ ଚଲାବାଟ। କାହାର ବି ଆଖିରୁ ଶୁଖୁନି ଲୁହ। ସ୍ମୃତିକୁ ସାଉଁଟି କୋହ ଭରା କଣ୍ଠରେ ସମସ୍ତେ କହୁଛନ୍ତି ଫେରିଆ ମୋ ସୁନା ପୁଅ। ପ୍ରଶାନ୍ତ ନାଁ ଯେମିତି ତାଙ୍କ ଆଚରଣ ଉଚାରଣ ବି ସେମତି ଥିଲା। ଗତକାଲି ପ୍ରଶାନ୍ତଙ୍କ ଲହୁରେ ଲାଲ ହୋଇଯାଇଥିଲା ଭୂସ୍ବର୍ଗର ସଫେଦ ଚାଦର । ଆତଙ୍କୀର ଗୁଳିରେ ଚାଲିଯାଇଛି ବାଲେଶ୍ବର ସାରଗାଁ ଇସାଣୀର ପ୍ରଶାନ୍ତ ଶତପଥୀଙ୍କ ଜୀବନ । ସେ ଗାଁର ବିକାଶ ପାଇଁ ସବୁବେଳେ ଚେଷ୍ଟା କରୁଥିଲେ । ନବ ନିର୍ମିତ ଶିବ ମନ୍ଦିରରେ ଲିଙ୍ଗ ସ୍ଥାପନର ସବୁ ଖର୍ଚ୍ଚ ବହନ କରିବେ ବୋଲି କଥା ଦେଇଥିଲେ । ଜାମ୍ମୁ କାଶ୍ମୀର ଗଲା ବେଳେ ଗାଁ ମଉସାଙ୍କୁ କହିଥିଲେ ସେ ଶୀଘ୍ର ଫେରି ଆସିବେ । ହେଲେ କଥା ଦେଇ କଥା ରଖିଲେନି ପ୍ରଶାନ୍ତ । ଏବେ ପ୍ରଶାନ୍ତଙ୍କୁ ହରାଇ ଗୁମୁରି କାନ୍ଦୁଛି ସାରଗାଁ । ତାଙ୍କୁ ଝୁରି ଝୁରି ଚେତା ଶୂନ୍ୟ ହୋଇପଡୁଛନ୍ତି ବଡ ଭାଇ ।
ତିନି ଦିନ ତଳେ ପତ୍ନୀ ଓ ପୁଅ ସହ ପହଲଗାଓଁ ଯାଇଥିଲେ ପ୍ରଶାନ୍ତ। କୋଳାହଳ ପରିବେଶରୁ, ଦୂରେଇ ପ୍ରାକୃତିକ ପରିବେଶର ଘେରା ନଭଶ୍ଚୁମ୍ଭି ପାଇନ ଗଛତଳେ କିଛି ସମୟ ବିତାଇବାକୁ ଚିନ୍ତା କରିଥିଲେ ପ୍ରଶାନ୍ତ। ହେଲେ କିଏ ଜାଣିଥିଲା ଭୂସ୍ବର୍ଗରେ ଲୁଚିଛନ୍ତି ନର ରାକ୍ଷସ । ଆତଙ୍କୀଙ୍କ ବନ୍ଧୁକ ମୁନରୁ ଅଳ୍ପକେ ବତ୍ତି ଯାଇଛନ୍ତି ପ୍ରଶାନ୍ତଙ୍କ ପତ୍ନୀ ଓ ସନ୍ତାନ ।
ସେପଟେ ପରିବାରକୁ ଆଜି ଭେଟି ସମବେଦନା ଜଣାଇଛନ୍ତି ସଦର ବିଧାୟକ , ସରକାରୀ ଦଳ ଉପମୁଖ୍ୟ ସଚେତକ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ସଦର ବ୍ଲକ ଚେୟାରମ୍ୟାନ।
ପ୍ରଶାନ୍ତଙ୍କ ମର ଶରୀର ଓ ପରିବାରକୁ ଜାମୁ-କାଶ୍ମୀରରୁ ଫେରାଇ ଆଣିବା ପାଇଁ ସାନ ଭାଇ ଜୟନ୍ତ ଶ୍ରୀ ନଗର ଯାଇଛନ୍ତି
ମହିଳା ଜେଇଙ୍କୁ ଆକ୍ରମଣ ଘଟଣା; ଅଭିଯୁକ୍ତ ବିଜେପି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଜଗତସିଂହପୁର:ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ମହିଳା କନିଷ୍ଠ ଯନ୍ତ୍ରୀ ଓ ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଆକ୍ରମଣରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି। ଦୁଇ ଅଧିକାରୀଙ୍କୁ ଆକ୍ରମଣ କରିଥିବା ବିଜେପି ନେତା ଓ କର୍ମୀଙ୍କ ବିରୋଧରେ ଆକ୍ସନ ଦାବିରେ ଆଜି ବିଜେଡି ତରଫରୁ ବଡ଼ ବିକ୍ଷୋଭ କରାଯାଇଛି। ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ କୁମାର ମୁଦୁଲିଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଜଗତସିଂହପୁର ଗାନ୍ଧି ଛକରୁ ଏକ ଶୋଭାଯାତ୍ରାରେ ଯାଇ ଏସପି ଅଫିସ ଘେରାଉ କରିଥିଲେ। ବିଜେପି ନେତାଙ୍କ ଗୁଣ୍ଡାଗିରିର ପ୍ରତିବାଦ କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଛି ବିଜେଡି। ବିଶେଷ କରି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଜେପି ଓବିସି ମୋର୍ଚ୍ଚାର ଜଗତସିଂହପୁର ଜିଲ୍ଲା ସଭାପତି ସୁବୋଧ ବାରିକଙ୍କୁ ଗିରଫ କରିବାକୁ ଦାବି କରିଯାଇଛି।
ବିଜେଡିର ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲି, ବରିଷ୍ଠ ନେତା ପ୍ରତାପ ଜେନା, ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ତିର୍ତ୍ତୋଲର ବିଜେଡି ବିଧାୟକ ରମାକାନ୍ତ ଭୋଇ, ପାରାଦ୍ଵୀପର ବିଜେଡି ନେତା ବାପି ସର୍ଖେଲ ପ୍ରମୁଖ ଓ ବିଜେଡିର ହଜାର ହଜାର କର୍ମୀ।
ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ ଆୟୁଷ୍ମାନ ଯୋଜନା ଶୁଭାରମ୍ଭ ଦିନ ରଘୁନାଥପୁର ବ୍ଲକର ମହିଳା କନିଷ୍ଠ ଯନ୍ତ୍ରୀ ପ୍ରଦୀପ୍ତା ଖୁଣ୍ଟିଆ ଓ ଆକଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର ସୂର୍ଯ୍ୟକାନ୍ତ ସାହୁଙ୍କୁ ବିଜେପି କର୍ମୀ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିବାର ଅଭିଯୋଗ ହୋଇଥିଲା। ତରିକୁନ୍ଦରେ ଏହି ଘଟଣା ଘଟିଥିଲା। ଏପରିକି ମହିଳା କନିଷ୍ଠ ଯନ୍ତ୍ରୀଙ୍କୁ ଟଣାଓଟରା କରିଥିଲେ ବିଜେପି କର୍ମୀ। ତାଙ୍କ ଡ୍ରେସ୍ ଚିରିଦେବା ସହିତ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ବିଜେପି କର୍ମୀଙ୍କ କବଳରୁ କନିଷ୍ଠ ଯନ୍ତ୍ରୀଙ୍କୁ ରକ୍ଷା କରିବାକୁ ଡାଟା ଏଣ୍ଟ୍ରି ଅପରେଟର ସୂର୍ଯ୍ୟକାନ୍ତ ସାହୁ ତାଙ୍କୁ ପଂଚାୟତ ଅଫିସରେ ଭର୍ତ୍ତି କରିଦେଇଥିଲେ। ତଥାପି ତାଲା ଭାଙ୍ଗି ମହିଳା କନିଷ୍ଠ ଯନ୍ତ୍ରୀଙ୍କୁ ଓ ସୂର୍ଯ୍ୟକାନ୍ତ ସାହୁଙ୍କୁ ଆକ୍ରମଣ କରିଥିଲେ ବିଜେପି କର୍ମୀ ।
ଯୁବକଙ୍କୁ ହତ୍ୟା ଘଟଣା: ୨ ଅଭିଯୁକ୍ତଙ୍କୁ ଗିରଫ କରି ସିନ ରିକ୍ରେସନ କଲା ପୋଲିସ
ଗଂଜାମ: ହତ୍ୟାକାଣ୍ଡର ୨୪ ଘଣ୍ଟା ନପୁରୁଣୁ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗଂଜାମ ଜିଲ୍ଲା ପାଟପୁର ଥାନା ରାମଚନ୍ଦ୍ରପୁର କାଳିଆଘାଇ କେନାଲ ନିକଟରେ ଯୁବକଙ୍କୁ ହତ୍ୟା କରାଯାଇଥିଲା । ମୃତକ ଜଣଙ୍କ ହେଲେ ପାଟପୁର ଥାନା ସାମନ୍ତରାପୁର ଗାଁର ହୀନ ପାତ୍ର ।
ସୂଚନା ଅନୁଯାୟୀ, ମୃତକ ହୀନ ତା’ ଶାଳୀ ଉପରେ ଖରାପ ନଜର ରଖିଥିବା ଅଭିଯୋଗ ହୋଇଥିଲା । ଯୁବତୀଙ୍କ ପ୍ରେମିକ ଦୀପକ ଗଉଡ଼ ଏହାକୁ ବିରୋଧ କରୁଥିଲେ । ଏଭଳି କି ଯୁବତୀଙ୍କ ଠାରୁ ଦୂରେଇ ରହିବା ପାଇଁ ହୀନକୁ ଧମକ ଦେଉଥିଲେ । ଦୀପକ ଓ ତାହାର ସହଯୋଗୀ ହୀନ ପାତ୍ରକୁ ଡାକି କେନାଲ ନିକଟରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ବଚସା ହେବାରୁ ଦୀପକ ଏବଂ ତାହାର ସହଯୋଗୀ ହିନକୁ ହତ୍ୟା କରିଥିଲେ । ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି ସିନ ରିକ୍ରେସନ କରିଛି ପୋଲିସ।
ଯାଜପୁର ସାଧାରଣ ପରିଷଦ ବୈଠକରେ ହଟ୍ଟଗୋଳ, ବିଜେଡି-ବିଜେପି ମୁହାଁମୁହିଁ
ଯାଜପୁର: ଯାଜପୁର ଜିଲ୍ଲା ପରିଷଦର ଷଷ୍ଠ ସାଧାରଣ ପରିଷଦ ବୈଠକରେ ହଟ୍ଟଗୋଳ ଓ ହଙ୍ଗାମା । ବିଜେଡି ଓ ବିଜେପି ସଦସ୍ୟ ମୁହାଁମୁହିଁ ହୋଇଛନ୍ତି । ଆଜି ପୂର୍ବାହ୍ନରେ ବୈଠକ ଆରମ୍ଭ ହେବା ମାତ୍ରେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ନିଜ ଆସନ ଛାଡ଼ି ତଳକୁ ଆସି ନିଜର ଅସହାୟତା ପ୍ରକାଶ କରିଥିଲେ । ସରକାରୀ କାର୍ଯକ୍ରମରେ ଅଣଦେଖା, ଭତ୍ତା ବୃଦ୍ଧି, ହାତ ପାଣ୍ଠି ବୃଦ୍ଧି କରିବା ପାଇଁ ଦାବି କରିଥିଲେ । ଏପରିକି ତାଙ୍କ ଏରିଆରେ ତାଙ୍କୁ ନିମନ୍ତ୍ରଣ କରାଯାଉ ନଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଏହାର ଜବାବ ଦେବାକୁ ଯାଇ ବଡଚଣା ବିଧାୟକ ଅମର ନାୟକଙ୍କ ସହିତ ପ୍ରବଳ ଯୁକ୍ତି ତର୍କ ହୋଇଛି । ଏହାକୁ ନେଇ ସମସ୍ତ ବିଜେଡିର ଜିଲ୍ଲା ପରିଷଦ ସଦସ୍ୟମାନେ ସମର୍ଥନ କରି ବିଜେପି ବିଧାୟକଙ୍କୁ ଘେରିଥିଲେ। ପରେ ଜିଲ୍ଲାପାଳ ସମସ୍ତ ଅଭିଯୋଗର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବୈଠକ ସ୍ୱାଭାବିକ ହୋଇଥିଲା ।
ଏହା ପରେ ବିଭିନ୍ନ ଏଜେଣ୍ଡା ଅନୁଯାୟୀ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ନଳିନୀପ୍ରଭା ଜେନା, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ରାଜ୍ୟସଭା ସାଂସଦ ସୁଲତା ଦେଓ, ବଡଚଣା ବିଧାୟକ ଅମର କୁମାର ନାୟକ, ଯାଜପୁର ବିଧାୟିକା ସୁଜାତା ସାହୁ , ଜିଲାପାଳ ପିଅନ୍ୱେଶା ରେଡି ପ୍ରମୁଖ ଯୋଗ ଦେଇଥିଲେ ।
ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ଯା କମ କରିବାକୁ ହେଉଛି କି ଷଡଯନ୍ତ୍ର ?
ଗଜପତି: ସରୁନି ସୁଭଦ୍ରା ଟେନସନ । ଜୀବିତ ଲୋକଙ୍କୁ କାଗଜ କଲମରେ ମୃତ ଦର୍ଶାଇ ଦିଆଯାଉଛି ତ ଭୂମିହୀନଙ୍କୁ ୧୦ ଏକର ମାଲିକ ଦର୍ଶାଇ ଦିଆଯାଉଛି । ଏଭଳି କିଛି ଆଳ ଦେଖାଇ ୫୦ ଜଣ ମହିଳାଙ୍କୁ ସୁଭଦ୍ରା ଯୋଜନାରୁ ବାଦ ଦିଆଯାଇଛି। ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ.ସୀତାପୁର ପଞ୍ଚାୟତରୁ ଆସିଛି ସଙ୍ଗୀନ ଅଭିଯୋଗ।
ସୂଚନା ଅନୁଯାୟୀ, ବିସିରିଙ୍ଗି ଗାଁର ଜି ନିର୍ମଳାଙ୍କୁ ପ୍ରଥମ କିସ୍ତି ସୁଭଦ୍ରା ଟଙ୍କା ଦିଆଯାଇଥିଲା। ଦ୍ଵିତୀୟ କିସ୍ତି ଟଙ୍କା ନ ଆସିବାରୁ ସେ ଯେତେବେଳେ ବୁଝିଲେ ତାଙ୍କୁ ସରକାରୀ ତଥ୍ଯରେ ମୃତ ଘୋଷଣା କରାଯାଇଛି। ସେହିପରି ତାରିଣୀ ଘଣ୍ଟ ଯାହାର ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ ହେଲେ ଦଶ ଏକର ଜମିର ମାଲିକ ଦର୍ଶାଇ ତାଙ୍କୁ ଯୋଜନାରୁ ବାଦ ଦିଆଯାଇଛି। ସେ ସଡିପିଓ ଓ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ଅଭିଯୋଗ କରିଛନ୍ତି ଏମିତିକି ସୁଭଦ୍ରା ପୋର୍ଟାଲରେ ମଧ୍ୟ ଅଭିଯୋଗ କରିଛନ୍ତି କିନ୍ତୁ ଫଳ ଶୁନ। ସେହିପରି ବି ଲକ୍ଷ୍ମୀଙ୍କୁ ମଧ୍ଯ ସୁଭଦ୍ରା ଯୋଜନାରୁ ବାଦ ଦିଆଯାଇଛି।
ବାରମ୍ବାର ସର୍ଭେ, ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଆଉ ଅନୁସନ୍ଧାନ ପରେ ମଧ୍ୟ ବ୍ୟାପକ ତୃଟିର କାରଣ କଣ ହୋଇପାରେ? ଏଥିପାଇଁ କାହାକୁ ଦାୟୀ କରାଯିବ? କିଏ କାହା ଇଙ୍ଗିତରେ ଜାଣି ଶୁଣି ଏଭଳି କରୁଛି ନା ଦାୟିତ୍ଵରେ ଥିବା ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଏଭଳି ଘଟୁଛି? ନା ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କମାଇବାକୁ ଏଭଳି କରାଯାଉଛି? ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ଏପଟେ ଜିଲ୍ଲାପାଳ କହିଛନ୍ତି , ଯେଉଁମାନେ ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନେ ସୁଭଦ୍ରା ପୋର୍ଟାଲରେ ଅଭିଯୋଗ କରନ୍ତୁ ।
ପହଲଗାମ ଆକ୍ରମଣର ବଡ ଖୁଲାସା, ଗୋଟିଏ ବର୍ଷ ଧରି ଅଞ୍ଚଳରେ ସକ୍ରିୟ ଥିଲେ ଆତଙ୍କବାଦୀ
ନନ୍ଦିଘୋଷ ବ୍ୟୁରୋ: ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ରମଣକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ତଦନ୍ତରୁ ଜଣାପଡିଛି ଯେ, ପ୍ରାୟ ଗୋଟିଏ ବର୍ଷ ଧରି ଅଞ୍ଚଳରେ ସକ୍ରିୟ ଥିଲେ ଆତଙ୍କବାଦୀ । ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଖୋଜିବାରେ ନିୟୋଜିତ ଅଛନ୍ତି ଏବଂ ଦାଚିଗାମର ଜଙ୍ଗଲରେ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଚାଲିଛି। ଏହି ଘଟଣା ନେଇ ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି।
ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣକୁ ନେଇ ସାରା ଦେଶ ଶୋକ ପାଳିଛି। ଏହି ଘଟଣାର ପ୍ରତିବାଦରେ ଜମ୍ମୁ-କାଶ୍ମୀରର ଲୋକମାନେ ଆଜି ବନ୍ଦ ଡାକରା ଦେଇଛନ୍ତି। ଲୋକମାନେ ଦାବି କରୁଛନ୍ତି ଯେ ଆତଙ୍କବାଦୀମାନଙ୍କୁ ଫାସୀ ଦିଆଯାଉ।
ଉପତ୍ୟକାର ପ୍ରତ୍ୟେକ କୋଣ ଅନପକୋଣରେ ସୁରକ୍ଷା ବାହିନୀ ମୁତୟନ ଅଛନ୍ତି। ଆତଙ୍କବାଦୀମାନଙ୍କୁ ଖୋଜା ଚାଲିଛି । ପହଲଗାମରେ ସେନା ସୈନିକଙ୍କ ସହିତ, ପାରା କମାଣ୍ଡୋମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଘଟଣାର ପ୍ରାୟ ୨୪ ଘଣ୍ଟା ପରେ ଏକ ବଡ଼ ଖୁଲାସା ହୋଇଛି।
ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣ କରିଥିବା ଆତଙ୍କବାଦୀମାନେ ଗତ ଗୋଟିଏ ବର୍ଷ ଧରି ଜମ୍ମୁ-କାଶ୍ମୀରରେ ସକ୍ରିୟ ଥିଲେ ଏବଂ ଏହି ଆତଙ୍କବାଦୀମାନେ ମେ ୨୦୨୪ରେ ପୁଞ୍ଚରେ ବାୟୁସେନାର କନଭୟ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ସୂତ୍ର ଅନୁଯାୟୀ, ଜୁଲାଇ ୨୦୨୪ରେ ଏହି ଆତଙ୍କବାଦୀମାନେ ଜମ୍ମୁରୁ କାଶ୍ମୀର ଯାଇଥିଲେ ଏବଂ ତା’ପରେ ସେମାନେ ଶ୍ରୀନଗରର ଦାଚିଗାମ ଜଙ୍ଗଲ ଅଞ୍ଚଳରେ ଲୁଚି ରହିଥିଲେ। ଡିସେମ୍ବର ୨୦୨୪ରେ, ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ଏକ ବଡ଼ ସର୍ଚ୍ଚ ଅପରେସନ୍ କରିଥିଲେ, କିନ୍ତୁ ସେହି ସମୟରେ ତିନି ଜଣ ଆତଙ୍କବାଦୀ ଖସିଯିବାରେ ସଫଳ ହୋଇଥିଲେ।
ଏବେ ତଦନ୍ତରୁ ଜଣାପଡ଼ିଛି ଯେ ଖସିଯାଇଥିବା ଆତଙ୍କବାଦୀମାନେ ପହଲଗାମ ଆକ୍ରମଣ ଘଟାଇଛନ୍ତି । ସେମାନେ ପାକିସ୍ତାନୀଙ୍କଠାରୁ ସାହାଯ୍ୟ ପାଇଥିଲେ। ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ‘ଆବୁ ତଲହା’ ବୋଲି କୁହାଯାଉଛି । ଯିଏ ପାକ୍ ଅଧିକୃତ କାଶ୍ମୀରର ଆତଙ୍କବାଦୀମାନଙ୍କୁ ନିର୍ଦ୍ଦେଶ ଦେଉଥିଲା। ବର୍ତ୍ତମାନ, ଦାଚିଗାମର ଜଙ୍ଗଲରେ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଚାଲିଛି ଏବଂ ଆତଙ୍କୀମାନେ ଏବେ ବି ଏହି ଅଞ୍ଚଳରେ ଲୁଚି ରହିଥିବା ଆଶଙ୍କା କରାଯାଉଛି।
ସେନା, ସିଆରପିଏଫ ଏବଂ ଜମ୍ମୁ କାଶ୍ମୀର ପୋଲିସର ମିଳିତ ଦଳ ଏହି ଅପରେସନ୍ କରୁଛନ୍ତି। ଏହି ଆକ୍ରମଣ ବିଷୟରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଅଧିକ ସତର୍କ ରହିଛନ୍ତି ଏବଂ ଆତଙ୍କବାଦୀଙ୍କ ନେଟୱାର୍କ ଭାଙ୍ଗିବା ପାଇଁ ନିରନ୍ତର ଅପରେସନ୍ କରାଯାଉଛି।
ପହଲଗାମ ଆକ୍ରମଣ ପରେ ପାକିସ୍ତାନକୁ ଧନ୍ୟବାଦ ଜଣାଇ ଗିରଫ ହେଲା ଯୁବକ
ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀରରେ ହୋଇଥିବା ଆତଙ୍କୀ ହମଲାକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ଝାଡ଼ଖଣ୍ଡର ବୋକାରୋର ବାସିନ୍ଦା ମହମ୍ମଦ ନୌସାଦ ଏନେଇ ଖୁସି ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଆକ୍ରମଣ ପାଇଁ ପାକିସ୍ତାନ ଏବଂ ଲସ୍କର-ଏ-ତୈବାକୁ ଧନ୍ୟବାଦ ଜଣାଇଛନ୍ତି। ଏନେଇ ପୋଲିସ ମହମ୍ମଦ ନୌସାଦଙ୍କୁ ଗିରଫ କରିଛି।
ଅଭିଯୁକ୍ତ ଜଣକ ବାଲିଡିହର ମିଲତ ନଗରର ବାସିନ୍ଦା। ମହମ୍ମଦକୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ଏହି ମାମଲାରେ ମହମ୍ମଦକୁ ପଚରାଉଚରା ଜାରି ରହିଛି ।
ମଙ୍ଗଳବାର ଜମ୍ମୁ-କାଶ୍ମୀରର ପହଲଗାମର ବୈସରାଣରେ ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏବେ ବି ଆତଙ୍କବାଦୀଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂଚନା ଅନୁଯାୟୀ, ଗିରଫ ମହମ୍ମଦ ନୌସାଦର ପିତାଙ୍କ ନାମ ମହମ୍ମଦ ମୁସ୍ତାକ ଏବଂ ସେ ମିଲ୍ଲତ ନଗରର ବାସିନ୍ଦା। ବୋକାରୋ ପୋଲିସ କହିଛି ଯେ, ମହମ୍ମଦ ନୌଶାଦଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଯାଞ୍ଚ କରାଯାଉଛି । ଏବଂ ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି ।
ମଙ୍ଗଳବାର ଦିନ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ମହମ୍ମଦ ନୌସାଦ ତାଙ୍କ ସୋସିଆଲ ମିଡିଆରେ ଲେଖିଛନ୍ତି – ଧନ୍ୟବାଦ ପାକିସ୍ତାନ, ଧନ୍ୟବାଦ ଲସ୍କର-ଏ-ତୈବା। ଆଲ୍ଲାହ ତୁମକୁ ଦୀର୍ଘ ଜୀବନ ଦିଅନ୍ତୁ। ଆମେନ୍, ଆମେନ୍ । ଯଦି ଆପଣ ବିଜେପି, ଆରଏସଏସ, ବଜରଙ୍ଗ ଦଳ ଏବଂ ଗଣମାଧ୍ୟମକୁ ଟାର୍ଗେଟ କରିବେ ତେବେ ଆମେ ଅଧିକ ଖୁସି ହେବୁ। ଏବେ ଆରଏସଏସ, ବିଜେପି ଏବଂ ବଜରଙ୍ଗ ଦଳ କୁଆଡ଼େ ଗଲେ? ସୀମାକୁ ଯାଅ ଏବଂ ଡେଇଁ ନାଚି ତୁମର ସାହସ ଦେଖାଅ ବୋଲି ଲେଖିଛନ୍ତି ମହମ୍ମଦ । ଏହି ପୋଷ୍ଟକୁ ନେଇ ଥାନାପେ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ମହମ୍ମଦକୁ ଗିରଫ କରିଥିଲା ।
ପୁରୀ ଡେଲାଙ୍ଗ ଆଶୀର୍ବାଦ ହତ୍ୟା ଘଟଣା: ପରିବାରକୁ ଭେଟିଲେ ବିଜେଡିର ପ୍ରତିନିଧି ଦଳ
ପୁରୀ: ପୁରୀ ଡେଲାଙ୍ଗ ଅଂଚଳରେ ନାବାଳକ ଆର୍ଶୀବାଦ ହତ୍ୟା ଘଟଣା। ଆଶୀର୍ବାଦଙ୍କ ପରିବାରକୁ ଭେଟିଲେ ବିଜେଡିର ପ୍ରତିନିଧି ଦଳ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡିର ବରିଷ୍ଠ ନେତା ସଂଜୟ କୁମାର ଦାସବର୍ମାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆର୍ଶୀବାଦଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ବିଶେଷ କରି ଏଭଳି ଆମନୁଷିକ କାର୍ଯ୍ୟକୁ ନିନ୍ଦା କରିବା ସହିତ ଅଭିଯୁକ୍ତକୁ ଫାଷ୍ଟ ଟ୍ରାକ କୋର୍ଟରେ ଏହାର ବିଚାର କରି ଅଭିଯୁକ୍ତକୁ ଦଣ୍ଡ ପ୍ରଦାନ କରନ୍ତୁ ବୋଲି ଦାବି କରିଛି ବିଜେଡି। ରତନପୁର ଗ୍ରାମରେ ବିଜେଡିର ପ୍ରତିନିଧି ଦଳ ଆର୍ଶୀବାଦର ପରିବାରକୁ ଭେଟିବା ସହିତ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ତୁରନ୍ତ ନ୍ୟାୟ ପାଇଁ ବିକ୍ଷୋଭ କରାଯାଇଥିବାବେଳେ ଗ୍ରାମର ଯେଉଁ ୪୬ ଜଣଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି। ଏହାକୁ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରିଛନ୍ତି।
ଗତ କିଛି ମାସରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବାବେଳେ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେଡିର ପ୍ରତିନିଧି ଦଳ। ପ୍ରତିନିଧି ଦଳ ଏ ଘଟଣା ସମ୍ପର୍କରେ ପୁରୀ ଏସ୍ପିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ବିଜେଡ଼ିର ଏହି ପ୍ରତିନିଧି ଦଳରେ ବିଧାୟକ ସୁଶାନ୍ତ ରାଉତ, ତୁଷାରକାନ୍ତି ବେହେରା, ନବକିଶୋର ମଲ୍ଲିକ, ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ, ରୁଦ୍ର ପ୍ରତାପ ମହାରଥୀ ଓ ପ୍ରଣବ ବଳବନ୍ତରାୟଙ୍କ ସହିତ ଅନ୍ୟମାନେ ସାମିଲ ଥିଲେ।

